ଡାଲମିଆ ସିମେଟ କାରଖାନା ଦୁର୍ଘଟଣା : ୪୦ ଘଂଟା ପରେ ରାଜଗାଙ୍ଗପୁରର ୩ ମୃତ ଶ୍ରମିକଙ୍କ ଶବ ଉଦ୍ଧାର, ଆହୁରି ଅନେକ ବାହାର ଶ୍ରମିକଙ୍କୁ ନେଇ ସନ୍ଦେହ

ରାଉରକେଲା, ୧୮ ଜାନୁଆରୀ - ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଠାରେ ଥିବା ଡାଲମିଆ ସିମେଟ କାରଖାନାରେ ଏକ ଦୁର୍ଘଟଣା ଘଟି ୧୬ ତାରିଖ ଦିନ ୩ ଜଣ ଶ୍ରମିକ ପ୍ରାଣ ହରାଇଥିବା ନେଇ ଯାହା ସନ୍ଦେହ କରାଯାଉଥିଲା ତାହା ଷ୍ପଷ୍ଟ ହେବା ସହ କାରଖାନାର କୋଇଲା ଗଦାରୁ ୩ ଜଣଙ୍କର ଶବ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ଲାଗି ପଠାଯାଇଛି। ସେପଟେ ସେହି ଦୁର୍ଘଟଣା ଯାଗାରେ ରାଜ୍ୟ ବାହାରର ଅନେକ ଶ୍ରମିକ କାମ କରୁଥିଲେ, ସେମାନେ କୁଆଡେ ଗଲେ ବୋଲି ଏବେ ବିଭିନ୍ନ ମହଲରେ ପ୍ରଶ୍ନ ହେଉଥିଲେ ବି ସେମାନଙ୍କୁ ନେଇ କେହି କିଛି କହୁନଥିବାରୁ ସମସ୍ତେ ନିରବ । ସେପଟେ ଦୁର୍ଘଟଣା ଘଟିଥିବା କ୍ୟାପଟିଭ ପାୱାର ପ୍ଲାଣ୍ଟର ମରାମତି ଓ ସୁରକ୍ଷା ଦିଗଟି ଷ୍ପଷ୍ଟ ହେବା ଯାଏ ତାକୁ ବନ୍ଦ ରଖିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁନ୍ଦରଗଡ ଏଡିଏମ ଅଭିମନ୍ୟୁ ମାଝି ସୂଚନା ଦେଇଛନ୍ତି । ମୃତକ ଶ୍ରମିକ ମାନେ ହେଲେ ରାଜଗାଙ୍ଗପୁରର ସୁଶାନ୍ତ ରାଉତ, ଦଶରଥ ପାତ୍ର ଓ ରଂଜିତ ଭୋଳ । ଏହି ମୃତକ ମାନଙ୍କ ପରିବାରଙ୍କୁ ଆର୍ଥିକ କ୍ଷତିପୂରଣ ଚାକିରୀ ଓ ପିଲା ମାନଙ୍କ ପାଠପଢାକୁ ନେଇ କଂପାନୀ ପକ୍ଷରୁ ସହାୟତା ଦିଆଯିବ ବୋଲି ବରିଷ୍ଠ ସରକାରୀ ଅଧିକାରୀ ମାନଙ୍କ ସମ୍ମୁଖରେ ରାଜିନାମା ହୋଇଥିବା ଖବର ମିଳିଛି। ତେବେ ଦୁର୍ଘଟଣା ହୋଇ ଶ୍ରମିକ ମୃତ୍ୟୁବରଣ ହୋଇଥିବା କାରଖାନା ଡାଲମିଆ ସିମେଟ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଏଯାଏ ଗ୍ରହଣ କରାଗଲା ନାହିଁ ସେନେଇ ଉଠିଛି ପ୍ରଶ୍ନ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଡାଲମିଆ ସିମେଟ କାରଖାନାର ଲାଇନ୨ ପାୱାର ପ୍ଲାଣ୍ଟରେ କୋଇଲା ଗଛିତ ହୋଇ ରହୁଥିବା ହପର ଟି ଦୁର୍ବଳ ହୋଇ ୧୬ ତାରିଖ ଦିନ ଅଧିକ କୋଇଲା ବୋଝ ସହିନପାରି ଭୁଷୁଡି ପଡିଥିଲା। ଫଳରେ ସେଠାରେ କାମ କରୁଥିବା ଏହି ୩ ମୃତ ଶ୍ରମିକଙ୍କ ସମେତ ଅନେକଙ୍କର ପତା ମିଳିନଥିଲା। ପ୍ରାୟ ୪୦ ଘଂଟା ପରେ ୩ ଜଣଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କ ମୃତଦେହକୁ ପୋଷ୍ଟମର୍ଟମ ଲାଗି ପଠାଯାଇଛି । ଏହି ଘଟଣାକୁ ନେଇ ଆନ୍ଦୋଳନ କରୁଥିବା ମୃତକ ପରିବାରର ଲୋକଙ୍କ ଦାବିକୁ ଲକ୍ଷ୍ୟ କରାଯାଇ କିଛି ଆର୍ଥିକ କ୍ଷତିପୂରଣ ସମେତ ଅନ୍ୟାନ୍ୟ କିଛି ସୁବିଧା କଂପାନୀ ଦେବ ବୋଲି କୁହାଯାଇଥିଲେ ବି ଏନେଇ କୌଣସି ଷ୍ପଷ୍ଟ ସୂଚନା ପ୍ରଶାସନ ଦେଇନାହିଁ । ବର୍ତମାନ ପ୍ରଶ୍ନ ଉଠିଛି କାରଖାନାରେ ଏହି ଦୁର୍ଘଟଣା ପୂର୍ବରୁ କନଭେୟର ବେଲ୍ଟ ଭୁଷୁଡି ଯିବାକୁ ନେଇ ରାଜ୍ୟ ସରକାରଙ୍କ ଫାକ୍ଟ୍ରୀ ବୟଲର ବିଭାଗ ଏଯାଏ ନିରବ ଥିବାବେଳେ ଏହି ଘଟଣାରେ ଯେହେତୁ ୩ ଜଣଙ୍କର ମୃତ୍ୟୁ ହୋଇଛି ଅନେକଙ୍କର ପତା ମିଳୁନାହିଁ ସେ ଦିଗକୁ ଦୃଷ୍ଟିରେ ରଖି କାରଖାନା ଲାଗି ଫାକ୍ଟ୍ରୀ ଲାଇସେନ୍ସ ନେଇଥିବା ଅକୁପାୟର ଓ ଅନ୍ୟ ଅଧିକାରୀମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଆଇନରେ ବ୍ୟବସ୍ଥା ଥିଲେ ବି ଖୋଦ ପୁଲିସି କାହିଁକି ନିରବ ତାହା ବୁଝା ପଡୁନାହିଁ ।
ଏଠାରେ ସୂଚନା ଦିଆଯାଇପାରେ ଯେ, ପୂର୍ବ ସରକାର ବେଳେ ଭୁବନେଶ୍ୱରର ଏକ ବ୍ରିଜ ଭୁଷୁଡି ପଡିବା ଓ ଅନେକଙ୍କର ମୃତ୍ୟୁ ହେବା ମାମଲାରେ ତାର ନିର୍ମାତାଙ୍କୁ ପୁଲିସ ତୁରନ୍ତ ଗିରଫ କରିଥିଲା କାରଣ ସେଠାରେ ସୁରକ୍ଷା ନଥିଲା । ଏଠାରେ ମଧ୍ୟ ସୁରକ୍ଷା ଆଦୌ ନଥିଲା ତେଣୁ ଏମାନଙ୍କୁ ଗିରଫ କରାନଯାଇ କ୍ଷତିପୂରଣ କଥା ଉଠାଇ ଏହି ଦିଗ ପ୍ରତି ଆଦୌ ଦୃଷ୍ଟି ଦିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି । ଶ୍ରମିକଙ୍କୁ କ୍ଷତିପୂରଣ ମିଳୁ କିନ୍ତୁ ଏହି ଦୁର୍ଘଟଣା ଘଟାଇଥିବା କାରଖାନା ମାଲିକଙ୍କୁ ମଧ୍ୟ ଦଣ୍ଡ ମିଳୁ । ଅନ୍ୟପକ୍ଷରେ ଯେଉଁ କାରଖାନା ଖୋଦ ଜିଲ୍ଲାପାଳ ଓ ସହର ବାସୀଙ୍କ ସମ୍ମୁଖରେ ୩ ବର୍ଷ ତଳେ ସହର ବାସୀଙ୍କ ଲାଗି ଉନ୍ନୟନ କାମ କରିବାକୁ ଯେଉଁ ଲମ୍ବା ଲମ୍ବା ପ୍ରତିଶୃତି ଜନଶୁଣାଣୀରେ ଦେଇଥିଲା ତାକୁ ଆଜି ଯାଏ ପୂରଣ କରି ନାହିଁ,ି ସେନେଇ ମଧ୍ୟ ପୌରପାଳିକାର ଚିଠିର ଉତର ଏଯାଏ ଦେଇ ପାରିନାହିଁ, ତେଣୁ ଏବେ ଏହି ୩ ଜଣ ମୃତକଙ୍କ ମାମଲାରେ ଯେ ଦେଇଥିବା ପ୍ରତିଶୃତି ଯେ ପୂରଣ ହେବ ତାହା କିଏ କହିବ ? ସେପଟେ ଏହି ଘଟଣା ପରେ ସଂପୃକ୍ତ କାରଖାନାର ମରାମତି ନସରିବା ଯାଏ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ବେଳେ ବାହାର ରାଜ୍ୟରୁ ଆସି ଏହି କାରଖାନାରେ ସେହି ସ୍ଥାନରେ କାମ କରୁଥିବା ଅନ୍ୟ ଶ୍ରମିକମାନେ କୁଆଡେ ଗଲେ ବୋଲି ତାହା ବଡ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି ।