ଧାନର ଏମ୍ଏସ୍ପି ୩୦୦୦ ଟଙ୍କା ହେଉ : ସମାଜବାଦୀ ପାର୍ଟି

ଭୁବନେଶ୍ୱର - ଚିରାଚରିତ ଭାବେ କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ମାତ୍ର ଅଳ୍ପକିଛି ଟଙ୍କା ବଢାଇ ଓଡ଼ିଶା ପରି କୃଷିପ୍ରଧାନ ରାଜ୍ୟକୁ ଆଉଥରେ ଲଲିପପ୍ ଧରାଇ ଦେଇଛନ୍ତି। ୨୦୨୫-୨୬ ଖରିଫ ଋତୁ ପାଇଁ ବୁଧବାର ଧାନ ସମେତ ୧୪ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। ରାଶି, କପା, ହରଡ଼, ବାଜରା ଭଳି ଶସ୍ୟର ଏମ୍ଏସ୍ପି ଯଥେଷ୍ଟ ବୃଦ୍ଧି କରାଯାଇଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପ୍ରତି ମାତ ୬୯ ଟଙ୍କା ବୃଦ୍ଧି କରାଯାଇଛି ଯାହାକୁ ନେଇ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ଶିବହାତୀ ଯାଦବ କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀ ଯାଦବ କହିଛନ୍ତି ଯେ ଧାନର ଏମ୍ଏସ୍ପି ଅତି କମରେ ୨୦୩୦ ଟଙ୍କା କରିବାକୁ ଓଡ଼ିଶା ଗତ ୮ ବର୍ଷ ହେଲାଣି ଦାବି କରି ଆସୁଅଛି। ଏ ନେଇ ବିଧାନସଭାରେ ମଧ୍ୟ ଏକ ସର୍ବଦଳୀୟ ସଂକଳ୍ପ ପତ୍ର ପାରିତ ହୋଇ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି। ମାତ୍ର କେନ୍ଦ୍ର ସରକାର ଓଡ଼ିଶାର ଏହି ଦାବିକୁ କର୍ଣ୍ଣପାତ କରୁନାହାଁନ୍ତି।
ରାଜ୍ୟ ସରକାର ଖରିଫ ଋତୁଠାରୁ ଧାନର ଏମଏସ୍ପି ବାବଦରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ଆରମ୍ଭ କରିଛନ୍ତି। ଏଥିରେ ଧାନର ଏମ୍ଏସ୍ପି ବାବଦରେ ୨୩୦୦ ଏବଂ ଇନ୍ପୁଟ ସହାୟତା ବାବଦରେ ୮୦୦ ଟଙ୍କା ପ୍ରଦାନ କରୁଛନ୍ତି। ଯାହାଫଳରେ ଓଡ଼ିଶା ରାଜକୋଷକୁ ଏଥିପାଇଁ ପ୍ରାୟ ଅତିରିକ୍ତ ୫୮୬୨ କୋଟି ଟଙ୍କାର ଅତିରିକ୍ତ ବୋଝ ମୁଣ୍ଡାଇବାକୁ ପଡ଼ିଛି। ଯଦି କେନ୍ଦ୍ର ସରକାର ଧାନର ଏମ୍ଏସ୍ପି ଅଧିକ ବୃଦ୍ଧି କରିଥାନ୍ତେ, ତେବେ ରାଜ୍ୟ ସରକାର ଇନପୁଟ୍ ସହାୟତା ବାବଦରେ ଯେଉଁ ଅତିରିକ୍ତ ଅର୍ଥବୋଝ ମୁଣ୍ଡାଉଛନ୍ତି, ସେଥିରୁ ଅନେକାଂଶରେ ମୁକ୍ତି ପାଇଥାନ୍ତେ। ସୂଚନାଯୋଗ୍ୟ ଯେ, ୨୦୧୭ ମସିହା ମାର୍ଚ୍ଚ ୨୫ ତାରିଖ ଠାରୁ ଓଡ଼ିଶା ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୨୯୩୦ ଟଙ୍କା କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ବିଜେପି ମଧ୍ୟ ନିଜର ସମ୍ମତି ପ୍ରକାଶ କରିଥିଲା। ଏବେ କେନ୍ଦ୍ର ସରକାର କଳାରାଶି ୮୨୦ ଟଙ୍କା, କପା ୫୮୯ ଟଙ୍କା ବଢିଲା, ହେଲେ ଧାନ ବେଳକୁ ସରକାର ଚାଷୀଙ୍କୁ ଧୋକା ଦେଲେ।
ଅପରପକ୍ଷରେ ଧାନ ବ୍ୟତୀତ ଅନ୍ୟ ଖରିଫ ଫସଲର ଏମ୍ଏସ୍ପିରେ ଆଖିଦୃଶିଆ ବୃଦ୍ଧି କରିଛନ୍ତି ସରକାର। କଳାରାଶି କୁଇଣ୍ଟାଲ ପ୍ରତି ୮୨୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ କପା ୫୮୯ ଟଙ୍କା, ରାଶି ୫୭୯ ଟଙ୍କା, ମାଣ୍ଡିଆ ୫୯୬ ଟଙ୍କା, ଚିନାବାଦାମ ୪୮୦ ଟଙ୍କା, ସୂର୍ଯ୍ୟମୁଖୀ ୪୪୧ ଟଙ୍କା, ସୋୟାବିନ୍ ୪୩୬ ଟଙ୍କା, ହରଡ଼ ୪୫୦ ଟଙ୍କା, ବିରି ୪୦୦ ଟଙ୍କା ଆଦି ବୃଦ୍ଧି କରାଯାଇଛି। ମାତ୍ର ଧାନ ପ୍ରତି ଏତେ ଅବିଚାର କାହିଁକି ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବହାତୀ ଯାଦବ ପ୍ରଶ୍ନ କରିଛନ୍ତି। ପ୍ରତିବର୍ଷ ମଜୁରି ସହ ପେଟ୍ରୋଲ, ଡିଜେଲ ଏବଂ ସାର, କୀଟନାଶକ ଦର ବୃଦ୍ଧି ହେଉଛି, ମାତ୍ର ସେହି ଅନୁସାରେ ଧାନର ସର୍ବନିମ୍ନ ସହାୟମ ମୂଲ୍ୟ ବୃଦ୍ଧି ହେଉନାହିଁ, ଯାହା ଚାଷୀକୂଳ ପ୍ରତି ଉପହାସ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅତି କମ୍ରେ ୩୦୦୦ ଟଙ୍କା ସହ ବୋନସ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କୃଷିଋଣ ଛାଡ଼, ଚାଷୀଙ୍କୁ ଏଫକ୍ୟୁ ମାନର ବିହନ, ସାର, କୀଟନାଶକ ଭଳି ଅତ୍ୟାବଶ୍ୟକ କୃଷି ସରଞ୍ଜାମ ଗୁଡ଼ିକୁ ସରକାରୀ ରିହାତି ମୂଲ୍ୟରେ ଯେଗ।।ଇବା ସହ ଧାନ କିଣା ସମୟରେ ଲଘୁଚାପ ଜନିତ ବର୍ଷା ଓ ମୌସୁମୀର ଆଗମନ ଯୋଗୁ ଧାନ ଫସଲ ଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହେଉଛି। ସେଥିପାଇଁ ସରକାର ଧାର୍ଯ୍ୟ କରିଥିବା ୧୬ ପ୍ରତିଶତ ଏଫ୍କ୍ୟୁ ମାନକୁ କୋହଳ କରି ଚାଷୀଙ୍କ ସମସ୍ତ ଧାନକୁ ନିର୍ବିବାଦରେ କିଣିବା ସହ ହାନୀ ହୋଇଥିବା ଫସଲର କ୍ଷୟକ୍ଷତିର ଆକଳନ କରି ଉଚିତ୍ କ୍ଷତିପୂରଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବାକୁ ସଭାପତି ଶିବହାତୀ ଯାଦବ ସରକାରଙ୍କ ନିକଟରେ ଦୃଢ ଦାବି କରିଛନ୍ତି।