୧୭୫ ବର୍ଷ ପୂର୍ବେ ଜନ୍ମ ନେଇଥିଲା ଆଧୁନିକ ସମ୍ବଲପୁର ଜିଲ୍ଲା ଓ ୧୯୦୮ରେ ଜିଲ୍ଲା ଓକିଲ ସଂଘ
ସମ୍ବଲପୁର, ୨4 ଡିସେମ୍ବର:- ଦେଶର ଅନ୍ୟତମ ପୁରାତନ ସମ୍ବଲପୁର ଜିଲ୍ଲା ଓକିଲ ସଂଘ (ଡିଷ୍ଟ୍ରିକ୍ଟ ବାର୍ ଏସୋସିଏସନ୍) ୧୯୦୮ ମସିହା ଡିସେମ୍ବର ୨୩ ତାରିଖରେ ସ୍ଥାପିତ ହୋଇଥିଲା । ୧୦ ଜଣ ଓକିଲ ଏହି ସଂଘ ଗଠନ କରିଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଆଇନଜ୍ଞ ଚନ୍ଦ୍ରଶେଖର ବେହେରା ସର୍ବପ୍ରଥମ ସ୍ଥାନୀୟ ବାସିନ୍ଦା ଭାବରେ ୧୯୦୧ରେ ଓକିଲାତି ଆରମ୍ଭ କରିଥିଲେ ଓ ଦୀର୍ଘ ବର୍ଷ ଧରି ନଗରପାଳ ଦାୟିତ୍ୱ ନିର୍ବାହ କରିଥିଲେ ।୧୮୫୦ ବେଳକୁ ରାଜସତ୍ତ୍ୱ ଲୋପ ନୀତିକୁ ଇଂରେଜ ସରକାର ଲାଗୁ କରି ସମ୍ବଲପୁରରେ ସେମାନଙ୍କ ବିଧିବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରିଥିଲେ । ଏଠାରେ ଉଭୟ କ୍ରିମିନାଲ ଓ ଦେୱାନୀ ମୋକଦ୍ଦମାର ବିଚାର ଆରମ୍ଭ ହୋଇଥିଲା ।
ଚନ୍ଦ୍ରଶେଖର ବେହେରା ଓକିଲାତି ଆରମ୍ଭ କରିବା ପୂର୍ବରୁ ଅନ୍ୟ ରାଜ୍ୟର ଆଇନଜୀବୀ ଏବଂ ଏଠାରେ ବସବାସ କରୁଥିବା ବହିରାଗତ ଆଇନଜୀବୀମାନେ ଏଠାରେ ମୁଖ୍ୟତଃ ଓକିଲାତି କରୁଥିଲେ । ଚନ୍ଦ୍ରଶେଖର ବେହେରାଙ୍କୁ ମିଶାଇ ୧୯୧୮ ବେଳକୁ ଏଠାରେ ଥିବା ୭ ଜଣ ସ୍ଥାନୀୟ ଆଇନଜୀବୀ ଓକିଲାତି କରୁଥିଲେ । ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରତିଷ୍ଠା ଦିନ ଠାରୁ ସମୃଦ୍ଧ ଇତିହାସ ବହନ କରି ଆସିଛି । ସମ୍ବଲପୁର, ରାଜ୍ୟ ଓ ରାଜ୍ୟ ବାହାରେ ବହୁ ଗୁରୁତ୍ୱପୂର୍ଣ୍ଣ ମୋକଦ୍ଦମା ପରିଚାଳନାରେ ଏଠାର ଆଇନଜୀବୀମାନଙ୍କ ଭୂମିକା ଉଲ୍ଲେଖନୀୟ । ସ୍ୱାଧୀନତା ସଂଗ୍ରାମ, ଦେଶ ଗଠନ, ରାଜନୀତି, ବିଭିନ୍ନ ଜନ ଆନ୍ଦୋଳନ ଏବଂ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ରହିବାର ପରମ୍ପରା ଜିଲ୍ଲାର ଓକିଲମାନଙ୍କ ଏକ ଗୌରବମୟ ଧାରା ଏବେ ମଧ୍ୟ ଜାରି ରହିଛି । ଏପରିକି ଏଠାର ଆଇନଜୀବୀମାନଙ୍କ ଆଇନ ସମ୍ପର୍କିତ ଅନେକ ପୁସ୍ତକ ଦେଶର ବିଭିନ୍ନ ଆଇନ୍ ପାଠ୍ୟକ୍ରମରେ ସ୍ଥାନିତ ହୋଇଛି । ଏହି ବାରର ଡ. ଶ୍ରଦ୍ଧାକର ସୂପକାର ପ୍ରଥମ ବିଧାନସଭାରେ ବିରୋଧୀ ଦଳର ନେତା ନିର୍ବାଚିତ ହେବା ସହିିତ ଜୁରିସ୍ପ୍ରୁଡେନ୍ସ ଇନ୍ ଏନ୍ସିଏଣ୍ଟ ଇଣ୍ଡିଆ ବିଷୟ ଉପରେ ଦେଶରେ ପ୍ରଥମ କର ଡି.ଲିଟ୍ ହାସଲ କରିଥିଲେ । ଏହି ବାରର ବନମାଳୀ ବାବୁ ରାଜ୍ୟରେ ଆଇନ ସହିତ ବହୁ ବିଭାଗର ମନ୍ତ୍ରୀ ପଦ ଅଳଙ୍କୃତ କରି ଛାତ୍ର ଜୀବନରେ ପାଟଣା ବିଶ୍ୱବିଦ୍ୟାଳୟରୁ ରେକର୍ଡ ୯୮ ପ୍ରତିଶତ ମାର୍କ ସହ ବି.ଏଲ୍. ଡିଗ୍ରୀ ହାସଲ କରିଥିଲେ । ବୋଧରାମ ଦୁବେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଓକିଲ ହେବା ସହିତ ସ୍ୱାଧୀନତା ପୂର୍ବର ମନ୍ତ୍ରୀମଣ୍ଡଳର ସଦସ୍ୟ ଥିଲେ । ଶ୍ରୀବଲ୍ଲଭ ପାଣିଗ୍ରାହୀ, ଲକ୍ଷ୍ମୀପ୍ରସାଦ ମିଶ୍ର, ମୁରାରୀ ପ୍ରସାଦ ମିଶ୍ର, ସନାତନ ବିଶି ବିଭିନ୍ନ ସମୟରେ ମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ବାର୍ରେ ଓକିଲାତି କରିଥିବା ବେଳେ ବିଷ୍ଣୁପ୍ରସାଦ ମିଶ୍ର ଓ ଅଶ୍ୱିନୀ କୁମାର ଗୁରୁ ବିଧାୟକ ହୋଇ ପାରିଥିଲେ । ଗୋକୁଳଚନ୍ଦ୍ର ବାବୁ ଦୀର୍ଘବର୍ଷ ଧରି ସମ୍ବଲପୁର ଜିଲ୍ଲା ପରିଷଦର ସଭାପତି ଥିଲେ । ଏଠାରେ ଡ. ସୂପକାର ଦାୟର ମହାନଦୀ ଜଳ ପ୍ରଦୂଷଣଜନିତ ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ଏହି ମୋକଦ୍ଦମାର ପ୍ରଭାବରେ ରାଜ୍ୟ ସରକାର ଦେଶରେ ସର୍ବପ୍ରଥମ ନଦୀଜଳ ପ୍ରଦୂଷଣ ଆଇନ ପ୍ରଣୟନ କରିଥିଲେ ।
ପ୍ରାରମ୍ଭରେ ଏଠାରୁ ଓକିଲାତି ଆରମ୍ଭ କରିଥିବା ବହୁ ଆଇନଜୀବୀ ପଡ଼ୋଶୀ ତଥା ନିଜ ଜିଲ୍ଲାମାନଙ୍କରେ ଖୋଲିଥିବା କୋର୍ଟର ଆଇନ ସେବାରେ ଯୋଗ ଦେଇଥିଲେ । ତେବେ ୧୯୪୪ରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (କଲେଜ) ଏବଂ ପରବର୍ତ୍ତୀ ସମୟରେ ଲାଲା ଲଜପତରାୟ ଆଇନ କଲେଜ ପ୍ରତିଷ୍ଠା ପରେ ଅଞ୍ଚଳରେ ଉଚ୍ଚଶିକ୍ଷା ଓ ଆଇନ ଶିକ୍ଷାର ବ୍ୟାପକ ସଂପ୍ରସାରଣ ହୋଇଥିଲା । ଏହି ଆଇନ କଲେଜର ଛାତ୍ର ଥିବା ମେଧାବୀ ବିଦ୍ୟାର୍ଥୀ ବର୍ତ୍ତମାନ ସଂଜୀବ କୁମାର ପାଣିଗ୍ରାହୀ ଏବଂ ଚିତ୍ତରଞ୍ଜନ ଦାଶ ହାଇକୋର୍ଟରେ ବିଚାରପତି ଥିବାବେଳେ ଅନେକ ଆଇନ ଗବେଷକ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ଅଛନ୍ତି । ସ୍ୱାଧିନତା ସଂଗ୍ରାମୀ ତଥା ଆଇନଜୀବୀ ଅଚ୍ୟୁତାନନ୍ଦ ପୁରୋହିତ ଇଣ୍ଟରନେସନାଲ ଲ ଏକାଡେମୀର ସଭାପତି ଥିଲେ । ଏଥିସହ ବିଦେଶରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।
ଏହି ଦୁଇ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଥିବା ଅନେକ ମେଧାବୀ ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ଜିଲ୍ଲା ଜଜ୍ ଓ ହାଇକୋର୍ଟର ଜଷ୍ଟିସ୍ ହେବାର ଯୋଗ୍ୟତା ହାସଲ କରିଥିଲେ । ତେବେ ସମ୍ବଲପୁର ବାରର୍ ଜଷ୍ଟିସ୍ କୃଷ୍ଣପ୍ରସାଦ ମହାପାତ୍ର, ଜଷ୍ଟିସ୍ ଯଜେ୍ଞଶ୍ୱର ଦାସ, ଜଷ୍ଟିସ୍ ରଘୁନାଥ ବିଶ୍ୱାଳ, ଜଷ୍ଟିସ୍ ବିଚିତ୍ରାନନ୍ଦ ଦାଶ ଏବଂ ସମ୍ବଲପୁର ଜିଲ୍ଲାର ସୁଧାଂଶୁ ଭୂଷଣ ମହାନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ପଦ ଅଳଙ୍କୃତ କରିଛନ୍ତି । ଜଷ୍ଟିସ୍ ଶତ୍ୟୁଘ୍ନ ପୂଜାହାରୀ ଓଡ଼ିଶା ଏବଂ ମାଡ୍ରାସ ହାଇକୋର୍ଟର ବିଚାରପତି ହେବା ଉତ୍ତାରୁ ବର୍ତ୍ତମାନ ରାଜ୍ୟ ମାନବାଧିକାର କମିଶନର ଅଧ୍ୟକ୍ଷ ଅଛନ୍ତି । ଜଷ୍ଟିସ୍ ଯଜେ୍ଞଶ୍ୱର ଦାସଙ୍କ ସୁପୁତ୍ର ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ ଓଡ଼ିଶା ଓ କୋଲକାତା ହାଇକୋର୍ଟର ବିଚାରପତି ରହିଥିଲେ । ନିରାକାର ପୁରୋହିତ ଓଡ଼ିଶା ବିଧାନସଭାର ସଚିବ ଦାୟିତ୍ୱ ନିର୍ବାହ କରିଛନ୍ତି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୪୦ଟି ବିଭିନ୍ନ ପାହ୍ୟାର ବିଚାର ବିଭାଗୀୟ, ରାଜସ୍ୱ, ଆୟକର, ବିକ୍ରୟ କର ଆଦି ଅଦାଲତ ରହିଛି ।