ମଦ ଦୋକାନ ସ୍ଥାନାନ୍ତର ଦାବୀ ଜୋର ଧରିଲା, ରାସ୍ତା ଅବରୋଧ କଲେ ମହିଳା ଗୋଷ୍ଠୀ

FMNEWS.IN 04-01-2025
Demand to shift liquor shops gains momentum, women's group blocks road

ଭଦ୍ରକ: - ଦୀର୍ଘ ବର୍ଷ ଧରି ବନ୍ତ ବାରିକପୁର ରାସ୍ତାର ଗଣ୍ଡଗରା ନିକଟରେ ଚାଲିଥିବା ସରକାରୀ ବିଦେଶୀ ଓ ଦେଶୀ ମଦ ଦୋକାନ ସ୍ଥାନାନ୍ତର ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ଆଜି ସକାଳ ୬ ଘଟିକା ଠାରୁ ବନ୍ତ-ବାରିକପୁର ରାସ୍ତା ଅବରୋଧ କରି ଗଣ୍ଡଗରା ଛକରେ ବସି ରହିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି କିଛି ସମାଧାନ ହୋଇ ପାରି ନଥିବା ଜଣାଯାଇଛି । ଘଟଣା ସ୍ଥଳରେ ଶହଶହ ମହିଳା ଉପସ୍ଥିତ ଥିବା ବେଳେ ପୋଲିସ୍ ପ୍ରଶାସନ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ବୁଝାସୁଝା ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ ସମୟ ଧରି ଏଠାରେ ସରକାରୀ ଠିପି ବନ୍ଦ ବିଦେଶୀ ଓ ଦେଶୀ ମଦ ଦୋକାନ ଚାଲିଛି। ଏପରିକି ମଦ ଦୋକାନ ନିକଟରେ ବେଆଇନ ହୋଟେଲ, ଜଳଖିଆ ଦୋକାନ ଓ ମଦ୍ୟପାନ ସାମଗ୍ରୀ ବିକ୍ରୀ କରୁଥିବା ଉଠା ଦୋକାନ ମାନ ଚାଲୁଥିବା ଯୋଗୁ ମଦ୍ୟପମାନେ ଖୁଲମଖୁଲା ମଦ୍ୟପାନ କରିବା ସହ ନିଶାଶକ୍ତ ଅବସ୍ଥାରେ ରାସ୍ତାରେ ଯାଉଥିବା ସାଧାରଣ ଲୋକ, ମହିଳା, ଛାତ୍ରଛାତ୍ରୀ ଓ ଯାତ୍ରୀ ମାନଙ୍କୁ ଅଶାଳୀନ ବ୍ୟବହାର କରୁଥିବା ଯୋଗୁଁ ସାଧାରଣ ଲୋକମାନେ ଏହି ରାସ୍ତା ଦେଇ ଯାତାୟତ କରିବା ନିମନ୍ତେ ଭୟଭୀତ ହୋଇପଡୁଛନ୍ତି। ଏପରିକି ଦିନକୁ ଦିନ ମଦ୍ୟପ ମାନଙ୍କ ପାର୍ଦୁଭାବ ବୃଦ୍ଧି ପାଇବା ଫଳରେ ଆଖାପାଖ ଅଂଚଳର ଗ୍ରାମ ଗୁଡିକ ଅଶାନ୍ତ ହୋଇଉଠିଛି। ଏନେଇ ସ୍ଥାନୀୟ ଲୋକମାନଙ୍କ ଠାରୁ ବୁଦ୍ଧିଜୀବିଙ୍କ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିବା, ଅଭିଯୋଗକାରୀ ମାନଙ୍କୁ କୌଣସି ନ୍ୟାୟ ନ ମିଳିବା ପ୍ରତିବାଦରେ କେନ୍ଦୁଆପଦା ପଂଚାୟତ ଦିବ୍ୟଜ୍ୟୋତି ମହିଳା ମହାସଂଘର କର୍ମକର୍ତା ମାନେ ଗତ ୧୨.୧୨.୨୪ରିଖ ରେ ଜିଲ୍ଲାପାଳ ଭଦ୍ରକଙ୍କ ନିକଟରେ ଏଠାରୁ ମଦ ଦୋକାନ ଉଚ୍ଛେଦ ନିମନ୍ତେ ଲିଖିତ ଅଭିଯୋଗ କରିବା ସହ ଏହାର ନକଲ ମୁଖ୍ୟମନ୍ତ୍ରୀ ଓଡିଶା, ଅବକାରୀ ବିଭାଗର ମୁଖ୍ୟଶାସନ ସଚିବ, ଆରକ୍ଷୀ ଅଧୀକ୍ଷକ ଭଦ୍ରକ, ଭଦ୍ରକ ଗ୍ରାମାଂଚଳ ଥାନାଧିକାରୀ, କେନ୍ଦୁଆପଦା ଫାଣ୍ଡି ଅଧିକାରୀ, ବନ୍ତ ବିଡିଓ, ତହସିଲଦାର, ପଂଚାୟତ ସମିତି ଅଧ୍ୟକ୍ଷ , ଅବକାରୀ ବିଭାଗର ଜିଲ୍ଲା ସହକାରୀ ଅଧୀକ୍ଷକ, କେନ୍ଦୁଆପଦା ସରପଂଚ ପ୍ରମୁଖଙ୍କୁ ନକଲ ପ୍ରଦାନ କରିଥିଲେ। ମାତ୍ର ଜିଲ୍ଲା ପ୍ରଶାସନ ପୂର୍ବଭଳି ନିରବଦ୍ରଷ୍ଟା ସାଜିଥିବା ଯୋଗୁଁ ଆଜି ସକାଳ ୮ ଟା ଠାରୁ ପଂଚାୟତ ମହିଳା ମହାସଂଘର ସଭାନେତ୍ରୀ ମଧୁସ୍ମିତା ମଲ୍ଲିକ, ସମ୍ପାଦିକା ବିଦ୍ୟୁତ୍ପ୍ରଭା ସାହୁ, ପ୍ରମିଳାବାଳା ନାୟକ, ବ୍ଲକ୍ ସ୍ତରୀୟ ନେତ୍ରୀ କମଳା ଜେନା, ତିଳୋତମା ବାରିକ, ଉନ୍ନତିବାଳା ଦାସଙ୍କ ନେତୃତ୍ୱରେ ସପୃକ୍ତ ଅଂଚଳର ଶହଶହ ମହିଳା ମଦ ଦୋକାନ ସମ୍ମୁଖରେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ବନ୍ତ-ବାରିକପୁର ରାସ୍ତା ଅବରୋଧ କରିଛନ୍ତି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ସେଣ୍ଢତୀରା ବରିଷ୍ଠ ନାଗରିକ ମଂଚର କର୍ମତର୍ତା ଭାସ୍କର ଚନ୍ଦ୍ର ପାଢୀ, ପୂର୍ଣ୍ଣଚନ୍ଦ୍ର ସାହୁ, ମାଧବାନନ୍ଦ ବିଶ୍ୱାଳ,ସନ୍ତୋଷ କୁମାର ଜେନା, ଅନିରୁଦ୍ଧ ଜେନାଙ୍କ ସହ ଶହଶହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତେବେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଓ ରାସ୍ତାରୋକ ଜାରୀ ରହିଥିଲା ବେଳେ ଦୀର୍ଘ ସମୟ ଧରି କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ନ ପହଂଚିବା ପ୍ରତିବାଦରେ ବାଧ୍ୟ ହୋଇ ମହିଳାମାନେ ଉଭୟ ଦେଶୀ ଓ ବିଦେଶୀ ମଦ ଦୋକାନରେ ତାଲା ପକାଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ଭଦ୍ରକ ଉପ-ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ, ଅରୁଣ ରୂପକ ବେହେରା, କେନ୍ଦୁଆପଦା ଫାଣ୍ଡି ଅଧିକାରୀ ନରେନ୍ଦ୍ର ରାଉତ୍, ବନ୍ତ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣଙ୍କ ସମେତ ପୁଲିସ ଫୋର୍ସ ଉପସ୍ଥିତ ରହିଛନ୍ତି । ମହିଳାଙ୍କ ରାସ୍ତା ଅବରୋଧ ଯୋଗୁ ଭୁବନେଶ୍ୱରରୁ ବଉଳା ଭାୟା ଛେନାପଦୀ,ଭୁବନେଶ୍ୱରରୁ ଆଗରପଡା ଭାୟା ବନ୍ତ, ଭଦ୍ରକରୁ ଆନନ୍ଦପୁର ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି ।