ଔରଙ୍ଗଜେବ, ଫିଲ୍ମ ଛାବା ଏବଂ ଇତିହାସ ଲେଖନରେ ପକ୍ଷପାତୀତା

FMNEWS.IN 20-03-2025
Aaurangjeb and film chhava and biased history writing

By Jagadananda Pradhan

ଇତିହାସକୁ ରାଜନୀତି କ୍ଷେତ୍ରରେ ବ୍ୟବହାର କରିବା ଦ୍ୱାରା ସାମ୍ପ୍ରଦାୟିକ ଘୃଣା ବୃଦ୍ଧି ପାଉଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଏଥିରେ ଅନେକ ନୂଆ ନୂଆ ପ୍ରସଙ୍ଗ ଯୋଡି ହୋଇ ଯାଊଛି।ଆରଏସଏସ, ସୋସିଆଲ ମିଡିଆ, ବିଜେପିର ଆଇଟି ସେଲ, ମୁଖ୍ୟଧାରା ମିଡିଆ, ବିଶେଷକରି ଅନେକ ଟିଭି ଚ୍ୟାନେଲ ମାଧ୍ୟମରେ ନିଜର ପ୍ରୋପାଗାଣ୍ଡାକୁ ଆଗେଇ ନେବା ଏବଂ ବ୍ପେନ ୱାସ୍ କରିବା ବ୍ୟତୀତ ଏବେ ଅନେକ ଚଳଚ୍ଚିତ୍ର ମାଧ୍ୟମରେ ମଧ୍ୟ ସମାଜରେ ବ୍ୟାପ୍ତ ଭୁଲ ଧାରଣାକୁ ଆଗେଇ ନେବାକୁ ଜୋରଦାର ପ୍ରୟାସ କରାଯାଊଛି।

ନିକଟ ଅତୀତରେ କେରଳ ଷ୍ଟୋରୀ, କାଶ୍ମୀର ଫାଇଲ୍ସ ଆଦି ଚଳଚ୍ଚିତ୍ରଗୁଡ଼ିକ ସମାଜରେ ଘୃଣାଜନିତ ଉନ୍ମାଦନାକୁ ବୃଦ୍ଧି କରିଛି । ଏଭଳି ଅନେକ ଚଳଚ୍ଚିତ୍ର ଯଥା ବୀର ସାବରକର, 72 ହୁରେନ, ସମ୍ରାଟ ପୃଥ୍ୱୀରାଜ ଆଦି ଅଧିକ ସଫଳତା ହାସଲ କରିପାରି ନାହିଁ। ଏବେ ସମଗ୍ର ଦେଶରେ ଏବଂ ଖାସକରି ମହାରାଷ୍ଟ୍ରରେ ଛବା ନାମକ ଚଳଚ୍ଚିତ୍ରର ଶୋ ହାଉସଫୁଲ ହେଉଛି ଏବଂ ଏହା ସହିତ ଘୃଣାକୁ ଆହୁରି ବୃଦ୍ଧି କରାଯାଊଛି। ଏହା କୌଣସି ଇତିହାସକୁ ଦର୍ଶାଉଥିବା ଚଳଚ୍ଚିତ୍ର ନୁହେଁ ବରଂ ଶିବାଜୀ ସାୱନ୍ତଙ୍କ ସମାନ ନାମରେ ଏକ ଉପନ୍ୟାସ ଉପରେ ଆଧାରିତ। ଚଳଚ୍ଚିତ୍ରରେ ଦର୍ଶାଯାଇଥିବା କିଛି ଅସଙ୍ଗତ ବିଷୟ ପାଇଁ ଚଳଚ୍ଚିତ୍ର ନିର୍ମାତା ପୂର୍ବରୁ କ୍ଷମା ମାଗି ସାରିଛନ୍ତି।

