ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍‌ରେ ଟିଏସ୍‌ଏଫ୍‌ର ୬ ଖେଳାଳି ସାମିଲ

FMNEWS.IN 25-02-2026
6 TSF players participate in National Sub-Junior Volleyball Championship

ମେରାମଣ୍ଡଳୀ, ୨୫/୦୨/୨୦୨୬- ଗ୍ରାମାଞ୍ଚଳରେ କ୍ରୀଡ଼ାବିତ୍ ସୃଷ୍ଟି କରିବା ଓ ଉତ୍ତମ ପ୍ରଶିକ୍ଷଣ ମାଧ୍ୟମରେ ଜାତୀୟସ୍ତରରେ ସେମାନଙ୍କ ପରିଚୟ ସୃଷ୍ଟି କରିବାରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ)। ପଶ୍ଚିମବଙ୍ଗରେ ଆୟୋଜିତ ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଖେଳିବା ପାଇଁ ଓଡ଼ିଶା ଟିମ୍ରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଣ୍ଟ ଆଖପାଖ ଗ୍ରାମର ୬ଜଣ ଯୁବ ଭଲିବଲ୍ ଖେଳାଳି ସାମିଲ ହୋଇଛନ୍ତି। ୨୪ ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ଆସନ୍ତା ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଓଡ଼ିଶା ଟିମ୍ ପାଇଁ ମନୋନୀତ ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି, ପାଇକ ପୁରୁଣାକୋଟ ଗ୍ରାମର ସୋମ୍ୟା ସନ୍ଦୀପା ଗଡନାୟକ, ସ୍ୱାତୀ ଭୋଇ, ବାଦଲ ନାଏକ, ଗନ୍ଥିଗାଡ଼ିଆର ଅରୁଷ ନାଏକ ଏବଂ ତାଳବାହାଳ ଗ୍ରାମର ରୋଜାଲିନ ନାଏକ ଓ ମିକି ନାଏକ। ଏହି ଖେଳାଳିମାନେ ପୂର୍ୱରୁ ୧୪ ବର୍ଷରୁ କମ୍ ବର୍ଗର ଟିମ୍ରେ ସାମିଲ ହୋଇ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ।

ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ପାଇଁ ୨୦୧୯ରେ ମାତ୍ର ୧୧ ଜଣ ଖେଳାଳିଙ୍କୁ ନେଇ ଟିଏସ୍ଏଫ୍ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଥିଲା। ବର୍ତ୍ତମାନ ପ୍ଲାଣ୍ଟ ପରିସରରୁ ୧୫ କିଲୋମିଟର ମଧ୍ୟରେ ଥିବା ବିଭିନ୍ନ ଗ୍ରାମର ୫୭୫ ପୁରୁଷ ଓ ୧୨୦ ମହିଳା ଖେଳାଳି ଏଠାରେ ପ୍ରଶିକ୍ଷଣ ନେଉଛନ୍ତି। ତିନିଟି ଗ୍ରାସରୁଟ୍ କୋଚିଂ ସେଣ୍ଟର ଓ ଗୋଟିଏ ୟୁଥ୍ ଡେଭେଲପମେଣ୍ଟ ସେଣ୍ଟର ମାଧ୍ୟମରେ ଇଣ୍ଟରନ୍ୟାସନାଲ ଭଲିବଲ ଫେଡେରେସନର ଲେଭଲ୍-୨ ପ୍ରଶିକ୍ଷକ ଆଶୁତୋଷ ପାତ୍ରଙ୍କ ନେତୃତ୍ୱରେ ୪ ଜଣ ପ୍ରଶିକ୍ଷକ ନିୟମିତ ପ୍ରଶିକ୍ଷଣ ଦେଉଛନ୍ତିି।

ଗତ ଦୁଇ ବର୍ଷରେ ୧୩୫ ଜଣ ଜିଲ୍ଲା ଓ ୮୪ ଜଣ ରାଜ୍ୟସ୍ତରୀୟ ଚାମ୍ପିୟନସିପ୍ରେ ଅଂଶଗ୍ରହଣ କରିଥିବାବେଳେ ୨୩ ଜଣ ଜାତୀୟସ୍ତରରେ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି।

ଟିଏସଏମ୍ର ୟୁନିଟ୍ ଲିଡ୍ କୁମାର ସୌରଭ କହିଛନ୍ତି, ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ମେରାମଣ୍ଡଳୀରୁ ୬ଜଣ ସାମିଲ ହେବା, ତୃଣମୂଳସ୍ତରରେ କ୍ରୀଡ଼ାବିତ୍ ସୃଷ୍ଟି କରିବା ଦିଗରେ ଆମ ପ୍ରୟାସର ପ୍ରତିଫଳନ। ଆଗାମୀ ଦିନରେ ଆମେ ଏହି କ୍ରୀଡ଼ା ପରିବେଶକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିବଦ୍ଧ, ଯାହା ମାଧ୍ୟମରେ ଆଖପାଖ ଗ୍ରାମଗୁଡ଼ିକର ଅଧିକ ଯୁବ ଖେଳାଳି କ୍ରୀଡ଼ା କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ।