BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ହାଇୱା ଚଢ଼ାଇ ଦୁଇ ବିଜେପି ନେତାଙ୍କୁ ହତ୍ୟା ମାମଲା: ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଡ୍ରାଇଭର

FMNEWS.IN 07-01-2025
Highway patrol murder case: Accused driver remanded in 3-day remand

ସମ୍ବଲପୁର, ୭ ଜାନୁଆରୀ - ସମ୍ବଲପୁର ଜିଲ୍ଲାର କଂଟାପାଲିରେ ହାଇୱା ଚଢ଼ାଇ ଦୁଇ ବିଜେପି ନେତାଙ୍କୁ ହତ୍ୟା ମାମଲାରେ ଜଡ଼ିତ ଅଭିଯୁକ୍ତ ହାଇୱା ଡ୍ରାଇଭର ପ୍ରସନ୍ନ କୁମାର ଜେନାମଣି(୩୦)କୁ ତିନି ଦିନିଆ ରିମାଣ୍ଡରେ ନେଇଛି ବୁର୍ଲା ଥାନା ପୋଲିସ । ପ୍ରସନ୍ନ ବାରମ୍ବାର ବୟାନ ବଦଳାଉଥିବା ବେଳେ, ତା ଠାରୁ ସତ ଆଦାୟ କରିବାକୁ ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିଲା ବୁର୍ଲା ପୁଲିସ । ତେବେ କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିବା ପରେ ଆଜି ଅଭିଯୁକ୍ତକୁ ସମ୍ବଲପୁର ମଣ୍ଡଳ କାରାଗାରରୁ ରିମାଣ୍ଡରେ ନେଇଛି ବୁର୍ଲା ପୋଲିସ । ସେ ବାରମ୍ବାର ବୟାନ ବଦଳାଉଥିବାରୁ ତା ନିକଟରୁ ତଥ୍ୟ ଆଦାୟ ପାଇଁ ପୋଲିସ ତାକୁ ଜେରା କରୁଛି ।

ଗତରାତିରେ ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟଚାଲାଣ କରାଯାଇଥିଲା । ଡ୍ରାଇଭର ଜଣକ କଣ ପାଇଁ ଏପରି ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଘଟାଇଲା । ତାର କେହି ସହଯୋଗୀ ଅଛି ନା ସେ ଏକାକୀ ଏହି କାଣ୍ଡ ଭିଆଇଛି । ବିଜେପି ନେତାଙ୍କୁ ହତ୍ୟା ପାଇଁ କାହାଠୁ ସୁପାରୀ ନେଇଥିଲା କି ଡ୍ରାଇଭର ? ରାସ୍ତାରେ ସାଇଡ୍ ମରାକୁ ନେଇ ହାଇୱା ଡ୍ରାଇଭର ସହ ଟକରା ଟକରି ହତ୍ୟା ପଛର କାରଣ ନୁହେଁ ତ ? କିମ୍ବା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି । ଘଟଣା ସମୟରେ ଡ୍ରାଇଭରର ମାନସିକ ସ୍ଥିତି କିପରି ଥିଲା । ଏ ତମାମ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ୩ ଦିନିଆ ରିମାଣ୍ଡ ବେଳେ ଅଭିଯୁକ୍ତ ପ୍ରସନ୍ନକୁ ଏନେଇ ଅଧିକ ପଚରା ଉଚରା କରିବ ପୋଲିସ । ଅଭିଯୁକ୍ତର ଘର ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବଡନାଳି ଗ୍ରାମରେ ।

ପ୍ରକାଶ ଥାଉକି, ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର କଂଟାପାଲି ଓଭରବ୍ରିଜ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ କାର୍ କୁ ହାଇୱା ଧକ୍କା ଦେବାରୁ ୨ ବିଜେପି ନେତାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ । ମୃତକ ଦ୍ୱୟ ହେଲେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ (୫୭) ଓ କର୍ଡୋଲା ପଂଚାୟତର ପୂର୍ବତନ ସରପଂଚ ମୁରଲୀଧର ଛୁରିଆ (୫୮) । ତେବେ ତାହା ଦୁର୍ଘଟଣା ନୁହେଁ, ବରଂ ହାଇୱା ଡ୍ରାଇଭର ଜାଣିଶୁଣି କାର୍ କୁ ଧକ୍କା ଦେଇଥବା ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା ।