- ଆଦାନୀ ପ୍ରୀତିପାଇଁ ରାଉରକେଲାରେ ଆଦିବାସୀ ଯୁବକଙ୍କର ମୁଣ୍ଡ ଗଡ଼ିଲା- ଭକ୍ତ ଦାସ
- ମହାରାଷ୍ଟ୍ରରେ 40 ଲକ୍ଷ ଟଙ୍କାର ପୁରସ୍କାର ବହନକାରୀ ଚାରିଜଣ ନକ୍ସଲୀ ଗିରଫ
- ରାମବନରେ ବାଦଲ ଫାଟିବା କାରଣରୁ ତିନିଜଣଙ୍କର ମୃତ୍ୟୁ ,ଲକ୍ଷ ଲକ୍ଷ ସମ୍ପତ୍ତି ନଷ୍ଟ
- ଆରଏସପି ୩ୟ ରେଳ ଲାଇନ ନିର୍ମାଣକୁ ବିରୋଧ ଘଟଣା : ମୃତଦେହକୁ ରଖି ଆନ୍ଦୋଳନ ଜାରି
- ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆମ୍ବେଦକରଙ୍କୁ ନେଇ ଆରଏସଏସ-ବିଜେପି କରୁଛନ୍ତି ନାଟକ, ଭାଗବତ-ମୋଦୀ ସମସ୍ତେ ଏହାର ଚରିତ୍ର !

ଜଗଦାନନ୍ଦ ପ୍ରଧାନ
ସଂପାଦକ,ଫାଷ୍ଟ ମେଲ
ଗତ ୧୪ ଅପ୍ରେଲ(୨୦୨୫)ରେ ଦେଶ ଆମ୍ବେଦକରଙ୍କର ଜୟନ୍ତୀ ପାଳନ କରିଛି। ଅନେକେ ଏହି ଦିନଟିକୁ ସମାନତା ଦିବସ ଭାବେ ପାଳନ କରିଛନ୍ତି, ଯାହା ପୂର୍ଣ୍ଣତଃ ଉପଯୁକ୍ତ। ଦେଶବ୍ୟାପୀ ଏହି ଅବସରରେ ବିଭିନ୍ନ ବକ୍ତୃତା ଓ ସଙ୍ଗୋଷ୍ଠୀର ଆୟୋଜନ କରିଥିଲେ, ଯେଉଁଥିରେ ସମାନତା ଓ ଗଣତନ୍ତ୍ର ସହ ଜଡ଼ିତ ଚିନ୍ତାଧାରାର ଅଗ୍ରଦୂତ ଡକ୍ଟର ଆମ୍ବେଦକରଙ୍କ ବିଚାର ଓ ମୂଲ୍ୟବୋଧକୁ ସ୍ମରଣ କରାଯାଇଥିଲା। ମଜାର କଥା ହେଲା, ଯେଉଁମାନଙ୍କର ଏଜେଣ୍ଡା ହେଉଛି ହିନ୍ଦୁ ରାଷ୍ଟ୍ର, ଯେଉଁମାନେ ଆମ୍ବେଦକରଙ୍କ ମୂଲ୍ୟବୋଧର ଘୋର ବିରୋଧୀ ଏବଂ ଯାହାଙ୍କ ଚିନ୍ତାଧାରାର ଆଧାର ହେଉଛି ମନୁସ୍ମୃତି, ସେମାନେ ମଧ୍ୟ ଏହି ଦିନ ତାଙ୍କ ପ୍ରଶଂସାରେ ପୋତି ପକାଇଛନ୍ତି। ସେମାନଙ୍କର ପବିତ୍ର ଗ୍ରନ୍ଥ ମନୁସ୍ମୃତି ଜାତି ପ୍ରଥା ଓ ପିତୃସତ୍ତାକ ମୂଲ୍ୟବୋଧର ପକ୍ଷପାତ କରେ।
