କୋରାପୁଟ ଜିଲାରେ ମାରାତ୍ମକ ହେବାରେ ଲାଗିଛି ଅନ୍‌ଲାଇନ୍ ଜୁଆ

FMNEWS.IN 04-05-2025
Online gambling in Koraput increasing

ଜୟପୁର, ୪ ମଇ - କୋରାପୁଟ ଜିଲାରେ ବର୍ତ୍ତମାନ ଅନ୍ଲାଇନ୍ ଗେମ୍ ପିଲାଠାରୁ ବୁଢାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାଇଆ କରିଛି । ଅନ୍ଲାଇନ ଖେଳ ଆକୃଷ୍ଟ କରୁଛି । ମାତ୍ର ପ୍ରତିଦିନ ଖବରକାଗଜରେ ବାହାରୁଛି ଅନ୍ଲାଇନ ଖେଳରେ ଏତେ ଟଙ୍କା ହାରିଲେ, ଅନ୍ଲାଇନ ଗେମ୍ ଖେଳି ଜୀବନ ହାରିଲେ; କିନ୍ତୁ ଏସବୁ କାହାକୁ ପ୍ରଭାବିତ କରୁନି । କଂପ୍ୟୁଟର ବା ମୋବାଇଲରେ ଖେଳାଯାଉଥିବା ଯେ କୌଣସି ଖେଳ ଯେ ଜୁଆଠାରୁ କୌଣସି ଗୁଣରେ କମ୍ ନୁହେଁ ଏକଥା ସମସ୍ତ ଜାଣନ୍ତି; ମାତ୍ର ଖେଳୁଛନ୍ତି । ଏ କଥା ସତ୍ୟ ପ୍ରଯୁକ୍ତିବିଦ୍ୟା ଆମ ଜୀବନକୁ ବହୁତ ସହଜ କରିଦେଇଛି; କିନ୍ତୁ ପ୍ରଯୁକ୍ତିର ସୁଫଳ ତୁଳନାରେ ଏହାର ବିପରୀତ ଫଳ ଆମକୁ ଅଧିକ ବିପଦରେ ପକାଉଛି । ଅନ୍ଲାଇନ ଗେମ୍ ଗୁଡ଼ିକ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଏମିତି କଳା ଦୁନିଆ ଯାହା ପ୍ରଥମେ ଆମର ଯୁବପିଢିଙ୍କ ଗଳାରେ ଫାଶ ହୋଇଥିଲା, ଏବେ ଏହା ସମାଜର ସବୁବର୍ଗର ଲୋକଙ୍କୁ ନିଜର ଅକ୍ତିଆରକୁ ନେଲାଣି । ପ୍ରାରମ୍ଭରେ ଏହି ଖେଳଗୁଡ଼ିକ କେବଳ ମନୋରଞ୍ଜନ ପାଇଁ ଖେଳାଯାଏ; କିନ୍ତୁ ଏହା ଧୀରେ ଧୀରେ ଏକ ନିଶାରେ ପରିଣତ ହୁଏ । ପିଲା ଏବଂ ଯୁବକମାନେ ଦିନରାତି ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ଖେଳ ଖେଳିବାରେ ବ୍ୟସ୍ତ ରହନ୍ତି । ଏହା କେବଳ ସେମାନଙ୍କ ପାଠପଢ଼ା ଓ ବୃତ୍ତିକୁ ପ୍ରଭାବିତ କରେନାହିଁ, ବରଂ ସେମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାକୁ ଲାଗେ ।

