ଲଷ୍ମଣ ବାଗ ନିର୍ବାଚନରେ "ଦାଦନ ମଜା" ପ୍ରଚାର କରିବେନି କି : କଂଗ୍ରେସ

FMNEWS.IN 29-10-2025
Will they not promote
  • ସରକାରୀ ଦଳର ନେତା ଏଠାରେ ଦାଦନ ସର୍ଦାର
  • ଦାଦନ ବିଜେପି ସରକାର ପ୍ରାୟୋଜିତ ପ୍ରକ୍ରିୟା ; ନୂଆପଡ଼ାରେ ପ୍ରତି ତିନି ଜଣରେ ଜଣେ ଦାଦନ

ନୂଆପଡ଼ା / ଭୁବନେଶ୍ୱର ତା ୨୯.୧୦.୨୫(FM News) :- ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଏବଂ ଲଜ୍ଜାଜନକ ମଧ୍ୟ କି ନୂଆପଡ଼ା ବାସୀ ଆଜି ମଧ୍ୟ ରୋଜଗାରରୁ ବଞ୍ଚିତ। ତାଙ୍କ ପିଲାମାନେ ମଧ୍ୟ ରୋଜଗାରରୁ ବଞ୍ଚିତ ହୋଇ ବେରୋଜଗାର ହୋଇଛନ୍ତି। ତେଣୁ ସରକାର ସେମାନଙ୍କୁ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ କରୁଛନ୍ତି ଏବଂ ସେମାନଙ୍କୁ ସରକାର ମଧ୍ୟସ୍ଥିଙ୍କ ଜରିଆରେ ଅନ୍ୟ ରାଜ୍ୟକୁ ପଠାଇବାର ବ୍ୟବସ୍ଥା ମଧ୍ୟ କରୁଛନ୍ତି। ଯିଏ ବି ସରକାରକୁ ଆସୁଛି ଦାଦନ ସମସ୍ୟାକୁ କମ୍ କରିବା ବା ହଟେଇବା ପରିବର୍ତ୍ତେ ଓଲଟା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଜରିଆରେ ସରକାର ସେମାନଙ୍କୁ ଦାଦନ ଖଟିବାର ଠିକା ଦେଇଛନ୍ତି। ଏହାକୁ କଂଗ୍ରେସ ଦଳ ଦୃଢ଼ ନିନ୍ଦା କରୁଛି ବୋଲି ନୂଆପଡ଼ାର ଖୁଣ୍ଟିଆ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପିସିସି ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ କ୍ଷୋଭ ପ୍ରକାଶ କରି କହିଛନ୍ତି। ସେ କହିଛନ୍ତି ଯେଉଁମାନେ ଦାଦନ ଖଟିବାକୁ ଯାଉଛନ୍ତି ସେମାନଙ୍କ ସଂଖ୍ୟା ସରକାରଙ୍କ ପାଖେ ଅଛି ନା ନାହିଁ! ଶ୍ରମ ବିଭାଗ ସେମାନଙ୍କ ସଠିକ୍ ଯାଞ୍ଚ କରିଛି ନା ନାହିଁ। ଦାଦନ ରୋକିବାକୁ ସରକାର କି ପଦକ୍ଷେପ ନେଇଛନ୍ତି ? ଶିକ୍ଷାକୁ କାହିଁକି ପ୍ରୋତ୍ସାହନ ଦିଆଯାଉନାହିଁ ? ଯେଉଁମାନେ ମଧ୍ୟସ୍ଥି ହୋଇ ଦାଦନ ଖଟିବା ପାଇଁ ଲୋକମାନଙ୍କୁ ଅନ୍ୟ ରାଜ୍ୟକୁ ନେଉଛନ୍ତି ସେମାନଙ୍କୁ ସରକାର ସାମ୍ନାକୁ ଆଣନ୍ତୁ। ସେ ଆହୁରି କହିଛନ୍ତି କି ୟୁପିଏ ସରକାର ସମୟରେ ମନରେଗା ଯୋଜନା ମାଧ୍ୟମରେ ନିଶ୍ଚିତ କର୍ମ ନିଯୁକ୍ତି ମିଳୁଥିଲା। ଏ ଯେଉଁ ସରକାର ଚାଲିଛି ସେ ବିଜେପି ସରକାର ଜାଣିଶୁଣି ମନରେଗା ବଜେଟ କୁ କମ କରିଦେଇଛି। ୨୦୨୩ - ୨୦୨୪ ମସିହାରେ ଯାହା ୧୭୫୦ କୋଟି ଟଙ୍କା ଥିଲା ବର୍ତ୍ତମାନ କମି ୧୨୦୦ କୋଟି ଟଙ୍କାରେ ପହଂଚିଛି। ଯାହା ଫଳରେ କି ଲୋକମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି ନ ମିଳିବା କାରଣରୁ ସେମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ନୂଆପଡ଼ା ଜିଲ୍ଲାରେ ଏସସି, ଏସଟି, ଓବିସି ସଂଖ୍ୟା ସର୍ବାଧିକ। ପ୍ରତି ତିନିଜଣରେ ଜଣେ ଦାଦନ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ପରିବାର ଅର୍ଥାତ ୫୦ ହଜାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ନୂଆପଡ଼ା ଜିଲ୍ଲାରେ ସରକାରୀ ଅନୁଦାନ ପ୍ରାୟ ୩୦୦୦ କୋଟି ଟଙ୍କା। କିନ୍ତୁ ଏଥିରୁ ୨୦ % ବି ଶ୍ରମିକଙ୍କ ପାଖକୁ ଆସୁନାହିଁ । ସରକାର ନୂଆପଡ଼ାରେ ଖାଲି ଭୋଟ ମାଗିଲେ ହେବନାହିଁ । ସେମାନଙ୍କୁ ନୂଆପଡ଼ାରେ ନିଶ୍ଚିତ କର୍ମ ନିଯୁକ୍ତି ଦେବାପାଇଁ କଣ ନୀତି ନିୟମ ପ୍ରସ୍ତୁତ କରିଛନ୍ତି ତାହାର ସ୍ପଷ୍ଟି କରଣ ସରକାର ରଖିବା ଉଚିତ୍ ବୋଲି ଶ୍ରୀମତୀ ସାହୁ ଦାବି କରିଛନ୍ତି। ବେରୋଜକାରୀଙ୍କୁ ରୋଜଗାର ଦେବା ସରକାରଙ୍କ ମୌଳିକ ଦାଇତ୍ୱ।

ବିଜେପି ଦଳର ବିଧାୟକ ଲକ୍ଷ୍ମଣ ବାଗ ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହା ନିଶ୍ଚିତ ରୂପେ ସରକାରୀ ମନ୍ତବ୍ୟ। ଅର୍ଥାତ୍ ସରକାର ସିଧାସଳଖ କହୁଛନ୍ତି କି ଆମେ ରୋଜଗାର ଦେବୁନାହିଁ, ଆମେ ସେମାନଙ୍କୁ ଶିକ୍ଷା ଦେବୁନାହିଁ, ତମେ ଏସସି, ଏସଟି, ଓବିସି ହୋଇ ଜନ୍ମ ନେଇଛ, ତମେ ଗରିବ ହୋଇ ଜନ୍ମ ବେଇଛ ମାନେ ତମେ ଦାଦନ ଖଟିବାକୁ ଯିବ। ଏବଂ ଯେତେବେଳେ ରାଜ୍ୟ ଭୋଟ ହେବ ବା ଉପନିର୍ବାଚନ ହେବ ଆମେ ତମକୁ ଟଙ୍କା ଦେଇ ଆଣିବୁ। ଏହା ହେଉଛି ବିଜେପିର ଚିତ୍ର ଓ ଚରିତ୍ର। ତେଣୁ ସରକାର ଏବଂ ଶ୍ରମମନ୍ତ୍ରୀ ଏହାର ସ୍ପଷ୍ଟିକରଣ ରଖନ୍ତୁ।ଏହା ଆମ ଦାବି ନୁହେଁ ଏହା ନୂଆପଡ଼ା ବାସୀଙ୍କ କଥା, ସ୍ୱାଭିମାନର କଥା, ଅଧିକାରର କଥା ।ଦାଦନ ଖଟିବାକୁ ଗଲେ ମଜା ଆସିବ ବୋଲି ବିଜେପି ନେତା କହିବା କଥା ଅତି ଲଜ୍ଜାଜନକ ।