BIG NEWS
ଆଗାମୀ ତିନି ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ : ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଅପରେସନ ସିନ୍ଦୁରର ରଣନୀତିକ ହିସାବ-ନିକାଶ: ଗତ କିଛି ସପ୍ତାହର ଘଟଣାବଳୀ ଓ ଉଠିଥିବା ପ୍ରଶ୍ନର ସମୀକ୍ଷା

FMNEWS.IN 19-05-2025
Strategic calculation of Operation Sindoor: A review of the events of the last few weeks and the questions raised

By Jagadananda Pradhan

Editor,Fast Mail News

ତାମାସା ଶେଷ ହୋଇଛି ଏବଂ ଆମେ ଏହାକୁ ଭୁଲିବା ରାସ୍ତାରେ ଅଛୁ। ଯଦି ଆମେ ଶହୀଦମାନଙ୍କୁ ସ୍ମରଣ କରିବା ପାଇଁ ଏଠାରେ ଅଟକି ନ ରହି ଅପରେସନ ସିନ୍ଦୁରର ମୂଲ୍ୟ ଏବଂ ଏହାର ଲାଭ-କ୍ଷତିର ହିସାବ ନ କରିବା, ଏହା ବୈସରନ ମୈଦାନରେ ହୋଇଥିବା ନରସଂହାରଠାରୁ ମଧ୍ୟ ବଡ଼ ଦୁର୍ଘଟଣା ହେବ।

ଗତ କିଛି ସପ୍ତାହର ଘଟଣାବଳୀ ଏବଂ ଏହି ସମୟରେ ଉଠିଥିବା ପ୍ରଶ୍ନଗୁଡିକର ସମୀକ୍ଷା ଜରୁରୀ ଯାହା ଦ୍ୱାରା ଏକ ରଣନୀତିକ ବ୍ୟାଲାନ୍ସ ସିଟ୍ ପ୍ରସ୍ତୁତ କରାଯାଇପାରିବ, ଯାହା କି ଭବିଷ୍ୟତ ନୀତି ଓ ଯୋଜନା ରୂପାୟନ କରିବାରେ ସହାୟକ ହେବ।

ଏହି ପ୍ରସଙ୍ଗରେ ପ୍ରଥମ ପ୍ରଶ୍ନ ହେଉଛି, ବୈସରନ ନରସଂହାରକୁ କଣ ରୋକା ଯାଇପାରିଥାନ୍ତା ଓ ଏହା କଣ ଏକ ଗୁଇନ୍ଦା ବିଫଳତା ଥିଲା? ଏହି ଆକ୍ରମଣ ପରେ ଆମେ ସମସ୍ତେ ବେଶ୍ ଊଜାଗର ବା ବୁଦ୍ଧିମାନୀ ହୋଇ ଯାଇଛୁ। ଏପରି ରିପୋର୍ଟ ରହିଛି ଯେ ଗୁଇନ୍ଦା ବିଭାଗର ବିଫଳତା ନେଇ ପୂର୍ବରୁ ଚେତାବନୀ ଦିଆଯାଇଥିଲା ଏବଂ ଏଥିରେ ବିଶେଷ ଭାବେ ଶ୍ରୀନଗରର ଡାଲ୍ ହ୍ରଦ ଆଖପାଖରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ଥିଲା। କିନ୍ତୁ ଏହା ସେହି ସ୍ଥାନ ନୁହେଁ, ଯେଉଁଠି ବୈସରନ ଘଟଣା ପୂର୍ବରୁ, ୧୮ ମଇ ୨୦୨୪ରେ ପହଲଗାମରେ ଦୁଇ ପର୍ଯ୍ୟଟକଙ୍କୁ ନିଶାନା କରି ହତ୍ୟା କରାଯାଇଥିଲା, ଯେତେବେଳେ ଆତଙ୍କବାଦୀମାନେ ଜୟପୁରର ଏକ ଦମ୍ପତିଙ୍କ ଉପରେ ଆକ୍ରମଣ କରିଥିଲେ। ଏହାଛଡା, ବୈସରନ ହତ୍ୟାକାଣ୍ଡ ପୂର୍ବରୁ ସାଉଥ ଏସିଆ ଟେରରିଜମ ପୋର୍ଟାଲ ଅନୁଯାୟୀ, ୨୦୦୦ ମସିହାରୁ ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କୁ ନିଶାନା କରି ଅତି କମରେ ୪୪ଟି ହତ୍ୟା କରାଇଛି। ଶ୍ରୀନଗର କିମ୍ବା କାଶ୍ମୀରର ଅନ୍ୟ କୌଣସି ସ୍ଥାନରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହୋଇପାରେ ବୋଲି ବୁଝିବା ପାଇଁ କୌଣସି ବିଶେଷ ପ୍ରତିଭା କିମ୍ବା ଅସାଧାରଣ ଗୁଇନ୍ଦା ସୂଚନାର ଆବଶ୍ୟକତା ନଥିଲା। କିନ୍ତୁ ଉପଲବ୍ଧ ଗୁଇନ୍ଦା ସୂଚନା କଣ ଅତିରିକ୍ତ ବଳ ମୁତୟନ କରିବା କିମ୍ବା ବୈସରନରେ ପ୍ରୋଟୋକଲର ସମୀକ୍ଷା କରିବା ପାଇଁ ଯଥେଷ୍ଟ ଥିଲା? ଅନ୍ୟ ଭାଷାରେ ଆମେ ଯଦି କହିବା, ଗୁଇନ୍ଦା ସୂଚନା କଣ କାର୍ଯ୍ୟକାରୀ ହେଊଥିଲା? ନିଶ୍ଚିତ ଭାବେ ଉତ୍ତର ହେଉଛି ନା।

ବୈସରନ ଘଟଣା ପ୍ରକୃତରେ ନୀତି, ପ୍ରଚାରିତ ଧାରଣା ଏବଂ ଯୋଜନାର ବିଫଳତା ଥିଲା। ନୀତିଗତ ସ୍ତରରେ, ଜୀରୋ ଆତଙ୍କବାଦର ଭୁଲ ଆକଳନ କରି କାଶ୍ମୀରକୁ ଲକ୍ଷାଧିକ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ମୌଳିକ ଭୁଲ ଥିଲା। (ଅନୁମାନ କରାଯାଉଛି ଯେ ୨୦୨୪ରେ ଏହି ସଂଖ୍ୟା ୨.୩ କୋଟି ରହିତିଲା ଏବଂ ବୈସରନ ନରସଂହାର ପୂର୍ବରୁ ୨୦୨୫ ପାଇଁ ଏହି ସଂଙ୍ଖ୍ୟା ଯାହା ଆଶା କରାଯାଊଥିଲା, ତାହା ଆହୁରି ଅଧିକ ଥିଲା।) ଉପତ୍ୟକାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାକୁ ସାଧାରଣ ପରିସ୍ଥିତିର ସୂଚକ ଭାବେ ଉପସ୍ଥାପନ କରିବା ଏକ ପ୍ରକାର ପ୍ରତ୍ୟେକ ପର୍ଯ୍ୟଟକଙ୍କ ପିଠିରେ ଶୁଟିଂ ଟାର୍ଗେଟ ଭଳି ମନେ ହେଊଥିଲା। ସମସ୍ତ ସମ୍ଭାବ୍ୟ ସ୍ଥାନକୁ ଚିହ୍ନିତ ନକରି ଏବଂ ସେଗୁଡିକୁ ଯଥେଷ୍ଟ ସୁରକ୍ଷା କଭରେ ରଖି କିମ୍ବା ନିୟନ୍ତ୍ରଣ ନକରି ଉପତ୍ୟକାକୁ ଆସିବା ପାଇଁ ଲକ୍ଷାଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏକ ଯୋଜନାଗତ ବିଫଳତା ଥିଲା, ଯାହାର ତଦନ୍ତ ସହିତ ଏହାର ଜବାବଦେହି ମଧ୍ୟ ନିର୍ଦ୍ଧାରଣ ହେବା ଉଚିତ।

