ସଂରକ୍ଷିତ ଜଙ୍ଗଲ ଓ ମହାନଦୀ ପାର୍ଶ୍ବରେ କଳକାରଖାନା ପ୍ରତିଷ୍ଠାକୁ ବିରୋଧ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ଅନ୍ତର୍ଗତ ଦେଓଗାଁ ଠାରେ ଇଥାନଲ କାରଖାନା ନିର୍ମାଣ କରାଇ ନଦେବାକୁ ଉତ୍ତରାଞ୍ଚଳ ଆରଡିସିଙ୍କ ଠାରେ ଦାବି କରାଯାଇଛି । ଦେଓଗାଁ ସୁରକ୍ଷା ସମିତି ବ୍ୟାନରରେ ଆଜି ଶହଶହ ଗ୍ରାମବାସୀ ଏକ ପଟୁଆରରେ ସମ୍ବଲପୁର ସହର ପରିକ୍ରମା କରିଥିଲେ । ପରେ ବିକ୍ଷୋଭ ପ୍ରଦର୍ଶନ ଉତାରୁ ଆରଡିସିଙ୍କ କାର୍ଯ୍ୟାଳୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ମହାନଦୀ ନିକଟ ଏବଂ ସଂରକ୍ଷିତ ଜଙ୍ଗଲ ପାଖରେ ଇଥାନଲ କାରଖାନା ନିର୍ମାଣ କରାଯାଉଥିବାରୁ ନିରପେକ୍ଷ ବୈଜ୍ଞାନିକ, ପରିବେଶ ଏବଂ ପ୍ରଶାସନିକ ତଦନ୍ତ ସହ ନଦୀ ଜଳ ପର୍ଯ୍ୟାବରଣ ସୁରକ୍ଷା ଏହି କାରଖାନାକୁ ମଞ୍ଜୁର ପ୍ରକିୟାରେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ମହାନଦୀ କିମ୍ବା ସଂରକ୍ଷିତ ଜଙ୍ଗଲ ୨୫କିଲୋମିଟର ପରିବେଷ୍ଟିନୀ ମଧ୍ୟରେ କଳକାରଖାନା ପ୍ରତିଷ୍ଠା ଉପରେ ନିଷେଧାଦେଶ ଜାରି, ଜଙ୍ଗଲ ସମ୍ପଦ ସୁରକ୍ଷା ଓ ବ୍ୟାପକ ବୃକ୍ଷରୋପଣ, ରାଜସ୍ୱ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଘଟଣାର ଯାଞ୍ଚ. ଏଭଳି କ୍ଷେତ୍ରରେ ଗ୍ରାମ ପଞ୍ଚାୟତ ଆଇନ -୧୯୬୪ ଏବଂ ଏଲ୍ଏଆରଆର ଆଇନ-୨୦୧୩କୁ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ମାସ ଏହି ଦାବି ନେଇ ମାନେଶ୍ୱର ବ୍ଳକ ଅଞ୍ଚଳରେ ସମିତି ପକ୍ଷରୁ ପଦଯାତ୍ରା କରାଯାଇଥିଲା । ଏହି ବିକ୍ଷୋଭରେ ସଞ୍ଜିବ ପ୍ରଧାନ, ଜୟବ୍ରତ ଦେ, ଆସଫ୍ ଅଲ୍ଲୀ ଖାନ୍, ମନବୋଧ ଭୋଇ, ହିତେଶ ଟାଙ୍କ, ଦେବ ତିୱାରୀ ଓ ଆଶିଷ ସେଠ୍ ପ୍ରମୁଖ ଉପସ୍ଥିତ ଥିଲେ ।