ଚଳଚ୍ଚିତ୍ରରେ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନର କିଛି ଚୟନିତ ଘଟଣା ଦର୍ଶାଇ ଏହା ପ୍ରମାଣ କରିବାକୁ ପ୍ରୟାସ କରାଯାଇଛି ଯେ ଔରଙ୍ଗଜେବ ନିର୍ଦ୍ଦୟ ଏବଂ ହିନ୍ଦୁ ବିରୋଧୀ ଥିଲେ। ୧୨୬ ମିନିଟର ଏହି ଚଳଚ୍ଚିତ୍ରରେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ସମ୍ଭାଜୀ ମହାରାଜଙ୍କୁ ଦିଆଯାଇଥିବା ଯନ୍ତ୍ରଣାକୁ ଦର୍ଶାଯାଇଛି। ଚଳଚ୍ଚିତ୍ରର ଏହି ଅଂଶରେ ନିର୍ମାତାମାନେ ଏକ କାଳ୍ପନିକ କାହାଣୀର ଲେଖକଙ୍କ ପରି ମନଇଚ୍ଛା ବିଷୟ ଦର୍ଶାଇଛନ୍ତି। ସମ୍ପୂର୍ଣ୍ଣ ବର୍ଣ୍ଣନାରେ ମଧ୍ୟଯୁଗୀୟ ଇତିହାସକୁ ଉଦାର ହିନ୍ଦୁ ରାଜା ଏବଂ ଦୁଷ୍ଟ ମୁସଲମାନ ରାଜାଙ୍କ ମଧ୍ୟରେ ସଂଘର୍ଷ ରୂପେ ଉପସ୍ଥାପନ କରାଯାଇଛି।

ସମ୍ଭାଜୀ ମହାରାଜ ଛତ୍ରପତି ଶିବାଜୀ ମହାରାଜଙ୍କ ସବୁଠାରୁ ବଡ଼ ପୁତ୍ର ଥିଲେ। ଶିବାଜୀଙ୍କ ସାମ୍ରାଜ୍ୟରେ ଯେଉଁ ଅଧିକାରୀମାନେ ଥିଲେ, ସେମାନଙ୍କ ମଧ୍ୟରେ ଅନେକ ମୁସଲମାନ ଥିଲେ। ମୌଲାନା ହୈଦର ଅଲୀ ତାଙ୍କର ବିଶ୍ୱସ୍ତ ସଚିବ ଥିଲେ ଏବଂ ସିଦ୍ଧି ସମ୍ବଲ, ଇବ୍ରାହିମ ଗାର୍ଦୀ ଏବଂ ଦୌଲତ ଖାନଙ୍କ ସମେତ ତାଙ୍କ ସେନାର ୧୨ ଜଣ ଜେନେରାଲ ମଧ୍ୟ ମୁସଲମାନ ଥିଲେ। ଯେତେବେଳେ ତାଙ୍କର ଅଫଜଲ ଖାନଙ୍କ ସହ ମୁହାଁମୁହିଁ ହେବାକୁ ଯାଉଥିଲା, ସେତେବେଳେ ତାଙ୍କୁ ଏକ ଲୁହା ପଞ୍ଝା ସାଙ୍ଗରେ ନେବାକୁ ପରାମର୍ଶ ଦିଆଯାଇଥିଲା, ଯାହା ତାଙ୍କ ସହଯୋଗୀ ରୁସ୍ତମ-ଏ-ଜମାନଙ୍କ ଦ୍ୱାରା ଦିଆଯାଇଥିଲା। ଅଫଜଲ ଖାନଙ୍କୁ ମୃତ୍ୟୁ ମୁଖକୁ ପଠାଇବା ପରେ ଅଫଜଲ ଖାନଙ୍କ ସଚିବ କୃଷ୍ଣାଜୀ ଭାସ୍କର କୁଳକର୍ଣ୍ଣୀ ଶିବାଜୀଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

ଶିବାଜୀଙ୍କ ଉପରେ ଆକ୍ରମଣ କରିଥିବା ଔରଙ୍ଗଜେବଙ୍କ ସେନାର ସେନାପତି ଥିଲେ ରାଜା ଜୟସିଂହ। ଶିବାଜୀଙ୍କୁ ଔରଙ୍ଗଜେବଙ୍କ ଦରବାରରେ ଉପସ୍ଥିତ ହେବାକୁ ବାଧ୍ୟ କରାଯାଇଥିଲା ଏବଂ ପରେ ବନ୍ଦୀ କରାଯାଇଥିଲା। ତାଙ୍କୁ ବନ୍ଦୀଶାଳାରୁ ପଳାଇବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କ ନାମ ଥିଲା ମଦାରୀ ମେହତର, ଯିଏ ଜଣେ ମୁସଲମାନ ରାଜକୁମାର ଥିଲେ।

