ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ

FMNEWS.IN 19-02-2026
Odisha Economic Survey Report: Manufacturing sector in the state to grow at 8.3 percent

ଭୁବନେଶ୍ୱର, 19 ଫେବ୍ରୁଆରି - ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଯାଇଛି । ରିପୋର୍ଟରେ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ବର୍ତ୍ତମାନର ମୂଲ୍ୟରେ ଓଡିଶାର ମୋଟ ରାଜ୍ୟ ସଂଯୋଗିତ ମୂଲ୍ୟରେ ଶିଳ୍ପ କ୍ଷେତ୍ର ୪୧.୩ ପ୍ରତିଶତ ଯୋଗଦାନ ଦେଇଛି, ଯାହାର ମୂଲ୍ୟ ପ୍ରାୟ ୩.୬ ଲକ୍ଷ କୋଟି ଟଙ୍କା । ସ୍ଥିର ମୂଲ୍ୟରେ ଏହି କ୍ଷେତ୍ର ୬.୪ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି । ଏହା ମୁଖ୍ୟତଃ ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ପ୍ରସାର ଦ୍ୱାରା ବୃଦ୍ଧି ପାଇଛି, ଯାହା ଜାତୀୟ ହାରାହାରି ୭ ପ୍ରତିଶତ ତୁଳନାରେ ୮.୩ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ୨୦୨୫ରେ ଓଡିଶା ସରକାର ୨୪୪ଟି ନୂଆ ପ୍ରକଳ୍ପକୁ ମଞ୍ଜୁର କରିଥିଲେ। ଏଥିରେ ୫.୬୬ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବିତ ହୋଇଥିଲା। ଏଥିରେ ୩.୩୫ ଲକ୍ଷ ଲୋକ ନିଯୁକ୍ତି ପାଇପାରିବେ ବୋଲି ଆକଳନ କରାଯାଇଛି।

୨୦୨୫ ମସିହାରେ, ଚଳିତ ବର୍ଷ ୮୦ ଟି ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକାରୀ ହୋଇଥିଲା, ଯାହା ୧.୭୫ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଥିଲା ଏବଂ ସିଧାସଳଖ ୧.୪ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲା । ଶ୍ରମ ଆଧାରତି ଏବଂ ଉଚ୍ଚ ବୈଷୟିକ ଶିଳ୍ପକୁ ଅନ୍ତଭୁକ୍ତ କରୁଥିବା ବିଭିନ୍ନ ଟେତ୍ରରେ ମଧ୍ୟ ରାଜ୍ୟ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରୁଛି।

ବ୍ୟବସାୟିକ ପରିବେଶର ଉନ୍ନତି ଆଣିବା ପାଇ ଓଡିଶା ଅନେକ ସଂସ୍କାର ଆଣିଛି । ଯଥା- ବ୍ୟବସାୟ ସଂସ୍କାର କାର୍ଯ୍ୟ ଯୋଜନା (ବିଆରଏପି) ୨୦୨୪ ଅଧୀନରେ ରାଜ୍ୟ ସାମଗ୍ରିକ ୯୮ ପ୍ରତିଶତ କାର୍ଯ୍ୟନ୍ୱୟନ ହାର ହାସଲ କରିଛି, ୪୩୪ଟି ସଂସ୍କାର ମଧ୍ୟରୁ ୪୨୫ ଟି ସମାପ୍ତ କରିଛି। ନିକଟରେ ସରକାର ଓଡିଶା ଜନ ବିଶ୍ୱାସ ବିଧେୟକ ୨୦୨୫ ପ୍ରଣୟନ କରି ୧୬ଟି ଆଇନ ଓ ୯ଟି ବିଭାଗଯର ୧୬୧ଟି ଅନୁପାଳନକୁ ଅପରାଧମୁକ୍ତ କରିପାରିଛନ୍ତି ।

ଓଡିଶା ସବୁଜ ଶକ୍ତି ଏବଂ ଏରୋସ୍ପେସ ଭଳି ଉଦୀୟମାନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସହିତ ମେଗା ଇଣ୍ଡଷ୍ଟ୍ରିଆଲ୍ ଜୋନ୍, ସେକ୍ଟର ପାର୍କଏମ୍ଏସ୍ଏମ୍ଇ କଲଷ୍ଟର ଆଦି ମାଧ୍ୟମରେ ଶିଳ୍ପ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ବିକାଶ ଜାରି ରଖିଛି। ଏହି ପ୍ରୟାସଗୁଡିକ ରାଜ୍ୟକୁ ସ୍ଥାୟୀ ଏବଂ ସମାବେଶୀ ଶିଳ୍ପ ବିକାଶ ଉପରେ ଧ୍ୟାନ ଦେଇ ଏକ ନିବେଶ ପ୍ରସ୍ତୁତ ଗନ୍ତବ୍ୟସ୍ଥଳ ଭାବରେ ସ୍ଥାନିତ କରିଛି।

ସେବା କ୍ଷେତ୍ର ୨୦୨୫-୨୬ରେ ଓଡିଶାର ସେବା କ୍ଷେତ୍ର ଜିଏସଭିଏର ୩୯.୧ ପ୍ରତିଶତ ଥିଲା । ସ୍ଥିର ମୂଲ୍ୟରେ ୨୦୨୫-୨୬ (ଅଗ୍ରୀମ ଆକଳନ) ରେ ଏହି କ୍ଷେତ୍ର ୯.୩ ପ୍ରତିଶତ ଅଭିବୃଦ୍ଧି ହାସଲ୍ କରିବ ବୋଲି ଆକଳନ କରା ଯାଇଛି ।

୨୦୨୫-୨୬ ଆଥିକ ବର୍ଷରେ ଆର୍ଥିକ ସେବାରେ ୧୧.୯ ପ୍ରତିଶତ ଅଭିବୃଦ୍ଧି ଘଟିବ ବୋଲି ମଧ୍ୟ ଆଶା କରା ଯାଉଛି। ରାଜ୍ୟ ଏଡା ଡିଜିଟାଲ୍ ଏବଂ ଆଇସିଟି ଇକୋସିଷ୍ଟମକୁ ମଜବୁତ କରିବା ଜାରି ରଖିଛି। ଟେକ୍ ପାର୍କ, ଡାଟା ସେଣ୍ଟର ଏବଂ ଇନୋଭେସନ ହବରେ ପୁଞ୍ଜି ବିନିଯୋଗ ସହିତ ଏଆଇ ପଲିସି ୨୦୨୫, ଓଡିଶା ଜିସିସି ପଲିସି ୨୦୨୫ ଏବଂ ସେମିକଣ୍ଡକ୍ଟର ଆଣ୍ଡ ଫ୍ୟାବଲେସ ପଲିସି ୨୦୨୫ ଭଳି ନୀତି ଭବିଷ୍ୟତ ପାଇଁ ପ୍ରସ୍ତୁତ ଡିଜିଟାଲ୍ ଅର୍ଥନୀତି ଭାବରେ ଓଡିଶାର ପ୍ରାଧାନ୍ୟକୁ ବୃଦ୍ଧି କରିବ । ରାଜ୍ୟରେ ଡିଜିଟାଲ୍ ଦକ୍ଷତାରେ ଉନ୍ନତି ହେଉଛି । ପ୍ରଗତିଶୀଳ ନୀତି ଢାଞ୍ଚା ଦ୍ୱାରା ସମର୍ଥିତ, ଓଡିଆ ଏବଂ ଆଦିବାସୀ ବହୁଳ ଭାଷା ମଡେଲର ବିକାଶ ସହିତ ସମାବେଶୀ କୃତ୍ରିମ ବୁଦ୍ଧିମତାର ପ୍ରବେଶକୁ ହାସଲ କରିବାକୁ ଓଡିଶା ଲକ୍ଷ ରଖିଛି ।

ପୁଂଜି ବ୍ୟୟ ଭାରତର ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ଜିଏସଡିପି ଅନୁପାତରୁ ସର୍ବାଧିକ ପୁଞ୍ଜି ବ୍ୟୟବରାଦ ପାଇଁ ଓଡିଶା ବଜେଟ୍ ପ୍ରସ୍ତୁତ କରିଛି। ୨୦୨୫-୨୬ରେ, ଜିଏସଡିପିର ପ୍ରତିଶତ ଭାବରେ ପୁଞ୍ଜି ବ୍ୟୟବରାଦ ୬.୬ ପ୍ରତିଶତକୁ ଲକ୍ଷ ରଖି ବଜେଟ୍ କରାଯାଇଥିଲା, ଯାହା ୨୦୨୪-୨୫ର ୫.୦ ପ୍ରତିଶତରୁ ବୃଦ୍ଧି ପାଇଛି ।

ଆର୍ଥିକ ପରିଚାଳନ ଓ ଆର୍ଥିକ ସଂସ୍କାର ୨୦୨୫-୨୬ ବଜେଟ୍ ଆକଳନରେ ଓଡିଶାର ଋଣ ଓ ଜିଏସଡିପି ଅନୁପାତ ୧୩.୬ ପ୍ରତିଶତ ରହିବା ପାଇ ବଜେଟ୍ କରାଯାଇଛି, ଯାହା ପ୍ରମୁଖ ରାଜ୍ୟଗୁଡିକ ମଧ୍ୟରେ ସର୍ବନିମ୍ନ ଏବଂ ଏଫଆରବିଏମ୍ ସୀମା ୨୫ ପ୍ରତିଶତ ଠାରୁ ମଧ୍ୟ ଯଥେଷ୍ଟ କମ୍ । ଏହା ବ୍ୟତୀତ, ରାଜସ୍ୱ ପ୍ରାପ୍ତି ଅନୁପାତ (ଆଇପିଆରଆର) ସହିତ ସୁଧ ଦେୟ ୨.୮ ପ୍ରତିଶତରେ ରହିଛି, ଯାହା ନିର୍ଦ୍ଧାରିତ ୧୫ ପ୍ରତିଶତ ସୀମା ମଧ୍ୟରେ ରହିଛି ।

ଓଡିଶା ଲିଙ୍ଗଗତ ବଜେଟ୍, ଶିଶୁ ବଜେଟ୍, ପୁଷ୍ଟିକର ବେଜଟ୍ ଭଳି ଅନେକ ଆର୍ଥିକ ସଂସ୍କାର ଆଣିଛି ଏବଂ ଆର୍ଥିକ ସ୍ଥିରତାକୁ ଆହୁରି ବଢ଼ାଇବା ପାଇଁ ଜଷ୍ଟ-ଇନ୍-ଟାଇମ୍ ଫଣ୍ଡିଂ ସିଷ୍ଟମ୍ (ଯଜଆଇଟିଏଫ୍ ଏସ୍) ଏବଂ ବଜେଟ୍ ସ୍ଥିରତା ପାଣ୍ଠି ପ୍ରଣୟନ କରିଛି।