ଜୟପୁର ଟାଉନ ପୁଲିସ ପକ୍ଷରୁ ବିଭିନ୍ନ ଜଘନ୍ୟ ମାମଲାରେ ୧୪ ଦୁର୍ଦ୍ଧାନ୍ତ ଅପରାଧି ଗିରଫ

FMNEWS.IN 31-08-2025
Jaipur Town Police arrest 14 notorious criminals in various heinous cases

ଜୟପୁର - କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ପୁଲିସ ପକ୍ଷରୁ ଗତ ଦୁଇ ଦିନ ମଧ୍ୟରେ ଏକ ବଡ ଧରଣର ସଫଳତା ମିଳିଛି । ଡକାୟତି ଉଦ୍ୟମ, ଲୁଟ, ଦାଦାବଟି ଆଦାୟ କରୁଥିବା ଅଭିଯୋଗରେ ଚାରୋଟି ମାମଲାରେ ୧୪ଜଣ ସହରର ଦୁର୍ଦ୍ଧାନ୍ତ ଅପରାଧିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଡକାୟତି ନିମନ୍ତେ ପ୍ରସ୍ତୁତି ହେଉଥିବା ମାମଲାରେ ଗିରଫ ୬ ଅଭିଯୁକ୍ତ ଗୋପବନ୍ଧୁ ନଗର ଶିବ ସୁନା (୨୮), ମେଦ୍ରୀ ସାହିର ସୁନିଲ ପରଜା ଓରଫ ଲାଲୁ (୨୧) ଓ ହରି ନାୟକ (୨୨), ଜୟନଗରର ସୁରେଶ ହରିଜନ (୨୫), ପ୍ରସାଦରାଓ ପେଟା ୪ର୍ଥ ଲାଇନର ଟି.ମଣିକଣ୍ଠା (୨୬) ଏବଂ ଯମୁନାଗୁଡାର କାର୍ତିକ ଖୁଦ (୨୬)। ସେହିପରି ଜୋରଜବରଦସ୍ତ ଦାଦାବଟି ଆଦାୟ ମାମଲାରେ ୪ ଗିରଫ ଅଭିଯୁକ୍ତ ମାନେ ହେଲେ ବାପୁଜୀ ନଗରର ବିଜୟ ନାୟକ (୧୮), ଏଲଆଇସି କୋଲନୀର ଶୁଭମ ବିଶୋୟୀ (୨୨), ନୂଆଗୁଡାର ରାଜ କୁମାର କାକଡି (୨୩), ଛୋଟାଗୁଡାର ଇଶ୍ୱର ଛେଟିଆ (୨୮)। ଚାଷୀଙ୍କ ୧ ଲକ୍ଷ ଟଙ୍କା ଲୁଟ କରିଥିବା ମାମଲାରେ ୨ ଅଭିଯୁକ୍ତ ବାପୁଜୀ ନଗରର ରାମନାଥ ସୁନା(୨୭) ଓରଫ ନକରା ଏବଂ ଗୋପବନ୍ଧୁ ନଗରର ରାଜୀବ ଖିଲ (୨୪)। ସେହିପରି ବାଇକ ଚାଳକଙ୍କୁ ଅଟକାଇ ୨୦ ହଜାର ଟଙ୍କା ଏବଂ ମୋବାଇଲ ଫୋନ ଲୁଟ ମାମଲାରେ ଦୁଇ ଅଭିଯୁକ୍ତ ଜୟପୁର ସଦରଥାନା କଳାଗୁଡାର ଶଙ୍କର ଗରଡା (୧୯) ଏବଂ ରୋହିତ ହିଆଲ (୧୯)ଙ୍କୁ ଗିରଫ କରାଯାଇଛି । ସମସ୍ତ ୧୪ ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଡକାୟତି ପ୍ରସ୍ତୁତି ମାମଲାରେ ଅଭିଯୁକ୍ତ ମାନଙ୍କ ନିକଟରୁ ୪ଟି ଛୁରା, ଖଣ୍ଡା, ଲୁହା ଛଡ, ଟର୍ଚ୍ଚ, ମରିଚ ଗୁଣ୍ଡ, ୩ଟି ବାଇକ ଜବତ କରାଯାଇଛି। ସେହିପରି ୨ୟ ଘଟଣାରେ ଦାଦାବଟି ଆଦାୟ କରୁଥିବା ଅଭିଯୁକ୍ତ ମାନଙ୍କ ନିକଟରୁ ପରିବା କଟ ଛୁରା ଏବଂ ୫ଶହ ଟଙ୍କା ଜବତ କରାଯାଇଛି । ଗତ ଜୁଲାଇ ୩ ତାରିଖରେ ହାଡିଆ ଗ୍ରଆମର ଚାଷୀ କମଳଲୋଚନ ଭତ୍ରାଙ୍କ ଠାରୁ ଲକ୍ଷ ଟଙ୍କା ଲୁଟ ମାମଲାରେ ଅଭିଯୁକ୍ତ ନିକଟରୁ ଗୋଟିଏ ସ୍କୁଟି (ଓଡି୨୪-ଏ-୩୮୪୦) ଏବଂ ଲୁଟ ଟଙ୍କା ମଧ୍ୟରୁ ୨୦ ହଜାର ଟଙ୍କା ଜବତ କରାଯାଇଛି । ସେହିପରି ଯମୁନାଗୁଡା କେନାଲ ରାସ୍ତାରେ ଗତ ଜୁଲାଇ ୨୩ ତାରିଖ ସଂଧ୍ୟା ସାଢେ ୮ ସମୟରେ ସ୍ଥାନୀୟ ପୁରୁଣାଗଡର ବାସିନ୍ଦା ମୋହିତ କୁମାର ପାତ୍ର ନିଜ ବାଇକ ଯୋଗେ ଜୟପୁର ନିଜ ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଥିଲେ । ଏହି ମାମଲାରେ ଗରିଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୫ ହଜାର ଟଙ୍କା ଏବଂ ଲୁଟ ମୋବାଇଲ ଜବତ କରାଯାଇଛି ବୋଲି ଜୟପୁର ଟାଉନଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଜିଲ୍ଲା ପୁଲିସ ବିଭାଗର ଅତିରିକ୍ତ ଏସ.ପି ଅମ୍ବିତ ମହାନ୍ତି, ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ପୁଲିସର ସଫଳତା ନେଇ ସୂଚନା ଦେଇଛନ୍ତି । ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି କନୱର ବିଶାଲ ସିଂ ଏବଂ ଏସ.ପି ରୋହିତ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ଟାଉନଥାନା ପୁଲିସ ପକ୍ଷରୁ ଏକ ବଡ ଧରଣର ଅପରେସନ ଆରମ୍ଭ କରାଯାଇ ଅପରାଧି, ଲୁଟେରା, ଚୋର ଓ ଡକାୟତ ମାନଙ୍କୁ କାବୁ କରାଯାଉଛି । ଏହିପରି ଆଗାମୀ ଦଶହରା ପର୍ଯ୍ୟନ୍ତ ଏହିପରି ସହରର ଅପରାଧି ମାନଙ୍କୁ ଗିରଫ କରଯାଇ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି ।