ଓଡ଼ିଶାର ବିକାଶରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାର ପ୍ରମୁଖ ଯୋଗଦାନ
ଭୁବନେଶ୍ୱର, ୨4ଡିସେମ୍ବର - ସାମଗ୍ରିକ ବିକାଶର ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଗମନାଗମନର ସୁବ୍ୟବସ୍ଥା । ଗ୍ରାମାଞ୍ଚଳଗୁଡ଼ିକ ସହରାଞ୍ଚଳ ସହ ଯୋଡ଼ି ହେଲେ ହିଁ ଦ୍ୱିମୁଖୀ ବିକାଶ ପ୍ରକ୍ରିୟା ସମ୍ଭବପର ହୋଇଥାଏ । ଏମିତିରେ ମଧ୍ୟ ଭାରତରେ ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରିଥାନ୍ତି । ତେଣୁ ଅସଂଯୋଜିତ ଗ୍ରାମଗୁଡ଼ିକୁ ସବୁଦିନିଆ ରାସ୍ତା ନିର୍ମାଣ ଦ୍ୱାରା ସମଗ୍ର ଭାରତବର୍ଷର ବିକାଶ ପ୍ରକ୍ରିୟାର ଏକୀକରଣ ପାଇଁ ଡିସେମ୍ବର ୨୫, ୨୦୦୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା । ଏହି ଯୁଗାନ୍ତକାରୀ ଯୋଜନା ଦ୍ୱାରା ଓଡ଼ିଶାର ଗମନାଗମନର ସମ୍ପୂର୍ଣ୍ଣ ନକ୍ସା ପରିବର୍ତ୍ତନ ହୋଇଯିବା ସହ ବିକାଶର ନବ ସୂର୍ଯେ୍ୟାଦୟ ଆରମ୍ଭ ହୋଇଥିଲା ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଦ୍ୱାରା ଗମନାଗମନର ସୁବିଧା ବୃଦ୍ଧି ପାଇବା ସହ ରୋଜଗାର, ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ବିପଣନ ବ୍ୟବସ୍ଥା ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିଥିଲା । ଏହି ସମସ୍ତ ସୁବିଧା ଗ୍ରାମାଞ୍ଚଳରେ ସହଜରେ ଉପଲବ୍ଧ ହେବା ଫଳରେ ରାଜ୍ୟରେ ଗ୍ରାମୀଣ ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇପାରିଥିଲା । ଦାରିଦ୍ର୍ୟ ଦୂରୀକରଣରେ ମଧ୍ୟ ଏହାର ପ୍ରତ୍ୟକ୍ଷ ପ୍ରଭାବ ପରିଲକ୍ଷିତ ହୋଇଥିଲା ।
ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ର ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ସତୁରୀ ହଜାର କିଲୋମିଟରରୁ ଊଦ୍ଧ୍ୱର୍ ଗ୍ରାମୀଣ ରାସ୍ତା ଓ ଛଅ ଶହରୁ ଊଦ୍ଧ୍ୱର୍ ସେତୁ ନିର୍ମାଣ ସମ୍ଭବପର ହୋଇପାରିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାଥମିକତା ଭିତ୍ତିରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କୁ କାର୍ଯ୍ୟକାରୀ କରାଯାଇ ରାଜ୍ୟରେ ଗ୍ରାମୀଣ ବିକାଶ ଓ ସାମଗ୍ରିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ।
ଏହି କ୍ରମରେ ରାଜ୍ୟର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକର ବାଟପଳ୍ଶା ଗ୍ରାମ ପଞ୍ଚାୟତ ମିର୍ଗିନାଣ୍ଡି ଗ୍ରାମ ଓ ବାଟପଳ୍ଶା ଗ୍ରାମ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୨ ଅଧୀନରେ ନିର୍ମାଣ ହୋଇଥିବା ରାସ୍ତା ଓ ବୁଢିନାଳ ଉପରେ ନିର୍ମାଣ ହୋଇଥିବା ସେତୁ ଉକ୍ତ ଅଞ୍ଚଳରେ ବିକାଶର ଏକ ନୂତନ ସମ୍ଭାବନା ସୃଷ୍ଟି କରିପାରିଥିଲା । ଏଠାରେ ପ୍ରାୟ ଚାରି କୋଟିରୁ ଊଦ୍ଧ୍ୱର୍ ତାଙ୍କ ବ୍ୟୟରେ ୩.୩୦ କିମି ଦୈର୍ଘ୍ୟର ରାସ୍ତା ଓ ପ୍ରାୟ ୪୫ ମିଟର ଦୈର୍ଘ୍ୟ ଓ ୭.୫ ମିଟର ପ୍ରସ୍ତର ସେତୁ ନିର୍ମାଣ କରା ଯାଇଛି । ଏହାଦ୍ୱାରା ଉକ୍ତ ଅଞ୍ଚଳର ବାଟପଳ୍ଶା, ଖଡିକୁଦର, ପଟୁଳିଡିହ, ହାତିବାରୀ, ମିର୍ଗିନାଣ୍ଡି, ଶୁୀକୁଦର, କଡାମୋଦକ, ସଲରପଡା, ପନସପାଳ ଆଦି ଗ୍ରାମର ନଅ ହଜାରରୁ ଊଦ୍ଧ୍ୱର୍ ଲୋକ ଉପକୃତ ହୋଇଛନ୍ତି ।
ପୂର୍ବରୁ ବର୍ଷା ଋତୁରେ ଏହି ଅଞ୍ଚଳ ଗମନାଗମନ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସବୁଦିନିଆ ରାସ୍ତା ନ ଥିବାରୁ ଏହି ଅଞ୍ଚଳ ବିକାଶ ପ୍ରକ୍ରିୟାରୁ ବଞ୍ଚିତ ହୋଇ ରହିଥିଲା । ରୋଜଗାର, ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ବିପଣନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଧାପ୍ରପ୍ତ ହେଉଥିଲା । ଲୋକେ ନିଜର କୃଷିଜାତ ଦ୍ରବ୍ୟ ବିକ୍ରି କରିବା ପାଇଁ ବାହାରକୁ ଯାଇ ପାରୁନଥିଲେ । ପ୍ରଶାସନିକ ସୁବିଧା ସୁଯୋଗ ମଧ୍ୟ ଉଚିତ ସମୟରେ ପହଞ୍ଚିବା ବାଧାପ୍ରାପ୍ତ ହେଉଥିଲା ।
ତେଣୁ ଉକ୍ତ ଅଞ୍ଚଳର ସାମାଜିକ- ଅର୍ଥନୈତିକ ପ୍ରଗତି ସମ୍ଭବ ହୋଇ ପରିନଥିଲା । ମାତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ଅଞ୍ଚଳରେ ସବୁଦିନିଆଁ ରାସ୍ତା ଓ ସେତୁ ନିର୍ମିତ ହେବାପରେ ସମଗ୍ର ଅଞ୍ଚଳର ଚିତ୍ର ବଦଳି ଯାଇଛି । ଏହି ଅଞ୍ଚଳ ଏବେ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିଛି । ଗମନାଗମନ ବ୍ୟବସ୍ଥାରେ ଉନ୍ନତି ହେବ ଯୋଗୁଁ ଏଠାକାର ସାମଗ୍ରିକ ବିକାଶ ସମ୍ଭବ ହୋଇ ପାରିଛି ।
ନିର୍ମିତ ହୋଇଥିବା ଏହି ରାସ୍ତା ଉକ୍ତ ଅଞ୍ଚଳର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ହାତିବାରୀ ଡ୍ୟାମ ଯାହାକି ଜନଜାତି ସମ୍ପ୍ରଦାୟଙ୍କର ଏକ ଆଧ୍ୟାତ୍ମିକ ସ୍ଥଳୀକୁ ମଧ୍ୟ ସଂଯୋଗ କରିପାରିଛି । ଫଳରେ ସେଠାକୁ ଯାତାୟତ ମଧ୍ୟ ସୁଗମ ହୋଇ ପାରିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଯେ ସାମାଜିକ- ଅର୍ଥନୈତିକ ପରିବର୍ତ୍ତନ ସହ ସାମଗ୍ରିକ ବିକାଶର ସୁଯୋଗ ସୃଷ୍ଟି କରିପାରୁଛି ଏହା ତାର ପ୍ରମୁଖ ଉଦାହରଣ ହୋଇ ପାରିଛି ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଅଧୀନରେ ୨୫ ଡିସେମ୍ବର, ୨୦୦୦ ମସିହାରୁ କାର୍ଯ୍ୟ କରୁଛି । ପ୍ରଥମେ ଏହା ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ର ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବାବେଳେ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦:୪୦ ପ୍ରତିଶତ ଭାଗୀଦାରିରେ କାର୍ଯ୍ୟକାରୀ ହେଉଛି ।
ଯୁଗାନ୍ତକାରୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ୨୪ ବର୍ଷ ପୂରଣ କରି ୨୫ ତମ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବାରୁ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏହାକୁ ଏକ ଐତିହାସିକ ଯୋଜନା ବୋଲି ଅଭିହିତ କରିବା ସହ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଏଭଳି ଏକ ଯୁଗପୋଯୋଗୀ ଯୋଜନାର ଜନକ ବୋଲି ମତପ୍ରକାଶ କରିଛନ୍ତି । ଗ୍ରାମୀଣ ବିକାଶ ପାଇଁ ଏହି ଯୋଜନାର ଅବଦାନ ଅବିସ୍ମରଣୀୟ ବୋଲି କହିବା ସହ ରାଜ୍ୟର ସମସ୍ତ ଅସଂଯୋଜିତ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ସର୍ବଦା ପ୍ରୟାସ ଜାରି ରହିବ ବୋଲି ସେ ମତପ୍ରକାଶ କରିଛନ୍ତି ।