ହିନ୍ଦୁତ୍ୱର ଜନକ ସାବରକର ଏବଂ ଗୋଲୱାଲକର ସମ୍ଭାଜୀଙ୍କ ଚରିତ୍ର ଉପରେ ଅଙ୍ଗୁଳି ଉଠାଇଛନ୍ତି ଏବଂ ସୁରା-ସୁନ୍ଦରୀ ପ୍ରତି ତାଙ୍କର ଆସକ୍ତିର ଉଲ୍ଲେଖ କରିଛନ୍ତି। ଏହି ଅଭ୍ୟାସ ହେତୁ ଶିବାଜୀ ତାଙ୍କୁ ପନହାଲା ଦୁର୍ଗରେ ବନ୍ଦୀ କରିଥିଲେ। ପରେ ସମ୍ଭାଜୀ ଶିବାଜୀଙ୍କ ବିରୁଦ୍ଧରେ ହୋଇଥିବା ଯୁଦ୍ଧରେ ଔରଙ୍ଗଜେବଙ୍କ ସାଙ୍ଗରେ ଯୋଗ ଦେଇଥିଲେ। ସମ୍ଭାଜୀ ବିଜାପୁରର ଆଦିଲଶାହଙ୍କ ବିରୁଦ୍ଧରେ ହୋଇଥିବା ଯୁଦ୍ଧରେ ମଧ୍ୟ ଔରଙ୍ଗଜେବଙ୍କ ସହଯୋଗୀ ଥିଲେ।

ଶିବାଜୀଙ୍କ ମୃତ୍ୟୁ ପରେ ହୋଇଥିବା ଶକ୍ତି ସଂଘର୍ଷରେ ସମ୍ଭାଜୀଙ୍କ ସାବତ ଭାଇ (ଶିବାଜୀଙ୍କ ଦ୍ୱିତୀୟ ପତ୍ନୀ ସୋୟାରାବାଇଙ୍କ ପୁତ୍ର) ତାଙ୍କୁ ବିଷ ଦେବାକୁ ଚେଷ୍ଟା କରିଥିଲେ। ଷଡ଼ଯନ୍ତ୍ର ଜଣା ପଡିବା ପରେ ସମ୍ଭାଜୀ ଅନେକ ହିନ୍ଦୁ ଅଧିକାରୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିଲେ। ଔରଙ୍ଗଜେବଙ୍କ ସହ ହୋଇଥିବା ଯୁଦ୍ଧ ପାଇଁ ଔରଙ୍ଗଜେବ ତାଙ୍କ ଜେନେରାଲ ରାଠୋଡ଼ଙ୍କୁ ପଠାଇଥିଲେ। ସମ୍ଭାଜୀଙ୍କୁ ଧରାଯିବା ପରେ ତାଙ୍କୁ ଅପମାନିତ କରାଯାଇଥିଲା ଏବଂ ଯନ୍ତ୍ରଣା ଦିଆଯାଇଥିଲା, ଯାହାକୁ ବହୁତ ବଢ଼ାଇ-ଚଢ଼ାଇ ଉପସ୍ଥାପନ କରାଯାଇଛି।

