ରାଜ୍ୟରେ ସୃଷ୍ଟି ହେବ ଅଧିକ ୬୩୫୮ ବୁଥ

FMNEWS.IN 23-07-2025
6358 more booths to be created in the state
  • ବୁଥ ସ୍ତରୀୟ ଏଜେଂଟଙ୍କୁ ନିଯୁକ୍ତ କରିବାକୁ ସମସ୍ତ ରାଜନୈତିକ ଦଳଗୁଡିକୁ ଆହ୍ୱାନ

ଭୁବନେଶ୍ୱର- ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ ମଙ୍ଗଳବାର ବିଭିନ୍ନ ସିକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡିକ ସହ ବୈଠକ କରିଛନ୍ତି। ଏହି ବୈଠକରେ ରାଜ୍ୟରେ ଅଧିକ ଛଅ ହଜାର ତିନିଶହ ଅଠାବନ ବୁଥ ସୃଷ୍ଟି ଏବଂ ବୁଥ ସ୍ତରୀୟ ଏଜେଂଟ(ବିଏଲଏ)ଙ୍କୁ ନିଯୁକ୍ତ ବେଳେ ଆବେଦନ ଫର୍ମ ରେ ଫଟୋ ଏବଂ ମୋବାଇଲ ନମ୍ବର ନିଶ୍ଚିତ ଦେବାକୁ ପଡିବ ବୋଲି ସେ ଉପସ୍ଥିତ ରାଜନୈତିକ ଦଳ ଗୁଡିକର ସଦସ୍ୟଙ୍କୁ କହିଥିଲେ ।

ଭୋଟରଙ୍କ ସୁବିଧା ତଥା ଭିଡ କମାଇବା ସକାଶେ ପୂର୍ବରୁ ୧୫୦୦ ଭୋଟରଙ୍କୁ ନେଇ ଗଠନ ହେଉଥିବା ବୁଥ ଏଣିକି ୧୨୦୦ ଭୋଟରରେ ସୀମିତ କରାଯିବ । ଏଥି ନିମନ୍ତେ ଅଧିକ ୬୩୫୮ ବୁଥ ସୃଷ୍ଟି ହେବ । ମତଦାନର ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ ୧୨୦୦ ରୁ ଅଧିକ ଭୋଟର ଥିବା ମତଦାନ କେନ୍ଦ୍ରଗୁଡ଼ିକୁ ଏହି ପ୍ରକ୍ରିୟାରେ ଯୋଡ଼ା ଯିବ। ନିର୍ବାଚନ ପୂର୍ବରୁ ଭୋଟରଙ୍କ ପ୍ରବେଶକୁ ସରଳ କରିବା ଏବଂ ମତଦାନ କେନ୍ଦ୍ରରେ ଭିଡ଼ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ସେହିପରି ବୁଥ ସ୍ତରୀୟ ଏଜେଂଟଙ୍କୁ ନିଯୁକ୍ତ ବେଳେ ଆବେଦନ ଫର୍ମରେ ଫଟୋ ଏବଂ ମୋବାଇଲ ନମ୍ବର ଏଣିକି ଦେବାକୁ ପଡିବ । ପୂର୍ବ ନିଯୁକ୍ତ ବିଏଲଏ ଯେଉଁ ମାନେ ଆବେଦନ ବେଳେ ଫଟୋ ଏବଂ ମୋବାଇଲ ନମ୍ବର ଦେଇନଥିବେ ସେମାନେ ମଧ୍ୟ ଆବେଦନ ଫର୍ମପୁନଃ ଜମା କରିବେ ବୋଲି ସୂଚନା ଦେଇଛନ୍ତି । ସମସ୍ତ ରାଜନୈତିକ ଦଳ ଗୁଡିକୁ ବୁଥ ସ୍ତରୀୟ ଏଜେଂଟଙ୍କୁ ନିଯୁକ୍ତ କରିବାକୁ ସେ ଅନୁରୋଧ କରିଥିଲେ ।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର , ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ ଲକ୍ଷ୍ମୀ ପ୍ରସାଦ ସାହୁ, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଅନାମିକା ସିଂ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ରାଜନୈତିକ ଦଳ ଗୁଡ଼ିକର ସଦସ୍ୟ ମାନେ ଏହି ପ୍ରକ୍ରିୟାରେ ସାମିଲ ହେବା ନେଇ ସଦିଛା ପ୍ରକାଶ କରିଥିଲେ ।