ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ବାଦିକଙ୍କୁ ମାଡ଼ରୁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅନୁମେୟ: ଭକ୍ତ ଦାସ୍

FMNEWS.IN 02-08-2025
The law and order situation in the state can be inferred from the incident of journalists being beaten at the Chief Minister's meeting: Bhakta

ନିଜ ଦଳର ଦୁର୍ବୃତ୍ତ-କର୍ମୀଙ୍କୁ ତୁରନ୍ତ ଗିରଫ କରାଇ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତ ସୃଷ୍ଟି କରନ୍ତୁ

ଭୁବନେଶ୍ୱର:- ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ବିଜେପି ସରକାରଙ୍କ ଅମଳରେ ସାମ୍ବାଦିକମାନେ ମଧ୍ୟ ଅସୁରକ୍ଷିତ ହେଲେଣି। ଏହାର ସଦ୍ୟତମ ଉଦାହରଣ ପିପିଲିରେ ଶନିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। ପିଏମ କିଷାନ ଭଳି ଏକ ସରକାରୀ କାର୍ଯ୍ୟକ୍ରମରେ ଓଡିଶା ଭାସ୍କରର କର୍ତ୍ତବ୍ୟରତ ସାମ୍ବାଦିକ ପୁର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ଭିଡିଓ ସାମ୍ବାଦିକ ସେକ୍ ଅବଦୁଲଙ୍କ ଉପରେ ବିଜେପି କର୍ମୀଙ୍କ ମରଣାନ୍ତକ ଆକ୍ରମଣକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ତାଙ୍କ ଦଳର କର୍ମୀମାନେ କିପରି ସାମ୍ବାଦିକଙ୍କୁ ମାଡ଼ ମାରିପାରିଲେ? ଯଦି ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ବାଦିକ ଅସୁରକ୍ଷିତ ହେବେ, ରାଜ୍ୟରେ କି ପ୍ରକାର ଶାସନ ଚାଲିଛି ତାହା ଅନୁମେୟ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ପ୍ରଶ୍ନ କରିଛନ୍ତି। କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ପ୍ରମାଣ ଦେଉଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମ୍ବାଦିକଙ୍କୁ ମାଡ଼ ମରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ; ଏହା ରାଜ୍ୟରେ ଦମନମୂଳକ ଶାସନକୁ ଦର୍ଶାଉଛି। ପୂର୍ବର ବିଜେଡି ସରକାର ପରି ଏହି ସରକାର ଅମଳରେ ମଧ୍ୟ ପୁଲିସ ଥାନାଗୁଡ଼ିକ ଶାସକ ଦଳର କାର୍ଯ୍ୟାଳୟରେ ପରିଣତ ହୋଇଛି ବୋଲି ଶ୍ରୀ ଦାସ କ୍ଷୋଭପ୍ରକାଶ କରିଛନ୍ତି। ସୌମ୍ୟାଶ୍ରୀ ପ୍ରସଙ୍ଗରେ ସରକାରଙ୍କ ନିରବତାର ପରିଣାମ କଣ ହେଲା ସମସ୍ତେ ଜାଣନ୍ତି। ଦୁଇ ସପ୍ତାହ ପରେ ବି ବଳଙ୍ଗା ଘଟଣାରେ ପୁଲିସର ହାତ ଖାଲି। ପିପିଲି କାର୍ଯ୍ୟକ୍ରମରେ ପିଏମ୍ କିଷାନ ଯୋଜନାର କାର୍ଯ୍ୟକାରିତା ନେଇ ଉପସ୍ଥିତ ଲୋକଙ୍କ ସହ ସାମ୍ବାଦିକଙ୍କ ବାର୍ତ୍ତାଳପର ଭିଡିଓକୁ କର୍ମୀମାନେ କାହିଁକି ବିରୋଧ କଲେ, ତାହା ଯେ କେହି ବୁଝିପାରିବ। ବିଜେପି ସ୍ବଚ୍ଛତାରେ ବିଶ୍ବାସ କରେନାହିଁ। ସରକାରୀ କାର୍ଯ୍ୟକ୍ରମରେ ଲୋକେ କଣ କହୁଛନ୍ତି ତାକୁ ମଧ୍ୟ ସାର୍ବଜନୀନ କରିବାରେ ଦଳର କର୍ମୀମାନଙ୍କର କୁଣ୍ଠା କଣପାଇଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ନିଜ ଦଳର ସେଇ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରାଇ ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତ ସୃଷ୍ଟି କରନ୍ତୁ ବୋଲି ଶ୍ରୀ ଦାସ ଆହ୍ବାନ କରିଛନ୍ତି। ଏହି ଅବସରରେ ଶ୍ରୀ ଦାସ ଆହତ ସାମ୍ବାଦିକ ଦ୍ବୟଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି।