- ‘ଅପରେସନ ସିନ୍ଦୁର’ ପରେ କୂଟନୈତିକ ପଦକ୍ଷେପର ଆବଶ୍ୟକତା ରହିଛି, କିନ୍ତୁ ଦ୍ୱିମୁଖୀ ମାନଦଣ୍ଡ କାହିଁକି: କଂଗ୍ରେସ
- ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ : ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲ...
- ଗଛରେ ପିଟିଲା କାର : ୩ ମୃତ, ଜଣେ ଗୁରୁତର
- ସିନ୍ଦୂର ଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
- ଆତଙ୍କବାଦର ହାଇବ୍ରିଡ୍ ଏବଂ ଛାୟା ଯୁଦ୍ଧକୁ ମୂଳପୋଛ କରିଦେବୁ : ଭୁଜ ବାୟୁସେନା ଷ୍ଟେସନରେ ପ୍ରତିରକ୍ଷା ମନ୍ତ୍ରୀ
ଆତଙ୍କବାଦର ହାଇବ୍ରିଡ୍ ଏବଂ ଛାୟା ଯୁଦ୍ଧକୁ ମୂଳପୋଛ କରିଦେବୁ : ଭୁଜ ବାୟୁସେନା ଷ୍ଟେସନରେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ :ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ କେବଳ ସୁରକ୍ଷାର ବିଷୟ ନୁହେଁ, ଏହା ବର୍ତ୍ତମାନ ଜାତୀୟ ପ୍ରତିରକ୍ଷା ସିଦ୍ଧାନ୍ତର ଏକ ଅଂଶ ପାଲଟିଛି, ଏବଂ ଆମେ ଏହି ହାଇବ୍ରିଡ୍ ଏବଂ ଛାୟା ଯୁଦ୍ଧକୁ ମୂଳପୋଛ କରିଦେବୁ, ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଆଜି ଗୁଜରାଟର ଭୁଜ ବାୟୁସେନା ଷ୍ଟେସନରେ ବାୟୁସେନା ଯୋଦ୍ଧାମାନଙ୍କୁ ସମ୍ବୋଧିତ କରି କହିଥିଲେ। ସେ ଦୃଢ଼ତାର ସହିତ କହିଥିଲେ ଯେ, ବର୍ତ୍ତମାନର ଅସ୍ତ୍ରବିରତି ଅର୍ଥ ହେଉଛି ଭାରତ ପାକିସ୍ତାନକୁ ତାର ଆଚରଣ ଆଧାରରେ ନଜରରେ ରଖିଛି। ଯଦି ଆଚରଣରେ ଉନ୍ନତି ଆସେ, ତେବେ ଏହା ଠିକ୍ ଅଛି; କିନ୍ତୁ ଯଦି କୌଣସି ବିଭ୍ରାଟ ହୁଏ, ତେବେ କଠୋର ଶାସ୍ତି ଦିଆଯିବ ବୋଲି ସେ କହିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ। ଆମର କାର୍ଯ୍ୟ କେବଳ ଏକ ଟ୍ରେଲର ଥିଲା, ଆବଶ୍ୟକ ହେଲେ ଆମେ ସମ୍ପୂର୍ଣ୍ଣ ଚିତ୍ର ଦେଖାଇବୁ। ସେ କହିଛନ୍ତି ଯେ, ଆତଙ୍କବାଦ ଉପରେ ଆକ୍ରମଣ ଏବଂ ମୂଳୋତ୍ପାଟନ କରିବା ହେଉଛି ନୂତନ ଭାରତର ନୂତନ ସ୍ୱାଭାବିକତା।
ଭାରତ ଦ୍ୱାରା ଧ୍ୱଂସ ହୋଇଥିବା ପାକିସ୍ତାନର ଆତଙ୍କୀ ଭିତ୍ତିଭୂମି ପୁନଃନିର୍ମାଣ ଆରମ୍ଭ ହୋଇଛି ବୋଲି କହିବା ସହିତ ଶ୍ରୀ ରାଜନାଥ ସିଂହ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍)କୁ ଇସଲାମାବାଦକୁ ଦିଆଯାଇଥିବା ଏକ ବିଲିୟନ ଡଲାର ସହାୟତା ଉପରେ ପୁନର୍ବିଚାର କରିବାକୁ ଏବଂ ଭବିଷ୍ୟତରେ କୌଣସି ସହାୟତା ପ୍ରଦାନ କରିବାରୁ ନିବୃତ୍ତ ରହିବାକୁ ଆହ୍ୱାନ କରିଛନ୍ତି। ପାକିସ୍ତାନ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାର, ଯିଏ କି ଜାତିସଂଘ ଦ୍ୱାରା ନିର୍ଣ୍ଣିତ ଆତଙ୍କବାଦୀ, ତାକୁ ପ୍ରାୟ ୧୪ କୋଟି ଟଙ୍କା ଦେବା ପାଇଁ ଏହାର ନାଗରିକମାନଙ୍କ ଠାରୁ ସଂଗୃହୀତ ଟିକସ ଖର୍ଚ୍ଚ କରିବ। ପାକିସ୍ତାନ ସରକାର ମୁରିଦକେ ଏବଂ ବାହାବଲପୁରରେ ଅବସ୍ଥିତ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ଆତଙ୍କୀ ଭିତ୍ତିଭୂମି ପୁନଃନିର୍ମାଣ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ନିଶ୍ଚିତ ଭାବରେ, ଆଇଏମଏଫ୍ ର ଏକ ବିଲିୟନ ଡଲାର ସହାୟତାର ଏକ ବଡ଼ ଅଂଶ ଆତଙ୍କୀ ଭିତ୍ତିଭୂମି ପାଇଁ ପାଣ୍ଠି ଯୋଗାଇବା ପାଇଁ ବ୍ୟବହାର କରାଯିବ। ଏହାକୁ କଣ ଏକ ଅନ୍ତର୍ଜାତୀୟ ସଂଗଠନ ଆଇଏମଏଫ୍ ଦ୍ୱାରା ପରୋକ୍ଷ ପାଣ୍ଠି ଯୋଗାଣ ଭାବରେ ବିବେଚନା କରାଯିବ ନାହିଁ? ପାକିସ୍ତାନକୁ ଯେକୌଣସି ଆର୍ଥିକ ସହାୟତା ଆତଙ୍କବାଦ ପାଣ୍ଠି ଠାରୁ କମ୍ ନୁହେଁ। ଭାରତ ଆଇଏମଏଫ୍କୁ ଦେଉଥିବା ପାଣ୍ଠିକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦେଶରେ ଆତଙ୍କୀ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ, ବୋଲି ସେ କହିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ଭାରତୀୟ ବାୟୁସେନା (ଆଇଏଏଫ୍) ଅପରେସନ ସିନ୍ଦୂରରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିବାରୁ ପ୍ରଶଂସା କରିଥିଲେ, ଯାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି। ମାତ୍ର ୨୩ ମିନିଟ୍ ମଧ୍ୟରେ ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ନଷ୍ଟ କରିବା ପାଇଁ ବାୟୁ ଯୋଦ୍ଧାମାନଙ୍କୁ ପ୍ରଶଂସା କରି ସେ କହିଥିଲେ ଯେ, ଯେତେବେଳେ ଶତ୍ରୁ ଅଞ୍ଚଳ ଭିତରେ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା, ସେତେବେଳେ ବିଶ୍ୱ ଭାରତର ବୀରତ୍ୱ ଏବଂ ଶକ୍ତିର ପ୍ରତିଧ୍ୱନି ଶୁଣିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ବାୟୁସେନା ଆତଙ୍କବାଦ ବିରୁଦ୍ଧରେ ଏହି ଅଭିଯାନର ନେତୃତ୍ୱ ନେଇଥିଲା ଏବଂ ଏହି ଅଭିଯାନ ସମୟରେ ଏହା କେବଳ ଶତ୍ରୁ ଉପରେ ପ୍ରଭାବ ପକାଇନଥିଲା, ବରଂ ସେମାନଙ୍କୁ ନିପାତ କରିଥିଲା।
ଶ୍ରୀ ରାଜନାଥ ସିଂହ ଆଲୋକପାତ କରିଥିଲେ ଯେ , ଭାରତର ଯୁଦ୍ଧ ବିମାନ ସୀମା ପାର ନକରି ପାକିସ୍ତାନର ପ୍ରତ୍ୟେକ କୋଣରେ ଆକ୍ରମଣ କରିବାକୁ ସକ୍ଷମ। ବିଶ୍ୱ ଦେଖିଛି ଯେ କିପରି ଭାରତୀୟ ବାୟୁ ସେନା ଆତଙ୍କବାଦୀ ଶିବିର ଏବଂ ପରେ ପାକିସ୍ତାନର ଏୟାରବେସ୍ ଗୁଡ଼ିକୁ ଧ୍ୱଂସ କରିଥିଲା। ଭାରତୀୟ ବାୟୁ ସେନା ଭାରତର ଯୁଦ୍ଧ ନୀତି ଏବଂ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ହୋଇଛି ବୋଲି ପ୍ରମାଣ ଦେଇଛି । ବାୟୁ ସେନା ନୂତନ ଭାରତର ବାର୍ତ୍ତା ଦେଇଛି ଯେ, ଆମେ କେବଳ ବିଦେଶରୁ ଆମଦାନୀ ହୋଇଥିବା ଅସ୍ତ୍ରଶସ୍ତ୍ର ଏବଂ ପ୍ଲାଟଫର୍ମ ଉପରେ ନିର୍ଭରଶୀଳ ନୁହଁ, ବରଂ ଭାରତରେ ନିର୍ମିତ ଉପକରଣ ଆମର ସାମରିକ ଶକ୍ତିର ଏକ ଅଂଶ ହୋଇଗଲାଣି। ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ମଧ୍ୟ ଅଭେଦ୍ୟ, ବୋଲି ସେ ଉଲ୍ଲେଖ କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ନିଜେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଶକ୍ତିକୁ ବି ମାନିଛି। ଭାରତରେ ନିର୍ମିତ ଏହି କ୍ଷେପଣାସ୍ତ୍ର ରାତିର ଅନ୍ଧାରରେ ପାକିସ୍ତାନକୁ ଦିନର ଆଲୋକ ଦେଖାଇଲା, ସେ ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ପ୍ରଶଂସା କରିଥିଲେ, ଯେଉଁଥିରେ ଡିଆରଡିଓ ଦ୍ୱାରା ନିର୍ମିତ ଆକାଶ ଏବଂ ଅନ୍ୟାନ୍ୟ ରାଡାର ପ୍ରଣାଳୀ ଏକ ମହାନ ଭୂମିକା ଗ୍ରହଣ କରିଛି।
ଗତକାଲି ଶ୍ରୀନଗରର ବାଦାମୀ ବାଗ କ୍ୟାଣ୍ଟରେ ବୀର ଭାରତୀୟ ସେନା ଏବଂ ଆଜି ଭୁଜରେ ବାୟୁସେନା ଯୋଦ୍ଧା ଏବଂ ସୈନିକଙ୍କ ସହ ତାଙ୍କର ଆଲୋଚନା ବିଷୟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ , ସେ ପୁଣି ଥରେ ନିଶ୍ଚିତ ଯେ ଭାରତର ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ। ମୁଁ ଉଭୟ ମୋର୍ଚ୍ଚାରେ ସୈନିକମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ତରର ଉତ୍ସାହ ଏବଂ ଦେଶପ୍ରେମ ଦେଖିଛି। ଅପରେସନ୍ ସିନ୍ଦୂର ସମୟରେ ଆମର ସେନା ଯାହା କରିଥିଲେ ତାହା ଦେଶକୁ ଗର୍ବରେ ପରିପୂର୍ଣ କରିଛି, ବୋଲି ସେ କହିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଭୁଜ ୧୯୬୫, ୧୯୭୧ ଏବଂ ବର୍ତ୍ତମାନ ସମୟରେ ପାକିସ୍ତାନ ଉପରେ ଭାରତର ବିଜୟର ସାକ୍ଷୀ ରହିଛି। ସେ ଭୁଜକୁ ଦେଶପ୍ରେମର ଭୂମି ବୋଲି ଅଭିହିତ କରିଛନ୍ତି , ଯେଉଁଠାରେ ସୈନିକମାନେ ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ଅଟଳ ସଂକଳ୍ପ ସହିତ ଠିଆ ହୁଅନ୍ତି। ସେ ମାତୃଭୂମି ପ୍ରତି ସେବା ପାଇଁ ବାୟୁସେନା ଯୋଦ୍ଧା ଏବଂ ସଶସ୍ତ୍ର ବାହିନୀ ଏବଂ ବିଏସଏଫର ଅନ୍ୟ ସାହସୀ ସୈନିକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।
ସଶସ୍ତ୍ର ବାହିନୀକୁ ନୂତନ ଅସ୍ତ୍ରଶସ୍ତ୍ର/ପ୍ଲାଟଫର୍ମ ଏବଂ ଆଧୁନିକ ଭିତ୍ତିଭୂମି ସହିତ ନିରନ୍ତର ସଜ୍ଜିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଏକ ଶକ୍ତିଶାଳୀ ରାଷ୍ଟ୍ର ଏହାର ସେନାକୁ ସମ୍ମାନ କରେ ଏବଂ ଏହାକୁ ସମ୍ବଳ, ପ୍ରଯୁକ୍ତିବିଦ୍ୟା ଏବଂ ସମସ୍ତ ପ୍ରକାରର ସହାୟତା ଯୋଗାଇଥାଏ। ସେ ଉଲ୍ଲେଖ କରିଥିଲେ ଯେ, ପୂର୍ବରୁ ଭାରତ ଆମଦାନୀ ଉପରେ ଅଧିକ ପରିମାଣରେ ନିର୍ଭରଶୀଳ ଥିଲା, କିନ୍ତୁ ଆଜି ଏହା ସ୍ୱଦେଶୀ ଭାବରେ ତୋପ ପ୍ରଣାଳୀ, ରାଡାର ପ୍ରଣାଳୀ, କ୍ଷେପଣାସ୍ତ୍ର ଢାଲ, ଡ୍ରୋନ ଏବଂ କାଉଣ୍ଟର ଡ୍ରୋନ ଭଳି ଉପକରଣ ନିର୍ମାଣ କରୁଛି। ଆମେ ଆମଦାନୀକାରୀରୁ ରପ୍ତାନିକାରୀ ହେଉଛୁ; ଏବଂ ଏହା କେବଳ ଆରମ୍ଭ, ବୋଲି ସେ କହିଛନ୍ତି।
ଶ୍ରୀ ରାଜନାଥ ସିଂହ କହିଛନ୍ତି ଯେ , ଆତଙ୍କବାଦ ବିରୁଦ୍ଧରେ ଏହି ଲଢ଼େଇରେ ଭାରତର ଜନତା, ସରକାର, ସଶସ୍ତ୍ର ବାହିନୀ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଏକତା ଏବଂ ବୁଝାମଣା ପ୍ରଦର୍ଶନ କରିଛନ୍ତି, ପ୍ରତ୍ୟେକ ନାଗରିକ ଜଣେ ସୈନିକ ପରି ଅଂଶଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ, ସରକାର ଏବଂ ଜନସାଧାରଣ ପ୍ରତ୍ୟେକ ପଦକ୍ଷେପରେ ଏହାର ସେନା ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛନ୍ତି, ବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଏକତ୍ର ହୋଇ, ଆମେ ଏହି ଅଞ୍ଚଳରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ କରିବୁ, ଏବଂ ଦେଶର ସାର୍ବଭୌମତ୍ୱ ଉପରେ କେହି ଖରାପ ନଜର ପକାଇବାକୁ ସାହସ କରିବେ ନାହିଁ।
ରକ୍ଷା ମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭରେ ପହଲଗାଓଁରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ବ୍ୟକ୍ତିବିଶେଷ ଏବଂ ଅପରେସନ ସିନ୍ଦୂର ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଆହତ ସୈନିକ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।
ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଆଇଏଏଫ୍ ଅଧିକାରୀମାନେ ଉପସ୍ଥିତ ଥିଲେ।