- ବଳଙ୍ଗା ନାବାଳିକାଙ୍କୁ ପୋଡି ମାରିବା ଉଦ୍ୟମ ଘଟଣା : ରୂପା ମୁଦିକୁ ନେଇ ଖୋଳତାଡ଼, ମୁଦିକୁ ଚିହ୍ନିଲେ ଗହଣା ଦୋକାନୀ
- ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ: ବିଜେଡି
- ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ ଜଣାଇଲେ ମନ୍ଦିର ସମସ୍ୟା ଏବଂ ସେବାୟତଙ୍କ ଦୁଃଖ
- ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ ଜିଲ୍ଲାକୁ ରେଡ଼ ୱାର୍ନିଂ
- ସୋମବାର ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ଉପରେ ହେବ ଆଲୋଚନା
ରାଜ୍ୟର ପଛୁଆବର୍ଗ, ଦଳିତ ଏବଂ ଆଦିବାସୀଙ୍କ ଶିକ୍ଷାରେ ସଂରକ୍ଷଣ ସୁନିଶ୍ଚିତ କରାଯାଉ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର :୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ଅପରପକ୍ଷରେ ରାଜ୍ୟର ଲକ୍ଷ ଲକ୍ଷ ପଛୁଆବର୍ଗ (ଓବିସି/ଏସଇବି ସି), ଅନୁସୂଚିତ ଜାତି (ଏସଟି) ଏବଂ ଅନୁସୂଚିତ ଜନଜାତି (ଏସଟି) ଛାତ୍ର ଛାତ୍ରୀ ପୂର୍ବ ବର୍ଷ ଗୁଡ଼ିକ ଭଳି ସମ୍ବିଧାନ ପ୍ରଦତ ସଂରକ୍ଷଣରୁ ବଂଚିତ ହେବାକୁ ଯାଉଛନ୍ତି । ଏନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗତ ବୁଧବାର (ମେ ମାସ ୧୩, ୨୦୨୫) ଚିଠି ଲେଖିଛନ୍ତି। ବିଗତ ଦଶ ମାସ ମଧ୍ୟରେ ଏହା ଜେନାଙ୍କ ତୃତୀୟ ଚିଠି ।
ଶ୍ରୀ ଜେନା ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସମ୍ବିଧାନର ଧାରା ୧୫(୪), ୧୫(୫), ଏବଂ ୧୬(୪) ଅନୁଯାୟୀ ବାଧ୍ୟତାମୂଳକ ସଂରକ୍ଷଣ ନିୟମର କ୍ରମାଗତ ଅବହେଳା କରାଯାଉଛି। ଏହା ଶ୍ରେଣୀ ବିଭକ୍ତ ସମାଜରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ଏବଂ ସାମ୍ବିଧାନିକ ନୈତିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସେ ଆହୁରି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ୫୪ ପ୍ରତିଶତ ଜନସଂଖ୍ୟା ପଛୁଆବର୍ଗ । ମାତ୍ର ଏହି ବର୍ଗ ପାଇଁ ଶିକ୍ଷାରେ ୨୭ ପ୍ରତିଶତ ଲାଗୁ କରାଯାଇଥିବା ବେଳେ ସମ୍ବିଧାନ ପ୍ରଦତ ସଂରକ୍ଷଣ ରାଜ୍ୟରେ ଆଦୌ କାର୍ଯ୍ୟକାରୀ ହେଉନାହିଁ। ଅନୁରୂପ ଭାବେ ସରକାରୀ ଚାକିରି କ୍ଷେତ୍ରରେ ମାତ୍ର ୧୧ .