ଚଳଚ୍ଚିତ୍ର ମାଧ୍ୟମରେ ଔରଙ୍ଗଜେବ ସମ୍ବନ୍ଧରେ ଅନେକ ମାନ୍ୟତାକୁ ଆହୁରି ଗଭୀର କରିବାର ପ୍ରୟାସ କରାଯାଇଛି। ତାଙ୍କୁ ନିଜର ବିରୋଧୀଙ୍କ ପ୍ରତି ଅତ୍ୟନ୍ତ ନିର୍ଦ୍ଦୟ ଦର୍ଶାଯାଇଛି। ଏଠାରେ ପ୍ରଶ୍ନ ଏହି ଅଭିଯୋଗର ଉତ୍ତର ଦେବାର ନୁହେଁ ବରଂ ସାମ୍ରାଜ୍ୟ ସଂଚାଳନର ତାକ-ତରିକାକୁ ବୁଝିବାର ପ୍ରୟାସ କରିବାର ଅଛି । ରାଜାମାନେ ନିଜର ଶତ୍ରୁଙ୍କ ସହ ଅତ୍ୟନ୍ତ ନିର୍ଦ୍ଦୟ ବ୍ୟବହାର କରିବା ସାଧାରଣ କଥା ଥିଲା ଏବଂ ଏହାର ଅନେକ ଉଦାହରଣ ମିଳିଥାଏ। ଇତିହାସବିତ୍ ରୁଚିକା ଶର୍ମା କହିଛନ୍ତି ଯେ ଚୋଳ ରାଜାମାନେ ଚାଳୁକ୍ୟ ସେନାକୁ ପରାସ୍ତ କରିବା ପରେ ଚାଳୁକ୍ୟ ଜେନେରାଲ ସମୁଦ୍ରରାଜଙ୍କ ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଥିଲେ ଏବଂ ତାଙ୍କ ସୁନ୍ଦରୀ ଝିଅର ନାକ ମଧ୍ୟ କାଟି ଦେଇଥିଲେ। ଅଶୋକଙ୍କ କଳିଙ୍ଗ ଯୁଦ୍ଧ ଭୟଙ୍କର ନିର୍ମମତା ପାଇଁ ଜଣାଶୁଣା। ରାଜାମାନେ ନିଜର ଶତ୍ରୁଙ୍କ ପ୍ରତି ବ୍ୟବହାର ଅତ୍ୟନ୍ତ ନୃଶଂସ ହେଉଥିଲା ଏବଂ ଏହାକୁ ଆଜିର ମାନଦଣ୍ଡରେ ପରୀକ୍ଷା କରାଯାଇ ପାରିବ ନାହିଁ। ଆଜିର ଘଟଣା ସଂପର୍କରେ ଆମେ କଣ କହିବୁ ଯେତେବେଳେ ବୁଲଡୋଜର ମୁସଲମାନଙ୍କ ଉପରେ ଲାଗିଥିବା ଅଭିଯୋଗ ଅଦାଲତରେ ପ୍ରମାଣିତ ହେବା ପୂର୍ବରୁ ହିଁ ସେମାନଙ୍କ ଘରକୁ ମାଟିରେ ମିଶାଇ ଦିଆଯାଊଛି।

ସେହି ହିନ୍ଦୁ ରାଜା ବିଷୟରେ ଆମେ କଣ କହିବୁ ଯାହାର ଏକ ଦୁର୍ଗ ଏକ ପାହାଡ଼ ଶିଖରରେ ଥିଲା ଏବଂ ରାଜାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚନା କରୁଥିବା ଲୋକମାନଙ୍କୁ ହାତ-ପାଦ ବାନ୍ଧି ଗଭୀର ଘାଟିରେ ଫିଙ୍ଗି ଦିଆଯାଉଥିଲା? ବାଲା ସାମନ୍ତ ତାଙ୍କ ପୁସ୍ତକରେ ସୁରତ ଲୁଟପାଟ ସମୟରେ ଶିବାଜୀଙ୍କ ସେନା ଦ୍ୱାରା କରାଯାଇଥିବା ଅତ୍ୟାଚାରର ବିବରଣୀ ଦେଇଛନ୍ତି। ସେନା ଏବଂ ଅତ୍ୟାଚାରର ଅତ୍ୟନ୍ତ ନିକଟ ସମ୍ପର୍କ ଥିଲା, ଶତ୍ରୁଙ୍କ ସହ ନିର୍ଦ୍ଦୟତା ନିଶ୍ଚିତ ଭାବେ ନିନ୍ଦନୀୟ, କିନ୍ତୁ ଏହା ଏକ ସାଧାରଣ କଥା ଥିଲା। ଯେତେବେଳେ ସମ୍ଭାଜୀଙ୍କ ମରାଠା ସେନା ଗୋଆ ଉପରେ ଆକ୍ରମଣ କରିଥିଲା, ସେତେବେଳେ ଜଣେ ପର୍ତ୍ତୁଗୀଜ ଦ୍ୱାରା ଦିଆଯାଇଥିବା ବିବରଣୀ ଅନୁସାରେ (ଯାହାକୁ ଇତିହାସବିତ୍ ଯଦୁନାଥ ସରକାର ଉଦ୍ଧୃତ କରିଛନ୍ତି) ଏପର୍ଯ୍ୟନ୍ତ ଭାରତରେ କୌଣସି ସ୍ଥାନରେ ଏପରି ନିର୍ମମତା ଦେଖାଯାଇ ନାହିଁ...। ଯଦିଓ ଏହି ଅତ୍ୟାଚାରର ବିବରଣୀକୁ ଗୁରୁତ୍ୱର ସହ ପରୀକ୍ଷା କରାଯିବା ଉଚିତ, କିନ୍ତୁ ଏହା ସ୍ପଷ୍ଟ କରେ ଯେ ହିଂସା ଏକ ବ୍ୟାପକ ପ୍ରବୃତ୍ତି ଥିଲା, ଯଦିଓ ଏହାର ସ୍ତର କମ କିମ୍ବା ଅଧିକ ହୋଇପାରେ।

