କଂଗ୍ରେସ ପ୍ରତି ଜନସମର୍ଥନ ଦେଖି ବିଜେପି ଭୋଟ ଚୋରୀ କରୁଛି

FMNEWS.IN 11-11-2025
BJP is stealing votes after seeing public support for Congress

(FM News):--ନୂଆପଡ଼ାର ଉପନିର୍ବାଚନରେ ଭୋଟ ଚୋରି ନେଇ ସାଙ୍ଘାତିକ ଅଭିଯୋଗ ଆଣିଛି କଂଗ୍ରେସ। ଏହି ଅବସରରେ ଆଜି ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି, ୨୬ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ଉଭୟ ବିଜେପି ଓ ବିଜେଡି ମିଛ ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କୁ ପ୍ରତାରଣା କରିଛନ୍ତି। ଯାହାର ଫଳ ସ୍ୱରୂପ ନୂଆପଡ଼ା ଉପନିର୍ବାଚନରେ ବିଜେଡି ଓ ବିଜେପି ପ୍ରତି ଲୋକଙ୍କ ସମର୍ଥନ ମିଳୁନଥିବାରୁ ଏବଂ ମାଟିର ପୁଅ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରତି ଲୋକସମର୍ଥନ ଦେଖି ଶାସକ ବିଜେପି ଦଳ ଶାସନ କଳ, ବଳ ଓ କୌଶଳ ଲଗାଇ ଅନୈତିକ ଉପାୟରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି। ଏପରିକି ଆଜି ନୂଆପଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଡୁମେରବାହାଲ ର ୩୩୯ ନମ୍ବର ବୁଥରେ ବିଜେପି କୁ ଭୋଟ ଦେବା ପାଇଁ ଟଙ୍କା ବଣ୍ଟା ଯାଉଥିଲା। କଂଗ୍ରେସର ଜଣେ କର୍ମୀଙ୍କ ସ୍ତ୍ରୀ ଅଭିଯୋଗ କରିବାରୁ ପୋଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ନିର୍ବାଚନ ନୀରବ ଅବଧି ସମୟ ପୂର୍ବରୁ ବାହାର ଜିଲ୍ଲାର ରାଜନୈତିକ ବ୍ୟକ୍ତି ଯିଏ କି

ଜିଲ୍ଲା ବାହାରୁ ଆସିଥିଲେ ସମସ୍ତଙ୍କୁ ବାହାର କରିଦିଆଗଲା। କିନ୍ତୁ ବିଜେପିର ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକ, କର୍ମକର୍ତ୍ତା ମାନେ ସେମାନେ ନିର୍ବାଚନ ମଣ୍ଡଳୀ ବୁଲିଲେ ଅବାଧରେ ଟଙ୍କା ବାଣ୍ଟିଲେ। ଇଭିଏମ ମେସିନରେ କଂଗ୍ରେସ ବଟମ୍ ଚିପିଲେ ବିଜେପିର ଲାଇଟ୍ ଜଳୁଛି ଅର୍ଥାତ୍ କଂଗ୍ରେସକୁ ଭୋଟ ଦେଲେ ବିଜେପିକୁ ଯାଉଛି। ଯାହା କି ୨୫୦ ନମ୍ୱର ବୁଥରେ ପ୍ରମାଣିତ ହୋଇଛି। ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲଂଘନ କରାଯାଉଛି। ଜିଲ୍ଲା ନିର୍ବାଚନ ଅଧିକାରୀ, ପ୍ରଶାସନ ସବୁ ଦେଖି ଚୁପ୍ ରହିଛି। ବିଜେପି ଦଳୀୟ କର୍ମୀ ଲୋକମାନଙ୍କୁ ବିଜେପି ଚିହ୍ନ ଲଗା ଟ୍ରାକ୍ଟରରେ ବୁଥ ମଧ୍ୟକୁ ଆଣୁଛନ୍ତି।ଯାହାକି ନିର୍ବାଚନ ଆଦର୍ଶ ଆଚରଣ ଉଲଂଘନ କରୁଛି। ବହୁ ଲୋକଙ୍କ ଵୁଥରେ ନାମ ଥାଇ ମଧ୍ୟ ଭୋଟ ଦେଇ ନପାରି ଫେରୁଛନ୍ତି। ଜିତମିତ୍ର ହାଇସ୍କୁଲରେ ଜଣେ ମହିଳା ଭୋଟ ଦେଇ ନପାରି ଫେରିଛନ୍ତି । କାରଣ ତାଙ୍କ ଭୋଟ ଆଉ କିଏ ଦେଇଦେଇଛି। ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ବୁଥ ମଧ୍ୟରେ ମୋଦି, ମୁଖ୍ୟମନ୍ତ୍ରୀ, ଏବଂ ବିଜେପି ପ୍ରାର୍ଥୀ ଫଟୋ ଥିବା ଚିରୁକୁଟି ବଣ୍ଟା ଜାଉଛି । ଯଦି ସରକାରୀ ଅଫିସରଙ୍କ ସହାୟତାରେ ସବୁ କ୍ଷେତ୍ରରେ ବିଜେପି ଦଳ ଭୋଟ ଚୋରି କରୁଛି ବା ରାଗିଂ କରୁଛି ତେବେ ତୁରନ୍ତ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ଏବଂ ପୁନର୍ବାର ନିର୍ବାଚନ ହେଉ ବୋଲି କଂଗ୍ରେସ ଦାବି କରୁଛି ବୋଲି ଡ଼ ମହାପାତ୍ର କହିଛନ୍ତି ।

ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି କହିଲେ, ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ନୂଆପଡା ଉପନିର୍ବାଚନରେ ଶାସକ ଦଳ ଖୋଲାଖୋଲି ଆଚରଣ ବିଧି ଉଲଂଘନ କରିବାକୁ ବଳ ପାଉଛି । ନିର୍ବାଚନ ପ୍ରଚାର ବେଳେ ବିଜେପିର ଆଚରଣ ଉଲଂଘନ ବିଷୟକୁ ନେଇ ଅନେକ ଥର ତାଙ୍କୁ ଅଭିଯୋଗ କରିଥିଲୁ । କିନ୍ତୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟ କଲେ ନାହିଁ । ଭୋଟ ଚୋରୀ, ପ୍ରାର୍ଥୀ ଚୋରୀ ବର୍ତ୍ତମାନ ସମ୍ପୂର୍ଣ ଇଭିଏମ ସିଷ୍ଟମ ଚୋରୀ ପ୍ରମାଣିତ କରୁଛି ଯେ ବିଜେପି ଭୋଟ ଚୋରୀ କରି ସରକାର ଗଢିଛି ଏବଂ ନୂଆପଡାରେ ମଧ୍ୟ ଭୋଟ ଚୋରୀ କରି ଜିତିବା ଉଦ୍ୟମ କରୁଛି । ତେବେ ଲୋକପ୍ରିୟ ସଂଗ୍ରାମୀ କଂଗ୍ରେସ ନେତା ଓ ବିଧାୟକ ପ୍ରାର୍ଥୀ ଘାସିରାମ ମାଝିଙ୍କ ବିଜୟ ରଥକୁ ଅଟକାଇବା ସମ୍ଭବପର ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।