ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
ମନରେଗା ଉଚ୍ଛେଦ, ବିଜୁଳି ଚକ୍ରାନ୍ତ ଓ ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ଝାରସୁଗୁଡାରେ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ଜୀବନ ସାର୍ଥକ ଦାସଙ୍କ ନେତୃତ୍ୱରେ ଆଜି ଝାରସୁଗୁଡ଼ା ଠାରେ ମନରେଗା ଉଚ୍ଛେଦ, ବିଜୁଳି ଚକ୍ରାନ୍ତ, ଧାନ କିଣା ଅବ୍ୟବସ୍ଥା ବିରୋଧରେ କଂଗ୍ରେସର ମହାସମାବେଶ ଆୟୋଜିତ ହୋଇଥିଲା । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏବଂ ଏଆଇସିସିର ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରଥମେ ପିସିସି ସଭାପତି, ଓଡ଼ିଶା ପ୍ରଭାରୀ ଏବଂ ଜିଲ୍ଲା କଂଗ୍ରେସ ସଭାପତି ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ପୁରୁଣା ବସଷ୍ଟାଣ୍ଡ ଛକଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଏବଂ ଏହାପରେ ବେରାମାଳ ଛକରେ ଦୁର୍ଗାମନ୍ଦିର ଦର୍ଶନ କରିବା ସହ ଲାଲବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହି ବିଶାଳ ଶୋଭାଯାତ୍ରା ଏମସିଏଲ ଅଡିଟୋରିୟମ ପାଖରେ ପହଞ୍ଚଥଲା ଏବଂ ସେଠାରେ ଆୟୋଜିତ ସଭାରେ ପିସିିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଥିଲେ ଯେ ଝାରସୁଗୁଡ଼ା ଜିଲ୍ଲାର ଅଧିବାସୀ ଏକ ବିଷାକ୍ତ ପରିବେଶ ବଳୟ ଭିତରେ କାଳତିପାତ କରୁଛନ୍ତି । ବାୟୁମଣ୍ଡଳ ଏତେ ଦୂଷିତ ହୋଇଛି ଯେ ବିଜୁଳିବତି ଜଳି ମଧ୍ୟ ରାତିରେ ସହରର ରାସ୍ତା ଦିଶୁନି । ଶିଳ୍ପରୁ ନିର୍ଗତ ପାଉଁଷ ଏ ଜିଲ୍ଲାର କୃଷି ପରିବେଶକୁ ସଂପୂର୍ଣ୍ଣ ନଷ୍ଟ କରିବାକୁ ବସିଲାଣି । କଂଗ୍ରେସ ଝାରସୁଗୁଡ଼ାରେ ଶିଳ୍ପାୟନ କରିଛି । ଶିଳ୍ପ ବିକାଶ ପାଇଁ ସମସ୍ତ ସୁଯୋଗ ଦେଇଛି । କିନ୍ତୁ ଶିଳ୍ପପତିମାନେ ଝାରସୁଗୁଡ଼ା ବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି । ଝାରସୁଗୁଡ଼ାରୁ ପ୍ରଚୁର ଖଣିଜ ଦ୍ରବ୍ୟ ଉତ୍ତୋଳନ ହେଉଛି । ଶିଳ୍ପପତିମାନେ ଲାଭବାନ ହେଉଛନ୍ତି ମାତ୍ର ଝାରସୁଗୁଡ଼ା ବାସିନ୍ଦା ଓ ଝାରସୁଗୁଡ଼ାର ଗରିବଲୋକମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ଯଦି ଆମେ ପରିବେଶ ପାଇଁ ଲଢ଼େଇ ନକରିବା ବା ଜାଗ୍ରତ ନହେବା ଝାରସୁଗୁଡ଼ା ଭବିଷ୍ୟତରେ ମଣିଷ ପାଇଁ ଆଉ ବାସପୋଯୋଗୀ ରହିବ ନାହିଁ । ଝାରସୁଗୁଡ଼ାବାସୀଙ୍କ ପାଇଁ ଝାରସୁଗୁଡ଼ାରେ ଏକ ଭଲ ହସପିଟାଲ ନହୋଇପାରିବା ଦୁର୍ଭାଗ୍ୟଜନକ ।
ସାରା ରାଜ୍ୟରେ କଂଗ୍ରେସ ଦଳ ମନରେଗା ଉଚ୍ଛେଦ, ବିଜୁଳି ଉପଭୋକ୍ତା ଓ ଚାଷୀଙ୍କୁ ପ୍ରତାରଣା ପ୍ରତିବାଦରେ ଲଢ଼େଇ କରୁଛି । ଦେଶର ଗ୍ରାମାଞ୍ଚଳର ଗରିବ ଜନସାଧାରଣଙ୍କୁ ରୋଜଗାର ଯୋଗାଇ ଦେବାପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂ ଓ ତତ୍କାଳନୀ ଉପା ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଯେଉଁ ମହାତ୍ମା ଗାନ୍ଧୀ ନରେଗା ଯୋଜନାର ପ୍ରଣୟନ କରିଥିଲେ ଆଜି ମୋଦି ସରକାର ସେହି ଯୋଜନାକୁ ସଂପୂର୍ଣ୍ଣଭାବେ ଉଚ୍ଛେଦ କରିଦେଇଛି । ଏହା ବଦଳରେ ଭିବିଜି ରାମଜୀ ପ୍ରଚଳନ କରିଛନ୍ତି, ଯେଉଁଥିରେ ମହାତ୍ମା ଗାନ୍ଧୀ ନରେଗା ଯୋଜନାରୁ ହିତାଧିକାରୀମାନଙ୍କୁ ସଂପୂର୍ଣ୍ଣ ଭାବରେ ବିଶ୍ୱାସଘାତକତା କରାଯାଇଛି । ଅନ୍ୟପକ୍ଷରେ ଏହି ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାମକୁ କାଟିଦେବା ଏ ଦେଶ ଏବଂ ଏ ଜାତିପାଇଁ ଅପମାନ । ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ମଜୁରୀ କ୍ଷେତ୍ରରେ ୧୦୦ ପ୍ରତିଶତ ଅନୁଦାନ କେନ୍ଦ୍ର ଦେଉଥିଲା । ମାତ୍ର ଏବେ କେନ୍ଦ୍ର ୬୦ ପ୍ରତିଶତ ଦେବ ଏବଂ ରାଜ୍ୟ ୪୦ ପ୍ରତିଶତ ଦେବ । ଅର୍ଥାତ ଯୋଜନାରେ କେନ୍ଦ୍ରୀୟ ଅନୁଦାନକୁ କାଟି ଦିଆଯାଇଛି । ପୂର୍ବ ଯୋଜନାରେ କାମପାଇଁ ଏକ ଆଇନଗତ ଗ୍ୟାରେଂଟି ଥିବା ବେଳେ ଏବେ ମୋଦି ସରକାରର ନିଷ୍ପତ୍ତି ଅନୁଯାୟି କାମ କରିବାକୁ ହେବ । ସେତେବେଳ ସବୁ ଗାଁରେ ମନରେଗା କାମ କରିବାପାଇଁ ସୁବିଧା ଥିଲା କିନ୍ତୁ ଏବେ କାମ ହେବ ତାହା ମୋଦି ସରକାର ସ୍ଥିର କରିବେ । ସେତେବଳେ ବର୍ଷସାରା କାମ କରିବାର ସୁଯୋଗ ଥିବା ବେଳେ ଏବେ ଅମଳ ଋତୁରେ କାମ କରିବାର ସୁଯୋଗ ନାହିଁ । ସେତେବେଳ ସର୍ବନିମ୍ନ ମଜୁରୀର ଗ୍ୟାରେଂଟି ଥିବା ବେଳେ ଏବେ ମଜୁରି ନିର୍ଦ୍ଧାରଣ ମୋଦି ସରକାର ହାତରେ । ପୂର୍ବ ଯୋଜନାରେ ନିଜ ପଞ୍ଚାୟତର ଉନ୍ନତି ପାଇଁ ପ୍ରୋଜେକ୍ଟ ଗ୍ରାମପଂଚାୟତ ସ୍ଥିର କରୁଥିବା ବେଳେ ଏବେ କେଉଁଠି କାମ ଏବଂ କଣ କାମ ହେବ ତାହା ମୋଦି ସରକାର ସ୍ଥିର କରିବେ ଏବଂ ତାଙ୍କର ପ୍ରିୟ କ୍ରଣ୍ଟାକ୍ଟରମାନେ କାର୍ଯ୍ୟଭାର ନେବେ । ସୁତରାଂ କଂଗ୍ରେସ ଦଳ ମହାତ୍ମା ଗାନ୍ଧୀ ନରେଗା ଯୋଜନାର ପୁନଃ ପ୍ରଚଳନ ପାଇଁ ଦାବି କରୁଛି । ସେହିଭଳି ନିର୍ବାଚନ ସମୟରେ ୩୦୦ ୟୁନିଟ ବିଜୁଳି ଦେବାପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଏବେ ମାଗଣା ବିଜୁଳି ଦେବ କଣ ଏ ରାଜ୍ୟର ଏକକୋଟି ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ କରିବାକୁ ଷଡଯନ୍ତ୍ର କରିଛନ୍ତି । ମୋହନ ସରକାର ଏବଂ ଟାଟାପାୱାରର ମଧୂଚନ୍ଦ୍ରିକାରେ ଏବେ ଓଡ଼ିଶାର ବିଜୁଳି ଖାଉଟି ହନ୍ତସନ୍ତ । ଭାରତର ବିଭିନ୍ନ ରାଜ୍ୟ ୧୦୦ ରୁ ୩୦୦ ୟୁନିଟ ବିଜୁଳି ଛାଡ଼ କରୁଥିବା ବେଳେ ଓଡ଼ିଶାରେ ତାହା ସମ୍ଭବ ହେଉନାହିଁ କାହିଁକି? ଶିଳ୍ପକୁ ବିଜୁଳି ଦେୟ ଛାଡ଼ କରାଯାଉଥିବା ବେଳେ ଚାଷୀକୁ ଗୋଟିଏ ୟୁନିଟ୍ ବିଜୁଳି ମାଗଣା ଦିଆଯାଉ ନାହିଁ ମାତ୍ର ଚାଷୀକୁ ମାଗଣା ବିଜୁଳି ଦେବାପାଇଁ ପ୍ରତିଶ୍ରୁତି ଦେଇଥଲେ । ସେହିଭିଳ ଉପଭୋକ୍ତାଙ୍କୁ ଅତିରିକ୍ତ ସୁରକ୍ଷା ଜମା ବାବଦରେ ଅର୍ଥପୈଠ କରାଯିବାକୁ ବାଧ୍ୟ କରାଯାଉଛି । ମୋହନ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଏ ରାଜ୍ୟର ଏକକୋଟି ବିଜୁଳି ଉପଭୋକ୍ତାଙ୍କର ଜାଗରଣ ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ଅନ୍ୟ ପକ୍ଷରେ ଧାନ ସଂଗ୍ରହରେ ଏ ସରକାରଙ୍କର ଶଠତା ଜଳ ଜଳ ହୋଇ ଦିଶୁଛି । ମିଲ ମାଲିକ ଏବଂ ସରକାରଙ୍କର ଭିତିରି ବୁଝାମଣାରେ ଚାଷୀ କ୍ଷତିଗ୍ରସ୍ତ ହେଉଛି । ଚାଷୀର ସମସ୍ତ ଧାନକୁ କିଣିବାକୁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ ଏବେ ସେ ପ୍ରତିଶ୍ରୁତି ପ୍ରତାରଣରେ ପରିଣତ ହୋଇଛି । ପ୍ରତି କ୍ୟୁଂଟାଲ ଧାନରୁ ୧୦ କିଲୋ କଟନୀ ଛଟନୀର ଆଳରେ କାଟି ଦିଆଯାଉଛି । ଏବେ ପୁଣି ବିଜେପି ସରକାର ପ୍ରତିଶ୍ରୁତି ଦେଇଥିବା ଏମଏସପି ମୂଲ୍ୟରୁ ୮୦୦ ଟଙ୍କା କାଟି ଦେବାକୁ ମଧ୍ୟ କହିସାରିଲେଣି । ପରିଶେଷରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କୁ ନେଇ ସମ୍ବଲପୁର ଠାରେ ଏକ ମହାସମାବେଶ କରାଯିବାପାଇଁ ପିସିସି ସଭାପତି ଶ୍ରୀ ଦାସ ସେଠାରେ ଘୋଷଣା କରିଥିଲେ ।
ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଓଡ଼ିଶା ସରକାରଙ୍କ ବିଜୁଳି ଉପଭୋକ୍ତା, ଚାଷୀ ଏବଂ ମୋଟରଗାଡ଼ି ଚାଳକ ମାରଣ ନୀତିକୁ ଦୃଢ଼ ସମାଲୋଚନା କରିଥିଲେ । ଏମାନଙ୍କର ସ୍ୱର ଆଜି କଂଗ୍ରେସର ସ୍ୱର ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବାଚସ୍ପତ୍ତି ଶ୍ରୀ କିଶୋର ପଟେଲ, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ସିର୍ଦ୍ଧାଥ ଦାସ, ହମିଦ ହୁସେନ, ଅମୀତା ବିଶ୍ୱାଳ, ଯଶୋବନ୍ତ ସିଂ ଲାଗୁରି, ଅରବିନ୍ଦ ଦାସ, ହମିଦ ହୁସେନ, ମାନସ ମଲ୍ଲିକ, ସସ୍ମିତା ପଣ୍ଡା, ସୁବ୍ରତ ଦାସ, ମିଲନ ପଟ୍ଟନାୟକ, ଅମିତ ଗୁରୁ, ସଂଜୟ ମହାପାତ୍ର, ଦେବାନନ୍ଦ ବାରିକ, ଲିଙ୍ଗରାଜ ବଢ଼େଇ, ସଲିମ ଖାନ, କାଜଲ ଘୋଷ, ଗୁଡୁ ଅଗସ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।