ମହିଳା ଓ ଶିଶୁ ପ୍ରତିଷ୍ଠାନରେ ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 19 ଏପ୍ରିଲ୍ - ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଏବଂ ପାଠାଗାରର ଶୁଭ ଉଦ୍ଘାଟନ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ୮୪ ଶଯ୍ୟା ବିଶିଷ୍ଟ ହଷ୍ଟେଲ, ଲାଇବ୍ରେରୀ, ଅଙ୍ଗନବାଡ଼ି ଟ୍ରେନିଂ ସେଂଟର୍ ଉଦ୍ଘାଟନ କରିଛନ୍ତି। ଓଡ଼ିଶାର ବିଶିଷ୍ଟ ମହିୟସୀ ମହିଳା ମାନଙ୍କ ନାମରେ ୮ଟି ହଲ୍ କୁ ନାମିତ କରାଯାଇଛି । ଏହାସହ ପୋଷଣଯୁକ୍ତ ଖାଦ୍ୟ ପ୍ରଦର୍ଶନୀ ଓ ଅଦରକାରୀ ବସ୍ତୁରୁ ତିଆରି ଖେଳଣା ପ୍ରଦର୍ଶନୀ ବୁଲି ଦେଖିଲେ ସିଏମ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଷଣ ଓଡ଼ିଶା ଭଳି ରାଜ୍ୟରେ ବହୁତ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷକ, ଅଙ୍ଗନବାଡ଼ି ଦିଦି ଦେଶର ଭବିଷ୍ୟତ ନିର୍ମାଣ କରୁଛନ୍ତି । ଦେଶର ଭବିଷ୍ୟତ ପାଇଁ, ଦେଶ ଓ ରାଜ୍ୟକୁ ବିକଶିତ କରିବା ପାଇଁ ନିରନ୍ତର କାମ କରୁଛନ୍ତି। ସୁସ୍ଥ ଶିଶୁ ହିଁ ଉତମ ଛାତ୍ର ହୋଇପାରିବେ। ଭବିଷ୍ୟତରେ ମଧ୍ୟ ଦେଶର ଉପଯୁକ୍ତ ନାଗରିକ ହୋଇପାରିବେ। ଅଙ୍ଗନବାଡ଼ି ଦିଦି ଓ ଶିକ୍ଷକ ମାନେ ପିଲା ମାନଙ୍କର ଦ୍ୱିତୀୟ ମାଆ। ପାରିପାର୍ଶ୍ୱିକ ପରିସ୍ଥିତି ଯେମିତିକି ଗରିବୀ, ସଚେତନତା ଅଭାବ କାରଣରୁ ଏବେ ବି ସମାଜରେ ଶିଶୁ ମାନେ କୁପୋଷଣ ଏବଂ ପୁଷ୍ଟିହୀନତା ଶିକାର ହେଉଛନ୍ତି। ବାହାର ଖାଦ୍ୟ ଖାଇବା ଦ୍ୱାରା ପିଲା ଅସୁସ୍ଥ ହେଉଛନ୍ତି। ପିଲାଙ୍କ ଭିତରେ ମେଦବହୁଳତା ବଢୁଛି । ଏହା ଆଜି ସମୟରେ ଏକ ବଡ଼ ଚିନ୍ତାଜନକ ବିଷୟ । ଏଥିପାଇଁ ୨୦୧୮ରେ ପିଏମ ପୋଷଣ ଯୋଜନା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହାଦ୍ୱାରା ଗତ ୭ ବର୍ଷ ଭିତରେ ଭଲ ରେଜଲ୍ଟ ଦେଖିବାକୁ ମିଳିଛି । ଏନଏଫଏଚଏସ ୫ ଅନୁଯାୟୀ ପିଲାଙ୍କ ପାଟି ଲାଗିବା ବା ପାଟି ଖନି ମାରିବା ସମସ୍ୟା ୩୮.୪ ପ୍ରତିଶତରୁ କମି ୩୫.୫ ପ୍ରତିଶତ ହୋଇଛି । ଦୁର୍ବଳ ପିଲାଙ୍କ ସାଂଖ୍ୟ ୨୧ରୁ ୧୯ ପ୍ରତିଶତକୁ କମିଛି । ସୁସ୍ଥ ଶିଶୁ ସୁସ୍ଥ ଭବିଷ୍ୟତର ପ୍ରତୀକ । ବିଗତ ଦିନରେ ପୋଷଣ କେବଳ ସ୍ଲୋଗାନ ବାଜିରେ ସୀମିତ ଥିଲା। ପିଲାଙ୍କ ପାଖରେ ପୋଷଣ ଯୁକ୍ତ ଖାଦ୍ୟ ପହଂଚି ପାରୁନଥିଲା। ଆଜିକାଲି ପିଲାଙ୍କୁ ତେଲ ମସଲା ଯୁକ୍ତ ଖାଦ୍ୟ ବେଶୀ ଭଲ ଲାଗୁଛି । ଯେଉଁଥିପାଇଁ ପିଲା ମାନେ ମେଦବହୁଳତାର ପୀଡ଼ିତ ହେଉଛନ୍ତି । କୁପୋଷଣକୁ ସଂପୂର୍ଣ୍ଣ ଶେଷ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଚାଲୁ ରହିଛି । ବଜେଟରେ ମଧ୍ୟ ଅର୍ଥ ବ୍ୟୟ ବରାଦ ରଖାଯାଇଛି। ଓଡ଼ିଶା ପୁଷ୍ଟି ମିଶନ ରେ ମଧ୍ୟ ୧୦୦ କୋଟି ଟଙ୍କାର ଅନୁଦାନ ରଖାଯାଇଛି।
ଲକ୍ଷପତି ଦିଦି ତିଆରି କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ୧ ନମ୍ବର ରାଜ୍ୟ ହୋଇଛି । ୮୨ ପ୍ରତିଶତ ସଫଳତା ହାସଲ ହୋଇଛି । ୧୪ ଲକ୍ଷ ଲକ୍ଷପତି ଦିଦି ତିଆରି ହୋଇଛନ୍ତି । ୨୦୨୭ ସୁଦ୍ଧା ୨୫ ଲକ୍ଷ ପତି ଦିଦି ତିଆରି ପାଇଁ ଲକ୍ଷ୍ୟ ରହିଛି । କିନ୍ତୁ ଏହି ଲକ୍ଷ୍ୟକୁ ଚଳିତ ବର୍ଷ ହିଁ ହାସଲ କରିବା ବୋଲି କହିଲେ ମୁଖ୍ୟମନ୍ତ୍ରୀ।
କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।