BIG NEWS
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ଓଡିଶା ରାଜକୋଷରେ ୪୪,୪୫୩ କୋଟି ଜିଏସ୍‌ଟି: ଡିସେମ୍ବରରେ ୪୮୪୧ କୋଟି ସଂଗ୍ରହ

FMNEWS.IN 02-01-2025
44,453 crore collected as GST

ଭୁବନେଶ୍ବର: ୨୦୨୪ର ଏପ୍ରିଲ୍ରୁ ଡିସେମ୍ବର ପର୍ଯ୍ୟନ୍ତ ୯ ମାସ ମଧ୍ୟରେ ଓଡ଼ିଶାରେ ସମୁଦାୟ ୪୪,୪୫୩ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ହୋଇଛି ଯାହା ୨୦୨୩ର ସମାନ ସମୟର ସଂଗ୍ରହ ତୁଳନାରେ ୧୨.୪ ପ୍ରତିଶତ ଅଧିକ। ଏହି ୯ ମାସରେ ୧୦,୮୪୧ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍ଟି, ୧୩,୦୭୭ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି, ୧୩,୦୨୦ କୋଟି ଟଙ୍କାର ସମନ୍ବିତ ଜିଏସ୍ଟି ଓ ୭୫୧୬ କୋଟି ଟଙ୍କାର ସେସ୍ ସଂଗୃହୀତ ହୋଇଛି ବୋଲି କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ନିକଟରେ ଶେଷ ହୋଇଥିବା ୨୦୨୪ ଡିସେମ୍ବର ମାସରେ ଓଡ଼ିଶାରେ ୪,୮୪୧ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି। ୨୦୨୩ ଡିସେମ୍ବରରେ ହୋଇଥିବା ୪୩୫୧ କୋଟି ଟଙ୍କା ସଂଗ୍ରହ ତୁଳନାରେ ଏହା ୧୧ ପ୍ରତିଶତ ଅଧିକ। ଆଲୋଚ୍ୟ ମାସରେ ତାମିଲନାଡୁ, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ଜମ୍ମୁ ଓ କାଶ୍ମୀର, ହିମାଚଳପ୍ରଦେଶରେ ଜିଏସ୍ଟି ସଂଗ୍ରହରେ ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ଘଟିଛି। ହରିୟାଣାରେ ଜିଏସ୍ଟି ସଂଗ୍ରହ ୨୮ ପ୍ରତିଶତ ବଢ଼ିଥିବା ବେଳେ ପଞ୍ଜାବରେ ୨୨ ପ୍ରତିଶତ ବଢ଼ିଛି।

ତେବେ ୨୦୨୪ ଡିସେମ୍ବରରେ ସର୍ବଭାରତୀୟ ସ୍ତରରେ ୧.୭୭ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି। ଏହି ମାସରେ ୩୨,୮୩୬ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍ଟି, ୪୦,୪୯୯ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି, ୪୭,୭୮୩ କୋଟି ଟଙ୍କାର ସମନ୍ବିତ ଜିଏସ୍ଟି ଓ ୧୧,୪୭୧ କୋଟି ଟଙ୍କାର ସେସ୍ ସଂଗୃହୀତ ହୋଇଛି। ୨୦୨୩ ଡିସେମ୍ବରରେ ଦେଶରେ ୧.୬୫ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଥିଲା। ୨୦୨୪ର ଏପ୍ରିଲ୍ ମାସରେ ସର୍ବାଧିକ ୨.୧୦ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା।