ନୟନୀ କୋଇଲା ଖଣିର ଜଂଗଲ ଜମିକୁ ନେଇ ଏନ୍.ଜି.ଟିର ନୋଟିସ୍

FMNEWS.IN 03-01-2025
NGT Notice To Singareni colliery at Chhendipada

୬୪୩ ହେକ୍ଟର ଜଂଗଲ ଜମିରୁ ଏକ ଲକ୍ଷ ୭ ହଜାର ଗଛ କଟାଯିବ

ସିଂଘାରେଣୀ କମ୍ପାନୀର ବେଆଇନ୍ କାର୍ଯ୍ଯ ନେଇ ଏନ୍.ଜି.ଟିରେ ଆବେଦନ

(FMNews):-- ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଠାରେ ସିଂଘାରେଣୀ କଲିୟାରୀ କମ୍ପାନୀ ପକ୍ଷରୁ ନୟନୀ ଖୋଲା ମୁହଁ କୋଇଲା ଖଣି ପାଇଁ ୯୧୨ ହେକ୍ଟର ଜମି ବ୍ଯବହାର ହେବା ପାଇଁ ଧାର୍ଯ୍ଯ ହୋଇଛି । ଏହି ଖଣି ପାଇଁ ପ୍ରଥମ ପର୍ଯ୍ଯାୟରେ ୬୪୩ ହେକ୍ଟର ଜଂଗଲ ଜମି ଉପରେ ରହିଥିବା ପ୍ରାକୃତିକ ଜଂଗଲରୁ ଏକ ଲକ୍ଷ ୭ ହଜାର ମୂଲ୍ଯବାନ ଗଛ କଟାଯିବାର ଆକଳନ ହୋଇଛି । କମ୍ପାନୀ କର୍ତ୍ତୂପକ୍ଷ କୋଇଲା ଖଣି ପାଇଁ ଘରୋଇ ଜମି ପରିବର୍ତ୍ତେ ପ୍ରାକୃତିକ ଜଂଗଲକୁ ବ୍ଯବହାର ପାଇଁ ଜଂଗଲ ମଂଜୁରୀ ପାଇଥିବା ଜଣା ଯାଇଅଛି । ଜଂଗଲ ଜମିର ମଂଜୁରୀ ଷ୍ଟେଜ୍-୧ ଏବଂ ଷ୍ଟେଜ୍-୨ ପାଇଥିବା ବେଳେ ଏହା ବିରୁଦ୍ଧରେ କରାଯାଇଥିବା ଅଭିଯୋଗକୁ ଶୁଣାଯାଇ ନ ଥିଲା । ଜଂଗଲ, ଜୀବଜନ୍ତୁ ଜୈବ ବିବିଧତାର ସଂରକ୍ଷଣ ଏବଂ ପରିଚାଳନା ଚିରସ୍ଥାୟୀ ବ୍ଯବହାର ନେଇ ଆଇନ୍ ପ୍ରଣୟନ ଓ ବିଭିନ୍ନ ଯୋଜନା କାର୍ଯ୍ଯକ୍ରମ ହେଉଛି । ମାତ୍ର କମ୍ପାନୀ ମାନଂକ କ୍ଷେତ୍ରରେ ଆଇନ୍ ବ୍ଯବସ୍ଥାର କାର୍ଯ୍ଯକାରିତା କ୍ଷେତ୍ରରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ ହେଉଥିବା ଅଭିଯୋଗ ହେଉଛି । ଜଂଗଲ ଜମିର ଅତ୍ଯାବଶ୍ଯକ ବେଳେ ସ୍ବଳ୍ପ ବ୍ଯବହାର ନେଇ ଜଂଗଲ ସଂରକ୍ଷଣ ଆଇନ୍ ପ୍ରଣୟନ ହୋଇଛି । ଏପରିକି ଆଇନ୍ ର ସଠିକ୍ କାର୍ଯ୍ଯକାରିତା ନେଇ ନିୟମାବଳୀ , ଗାଇଡଲାଇନ୍ ରହିଛି । ଏ ସବୁ ସତ୍ତ୍ବେ ଖଣି ଓ ଶିଳ୍ପ ସଂସ୍ଥା ମାନେ ଆଇନ୍ ର ଉଲ୍ଲଂଘନ କରି ବେଆଇନ୍ ଭାବେ ଜଂଗଲ ଜମିକୁ ହାତେଇବାରେ ସଫଳ ହେଉଛନ୍ତି । ଦୀର୍ଘ ୫୦ ବର୍ଷ ହେଲା ଛେଣ୍ଡିପଦା ଗ୍ରାମବାସୀ ଏକ ଖୋଲାମେଲା ନଣ୍ଡା ପାହାଡକୁ ସୁରକ୍ଷା ଦେଇ ଏକ ଘଂଚ ଜୈବବିବିଧତା