ଗୁରୁତ୍ୱପୂର୍ଣ୍ଣ କଥା ଯେ ଯୁଦ୍ଧବିରାମ ଘୋଷଣା ପରେ ଉଭୟ ପକ୍ଷ ବା ଦୁଇ ଦେଶ ନିଜ ନିଜର ବିଜୟ ଘୋଷଣା କରିଛନ୍ତି, କିନ୍ତୁ ଉପଲବ୍ଧ (ଏବଂ ସମ୍ଭବତଃ ତ୍ରୁଟିପୂର୍ଣ୍ଣ) ପ୍ରମାଣ ଅନୁଯାୟୀ, ସାମରିକ କାର୍ଯ୍ୟାନୁଷ୍ଠାନକୁ ଅବଲୋକନ କଲେ ଭାରତ ହିଁ ଶକ୍ତିଶାଳୀ ପକ୍ଷ ଭାବେ ଉଭା ହୋଇଛି।

ସାମରିକ ଦୃଷ୍ଟିକୋଣରୁନଅଟି ଆତଙ୍କବାଦୀ ଆଡ୍ଡା ଉପରେ ସଂପୂର୍ଣ୍ଣ ସଫଳତାର ସହ ଆକ୍ରମଣ କରାଯାଇଥିଲା ଏବଂ ଏହାର ପ୍ରମାଣ ମଧ୍ୟ ରହିଛି। ପାକିସ୍ତାନର ପ୍ରତିଆକ୍ରମଣ ସମୟରେ ଭାରତୀୟ ସେନା ପାକିସ୍ତାନୀ ସେନାର ପ୍ରତ୍ୟେକ ପ୍ରତିଆକ୍ରମଣର ଦୃଢ଼ତାର ସହିତ ମୁକାବିଲା କରି ନିଜର ପ୍ରାଧାନ୍ୟ ବଜାୟ ରଖିବାରେ ସଫଳ ହୋଇଛି। ପାକିସ୍ତାନ ଭାରତକୁ କ୍ଷତି ପହଞ୍ଚାଇବାରେ ତୁଳନାତ୍ମକ ଭାବେ କମ୍ ସଫଳ ହୋଇଛି।

ତଥାପି, ଅପରେସନର ରଣନୀତିକ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ହାସଲ ହୋଇନାହିଁ। ଯୁଦ୍ଧବିରାମ ଘୋଷଣା ପରେ ମଧ୍ୟ ପାକିସ୍ତାନ ପକ୍ଷରୁ ଡ୍ରୋନ ଅପରେସନ ଏବଂ ତୋପ ଗୋଳାବର୍ଷଣ ଏହା ସଂକେତ ଦେଉଛି ଯେ ଇସଲାମାବାଦ ଏବେ ମଧ୍ୟ ଭୟଭୀତ ନୁହେଁ। ଜୈଶ-ଏ-ମହମ୍ମଦ, ଆଲକାଇଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (ଏକ୍ୟୁଆଇଏସ) ଏବଂ ଜମିୟତ ଉଲେମା-ଏ-ଇସଲାମ-ସିନ୍ଧ ସମେତ ଆତଙ୍କବାଦୀ ଓ ଚରମପନ୍ଥୀ ସଂଗଠନମାନେ ପ୍ରତିଶୋଧର ଧମକ ଦେଇସାରିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାକିସ୍ତାନକୁ ଭାରତ ବିରୁଦ୍ଧରେ ଏପର୍ଯ୍ୟନ୍ତ ଚାରୋଟି ଯୁଦ୍ଧରେ ପରାଜୟର ସାମ୍ନା କରିବାକୁ ପଡ଼ିଛି (ଯେଉଁ ବାସ୍ତବତାକୁ ସେ ସ୍ୱୀକାର କରିବ ନାହିଁ) ଏବଂ ଏବେ ମଧ୍ୟ ସେ କାଶ୍ମୀରର ନିଜର ମୂଳ ପ୍ରସଙ୍ଗ ଉପରେ ଅଟଳ ରହିଛି। ଏହି ପ୍ରେକ୍ଷାପଟରେ ମନେ ରଖିବା ଉଚିତ ଯେ ଆମେରିକା ୧୪ ବର୍ଷ ଧରି ପାକିସ୍ତାନୀ ଭୂମିରେ ଆତଙ୍କବାଦୀ ଓ ସେମାନଙ୍କ ଅଡ୍ଡା ବିରୁଦ୍ଧରେ ହଜାର ହଜାର ଡ୍ରୋନ ଆକ୍ରମଣ କରିଥିଲା, କିନ୍ତୁ ପାକିସ୍ତାନ ତାଲିବାନକୁ ସମର୍ଥନ କରିବା ବନ୍ଦ କରିନଥିଲା ଏବଂ ଶେଷରେ ଆମେରିକା ଆଫଗାନିସ୍ତାନରୁ ବାହାରିବା ପରେ ତାଲିବାନ କାବୁଲର କ୍ଷମତା ଦଖଲ କରିଥିଲା। ଏହି ପୃଷ୍ଠଭୂମିରେ ଆମେ ଯଦି ଦେଖିବା ଅପରେସନ ସିନ୍ଦୁର ପରି ସାମରିକ ଆକ୍ରମଣ ଆତଙ୍କବାଦ ମୁକାବିଲା କରିବାରେ ନିର୍ଣ୍ଣାୟକ ପ୍ରତିକାର ହେବ, କେବଳ ଏକ ଭ୍ରମ ମାତ୍ର।

ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି ଯେ ଅପରେସନ ସିନ୍ଦୁରକୁ କେବଳ ସ୍ଥଗିତ ରଖାଯାଇଛି ଏବଂ ଯଦି ପାକିସ୍ତାନ ସମର୍ଥିତ କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତାହାକୁ ପୁନର୍ବାର ଆରମ୍ଭ କରାଯିବ। ସେ ଏହାକୁ ଆକ୍ଟ ଅଫ ୱାର ବୋଲି ଅଭିହିତ କରିଛନ୍ତି। ଏହିପରି ସାମରିକ ଆକ୍ରମଣ ପାକିସ୍ତାନର ମୁଣ୍ଡ ଉପରେ ଖଣ୍ଡା ପରି ଝୁଲି ରହିବ; କିନ୍ତୁ ଏହା ଭାରତ ଉପରେ ମଧ୍ୟ ସେହି ପରିମାଣରେ ଝୁଲି ରହିବ।; କିନ୍ତୁ ଏପରି ପ୍ରତ୍ୟେକ ପ୍ରତିକ୍ରିୟାର ପୁନରାବୃତ୍ତିରେ ପାକିସ୍ତାନର ଉତ୍ତର ମଧ୍ୟ ଆସିବ, କାରଣ ସାମ୍ପ୍ରତିକ କାର୍ଯ୍ୟକଳାପ କାମ୍ୟ ନିବାରଣ ହାସଲ କରିବାରେ ବିଫଳ ହୋଇଛି; ଏବଂ ଏପରି ପ୍ରତ୍ୟେକ କାର୍ଯ୍ୟ କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ ଆଡକୁ ଆଗେଇ ନେବ।

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଭାରତ-ପାକିସ୍ତାନ ସଂଘର୍ଷରେ ହସ୍ତକ୍ଷେପ କରିନଥିଲେ ଦୁଇ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ଲକ୍ଷାଧିକ ନିରୀହ ଲୋକ ମରିଥାନ୍ତେ। ଏହିପରି ସେ ପରମାଣୁ ଯୁଦ୍ଧର ଭୟ ଦେଖାଇ ଏହାର ଫାଇଦା ଉଠାଇଛନ୍ତିଏହି ପରମାଣୁ ଅସ୍ତ୍ର ଯାହାକୁ ପାକିସ୍ତାନ ଅଧିକାଂଶ ସମୟରେ ଆନ୍ତର୍ଜାତୀୟ ସମୁଦାୟକୁ ଭ୍ରମିତ କରିବା ପାଇଁ ବ୍ୟବହାର କରିଥାଏ। ଦକ୍ଷିଣ ଏସିଆ ବିବାଦରେ ପରିପୂର୍ଣ୍ଣ ଅଞ୍ଚଳ ଏବଂ ଆମେରିକାର ନେତୃତ୍ୱରେ ପାଶ୍ଚାତ୍ୟ ଶକ୍ତି ବା ଦେଶଗୁଡିକ ପରମାଣୁ ଭୟ ବାହାନରେ ଏଠାରେ ନିଜର ଭୂମିକାକୁ ବଢ଼ାଇବା ଲକ୍ଷରୁ ରହିଛି, ଯାହାକି ଭାରତୀୟ ସ୍ୱାର୍ଥ ବିରୋଧୀ ହୋଇପାରେ।

ଏହାଛଡା ସୀମାପାର ଘଟଣାରେ ବାରମ୍ବାର ସାମରିକ ହସ୍ତକ୍ଷେପ ଭାରତକୁ ଏକ ଅସ୍ଥିର ଦେଶ ଭାବେ ଉପସ୍ଥାପନ କରିବ ଏବଂ ଏହା ନିବେଶକମାନଙ୍କ ମଧ୍ୟରେ ଏକ ଆଶଙ୍କା ସୃଷ୍ଟି କରାଇବ, ବିଶେଷ କରି ଚୀନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପର ତୁରନ୍ତ ଆଗମନର ସମ୍ଭାବନାକୁ ଦୁର୍ବଳ କରିବ।ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆତଙ୍କବାଦକୁ ନିରନ୍ତର ପ୍ରାୟୋଜନ କରିବା ପାଇଁ ତଥା ପାକିସ୍ତାନକୁ ଦଣ୍ଡ ଦେବା ପାଇଁ ଭାରତ ପାଖରେ ସାମରିକ କାର୍ଯ୍ୟକଳାପ ହିଁ ଏକମାତ୍ର ବିକଳ୍ପ ନୁହେଁ। ପାକିସ୍ତାନ ବିରୁଦ୍ଧରେ ଅସାମରିକ କିନ୍ତୁ ଅଧିକ କ୍ଷତିକାରକ ଉପାୟ ଖୋଜିବା ଆବଶ୍ୟକ, ଯାହା ଦ୍ୱାରା ତାହାକୁ ନିଜ କାର୍ଯ୍ୟର ମୂଲ୍ୟ ଚୁକାଇବାକୁ ପଡ଼ିବ ଏବଂ ଶେଷରେ ଏହାକୁ ସହନ କରିବା ତାର ଷମତା ବାହାରେ ହେବ।

୨୦୧୬ର ସର୍ଜିକାଲ ଷ୍ଟ୍ରାଇକ ଏବଂ ୨୦୧୯ର ବାଲାକୋଟ ବୋମାବର୍ଷଣ ତୁଳନାରେ ଅଧିକ ସଫଳତା ହାସଲ କରିଥିଲେ ମଧ୍ୟ, ଅପରେସନ ସିନ୍ଦୁର ରଣନୀତିକ ସ୍ଥିରତାକୁ ଦୁର୍ବଳ କରିଛି। ପାକିସ୍ତାନ ଦୁର୍ବଳତାଗୁଡିକ ସଂପର୍କରେ ଅନୁଧ୍ୟାନ କରିବା ସହ ଏହାକୁ ଦୂର କରିବା ପାଇଁ ନିଜର ପ୍ରତିରକ୍ଷାକୁ ମଜବୁତ କରିବ, ଏପରିକି ଆତଙ୍କବାଦୀ ଗୋଷ୍ଠୀମାନେ ମଧ୍ୟ ଭୂମିରେ ଓ ଭୂମି ତଳେ ଅଡ୍ଡା ତିଆରି କରିବେ। ସାମ୍ପ୍ରତିକ ସଂଘର୍ଷରୁ ଉଭୟ ପକ୍ଷର ଦୁର୍ବଳତା ଓ ଶକ୍ତିର ଊଜାଗର ହୋଇଛି ଏବଂ ଏହା ଅସ୍ତ୍ର ପ୍ରତିଯୋଗିତାକୁ ତ୍ୱରାନ୍ୱିତ କରିବ, ଯେଉଁଥିରେ ଚୀନ ପାକିସ୍ତାନକୁ ସବୁ ପ୍ରକାରରେ ସାହାଯ୍ୟ କରିବ। ଯଦି ଭାରତ ପୂର୍ବ ପରି ପ୍ରତିରକ୍ଷା ପାଇଁ ବଜେଟ ବଣ୍ଟନରେ କୃପଣତା ଦେଖାଏ, ତେବେ ଭବିଷ୍ୟତରେ କୌଣସି କାର୍ଯ୍ୟ ବିରୁଦ୍ଧରେ ପାକିସ୍ତାନ ଉପରେ ନିର୍ଣ୍ଣାୟକ ପ୍ରାଧାନ୍ୟ ହାସଲ କରିବା କଷ୍ଟକର ହେବ।