୨୫ ପ୍ରତିଶତ ସଂରକ୍ଷଣ ଦିଆ ଯାଉଛି । ଯାହା ସେମାନଙ୍କର ସଂଖ୍ୟାନୁପାତ ଦୃଷ୍ଟିରୁ ନଗଣ୍ୟ। ଶିକ୍ଷାରେ ପଛୁଆବର୍ଗ ସଂରକ୍ଷଣ ଲାଗୁ ନ ହେବା କାରଣରୁ ରାଜ୍ୟର ପ୍ରାୟ ୭୦୦୦ ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଅନୁରୂପ ଭାବେ ଚାକିରୀରେ ପୂର୍ଣ୍ଣାଙ୍ଗ ୨୭% ସଂରକ୍ଷଣ ନଥିବାରୁ ୫୦,୦୦୦ରୁ ଅଧିକ ଚାକିରି ସୁଯୋଗ ପଛୁଆବର୍ଗର ଯୁବକଯୁବତୀ ହରାଇଛନ୍ତି।
ଅନୁରୂପ ଭାବେ ରାଜ୍ୟ ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ଏସସି ଏବଂ ଏସଟି । ଯାହାକି ଜାତୀୟ ହାର ତୁଳନାରେ ଅଧିକ। ଭାରତୀୟ ସମ୍ବିଧାନ ଓ ଇନ୍ଦ୍ର ସାହନି ମାମଲାରେ ଦିଆ ଯାଇଥିବା ରାୟ ଅନୁଯାୟୀ ଓଡ଼ିଶାର ସ୍ଥିତି ସ୍ୱତନ୍ତ୍ର ପରିସ୍ଥିତି ଭାବେ ଗ୍ରହଣ କରାଯାଇପାରିବ, ଯାହାର ଆଧାରରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଉଚ୍ଛେଦ କରାଯାଇ ଏହାକୁ ବୃଦ୍ଧି କରାଯାଇ ପାରିବ ।ଏସବୁ ସତ୍ୱେ ବୈଷୟିକ ଶିକ୍ଷାରେ ଏସସି, ଏସଟି ଛାତ୍ରଛାତ୍ରୀ ସଂଖ୍ୟାନୁପାତ ବଦଳରେ ମାତ୍ର ୨୦ ପ୍ରତିଶତ ସଂରକ୍ଷଣ ମାନ୍ୟତା ପାଉଛନ୍ତି, ଯାହା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୫ରେ ଜାରି ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରୁଛି ବୋଲି ଶ୍ରୀ ଜେନା କହିଛନ୍ତି ।
ତେଣୁ ଶ୍ରୀ ଜେନା ତାଙ୍କ ଚିଠିରେ ଓବିସି/ ଏସଇବିସି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଓ ଚାକିରିରେ ୨୭% ସଂରକ୍ଷଣ, ପୂର୍ବରୁ ବଞ୍ଚିତ ହୋଇଥିବା ଲୋକଙ୍କ ପାଇଁ ବିଶେଷ ନିଯୁକ୍ତି ଅଭିଯାନ ଏବଂ ଏସି-ଏସଟି ଛାତ୍ରଛାତ୍ରୀଙ୍କୁ ବୈଷୟିକ ଶିକ୍ଷାରେ ୩୮.୭୫% ସଂରକ୍ଷଣ ଦିଆ ଯିବା ପାଇଁ ଦୃଢ଼ ଦାବି ଦୋହରାଇଛନ୍ତି । ନ୍ୟାୟକୁ ବିଳମ୍ବିତ କରିବା ଅର୍ଥ ଏହାକୁ ଅସ୍ୱୀକାର କରିବା ସହ ସମାନ । ତେଣୁ ରାଜ୍ୟର ବଞ୍ଚିତ ବର୍ଗର ଛାତ୍ରଛାତ୍ରୀଙ୍କୁ ତାଙ୍କର ଅଧିକାର ପାଇଁ ସରକାରୀ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ସେ ଦାବି କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମାନ ପ୍ରସଙ୍ଗରେ ଶ୍ରୀ ଜେନା ପୂର୍ବରୁ ୨୪ ଜୁନ ଓ ୮ ଅଗଷ୍ଟ ୨୦୨୪ରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିସାରିଛନ୍ତି ।