ପୋଖରୀରୁ ମାଛ ଚୋରି, ଟଙ୍କା ମାଗିବାରୁ ଟାଙ୍ଗିଆରେ ହାଣି ଯୁବତୀଙ୍କୁ ହତ୍ୟା
ମାଲକାନଗିରି- ପୋଖରୀରୁ ମାଛ ଚୋରି। ଟଙ୍କା ମାଗିବାରୁ ଟାଙ୍ଗିଆରେ ହାଣି ଯୁବତୀଙ୍କୁ ହତ୍ୟା। ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗ୍ରାମରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ହତ୍ୟା ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନାନୁଯାୟୀ, ମହୁପଦର ଗ୍ରାମର ଲକ୍ଷ୍ମୀ କଲାର (୨୩ ବର୍ଷ) ଓ ଅନ୍ୟଜଣେ ବ୍ୟକ୍ତି ପୋଖରୀରେ ମାଛ ଚାଷ କରିଥିଲେ ସେହି ଗ୍ରାମର ଜଣେ ବ୍ୟକ୍ତି ପୋଖରୀରୁ ମାଛ ଚୋରି କରିଥିବାର ଜାଣି ଲକ୍ଷ୍ମୀ ଶୁକ୍ରବାର ରାତିରେ ତାଙ୍କ ନିକଟକୁ ଯାଇ ଟଙ୍କା ମାଗିଥିଲେ। ହେଲେ ଉକ୍ତ ବ୍ୟକ୍ତି ଜଣକ ଟଙ୍କା ନଦେଇ ଓଲଟା ଗାଳି ଗୁଲଜ କରିଥିଲେ। ଏହାପରେ ଲକ୍ଷ୍ମୀ ରାତିରେ ନିଜ ଘରକୁ ଫେରି ଆସିଥିଲେ। ଶନିବାର ସକାଳେ ଘରେ ଲକ୍ଷ୍ମୀ ଲୁଗା ଶୁଖାଉଥିବା ସମୟରେ ହଠାତ୍ ଉକ୍ତ ବ୍ୟକ୍ତି ଆସି ଲକ୍ଷ୍ମୀର ମୁଣ୍ଡକୁ ଟଙ୍ଗିଆରେ ଆକ୍ରମଣ କରିଥିଲା। ଫଳରେ ଲକ୍ଷ୍ମୀ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଲକ୍ଷ୍ମୀଙ୍କ ଭଉଣୀ ଗ୍ରାମବାସୀଙ୍କୁ ଡାକି ତାଙ୍କୁ ମାଥିଲି ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ। ମାଥିଲି ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି। ହତ୍ୟା ସନ୍ଦେହରେ ପୋଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ସୂଚନା ଦେଇଛନ୍ତି।