ଔରଙ୍ଗଜେବ କଣ ହିନ୍ଦୁ ବିରୋଧୀ ଥିଲେ? ଏହା କୁହାଯାଇପାରେ ଯେ ଔରଙ୍ଗଜେବ ଆକବର କିମ୍ବା ଦାରା ଶିକୋହ ପରି ନ ଥିଲେ। ସେ ଜଣେ ରକ୍ଷଣଶୀଳ ବ୍ୟକ୍ତି ଥିଲେ ଏବଂ ଏକପଟେ ଯେଉଁଠାରେ ସେ ହିନ୍ଦୁ ଏବଂ ଇସଲାମର ଅଣ-ସୁନ୍ନୀ ସମ୍ପ୍ରଦାୟକୁ ପସନ୍ଦ କରୁ ନ ଥିଲେ, ଅନ୍ୟପଟେ ସେ ଗଠବନ୍ଧନ ସ୍ଥାପନରେ ଅତ୍ୟନ୍ତ ଦକ୍ଷ ଥିଲେ ଏବଂ ତାଙ୍କ ପ୍ରଶାସନରେ ଅନେକ ହିନ୍ଦୁ ଅଧିକାରୀ ଥିଲେ। ଯେପରି ପ୍ରଫେସର ଅଥର ଅଲୀ କହିଛନ୍ତି, ଔରଙ୍ଗଜେବଙ୍କ ପ୍ରଶାସନରେ ହିନ୍ଦୁ ଅଧିକାରୀଙ୍କ ସଂଖ୍ୟା ସର୍ବାଧିକ (୩୩ ପ୍ରତିଶତ) ଥିଲା।

ଏହା ସମ୍ପୂର୍ଣ୍ଣ ସତ୍ୟ ଯେ ସେ ଅନେକ ମନ୍ଦିର ଭାଙ୍ଗିଥିଲେ, କିନ୍ତୁ ସେ କାମାଖ୍ୟା ଦେବୀ (ଗୁଆହାଟୀ), ମହାକାଳେଶ୍ୱର (ଉଜ୍ଜୟିନୀ), ଚିତ୍ରକୂଟ ବାଲାଜୀ ଏବଂ ବୃନ୍ଦାବନରେ ଭଗବାନ କୃଷ୍ଣଙ୍କ ପରି ଅନେକ ମନ୍ଦିରକୁ ଅର୍ଥ ମଧ୍ୟ ଦାନ କରିଥିଲେ। ଶିବାଜୀ ମଧ୍ୟ ହଜରତ ବାବା ବହୋତ ଥୋରୱାଲେଙ୍କ ସୂଫୀ ଦରଗାହ ପାଇଁ ଅର୍ଥ ଦେଉଥିଲେ। ପରାଜିତ ରାଜାକୁ ଅପମାନିତ କରିବା ପାଇଁ ବିଜୟୀ ରାଜା ସେହି ନିର୍ଦ୍ଦିଷ୍ଟ ପୂଜା ସ୍ଥଳକୁ ନଷ୍ଟ କରୁଥିଲେ ଯାହା ହାରିଯାଇଥିବା ରାଜା ସହ ସମ୍ବନ୍ଧିତ ଥିଲା (ରିଚାର୍ଡ ଇଟନ୍, ଫ୍ରଣ୍ଟଲାଇନ ଡିସେମ୍ବର-ଜାନୁଆରୀ ୧୯୯୬)। ଏବେ ସାମ୍ପ୍ରଦାୟିକ ଇତିହାସବିତ୍ମାନେ ମୁସଲମାନ ରାଜାମାନଙ୍କ ଦ୍ୱାରା ନଷ୍ଟ ହୋଇଥିବା ମନ୍ଦିରଗୁଡ଼ିକର ଘଟଣାକୁ ଚୟନ କରି ବିବରଣୀ ଦେଉଛନ୍ତି ଏବଂ ମୁସଲମାନ ରାଜାମାନଙ୍କ ଦ୍ୱାରା ହିନ୍ଦୁ ମନ୍ଦିରଗୁଡ଼ିକୁ ଦିଆଯାଇଥିବା ଦାନ ବିଷୟକୁ ଲୁଚାଉଛନ୍ତି।

ଔରଙ୍ଗଜେବ ୨୨ ବର୍ଷ ରାଜତ୍ୱ ପରେ ଜଜିୟା କର ଲାଗୁ କରିଥିଲେ, କିନ୍ତୁ ବ୍ରାହ୍ମଣ, ଅପାଙ୍ଗ ଏବଂ ମହିଳାମାନେ ଏଥିରୁ ମୁକ୍ତ ଥିଲେ। ଏହା ଧର୍ମ ପରିବର୍ତ୍ତନର ମାଧ୍ୟମ ନ ଥିଲା ବରଂ ସମ୍ପତ୍ତି କର ପରି ଥିଲା ଏବଂ ୧.୨୫ ପ୍ରତିଶତ ହାରରେ ସଂଗ୍ରହ କରାଯାଉଥିଲା, ଯେଉଁଠାରେ ମୁସଲମାନମାନଙ୍କୁ ୨.୫୦ ପ୍ରତିଶତ ହାରରେ ଜକାତ ଦେବାକୁ ପଡୁଥିଲା। ଯେଉଁପର୍ଯ୍ୟନ୍ତ ଶିଖ ଗୁରୁମାନଙ୍କୁ ଯନ୍ତ୍ରଣା ଦିଆଯାଇଥିବା କଥା, ତାହା ଅନୁଚିତ ଥିଲା, କିନ୍ତୁ ଏହାର ମୁଖ୍ୟ କାରଣ ଥିଲା ମୋଗଲ ପ୍ରଶାସନ ଏବଂ ଶିଖ ଗୁରୁମାନଙ୍କ ମଧ୍ୟରେ ଚାଲିଥିବା ଶକ୍ତି ସଂଘର୍ଷ।

ସାମ୍ପ୍ରଦାୟିକ ଇତିହାସକାରମାନେ ସାମ୍ରାଜ୍ୟ କାଳର ସମ୍ପୂର୍ଣ୍ଣ ପ୍ରସଙ୍ଗର ଉଲ୍ଲେଖ ନ କରି ବିଭିନ୍ନ ସ୍ରୋତରୁ ଘଟଣାଗୁଡ଼ିକୁ ଚୟନ କରିବାରେ ଲାଗି ପଡିଛନ୍ତି। ରାଜାମାନେ ଶତ୍ରୁଙ୍କ ସହ ଲଢ଼ିବା ପାଇଁ ନିଜର ସେନାକୁ ଉତ୍ସାହିତ ଏବଂ ପ୍ରେରିତ କରିବା ପାଇଁ ଧର୍ମର ବ୍ୟବହାର କରୁଥିଲେ। ହିନ୍ଦୁ ରାଜାମାନେ ଧର୍ମଯୁଦ୍ଧ ଏବଂ ମୁସଲମାନ ରାଜାମାନେ ଜିହାଦର ସାହାଯ୍ୟ ନେଉଥିଲେ। ଦକ୍ଷିଣପନ୍ଥୀ ଇତିହାସବିତ୍ମାନେ ନିଜକୁ ସୁହାଇଲାଭଳି ବିଷୟବସ୍ତୁ ଚୟନ କରିଥାନ୍ତି,ଯାହା କିସାମ୍ପ୍ରଦାୟିକର ରୁପରେଖ ଥାଏ। ସେତେବେଳେ ରାଜାମାନଙ୍କ ଲକ୍ଷ୍ୟ ଥିଲା ପାୱାରଏବଂ ଧନ ହାସଲ କରିବା। ଯଦି ଧର୍ମର ବ୍ୟବହାର ହେଉଥିଲା ତାହେଲେ କେବଳ ନିଜର ସାମ୍ରାଜ୍ୟ ବିସ୍ତାର ପାଇଁ ଏକ ଉପକରଣ ରୂପେ। ତେବେ ଏହିଦକ୍ଷିଣପନ୍ଥୀ ଇତିହାସବିତ୍ମାନେ ସମାଜରେ ବିଭାଜନ ସୃଷ୍ଟି କରିବାରେ ବ୍ୟସ୍ତ ଏବଂବିଭାଜନକାରୀ ରାଜନୀତିର ଶକ୍ତିକୁ ବୃଦ୍ଧି କରିବାରେ ନିମଗ୍ନ ରହିଥାନ୍ତି।ଏହା ଭାରତୀୟ ସମ୍ବିଧାନ ପାଇଁ ଏକ ବଡ଼ ବିପଦ। (ରାମ ପୁନିଆଙ୍କ ଲେଖରୁ ଊଦ୍ଧୃତ)