ଆଜିକାଲି କୋରାପୁଟ ଜିଲାର ଗାଁ ଗହଳି, ସହରବଜାର ଯୁଆଡେ ଗଲେ ଆମେ ଦେଖିବାକୁ ପାଇବା ପିଲାମାନେ ମୁହଁ ତଳକୁ କରି ମୋବାଇଲରେ କଣସବୁ କରୁଛନ୍ତି । ଦଳଦଳ ହୋଇ ପିଲାଏ ବସିଥିବେ ମାତ୍ର କାହାରି କାହା ସହିତ କଥା ନଥିବ, ନିଜ ନିଜ ମୋବାଇଲରେ ମୁଣ୍ଡମାଡି ଦେଇଥିବେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ଲାଇନ ଗେମ୍ ହିଁ ଖେଳିଥାନ୍ତି । ଆଗରୁ ଅନ୍ଲାଇନ ଖେଳଗୁଡିକରେ ବିଭିନ୍ନ ଚ୍ୟାଲେଞ୍ଜ ମିଳୁଥିଲା ଯାହାକୁ ଖେଳାଳି ସମ୍ମୁଖୀନ ହୋଇ ନିଶାଗ୍ରସ୍ତ ଭାବେ ଖେଳୁଥିଲା । ଏବେ ଏସବୁରେ ଯୋଡି ହୋଇଯାଇଛି ଟଙ୍କା । ଅଧିକାଂଶ ଖେଳରେ ଟଙ୍କା ବିନିଯୋଗ କରି ଖେଳିବାର ବିକଳ୍ପ ଅଛି । ତେବେ ଟଙ୍କା ବିନିଯୋଗ କରି ଖେଳାଯାଉଥିବା ଖେଳଗୁଡିକ ଜୁଆ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମିତି ଖେଳଗୁଡ଼ିକରେ ଅନେକ ଯୁବକ ହଜାର ହଜାର ଟଙ୍କା ହରାଉଛନ୍ତି ଏବଂ ଅନେକ ସମୟରେ ଋଣରେ ବୁଡ଼ିଯାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି । ଏହି ଖେଳରେ ଜିତି ଲାଭବାନ ହେବା ବ୍ୟକ୍ତିଙ୍କ ପ୍ରତିଶତ ଅତି ନଗଣ୍ୟ ହୋଇଥିବା ବେଳେ ଶହଶହ ଯୁବକ ନିଜର ପୁଞ୍ଜି ହରାଇ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛନ୍ତି । ଏହି ଖେଳଗୁଡ଼ିକ ପିଲାମାନଙ୍କୁ ସାମାଜିକ ଜୀବନରୁ ଦୂରେଇ ନେଉଛି । ଅନ୍ଲାଇନ ଗେମ୍ରେ ବୁଡ଼ି ରହୁଥିବା ପିଲାଏ ଘର ପରିବାର ଲୋକଙ୍କ ସହ ମିଶନ୍ତି ନାହିଁ, ସମାଜରେ କଣ ଘଟୁଛି ସେଥିରେ ସେମାନଙ୍କ ରୁଚି ନଥାଏ, ସେମାନେ ଏକାକୀତ୍ୱର ଶିକାର ହୁଅନ୍ତି ଏବଂ ମାନସିକ ଚାପ ମଧ୍ୟରେ ରହିଥାନ୍ତି ।

ମନସ୍ତତ୍ତ୍ୱବିତ୍ମାନଙ୍କ ମତରେ ଅନ୍ଲାଇନ ଗେମ୍ ଏକ ଅଦୃଶ୍ୟ ନିଶା । ଏହି ନିଶା ଡ୍ରଗ୍ସଠାରୁ ମଧ୍ୟ ମାରାତ୍ମକ । କାରଣ ଏଥିରୁ ବାହାରିବା ସହଜ ନୁହେଁ । ଆଉ ଏକ ଗୁରୁତର ବିଷୟ ହେଲା ଏହି ଗେମ୍ରେ ପ୍ରାୟତଃ ପିଲାମାନେ ହାରିଥାନ୍ତି ଓ ନିଜର ଅର୍ଥ, ସମୟ ଓ ମାନସିକ ଶାନ୍ତି ହରାଇଥାନ୍ତି । ହେଲେ ଏ କଥା ସେମାନେ କାହା ଆଗରେ କହିନଥାନ୍ତି । ଏହା ଗୁପ୍ତ ରଖିଥାନ୍ତି । ଏମିତିକି ଲକ୍ଷଲକ୍ଷ ଟଙ୍କା ହରାଇଥିଲେ ବି ଏ ଖବର ପୁଲିସ୍ରେ ଦେବାକୁ ଉଚିତ ମଣିନଥାନ୍ତି । ସେମାନଙ୍କର ଏହି ନୀରବତାର ସୁଯୋଗ ନେଇ ଅନ୍ଲାଇନରେ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଗେମିଂ ଆପ୍ସ ଚଲାଉଥିବା କମ୍ପାନୀଗୁଡ଼ିକ ପ୍ରଥମେ ଯୁବପିଢ଼ିଙ୍କୁ ଜିତିବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରନ୍ତି । କିଛି ମନସ୍ତତ୍ଵବିତ୍ ଙ୍କ ମତରେ ଏହି ଖେଳଗୁଡ଼ିକ ଏକ ନିଶା ପରି କାମ କରେ । ଟିକିଏ ଜିତିବା ଦ୍ୱାରା ପ୍ରାରମ୍ଭରେ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ଏକ ବିଶେଷ ପ୍ରକାରର ହରମୋନ ସୃଷ୍ଟି ହୁଏ ଯାହା ତାଙ୍କୁ ବାରମ୍ବାର ଖେଳିବାକୁ ପ୍ରେରଣା ଦିଏ । ପରେ ଏମିତି ଗୋଟେ ଅବସ୍ଥା ଆସେ ଯେତେବେଳେ ପିଲାଟି ଖେଳରୁ କୌଣସି ଆନନ୍ଦ ପାଉନଥିଲେ ବି ନିଶାଗ୍ରସ୍ତ ହୋଇ ଖେଳିଥାଏ । ଜଣେ ବିଶିଷ୍ଟ ମନୋଚିକିତ୍ସକ କହିଛନ୍ତି ଯେ ପ୍ରତିଦିନ ସେ ଦେଖୁଥିବା ପ୍ରାୟ ୫୦ ଜଣ ରୋଗୀଙ୍କ ମଧ୍ୟରୁ ଦୁଇରୁ ତିନି ଜଣ ଅନ୍ଲାଇନ ଗେମ୍ କିମ୍ବା ଇଣ୍ଟରନେଟ ପ୍ରତି ନିଶାରେ ପୀଡିତ ।