ଆରଏସଏସ ମୁଖ୍ୟ ମୋହନ ଭାଗବତ ଆମ୍ବେଦକରଙ୍କର ଦେଖାଦେଖି ପ୍ରଶଂସା କରି ତାଙ୍କୁ ଆରଏସଏସର ପ୍ରତିଷ୍ଠାତା କେ.ବି. ହେଡ଼ଗେୱାରଙ୍କ ସହ ତୁଳନା କରିଛନ୍ତି।ଭାଗବତଙ୍କ ମତରେ ଉଭୟେ ସାମାଜିକ ବିକାଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ ଏବଂ ଉଭୟେ ଦେଶର ଉନ୍ନତି କାମନା କରୁଥିଲେ। ଆମ୍ବେଦକରଙ୍କ ସାମାଜିକ ସମାନତା, ଗଣତାନ୍ତ୍ରିକ ସଂଘବାଦ ଏବଂ ଜାତି ଉନ୍ମୂଳନର ସ୍ୱପ୍ନ ଏବଂ ଆରଏସଏସର ପ୍ରତିଷ୍ଠାତାଙ୍କ ପ୍ରାଚୀନ ଗ୍ରନ୍ଥ ଆଧାରିତ ହିନ୍ଦୁ ରାଷ୍ଟ୍ରର ଲକ୍ଷ୍ୟ ତଥା ଜାତି ପ୍ରଥା ଓ ପିତୃସତ୍ତାକ ସମର୍ଥକ ଦୃଷ୍ଟିକୋଣ ମଧ୍ୟରେ କଣ ସାମଞ୍ଜସ୍ୟ ହୋଇପାରେ? ଏ ଦୁଇଟି ତୋ ବିପରୀତ ଧ୍ରୁବ......। କିନ୍ତୁ ନିର୍ବାଚନୀ ବାଧ୍ୟବାଧକତା ହେତୁ ବାବାସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅନିବାର୍ଯ୍ୟ ହୋଇପଡ଼ିଛି, ତେଣୁ ଭାଗବତଙ୍କୁ କଷ୍ଟକରି କୌଣସି ପ୍ରକାରେ ବାବାସାହେବଙ୍କୁ ନିଜ ପ୍ରେରଣାସ୍ତ୍ରୋତଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ପଡ଼ୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ନାଟକରେ ପଛରେ ନାହାନ୍ତି ଏବଂ ସେ ଏକ ପାଦ ଆଗକୁ ବଢ଼ି ଭାରତୀୟ ଜାତୀୟ କଂଗ୍ରେସର ସମାଲୋଚନା କରି କହିଛନ୍ତି, କଂଗ୍ରେସ ସଂବିଧାନକୁ ନଷ୍ଟ କରିବାରେ ଲାଗିଛି। ଡକ୍ଟର ଆମ୍ବେଦକର ସମାନତା ଆଣିବାକୁ ଚାହୁଁଥିଲେ... ସେ ଚାହୁଁଥିଲେ ପ୍ରତ୍ୟେକ ଗରିବ, ପଛୁଆ ଶ୍ରେଣୀ ମୁଣ୍ଡ ଉଠାଇ ଗୌରବମୟ ଜୀବନ ଯାପନ କରୁ, ସେ ସ୍ୱପ୍ନ ମଧ୍ୟ ଦେଖୁ, ଏବଂ ତାହା ପୂରଣ ମଧ୍ୟ କରୁ... ତେବେ କଂଗ୍ରେସ ସର୍ବଦା ଦଳିତ, ଆଦିବାସୀ ଓ ପଛୁଆ ଶ୍ରେଣୀଙ୍କ ସହ ଦ୍ୱିତୀୟ ଶ୍ରେଣୀର ନାଗରିକ ଭଳି ବ୍ୟବହାର କରିଛି।
ବାଃ ବାଃ ବାଃରେ ପରଧାନମନ୍ତ୍ରୀ ଜୀ। ଦେଖୁଛନ୍ତି ତ.... ଏଠାରେ ନରେନ୍ଦ୍ର ମୋଦୀ ତଥ୍ୟକୁ କିପରି ବିକୃତ କରି ଉପସ୍ଥାପନ କରୁଛନ୍ତି। ପ୍ରକୃତରେ ଆମ୍ବଦକର ସାମାଜିକ ସମାନତାର ଲକ୍ଷ୍ୟ ହାସଲ କରିବା ପାଇଁ ସର୍ବାଧିକ ସଂନାଦ ଓ ବିଚାର-ବିମର୍ଶ ଗାନ୍ଧୀଜୀ ଓ କଂଗ୍ରେସ ସହ ହିଁ କରିଥିଲେ। ଦଳିତଙ୍କ ହିତକୁ ଉପେକ୍ଷା କରିବା ପାଇଁ ଗାନ୍ଧୀଜୀଙ୍କୁ ବହୁତ ସମାଲୋଚନା କରାଯାଇଥାଏ। ପୁନା ପ୍ୟାକ୍ଟ ବିରୁଦ୍ଧରେ ବହୁତ କିଛି କୁହାଯାଏ। କିନ୍ତୁ ମୋଟାମୋଟି ଭାବେ ଏହା ଦଳିତଙ୍କ ହିତ ପାଇଁ ଉଠାଯାଇଥିବା ସବୁଠାରୁ ବାସ୍ତବବାଦୀ ପଦକ୍ଷେପ ଥିଲା। ଗାନ୍ଧୀଜୀ ଆମ୍ବେଦକରଙ୍କ ଦୃଷ୍ଟିକୋଣରୁ ବହୁତ ପ୍ରଭାବିତ ହୋଇଥିଲେ ଏବଂ ସେ ଜାତିପ୍ରଥାର ଦୁର୍ବିପାକକୁ ଅଧିକ ଗଭୀର ଭାବେ ଅନୁଭବ କରିଥିଲେ ଏବଂ ଅସ୍ପୃଶ୍ୟତା ଉନ୍ମୂଳନକୁ ପରବର୍ତ୍ତୀ ଦୁଇ ବର୍ଷ ପାଇଁ ନିଜର ଏକ ମୁଖ୍ୟ ମିଶନ ବନାଇଥିଲେ। ଅନେକ ଗାଁକୁ ଯାଇ ସେ ନିଶ୍ଚିତ କରିଥିଲେ ଯେ ଦଳିତମାନଙ୍କୁ ମନ୍ଦିରରେ ପ୍ରବେଶ କରାଯାଉ ଏବଂ ଗାଁର କୂଅରୁ ପାଣି ଭରିବାକୁ ଦିଆଯାଉ। ଏହା ଅନେକ କଂଗ୍ରେସ କର୍ମୀଙ୍କର ମଧ୍ୟ ମିଶନ ହୋଇପଡ଼ିଥିଲା।
ଏହି ସମୟରେ ବିଜେପିର ବୈଚାରିକ ପ୍ରତିଷ୍ଠାତାମାନେ ଜାତିପ୍ରଥାର ମୂଲ୍ୟବୋଧର ପ୍ରଶଂସାରେ ପୋତି ପକାଊଥିଲେ ଏବଂ ଯୁକ୍ତି ଦେଉଥିଲେ ଯେ ଏହି ପ୍ରଥା ହିନ୍ଦୁ ସମାଜକୁ ସ୍ଥିରତା ପ୍ରଦାନ କରିଛି! ଆମ୍ବେଦକରଙ୍କ ଅତୁଳନୀୟ ଦେଶସେବାକୁ ଜାତୀୟ ନେତାମାନେ ମାନ୍ୟତା ଦେଇଥିଲେ ଏବଂ ସେମାନେ ଅତ୍ୟନ୍ତ ଉତ୍ସୁକ ଥିଲେ ଯେ ଆମ୍ବେଦକର ସଂବିଧାନ ସଭାର ଅଂଶ ହୁଅନ୍ତୁ। ସବିତା ଆମ୍ବେଦକର ତାଙ୍କ ଜୀବନୀ ବାବାସାହେବ: ମାଇ ଲାଇଫ ଉଇଥ ଡକ୍ଟର ଆମ୍ବେଡକରରେ ସଂବିଧାନ ସଭାର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଭାବୀ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ, ଗୃହମନ୍ତ୍ରୀ ସରଦାର ପଟେଲ, ଲୋକସଭା