- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
 - ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
 - ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
 - ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
 - ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
 
ସମ୍ବଲପୁର ପୋଲିସର ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ସୀତାରାମ ଆହତ
              ସମ୍ବଲପୁର, ୨୩ ଅପ୍ରେଲ - ମାତ୍ର ଏକ ମାସ ବ୍ଯବଧାନରେ ସମ୍ବଲପୁର ଜିଲ୍ଲା ପୋଲିସ ପୁଣି ଥରେ ଏନକାଉଣ୍ଟର କରିଥିବା ଜଣାପଡିଛି । ସମ୍ବଲପୁରର ଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗିଆଟିକରା ଗ୍ରାମ ରାଜରାସ୍ତାରେ ରବିବାର ପ୍ରତ୍ୟୁଷରେ ହୋଇଛି ଏହି ଏନକାଉଣ୍ଟର। ଏଥର ପୋଲିସ ଏନକାଉଣ୍ଟରରେ ଗୋବିନ୍ଦପୁର ଥାନା ବାମରା ଅଞ୍ଚଳର କୁଖ୍ୟାତ ଅପରାଧୀ ସାର୍ଗିଡିହୀ ଗ୍ରାମର ୩୪ ବର୍ଷିୟ ସୀତାରାମ ଷଡ଼ଙ୍ଗୀ ଗୁରୁତର ଆହତ ହେବାପରେ ଚିକିତ୍ସା ପାଇଁ ତାକୁ ବୁର୍ଲା ଭିମସାରରେ ପୋଲିସ ଭର୍ତ୍ତି କରିଛି। ପୋଲିସର ଗୁଳି ସୀତାରାମର ବାମଗୋଡ଼ ଆଣ୍ଠୁତଳକୁ ଭେଦିଥିବା କୁହାଯାଉଛି।
ସମ୍ବଲପୁର ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ରହି ପୋଲିସକୁ ଚକମା ଦେଇ ସୀତାରାମ ଆତ୍ମଗୋପନ କରି ଆସୁଥିବା ବେଳେ ଦୀର୍ଘ ଦିନ ଧରି ସୀତାରାମ୍ ସନ୍ଧାନରେ ପୋଲିସ ରହିଥିଲା। ନିକଟରେ ସୀତାରାମ ବିରୋଧରେ ଗୋବିନ୍ଦପୁର ଥାନାରେ ୪୬/୨୫ରେ ରୁଜୁ ହୋଇଥିବା ମାମଲାରେ ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ତନାଘନା କରୁଥିଲା । ପୋଲିସର ଏପରି ତନାଘନା ଦେଖି ସେ ଏକ ନମ୍ବର ବିହୀନ ବାଇକରେ ଫେରାର ହେବାକୁ ଉଦ୍ଯମ କରିଥିଲା । ରବିବାର ଭୋର ସାଢ଼େ ୫ଟା ବେଳେ ହଠାତ୍ ପୋଲିସ ସହ ମୁହାଁମୁହିଁ ହୋଇଯିବାରୁ ପୋଲିସ ଉପରକୁ ଗୁଳି ଚଲାଇ ଫେରାର ହେବାକୁ ଉଦ୍ୟମ କରିଥିଲା। ତେବେ ବାରମ୍ବାର ପୋଲିସକୁ ଚକମା ଦେଇ ଫେରାର ହୋଇଯାଉଥିବା କୁଖ୍ୟାତ ଅପରାଧୀକୁ ଆସିବାକୁ ସୁଯୋଗ ନଦେଇ ପୋଲିସ ଗୁଳିର ଜବାବ ଗୁଳିରେ ଦେବାକୁ ବାଧ୍ୟ ହୋଇଥିଲା। ପୋଲିସ ଏନକାଉଣ୍ଟରରେ ସୀତାରାମ ବାଇକରୁ ପଡ଼ିଯାଇଥିଲା। ଗୁଳିବିଦ୍ଧ ଅବସ୍ଥାରେ ପୋଲିସ ତାକୁ ଗିରଫ କରି ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାକୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ତାର ଅବସ୍ଥା ସ୍ଥିର ଥିବା ଡ଼ାକ୍ତରଖାନା ସୂତ୍ରରୁ ଜଣାଯାଇଛି। ସୂଚନାଯୋଗ୍ୟ ବହୁ ଅପରାଧିକ ମାମଲାରେ ଜଡ଼ିତ ସୀତାରାମ ବିରୋଧରେ ସମ୍ବଲପୁର ସମେତ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଥାନାରେ ମାମଲା ରହିଛି । ବିଶେଷ କରି ଡକାୟତି, ଲୁଟ ଓ ହତ୍ୟା ଉଦ୍ୟମ ଭଳି ୨୫ ରୁ ଅଧିକ ସଙ୍ଗୀନ ମାମଲା ତା ବିରୁଦ୍ଧରେ ରହିଛି ବୋଲି ପୋଲିସ କହିଛି।
ସୀତାରାମକୁ ପୋଲିସ ଗିରଫ କରିବା ସମୟରେ ସେ ଚଳାଉଥିବା ନମ୍ବର୍ ବିହୀନ ହିରୋହୁଣ୍ଡା ସ୍ପ୍ଲେଣ୍ଡର ବାଇକ୍ ସହ ଏକ ୭.୬୫ ଏମଏମ ଦେଶୀ ପିସ୍ତଲ, ୧ ରାଉଣ୍ଡ ଜୀବନ୍ତ ଗୁଳି, ୨ଟି ଖାଲି କାର୍ଟୁସ (ପୋଲିସ ଉପରକୁ ଚଲାଇଥିବା ଗୁଳି) ଓ ନଗଦ ୧ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଦଳ ପହଞ୍ଚି ଯାଞ୍ଚ କରିବା ସହିତ ପୋଲିସ ତଦନ୍ତ କରୁଥିବା ଜଣାଯାଇଛି ।