ପରିପୂର୍ଣ୍ଣ ଜଂଗଲ ସୃଷ୍ଟି କରିଥିଲେ । ଗ୍ରାମବାସୀଙ୍କର ସାମୁହିକ ପ୍ରଚେଷ୍ଟା ଏବଂ ଠେଙ୍ଗାପାଳିରେ ଜଙ୍ଗଲ ବୃଦ୍ଧି ପାଇଥିଲା । ମାତ୍ର ଗ୍ରାମବାସୀଙ୍କର ମତାମତ ନିଆ ନ ଯାଇ ୬୪୩ ହେକ୍ଟର ଜଙ୍ଗଲ ଖଣି ପାଇଁ ଅନୁମତି ଦିଆଯାଇ ଅଛି । ଜଙ୍ଗଲ ସଂରକ୍ଷଣ ଆଇନ - ୧୯୮୦ର ରହିଥିବା ବ୍ୟବସ୍ଥାରେ କମ୍ପାନୀ କର୍ତ୍ତୃପକ୍ଷ ଅନୁସରଣ ପୂର୍ବକ ଅନୁପାଳନ କରିନାହିଁ । ଯାହା ଫଳରେ ଏକ ଘଞ୍ଚ ଜୈବ ବିବିଧତା ପରିପୂର୍ଣ୍ଣ ପ୍ରାକୃତିକ ଜଙ୍ଗଲ ଧ୍ବଂସ ପାଇବାରେ ଲାଗିଛି । ନୟନୀ କୋଇଲା ଖଣି ପାଇଁ ମିଳିଥିବା ଜଙ୍ଗଲ ମଞ୍ଜୁରୀକୁ ଚାଲେଞ୍ଜ କରି ଛେଣ୍ଡିପଦା ଅଞ୍ଚଳର ଜଙ୍ଗଲ ପ୍ରେମୀ ମାନେ ନେସନାଲ ଗ୍ରୀନ ତ୍ରିବୁନାଲରେ କେସ ରୁଜୁ କରିଛନ୍ତି । ଏହି କେସରେ ସୀଙ୍ଗାରେଣି କମ୍ପାନୀ ନୟନୀ କୋଇଲା ଖଣି ପାଇଁ ଜଙ୍ଗଲକୁ ବେଆଇନ ଭାବେ ଭୁଲ ତଥ୍ୟ ଦେଇ ଅନୁମତି ପାଇଥିବାର ଅଭିଯୋଗ ହୋଇଛି । ଜଙ୍ଗଲ ଅଧିକାର ଆଇନ - ୨୦୦୬ ଏବଂ ସଂପୃକ୍ତି ନିୟମାବଳୀକୁ ଅନୁସରଣ କରି ନ ଥିବା ଆବେଦନ ହୋଇଛି । ଜଙ୍ଗଲ ଅଧିକାର ଆଇନ ବଳରେ ଗ୍ରାମସଭା ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଗ୍ରାମସଭା ମାଧ୍ୟମରେ ଜଙ୍ଗଲ ଅଧିକାର କମିଟି ଗଠନ ନ ହୋଇ ଗ୍ରାମବାସୀଙ୍କର ଗୋଷ୍ଠୀଗତ ଜଙ୍ଗଲ ଅଧିକାରର ସ୍ଵୀକୃତି ନେଇ କୌଣସି ଫଇସଲା କରା ନ ଯାଇ କମ୍ପାନୀ ଜଙ୍ଗଲ ଜମିକୁ ହାତେଇ ଅଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବନ ବିଭାଗକୁ କମ୍ପାନୀ ଦାଖଲ କରିଥିବା ପ୍ରସ୍ତାବରେ ସଠିକ୍ ତଥ୍ୟ ଦିଆ ଯାଇ ନାହିଁ କି ଅଧିକାରୀ ମାନେ ବିଭିନ୍ନ ସ୍ତରରେ କ୍ଷେତ୍ର ପରିଦର୍ଶନ ବେଳେ ସଠିକ୍ ଯାଞ୍ଚ କରିନାହାନ୍ତି ଗ୍ରାମଗୋଷ୍ଠୀଙ୍କର ଗୋଷ୍ଠିଗତ ଅଧିକାରକୁ ଗୁରୁତ୍ଵ ଦିଆ ଯାଇ ନାହିଁ କି ଗ୍ରାମବାସୀଙ୍କର ମତାମତ ଗ୍ରାମସଭାରେ ସଠିକ୍ ଢଙ୍ଗରେ ନିଆଯାଇ ନାହିଁ । କମ୍ପାନୀ କର୍ତ୍ତୃପକ୍ଷ କମ୍ ଘରୋଇ ଜମି ଅଧିଗ୍ରହଣ କରି ୮୦ ପ୍ରତିଶତ ଜଙ୍ଗଲ ଜମି ବ୍ୟବହାର କରିବା ଏକ ସୁଚିନ୍ତିତ ମନ୍ଦ ଯୋଜନା ହୋଇପାରେ ବୋଲି ଆଲୋଚନା ହେଉଛି ।

