ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କଂଗ୍ରେସ

FMNEWS.IN 19-02-2026
Even after 10 months of the current financial year, the Odisha government has not been able to spend more than 50 percent of the budget: Congress

ବଜେଟ ରାଶି ଖର୍ଚ୍ଚ କରୁନାହଁ ବିକାଶ କେମିତି ହେବ ? : କଂଗ୍ରେସ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ସରିବାକୁ ମାତ୍ର ଆଉ ଦୁଇଟି ମାସ ବାକି ଅଛି । କିନ୍ତୁ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଯେଉଁ ବଜେଟ ଉପସ୍ଥାପନ କରିଥିଲେ ୧୦ ମାସ ପରେ ମଧ୍ୟ ସମୁଦାୟ ବଜେଟର ୫୦ ପ୍ରତିଶତରୁ ଅଧିକ ଅର୍ଥ ରାଶି ଏ ପର୍ଯ୍ୟନ୍ତ ଖର୍ଚ୍ଚ କରି ପାରିନାହନାନ୍ତି ।

ପ୍ରକାଶ ଥାଉ କି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତାବ ବିଧାନସଭାରେ ପାରିତ କରିଥିଲେ । କିନ୍ତୁ ୨୦୨୬ ଜାନୁୟାରୀ ମାସ ଶେଷ ସୁଧା ମାତ୍ର ୧ ଲକ୍ଷ ୬୩ ହଜାର ୬୬୪ କୋଟି ଟଙ୍କା ବେୟ କରାଯାଇଛି, ଯାହାକି ସମୁୂଦାୟ ବଜେଟ ପ୍ରସ୍ତାବର ୫୭ ପ୍ରତିଶତ । ସରକାରଙ୍କର ଅପାରଗତା, ଧାନ କିଣା ସମସ୍ୟା ଓ ଗତକାଲି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ ରାଜ୍ୟରେ ସମୁଦାୟ ଋଣ ଭାର ୨୦୨୬-୨୭ ସୁଧା ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଛୁଇଁବ । ରାଜ୍ୟରେ ଚାଷୀମାନଙ୍କର ଧାନ କିଣାଯାଉନାହିଁ । ଧାନର ସର୍ବନିମ୍ନ ସହାୟ ମୂଲ୍ୟ ୨୩୬୯ ଟଙ୍କା ହୋଇଥିଲାବେଳେ ଇନ୍ପୁଟ ସବ୍ସିଡିକୁ ମିଶାଇ ୩୧୬୯ ଟଙ୍କା ପରିବର୍ତ୍ତେ ମାତ୍ର ୩୧୦୦ ଟଙ୍କା କିଣାଯାଉଛି ଅର୍ଥାତ ଇନ୍ପୁଟ ସବ୍ସିଡି ରାଶି ୮୦୦ ଟଙ୍କାରୁ ଏ ସରକାର କମ୍ କରି ୭୩୧ ଟଙ୍କା ଦେଉଛନ୍ତି । ବିକାଶ ଆକାଶରୁ ଖସେ ନାହିଁ । ବିକାଶ କରିବା ପାଇଁ ଠୋସ୍ ପଦକ୍ଷେପ ନେବା ଦରକାର । ଏ କ୍ଷେତ୍ରରେ ଡବଲ ଇଞ୍ଜିନ ସରକାର ସଂପୂର୍ଣ୍ଣ ରୂପେ ଫେଲ ମାରିଛି । ରାଜ୍ୟର ଋଣ ଭାର ବହୁ ପରିମାଣରେ ବିଗତ ୨ ବର୍ଷ ଭିତରେ ବୃଦ୍ଧି ପାଇଛି । ଚାଷୀମାନଙ୍କ ପାଖରୁ ଧାନ ଉଠାଯାଉନାହିଁ । ମାସ ମାସ ଧରି ମଣ୍ଡିରେ ବସି ରହିଛନ୍ତି । କିନ୍ତୁ ସେମାନଙ୍କ କଥା ଏ ସରକାର ସଂପୂର୍ଣ୍ଣ ଅଣଦେଖା କରିଚାଲିଛି । ଗତକାଲି ବିଧାନସଭାରେ ରାଜ୍ୟପାଳ ଯେଉଁ ଅଭିଭାଷଣ ରଖିଛନ୍ତି, ତାହା ସଂପୂର୍ଣ୍ଣ ମିଛ ତଥ୍ୟ । ଏ ସରକାର ରାଜ୍ୟପାଳଙ୍କ ମୁହଁରେ ମିଛ କୁହାଉଛନ୍ତି ।

ବିଧାୟକ ପବିତ୍ର ସାଉଁଟା ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ରାଜ୍ୟରେ ଆଇଡ଼ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଚରମସୀମାରେ ପହଂଚି ସାରିଛି । ବିଷମ ଆଇନ୍ ଶୃଙ୍ଖଳା ପରିସ୍ଥିତ ପାଇଁ ଓଡ଼ିଶା ସାରା ଦେଶରେ ଏକ ନମ୍ବର ରାଜ୍ୟ । ଏମିତି କୌଣସି ଜିଲ୍ଲା ନାହିଁ ଯେଉଁଠି ଘୃଣା ହିଂସା ସରକାରୀ ଦଳର କର୍ମୀ ବା ସଂଗଠନ ଦ୍ୱାରା କରାଯାଉନାହିଁ । ୩୦୦ ୟୁନିଟ୍ ମାଗଣା ବିଜୁଳି ଦେବା ପାଇଁ କହିଥିଲେ, କିନ୍ତୁ ୩ ୟୁନିଟ୍ ବିଜୁଳି ମାଗଣା ଦିଆଗଲା ନାହିଁ । ବରଂ ସ୍ମାଟ ମିଟର ଲଗାଇ ଲୋକଙ୍କୁ ଶୋଷଣ କରାଯାଉଛି । ରାଜ୍ୟ ସରକାର ବଜେଟ ରାଶି ଖର୍ଚ୍ଚ କରିପାରୁନାହାନ୍ତି କିନ୍ତୁ କାହିଁକି ସପ୍ଲିମେଂଟାରୀ ବଜେଟ ଆଣିଥିଲେ । କେବଳ ବଜେଟର ଆକାରକୁ ବଡ ଦେଖାଇବା ପାଇଁ, ନା ପ୍ରକୃତରେ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କରିବା ପାଇଁ ।

