HMPV Status: ପ୍ରତିଷେଧକ ବ୍ୟବସ୍ଥା ଆପଣେଇବା ଲାଗି ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ

FMNEWS.IN 07-01-2025
HMPV Status: Suggestion to create widespread awareness to adopt preventive measures

ଆଇଏଲଆଇ ଓ ଏସ ଏଆରଆଇ ସର୍ଭେଲାନ୍ସ ମଜଭୂତ କରିବାକୁ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ, 07 ଜାନୁଆରୀ(FMNews): ଚୀନରେ ବ୍ୟାପୁଥିବା ଏଚଏମପିଭି ରୋଗର ଷ୍ଟାଟସ ତଥା ଆମ ଦେଶରେ ଶ୍ୱାସ ଜନିତ ରୋଗ ସମ୍ପର୍କରେ ସବିଶେଷ ତଥ୍ୟ ନେବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ ଭର୍ଚୁଆଲ ମୋଡରେ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ ଆଲୋଚନା କରିଛନ୍ତି । ଡିଏଚଆର ସଚିବ ଡ. ରାଜୀବ ବହଲ, ଡିଜିଏଚଏସ ଡ.ପ୍ରଫେସର ଅତୁଲ ଗୋଏଲ, ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଓ ପଦାଧିକାରୀ, ଏନସିଡିସି, ଆଇଡିଏସପି, ଆଇସିଏମଆର, ଏନଆଇଭି ଓ ଆଇଡିଏସପି ରାଜ୍ୟ ୟୁନିଟର ବିଶେଷଜ୍ଞମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

ମିଳିଥିବା ଆଇଡିଏସପି ଡାଟା ଅନୁସାରେ ଦେଶ ଭିତରେ ଆଇ ଏଲ ଆଇ କିମ୍ବା ଏସ ଏ ଆର ଆଇ ମାମଲାର ସେମିତି କିଛି ପରିବର୍ତନ ଦେଖାଯାଇ ନଥିବା ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟକୁ ଆଇସିଏମଆର ସର୍ଭେଲାନ୍ସ ଡାଟା ବି ପରିପୁଷ୍ଟ କରିଛି ।

୨୦୦୧ ମସିହାରୁ ସମଗ୍ର ବିଶ୍ୱରେ ରହିଥିବା ଏହି ଭୂତାଣୁ ନେଇ ଆମ ଦେଶର ନାଗରିକମାନେ ଅଯଥା ବ୍ୟତିବ୍ୟସ୍ତ ହେବାର ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ଆଇ ଏଲ ଆଇ ଓ ଏସ ଏ ଆର ଆଇ ସର୍ଭେଲାନ୍ସକୁ କଡାକଡି କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି । ସାଧାରଣତଃ ଶୀତ ଦିନରେ ଆମ ଦେଶରେ ଏଭଳି ଶ୍ୱାସଜନିତ ସଂକ୍ରମଣ ଦେଖିବାକୁ ମିଳିଥାଏ । ତେବେ ଏପ୍ରକାର ଅସୁସ୍ଥତାକୁ ପ୍ରତିହତ କରିବା ଲାଗି ଆମ ଦେଶ ଯଥେଷ୍ଟ ପ୍ରସ୍ତୁତ ରହିଥିବା ବିଭାଗୀୟ ସଚିବ କହିଛନ୍ତି ।

ସାଧାରଣତଃ ଶୀତ ଦିନ ଓ ବସନ୍ତ ଋତୁର ପ୍ରାରମ୍ଭରେ ଆମ ଦେଶରେ ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ଏଚଏମପିଭି ଭୂତାଣୁ ପରି ରୋଗର ଶ୍ୱାସଜନିତ ପ୍ରଭାବ ଦେଖିବାକୁ ମିଳିଥାଏ । ଅନେକ କ୍ଷେତ୍ରରେ ଏପ୍ରକାର ଭୂତାଣୁ ମନକୁ ମନ ଭଲ ହୋଇଯାଇଥାଏ ବୋଲି ବି ସୂଚନା ଦିଆଯାଇଛି । ଆଇସିଏମଆର-ଭିଆରଡିଏଲ ପରୀକ୍ଷାଗାରରେ ପର୍ଯ୍ୟାପ୍ତ ଡାଇଗ୍ନୋଷ୍ଟିକ ସୁବିଧା ରହିଥିବା ବି କୁହାଯାଇଛି ।

ଏପ୍ରକାର ଭୂତାଣୁ ସଂକ୍ରମିତ ନହେବା ଲାଗି ଲୋକମାନଙ୍କ ଭିତରେ ସଚେତନତା ତଥା ଆଇଇସି ବୃଦ୍ଧି ଉପରେ ନଜର ରଖିବାକୁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି । ହାତକୁ ସାବୁନ ପାଣିରେ ଧୋଇବା, ଆଖି, ନାକ ଓ ପାଟିକୁ ଖାଲି ହାତରେ ନଛୁଇଁବା, ଲକ୍ଷଣ ଦେଖାଯାଉଥିବା ଲୋକଙ୍କ ପାଖକୁ ନଯିବା, କାଶିବା ବା ଛିଙ୍କିବା ବେଳେ ନାକ ଓ ପାଟିକୁ ଘୋଡାଇ ରଖିବା ପରି ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।