ଅଧ୍ୟକ୍ଷ ଜି. ମାବଲଙ୍କର ଏବଂ ବମ୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜି ଖେରଙ୍କ ମଧ୍ୟରେ ହୋଇଥିବା ପତ୍ର ବ୍ୟବହାରକୁ ଉଦ୍ଧୃତ କରି ଏହି ତଥ୍ୟର ପୁଷ୍ଟି କରିଛନ୍ତି ଯେ କିପରି କଂଗ୍ରେସର ଶୀର୍ଷ ନେତାମାନେ ଚାହୁଁଥିଲେ ଯେ ତାଙ୍କ ସ୍ୱାମୀ ସଂବିଧାନ ସଭା ପାଇଁ ନିର୍ବିରୋଧ ନିର୍ବାଚିତ ହୁଅନ୍ତୁ। ସରଦାର ପଟେଲ ୫ ଜୁଲାଇ ୧୯୪୭ରେ ମାବଲଙ୍କରଙ୍କୁ ଲେଖିଥିବା ପତ୍ରରେ ଲେଖିଛନ୍ତି, ଡକ୍ଟର ଆମ୍ବେଡକରଙ୍କ ନାମାଙ୍କନ ପ୍ରଧାନମନ୍ତ୍ରୀଙ୍କୁ ପଠାଯାଇଛି। ମୁଁ ଆଶା କରୁଛି କୌଣସି ପ୍ରତିଦ୍ୱନ୍ଦ୍ୱିତା ହେବ ନାହିଁ ଏବଂ ସେ ନିର୍ବିରୋଧ ନିର୍ବାଚିତ ହୋଇ ୧୪ ତାରିଖରେ ଏଠାକୁ ଆସିପାରିବେ।
କଂଗ୍ରେସ ଚାହିଁଥିଲା ବାବାସାହେବ ସଂବିଧାନ ସଭା ପାଇଁ ନିର୍ବାଚିତ ହୁଅନ୍ତୁ ଏବଂ ଏହାର ଖସଡ଼ା କମିଟିର ଅଧ୍ୟକ୍ଷ ହୁଅନ୍ତୁ। ବାବାସାହେବଙ୍କ ଯୋଗଦାନ ଓ ଅଂଶଗ୍ରହଣକୁ କଂଗ୍ରେସର ବହୁଳ ସମର୍ଥନ ମିଳିଥିଲା ଏବଂ ଏହାର ଫଳସ୍ୱରୂପ ଭାରତୀୟ ସଂବିଧାନର ପ୍ରତିଷ୍ଠା ହୋଇଥିଲା। ଏହାର ବିପରୀତରେ, ବିଜେପିର ମୂଳ ସଂଗଠନ ଆରଏସଏସର ମୁଖପତ୍ର ଦ ଅର୍ଗାନାଇଜର ବ୍ୟଙ୍ଗ କରିଥିଲା ଯେ ଏହି ସଂବିଧାନରେ କିଛି ମଧ୍ୟ ଭାରତୀୟ ନାହିଁ। ଆରଏସଏସର ବୈଚାରିକ ମାର୍ଗଦର୍ଶକ ତଥା ସାଙ୍ଘୀ ସାବରକର ମଧ୍ୟ ସଂବିଧାନର ବିରୋଧୀ ଥିଲେ ଏବଂ ସେ କହିଥିଲେ ଯେ ମନୁସ୍ମୃତି ହିଁ ଭାରତର ସଂବିଧାନ।
ସେହିପରି ଆମ୍ବେଦକର ହିନ୍ଦୁ କୋଡ ବିଲର ଖସଡ଼ା ପ୍ରସ୍ତୁତ କରିବାର ଦାୟିତ୍ୱ ନିଭାଇଥିଲେ, ଏବଂ ନେହେରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଏହାର ବିରୋଧ କଂଗ୍ରେସର କିଛି ଅଂଶ ଦ୍ୱାରା ହୋଇଥିଲା, କିନ୍ତୁ ଏହାର ମୁଖ୍ୟ ବିରୋଧ ହିନ୍ଦୁ ରାଷ୍ଟ୍ରବାଦୀ ଚିନ୍ତାବିଦମାନେ କରିଥିଲେ, ଯେଉଁମାନେ ୧୨ ଡିସେମ୍ବର ୧୯୪୯ରେ ଆମ୍ବେଦକରଙ୍କ ପୁତ୍ତଳା ଦହନ କରିଥିଲେ। ଯେଉଁଠାରେ ଆରଏସଏସ-ବିଜେପି ହିନ୍ଦୁତ୍ୱର ବ୍ରାହ୍ମଣବାଦୀ ସଂସ୍କରଣର ପତାକା ଉଡ଼ାଉଥିଲେ, ସେଠାରେ ବାବାସାହେବ ପୂର୍ବରୁ ଘୋଷଣା କରିସାରିଥିଲେ ଯେ ସେ ହିନ୍ଦୁ ଭାବେ ଜନ୍ମ ନେଇଛନ୍ତି କିନ୍ତୁ ହିନ୍ଦୁ ଭାବେ ମରିବେ ନାହିଁ।
ସେହିପରି ଯେତେବେଳେ ଆରଏସଏସ ହିନ୍ଦୁ ରାଷ୍ଟ୍ରର କଥା କହୁଥିଲା, ସେତେବେଳେ ବାବାସାହେବ ପାକିସ୍ତାନ ଉପରେ ତାଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣରେ ଏହାର ବିରୋଧ କରିଥିଲେ ଯେ ଏହା ହିନ୍ଦୁ ରାଜର ପଥ ପ୍ରଶସ୍ତ କରିପାରେ, ଯାହା ଆମ ପାଇଁ ସବୁଠାରୁ ବଡ଼ ବିପଦକୁ ଡାକି ଆଣିବ। ବିଜେପିର ହିନ୍ଦୁ ରାଷ୍ଟ୍ରବାଦୀ ଚିନ୍ତାଧାରା ବାବାସାହେବଙ୍କ ଜାତି ଉନ୍ମୂଳନର ସ୍ୱପ୍ନର ସମ୍ପୂର୍ଣ୍ଣ ବିରୁଦ୍ଧ। ମୋଦୀଙ୍କ ଚିନ୍ତାଧାରା ଆମ୍ବେଦକରଙ୍କର ଗଭୀର ବିରୋଧୀ। ମୋଦୀଙ୍କ ମୂଳ ସଂଗଠନ ଆରଏସଏସ ସାମାଜିକ ସମରସତା ମଞ୍ଚ ଗଠନ କରିଛି, ଯାହା ଜାତିଗୁଡ଼ିକର ଉନ୍ମୂଳନ ବଦଳରେ ସେଗୁଡ଼ିକ ମଧ୍ୟରେ ସାମଞ୍ଜସ୍ୟର କଥା କହେ।
ବର୍ତ୍ତମାନ ଅନେକ ଯୁକ୍ତି ଦେଉଛନ୍ତି ଯେ ଯେହେତୁ ଜାତିର ଉନ୍ମୂଳନ କରିବା ସହଜ ନୁହେଁ, ତେଣୁ ଆମେ ଉପଜାତୀୟ ପରିଚୟଗୁଡ଼ିକୁ ଶକ୍ତିଶାଳୀ କରିବା ଉଚିତ ଯାହା ଦ୍ୱାରା ସେମାନଙ୍କୁ ଅଧିକ ବିଶେଷାଧିକାର ମିଳିପାରିବ! ଏହା ଆମ ସଂବିଧାନର ମୌଳିକ ସିଦ୍ଧାନ୍ତ, ବନ୍ଧୁତ୍ୱ, ପାଇଁ ଏକ ବିପଦ ଭଳି ହେବ। ଆରଏସଏସ ଦଳିତଙ୍କ କିଛି ଗୋଷ୍ଠୀକୁ ମଧ୍ୟ ସୋସିଆଲ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ଉପାୟରେ ନିଜ ଆଡ଼କୁ ଆକର୍ଷିତ କରିବାର ଚେଷ୍ଟା କରୁଛି। ଆରଏସଏସ ସହ ଜଡ଼ିତ ସଂଗଠନଗୁଡ଼ିକ ଦଳିତଙ୍କ ଉପ-ଜାତିଗୁଡ଼ିକର ନୂଆ-ନୂଆ ନାୟକ ଗଢ଼ୁଛନ୍ତି ଏବଂ ସେମାନଙ୍କୁ ପିତୃସତ୍ତାକ ଓ ଜାତିଗତ ଉଚ୍ଚନୀଚର ମୂଲ୍ୟବୋଧରେ ସଜ୍ଜିତ କରୁଛନ୍ତି ଏବଂ ସେହି ସମୟରେ ସେମାନଙ୍କୁ ମୁସଲମାନ-ବିରୋଧୀରେ ପରିଣତ କରାଊଛନ୍ତି।
ଆପଣମାନହ୍କର ମନେ ଥିବ ମଣ୍ଡଳ ଆୟୋଗର ରିପୋର୍ଟକୁ କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ଉପରେ ବିଜେପିର ପ୍ରତିକ୍ରିୟା ତାର ପ୍ରକୃତ ଚରିତ୍ରକୁ ଉଜାଗର କରିଥାଏ। ମଣ୍ଡଳ ଆୟୋଗ ସାମାଜିକ ନ୍ୟାୟ ସ୍ଥାପନ ଦିଗରେ ଏକ ବଡ଼ ପଦକ୍ଷେପ ଥିଲା। ନିର୍ବାଚନୀ କାରଣରୁ ବିଜେପି ଏହାର ଖୋଲାଖୋଲି ବିରୋଧ କରି ନଥିଲା, କିନ୍ତୁ ନିଜର ରାମମନ୍ଦିର ଆନ୍ଦୋଳନକୁ ଆହୁରି ତୀବ୍ର କରିଦେଇଥିଲା। ବିଜେପି ଯେଉଁ ପ୍ରକାରେ ପରିଚୟ ସହ ଜଡ଼ିତ ନୂଆ-ନୂଆ ମୁଦ୍ଦା ଉଠାଉଛି ଏବଂ ସାମାଜିକ ନ୍ୟାୟର ପଥରେ ଅଡ଼ୁଆ ସୃଷ୍ଟି କରୁଛି, ତାହା ପ୍ରକୃତରେ ଲଜ୍ଜାଜନକ। ଏହା ବଞ୍ଚିତ ଯୁବକମାନଙ୍କର ଏକ ଅଂଶକୁ ନିଜର ଲାଠିଆଳ ବନାଇବାରେ ସଫଳ ହୋଇଛି। ଏହି ଲୋକମାନେ ଖୋଲା ତରବାରି ଧରି ମସଜିଦ ଆଗରେ ନାଚୁଛନ୍ତି।
କଂଗ୍ରେସ ନେତା ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ ସାମାଜିକ ଓ ଆର୍ଥିକ ନ୍ୟାୟ ସ୍ଥାପନ ପାଇଁ ସଂବିଧାନକୁ ଠିକ ଭାବେ କାର୍ଯ୍ୟକାରୀ କରିବା ଉପରେ ଜୋର ଦେଇଛନ୍ତି। ଦଳିତ ଓ ଓବିସିଙ୍କ ଅବସ୍ଥା ପାଇଁ କଂଗ୍ରେସକୁ ଦାୟୀ କରିବା ଏବଂ ତା ଉପରେ ବାବାସାହେବଙ୍କୁ ଉପେକ୍ଷା କରିବାର ଅଭିଯୋଗ ଲଗାଇବା ସତ୍ୟକୁ ଓଲଟପାଲଟ କରିବା ଭଳି। ବିଜେପି-ଆରଏସଏସ ଯାହା କରୁଛନ୍ତି ତାହା ହେଉଛି ଚୋର କଟୁଆଳକୁ ତାଗିଦ କରୁଛି।
( ଅମରୀଶ ହରଦେନିଆଙ୍କ ମୂଳ ଇଂରାଜୀ ଲେଖାରୁ କିଛି ଅଂଶ ଊଦ୍ଧୃତ)