ଆମେ ଏହାର ଦୃଢ଼ ନିନ୍ଦା କରୁଛୁ। ବାହାର ରାଜ୍ୟରୁ ୨ ଜଣ ଦଳୀୟ ମଧ୍ୟସ୍ଥିଙ୍କ ଜରିଆରେ ଲୋକମାନଙ୍କୁ ଆଣି ଭୋଟ ଦେବା ପାଇଁ ପ୍ରବର୍ତ୍ତାଇବା ସ୍ପଷ୍ଟିକରଣ ଦେବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି ଜଣେ ମଧ୍ୟସ୍ଥି ମନ୍ତ୍ରୀଙ୍କ ଭଣଜା ଥିବା ବେଳେ ଆଉ ଜଣେ ବିଜେପି ଦଳର ସକ୍ରିୟ ସଦସ୍ୟ ଅଟନ୍ତି। ସେମାନେ ଶ୍ରମିକଙ୍କୁ ଲୁଟ କରୁଛନ୍ତି। ବିଜେପି ପରିପୁଷ୍ଟ ହେଉଛି। ପରଜୀବୀ ସରକାର ପର ଉପରେ ନିର୍ଭର କରୁଛି। ଗରିବ ଖଟିଖିଆ ଦାଦନ ଶ୍ରମିକଙ୍କ ଉପରେ ଚାପ୍ ପ୍ରୟୋଗ କରି ସେମାନଙ୍କୁ ଶୋଷଣ କରୁଛନ୍ତି ବୋଲି ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି।

ଅନ୍ୟତମ ମୁଖପାତ୍ର ଡ. ମନିଷା ଦାସ ପଟ୍ଟନାୟକ କହିଥିଲେ ଯେ ନୂଆପଡ଼ା ଓଡ଼ିଶାର ଭାତ ହାଣ୍ଡି । ୯୪% ଲୋକ ଗ୍ରାମାଞ୍ଚଳରେ ରୁହନ୍ତି ଏବଂ ସେମାନଙ୍କୁ ଭିତରୁ ଅଧିକାଂଶ ଚାଷ ଉପରେ ନିର୍ଭରଶୀଳ । ହେଲେ ନୂଆପଡା ଚାଷୀଙ୍କ ପାଇଁ ନା ଏ ସରକାର୍ ନା ଆଗ ସରକାର୍ କାହାରି ଦରଦ ନାହିଁ । ନୂଆପଡ଼ା ଚାଷୀ କେବଳ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀଙ୍କ ପାଇଁ ଜଳସେଚନ ସବୁଠୁ ପ୍ରମୂଖ ସମସ୍ୟା । କିନ୍ତୁ ଜଳସେଚନ ପାଇଁ ସରକାର୍ କୌଣସି ପଦକ୍ଷେପ ନେଇ ନାହାନ୍ତି । ଠିକ୍ ସମୟରେ ସାର ଯୋଗାଇ ନାହାନ୍ତି । ସୌର ପମ୍ପ ବ୍ୟବସ୍ଥା ବି କରି ନାହାନ୍ତି । ଚାଷୀ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି । କିନ୍ତୁ ସରକାର୍ ନିଦାବିଷ୍ଣୁ ସାଜିଛନ୍ତି । ପୋତରା ଡ୍ୟାମ୍ କଂଗ୍ରେସ ସରକାରଙ୍କ ଅବଦାନ । ହେଲେ ଏ ଡିଣ୍ଡିମପିଟା ସରକାର୍ କେବଳ ପ୍ରତିଶ୍ରୁତି ଦେଇ ଠକିବାରେ ବ୍ୟସ୍ତ । ଚାଷ ସୁବିଧା ନ ପାଇ ଲୋକ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଥିଲେ । ପୂର୍ବ ସରକାର୍ ପ୍ଲାନ୍ କରିଥିବା ୧୩୦ ଟି ଜଳସେଚନ ପ୍ଲାନ୍ କେତେ କାର୍ଯ୍ୟକାରୀ ହେଇଛି ବୋଲି ସେ ପ୍ରଶ୍ନ କରିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀକୁ ନୂଆପଡ଼ା ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର ସଂଯୋଜନା କରିଥିବା ବେଳେ ଟିଟିଲାଗଡ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ ଉପସ୍ଥିତ ଥିଲେ।