ବେଆଇନ ଭାବେ ଜଙ୍ଗଲ ଜମି ବ୍ୟବହାରର ଅନୁମତିପତ୍ର ବିରୁଦ୍ଧରେ ନେସନାଲ ଗ୍ରୀନ ଟ୍ରିବୁନାଲରେ ଛେଣ୍ଡିପଦା ଅଞ୍ଚଳର ଝରଣା ଦେହୁରୀ, ବିଦେଶୀ ପଧାନ, ହାଡ଼ି ପଧାନ, ବସନ୍ତ ସେଠୀ, ସୁନିଲ ବେହେରା, ଉଦୟନାଥ ବେହେରା, ପଦ୍ମନାଭ ବେହେରା ଏବଂ ବିଦ୍ୟାଧର ସାହୁ ପ୍ରମୁଖ କେସ ରୁଜୁ କରିଛନ୍ତି । ଏହି କେସରେ ଅଭିଯୋଗର ଗୁରୁତ୍ଵ ଥିବାରୁ ମାନ୍ୟବର ଗ୍ରୀନ ଟ୍ରିବୁନାଲର କଲିକତା ବେଞ୍ଚରେ ଗତ ୨ ତାରିଖରେ ଏକ ଶୁଣାଣି ହୋଇଛି । ଏହି ଶୁଣାଣିରେ ମାନ୍ୟବର ଜୁଡିସିଆଲ ସଭ୍ୟ ବି.ଅମିତ୍ ଷ୍ଟହେଲଙ୍କର ଏବଂ ଏକ୍ସପଟ୍ ସଭ୍ୟ ଡା. ଅରୁଣ କୁମାର ବର୍ମା ସୀଙ୍ଗାରେଣି କମ୍ପାନୀ କର୍ତ୍ତୃପକ୍ଷ ସମେତ, ଜିଲ୍ଲାପାଳ ଅନୁଗୋଳ, ଡିଏଫଓ ଅନୁଗୋଳଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ଜଙ୍ଗଲ ବିଭାଗକୁ ନୋଟିସ ଜାରି ପାଇଁ ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଏହି କେସରେ ଶଙ୍କର ପ୍ରସାଦ ପାଣି, ଆଶୁତୋଷ ପାଢ଼ୀ ଏବଂ ପ୍ରସନ୍ନ କୁମାର ବେହେରା ଆଡଭୋକେଟ ଭାବରେ କେସ ପରିଚାଳନା କରୁଛନ୍ତି । କୋଇଲା ଖଣି ପାଇଁ ଘଞ୍ଚ ପ୍ରାକୃତିକ ଜଙ୍ଗଲ ଧ୍ଵଂସ ପାଇବା ଉଦବେଗର କାରଣ ହୋଇଥିବା ବେଳେ ଜଙ୍ଗଲ ସଂରକ୍ଷଣ ଆଇନ - ୧୯୮୦, ଜଂଗଲ ଅଧିକାର ଆଇନ୍ -୨୦୦୬ ଏବଂ ଜୈବ ବିବିଧତା ଆଇନ - ୨୦୦୨ ର ବିଭିନ୍ନ ଦିଗରେ ଉଲଂଘନ ହୋଇଥିବା କେସରେ ଆବେଦନ କରାଯାଇ ଅଛି । ମାନ୍ୟବର ଏନଜିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ୬ ଜଣ ଅଧିକାରୀ ଏବଂ ସୀଙ୍ଗାରେଣି କମ୍ପାନୀକୁ ନୋଟିସ ପାଇଁ ଆଦେଶ ଦେଇ ଥିବାରୁ ଜଙ୍ଗଲ ଓ ପରିବେଶପ୍ରେମୀଙ୍କୁ ଆଶ୍ବସ୍ତ ଆଣି ଦେଇଛି।