ପ୍ରଦେଶ କଂଗ୍ରେସ ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି କଟୁ ସମାଲୋଚନ କରି କହିଥିଲେ ଯେ, ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ବିନିଯୋଗ ପାଇଁ ୬୫ ହଜାର ୧୨ କୋଟି ଟଙ୍କାର ପ୍ରସ୍ତାବ ରଖିଥିଲାବେଳେ ମାତ୍ର ୨୯ ହଜାର ୧୯୬ କୋଟି ଟଙ୍କା ୧୦ ମାସ ମଧ୍ୟରେ ଖର୍ଚ୍ଚ କରିଛନ୍ତି ଯାହାକି ସମୁଦାୟ ବଜେଟ ୪୬ ପ୍ରତିଶତ । ରାଜ୍ୟ ସରକାର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଓ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଘୋଷଣା କରିଥିଲେ କିନ୍ତୁ ଗୋଟେ ବର୍ଷ ବିତିଗଲାଣି ଏଥିପାଇଁ ସରକାରଙ୍କର କୌଣସି ତତ୍ପରତା ଦେଖାଯାଉନାହିଁ । ୨୦୦ କୋଟି ଟଙ୍କା ବଜେଟ ବ୍ୟୟ ବରାଦ ପରିଷଦ ଗଠନ ପାଇଁ କରାଯାଇଥିଲା ବେଳେ ମାତ୍ର ୨ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇନାହିଁ । ନଦୀର ପ୍ରବାହିତ ଜଳକୁ (ଓଦ୍ଭଗ୍ଦଗ୍ଧକ୍ସରବଜ୍ଞ ଙ୍ଗବଗ୍ଧରକ୍ସ ଗ୍ଦଗ୍ଧକ୍ଟକ୍ସବଶର) ସଂରକ୍ଷଣ କରିବା ପାଇଁ ୮୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା, କିନ୍ତୁ ଚଳିତ ଆର୍ଥିକ ବର୍ଷର ୧୦ ମାସ ବିତିଯାଇଥିଲେ ମଧ୍ୟ କୌଣସି ଏକ ନଦୀରେ ଜଳ ସଂରକ୍ଷଣ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇନାହିଁ । ରାଜ୍ୟରେ ମଡେଲ ମଣ୍ଡି କରିବା ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଜିଲ୍ଲାରେ ମଡେଲ ମଣ୍ଡି ହୋଇଛି ତାହା ସରକାର ନିଜେ ଜାଣନ୍ତି ନାହିଁ । ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମାଞ୍ଚଳ ବିକାଶ ଓ ସ୍ୱାସ୍ଥ୍ୟ କ୍ଷେତ୍ର ଭଳି ବିଭାଗରେ ମାତ୍ର ୪୪ ରୁ ୫୦ ପ୍ରତିଶତ ଖର୍ଚ୍ଚ ହୋଇଛି । ଏ ପର୍ଯ୍ୟନ୍ତ ଏକ ସିଂହ ବାଘ ଅର୍ଥ ଖର୍ଚ୍ଚ ନ ହୋଇ ପଡ଼ିରହିଛି । ଯଦି ଗ୍ରାଉଣ୍ଡ ଜିରୋରେ ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ବିକାଶ, ସ୍ୱଚ୍ଛ ପାନୀୟ ଜଳ, ଜଳସେଚନ ଇତ୍ୟାଦି କ୍ଷେତ୍ରରେ ପୁଞ୍ଜି ଖର୍ଚ୍ଚ ହେବ ନାହିଁ, ତାହାଲେ ବିକାଶ କିଭଳି ହେବ? ବିକାଶ କଥାରେ ହୁଏ ନାହିଁ । ଏଥିପାଇଁ ଆବଶ୍ୟକ କାମ କରିବାକୁ ପଡିବ । ସରକାର କେବଳ ମିଛି ବାହାସ୍ପଟ ମାରିବା ଛଡା ଅନ୍ୟ କିଛି କରୁନାହାନ୍ତି । ୨୦୩୬ ମସିହାର ବିକାଶର ସ୍ୱପ୍ନ ଦେଖାଉଛନ୍ତି କିନ୍ତୁ ଏହି ସରକାର ୨୦୨୯ କାର୍ଯ୍ୟକାଳ ଭିତରେ କଣ କରିବେ ସେ କଥା କହୁନାହାନ୍ତି । ଏହା ହେଉଛି ଏ ସରକାରର ସଂପୂର୍ଣ୍ଣ ବିଫଳତା । ନିଜର ଅପରଗତକୁ ଲୁଚାଇବାକୁ ଯାଇ ମିଛକୁ ଆଶ୍ରା କରିବ ବଡ ବଡ ସ୍ୱପ୍ନର ଧୂଆଁ ବାଣ ଦେଖାଉଛି ବୋଲି ସେ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ସହ ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର ଉପସ୍ଥିତ ଥିଲେ l