ବିଧାନସଭାରେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ଓ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ

ଭୁବନେଶ୍ୱର ଓଡିଶା ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ତେବେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ମାନଙ୍କର ପ୍ରବଳ ହଟ୍ଟଗୋଳ କାରଣରୁ ପ୍ରଥମାର୍ଧ ବୈଠକ ବାଧିତ ହୋଇଛି । ବିଜୁ ଜନତା ଦଳର ବିଧାୟକ ମାନେ ବିଜୁ ପଟ୍ଟନାୟକଙ୍କୁ ଅପମାନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ବିଧାୟକ ମାନେ ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ହୋଇଥିବା ପ୍ରସଙ୍ଗର ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ବାରମ୍ବାର ସ୍ଥଗିତ କରିଥିଲେ । ଏହି କାରଣରୁ ଆଜି ପ୍ରଥମାର୍ଧ ବୈଠକରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଅନ୍ୟ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।
ଆଜି ବିଧାନସଭାରେ ଗୃହ କାର୍ଯ୍ୟ 10.30 ମିନିଟରେ ଆରମ୍ଭ ହେବା ପୂର୍ବରୁ ହିଁ ବିଜୁ ଜନତା ଦଳ ଓ କଂଗ୍ରେସର ବିଧାୟକ ମାନେ ସେମାନଙ୍କର ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଚାଲି ଆସି ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା । ବିଜେଡି ବିଧାୟକମାନେ ବିଜୁ ପଟ୍ଟନୟକଙ୍କୁ ଚରମ ଅପମାନିତ କରାଯିବା ପ୍ରତିବାଦରେ ପ୍ରବଳ ହଟ୍ଟଗୋଳ କରାଯାଇଛି। ବିରୋଧୀ ବିଜେଡି ଉଠାଇଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗ | କାହିଁକି ରାଜ୍ୟସ୍ତରୀୟ ପଂଚାୟତିରାଜ ଦିବସକୁ ବିଜୁ ଜୟନ୍ତୀ ଦିନରୁ ବାତିଲ କରାଗଲା, ସେ ନେଇ ବିଜେଡି ପ୍ରଶ୍ନ କରିଛି | ଅନ୍ୟପଟେ ବିଧାନସଭାରେ କଂଗ୍ରେସ ବିଧାୟକ ମାନେ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ । ବାଚସ୍ପତି ହଟ୍ଟଗୋଳ କରୁଥିବା ବିରୋଧୀ ଦଳର ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗ-ହ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବାକୁ ବାରମ୍ବାର ନିବେଦନ କରୁଥିବା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଆସନରେ ଠିଆ ହୋଇ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଉତର ପଢୁଥିବା ଦେଖିବାକୁ ମିଳିଥିଲା । ତେବେ ହଟ୍ଟଗୋଳ କାରଣରୁ ତାଙ୍କର ସ୍ୱର ପ୍ରେସ ଗ୍ୟାଲେରୀକୁ ଶୁଣାଯାଇ ନ ଥିଲା । ବାରମ୍ବାର ନିବେଦନ କରିବା ସତ୍ୱେ ବିରୋଧୀ ଦଳର ବିଧାୟକ ମାନେ ହଟ୍ଟଗୋଳରୁ ନିବୃତ ନ ରହିବାରୁ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ଗୃହକୁ ମଧ୍ୟାହ୍ନ 12 ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଗୃହ କାର୍ଯ୍ୟ ପୁଣି ଥରେ 12ଟାରେ ଆରମ୍ଭ ହେବା ପରେ ମଧ୍ୟ ସେହି ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା । ଉଭୟ ବିଜେଡି ଓ କଂଗ୍ରେସ ଦଳ ବିଧାୟକ ମାନେ ସେମାନଙ୍କର ପ୍ରସଙ୍ଗକୁ ନେଇ ପୁଣି ଥରେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସେମାନଙ୍କୁ ପୁଣି ଥରେ ହଟ୍ଟଗୋଳରୁ ନିବୃତ ରହିବାକୁ ଅନୁରୋଧ କରିଥିଲେ । ହେଲେ ବିରୋଧୀ ମାନେ ତାଙ୍କର ଅନୁରୋଧକୁ କର୍ଣପାତ କରି ନ ଥିଲେ । ତେଣୁ ବାଚସ୍ପତି ବାଧ୍ୟ ହୋଇ 12.13 ମିନିଟରୁ ଗୃହକୁ ଅପରାହ୍ନ 4ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଉଲ୍ଲେଖନୀୟ ଯେ ରାଜ୍ୟ ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧୦ରୁ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ମାର୍ଚ୍ଚ ୩୦ରେ ରବିବାର, ୩୧ରେ ଇଦୁଲ୍ଫିତର୍ ପାଇଁ ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବାକୁ ଥିବାରୁ ୨୯ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରାଯିବ।
ସୂଚନାଯୋଗ୍ୟ, ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୩ରୁ ୨୧ତାରିଖ ପର୍ଯ୍ୟନ୍ତ ଚାଲିଥିଲା।