ନୂଆପଡାରେ ଭୟଙ୍କର ଭୋଟ ଚୋରୀ ହୋଇଛି : ଭକ୍ତ
(FM News):-- ଏକ ପ୍ରେସବାର୍ତ୍ତା ମାଧ୍ୟମରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଗମ୍ଭୀର ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଭୟଙ୍କର ଭାବେ ଭୋଟ ଚୋରୀ ଆରମ୍ଭ ହୋଇଯାଇଛି, ପୁଲିସ ବଳର ସମ୍ପୂର୍ଣ ଅପ ପ୍ରୟୋଗ କରା ଯାଇଛି।
କୋମନାର ଜିତମିତ୍ର ହାଇସ୍କୁଲ ବୁଥରେ ଜଣେ ମହିଳାଙ୍କ ଭୋଟ ଅନ୍ୟ କିଏ ଦେଇଛି ତେଣୁ ଭୋଟ ପରିଚାଳନା ଅଧିକାରୀ ତାଙ୍କୁ ଭୋଟ ଦେବାକୁ ବାରଣ କରିଛନ୍ତି। ସୁନାବେଢା ଜଙ୍ଗଲ ମଧ୍ୟରେ ଥିବା ଏକ ବୁଥକୁ ପୋଲିସ ଛାଉଣୀ ଘେରିକି ରଖିଛି ବିଜେପି। ଝଣ୍ଡା ଲଗାଯାଇ ଲୋକଙ୍କୁ ବୁହା ଯାଉଥିଲା ତାକୁ କଂଗ୍ରେସ ଏଜେଣ୍ଟ ବାରଣ କରିବାରୁ ପୋଲିସ ଆମେ ଯାହା କରୁଛୁ ଚୁପଚାପ ଦେଖ କିଛି ପ୍ରତିବାଦ କରନାହିଁ ବୋଲି ଧମକ ଦେଇଥିବା ଖବର ଆସିଛି । ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ଗୋଟିଏ ପ୍ଲାନିଂ ଅନ୍ତର୍ଗତ ପୋଲିସ ସେଠାରେ ଭୋଟିଙ୍ଗ କରୁଛି । ଖଡ଼ିଆଳର ଗୋଟିଏ ସ୍ଥାନରେ ବୁଥ ପରିସର ମଧ୍ୟରେ ନରେନ୍ଦ୍ର ମୋଦୀ, ମୋହନ ମାଝି ଏବଂ ଢୋଲକିଆଙ୍କ ଫଟୋ ଲଗା ଚିରକୁଟ ବଣ୍ଟନ କରା ଯାଉଥିଲା । ଭାଲୁକନା ଗ୍ରାମ ୨୫୯ ନମ୍ବର ବୁଥରେ ଜଣେ ଇଭିଏମରେ ହାତ ଚି଼ହ୍ନରେ ଟିପୁଥିବା ବେଳେ ବିଜେପି ଚି଼ହ୍ନରେ ଲାଇଟ ଜଳୁଛି । ଡ଼ୁମେରବାହାଲ ଗ୍ରାମ ବୁଥ ନମ୍ବର ୩୩୯ ରେ କଂଗ୍ରେସର ସ୍ଥାନୀୟ ନେତା ପାସା ମହାନନ୍ଦଙ୍କ ସ୍ତ୍ରୀ ଭୋଟ ଦେଇ ଗଲାବେଳକୁ ଦେଖିଲେ ଖଡ଼ିଆଳ ଅଞ୍ଚଳର ଜଣେ ବିଜେପି ନେତା ସେଠାରେ ଟଙ୍କା ବଣ୍ଟନ କରୁଥିଲେ । ଏ ବିଷୟରେ ଶ୍ରୀ ମହାନନ୍ଦ ସମ୍ପୃକ୍ତ ବିଜେପି ନେତାଙ୍କୁ ବିରୋଧ କରିବାରୁ ସେ ଓଲଟା ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ସରକାରୀ ଦଳ ସମସ୍ତ ସରକାରୀ କଳର ଅପବ୍ୟବହାର କରୁଛନ୍ତି । ଶୁଣାଯାଉଛି, ଗୋଟିଏ ଟ୍ରକରେ ୧୦୦ ଗୋଟି ଇଭିଏମ ଆସିଛି ତାକୁ ବ୍ୟବହାର କରାଯାଇ ଭୋଟ ଚୋରୀ କରାଯିବ । ସରକାରୀ ଦଳ ଜିତିବା ପାଇଁ ସମସ୍ତ ପ୍ରକାର ଅନୈତିକ ବ୍ୟବସ୍ଥା କରିଛି ତେଣୁ ସେମାନେ କେତେ ସଂଖ୍ୟାରେ ନିର୍ବାଚନ ଜିତିବେ ଆଗୁଆ କହୁଛନ୍ତି।
ଏସବୁ ବିଷୟ ପ୍ରତି ପ୍ରଶାସନ କିମ୍ବା ନିର୍ବାଚନ ଅଧିକାରୀଙ୍କ ଧ୍ୟାନ ନାହିଁ ।
Vote Chori Alleged By Odisha Congress In Nuapada By-election.#nuapadabyelection #NuapadaBypoll pic.twitter.com/YoKegUYOaF
Fast Mail (@fastmailnews) November 11, 2025
ରାଜ୍ୟ ନିର୍ବାଚନ ଅଧିକାରୀ ଏସବୁ ବିଷୟକୁ ଗମ୍ଭୀରତାର ସହ ନେଇ ପ୍ରତିକାର କରନ୍ତୁ ନହେଲେ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି।