ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ନିର୍ମାଣ ସ୍ଥିତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତର ୬ ବର୍ଷ ପରେ ମଧ୍ୟ ଭାଗ୍ୟ ବଦଳି ନାହିଁ

FMNEWS.IN 14-01-2025
Khordha-Balangir railway construction status, luck has not changed even after 6 years of PM's visit

ବଲାଙ୍ଗିର, ୧୪ ଜାନୁଆରୀ - ଗତ ୨୦୧୯ ମସିହା ଜାନୁୟାରୀ ୧୫ ଦିନ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର ଆସି ବହୁ ବିଳମ୍ବିତ ଖୋର୍ଦ୍ଧାରୋଡ- ବଲାଙ୍ଗିର ରେଳପଥର ବଲାଙ୍ଗିର ପଟୁ ବିଛୁପାଲି ପର୍ଯ୍ୟନ୍ତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ । ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ୬ ବର୍ଷ ପୂର୍ତ୍ତି ହୋଇଛି । କିନ୍ତୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ଶେଷ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୨୦୨୪ ଡିସେମ୍ବରରୁ ପୁଣି ୨୦୨୬ ଡିସେମ୍ବରକୁ ବୃଦ୍ଧି କରାଯାଇଛି ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ପୂର୍ବତଟ ରେଳର ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମାଣ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ତଥ୍ୟ ପ୍ରଦାନ କରିଛନ୍ତି ।

ତଥ୍ୟରେ କୁହାଯାଇଛି ଯେ, ସମୂଦାୟ ୩୦୧ କିମି ଲମ୍ବ ରେଳପଥରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୯୮ କିମି ରେଳପଥ ନିର୍ମାଣ କରାଯାଇ ପରୀକ୍ଷା ନିରୀକ୍ଷା ଶେଷ ହୋଇଛି । ନିର୍ମାଣ କାର୍ଯ୍ୟ ଚାଲିଥିବା ପ୍ରାୟ ୧୦୧ କିମିରୁ ବୌଦ୍ଧରୁ ପୁରୁଣାକଟକ ୨୬.୮୮ କିମିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦଶପଲ୍ଲାରୁ ପୁରୁଣାକଟକ ୭୫ କିମି ନିର୍ମାଣ କାର୍ଯ୍ୟ ଜାରୀ ରହିଛି ଏବଂ ଯଦି ଜମି ଅଧିଗ୍ରହଣ ଠିକଠାକ ରହେ ପ୍ରକଳ୍ପକୁ ୨୦୨୬ ଡିସେମ୍ବରରେ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ପ୍ରକଳ୍ପ ମଞୁରୀ ପାଇବା ତିନି ଦଶକରୁ ଅଧିକ ସମୟ ଅତିବାହିତ ହୋଇଥିଲେ ମଧ୍ୟ ଜମି ଅଧି ଗ୍ରହଣ ସମ୍ପୂର୍ଣ ହୋଇ ନାହିଁ । ବର୍ତ୍ତମାନ ମଧ୍ୟ ଘରୋଇ ଜମି ୭୭ ଏକର, ସରକାରୀ ଜମି ୨୨୬ ଏକର ଅଧିଗ୍ରହଣ ହୋଇନାହିଁ । ଜଙ୍ଗଲ ଜମି ପ୍ରାୟ ୧୪୬୯ ଏକରକୁ ଷ୍ଟେଜ ୨ କ୍ଲିୟରାନ୍ସ ମିଳିନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଗତ ୫ ବର୍ଷରେ ରେଳପଥକୁ ୪୩୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଖର୍ଚ୍ଚ କରାଯାଇଛି ମାତ୍ର ୨୩୩୮ କୋଟି ଟଙ୍କା । ରେଳ ମନ୍ତ୍ରୀ ଓଡିଶାରୁ ନିର୍ବାଚିତ ପ୍ରତିନିଧି ଥିଲେ ମଧ୍ୟ ରେଳ ବିଭାଗର ପୁରୁଣା ଅଭ୍ୟାସରେ ପରିବର୍ତ୍ତନ ହୋଇନାହିଁ ବୋଲି ସୂଚନା କର୍ମି ଶ୍ରୀ ପଣ୍ଡା କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ୬ ବର୍ଷ ପରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସମ୍ପୂର୍ଣ ଟ୍ରାକରେ ରେଳ ଚଳାଚଳକୁ ନେଇ ବର୍ତ୍ତମନ ମଧ୍ୟ ଧାର୍ଯ୍ୟ ସମୟ ନିଶ୍ଚିତ କରାଯାଇ ପାରି ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।