- କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ
- ତେଲେଙ୍ଗାନାର ବାସରରେ ଗୋଦାବରୀ ନଦୀରେ ବୁଡିବା କାରଣରୁ ହାଇଦ୍ରାବାଦର 5ଜଣ ଯୁବକଙ୍କ ମୃତ୍ୟୁ
- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ରାଜକୋଟରେ ଆଜି ହେବ ଅନ୍ତିମ ସଂସ୍କାର
- ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ରାଜ୍ୟର ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଉତ୍ତର ପ୍ରଦେଶରେ ଭୟାବହ ସଡକ ଦୁର୍ଘଟଣାରେ 5 ମୃତ, ଜଣେ ଆହତ
ଏସବିଆଇ ରିସର୍ଚ୍ଚ ରିପୋର୍ଟ : ୧୨ ବର୍ଷରେ ଭାରତର ଗ୍ରାମୀଣ ଦାରିଦ୍ର୍ୟ ହାର ୨୫.୭%ରୁ ୪.୮୭%କୁ ହ୍ରାସ

ନୂଆଦିଲ୍ଲୀ :ଦେଶରେ ୨୦୨୪ ଆର୍ଥିକ ବର୍ଷରେ ଗ୍ରାମୀଣ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ୪.୮୬%ରେ ପହଞ୍ଚିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ସଦ୍ୟତମ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ହାର ୨୦୨୩ରେ ୭.୨% ଏବଂ ୨୦୧୨ରେ ୨୫.୭% ରହିଥିଲା। ସେହିପରି ସହରୀ ଦାରିଦ୍ର୍ୟ ହାର କମି ୪.୦୯%ରେ ପହଞ୍ଚିଥିବା ଏସବିଆଇର ଉପଭୋକ୍ତା ବ୍ୟୟ ସର୍ବେକ୍ଷଣରେ ଦର୍ଶାଯାଇଛି । ସାମଗ୍ରିକ ଭାବେ ଦାରିଦ୍ର୍ୟ ୪-୪.୫% ସ୍ତରକୁ ଖସି ଆସିଛି ।
ସରକାରୀ ସହାୟତା, ଉପଭୋକ୍ତା ବ୍ୟୟ ବୃଦ୍ଧି, ଖାଦ୍ୟ ମୂଲ୍ୟ ପରିବର୍ତ୍ତନ କେବଳ ଖାଦ୍ୟଜନିତ ବ୍ୟୟ ନୁହେଁ ବରଂ ସାମଗ୍ରିକ ବ୍ୟୟ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି । ସର୍ବନିମ୍ନ ଖୁଚୁରା ମୂଲ୍ୟକୁ ଆଧାର କରି ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ସୀମା ୨୦୨୩-୨୪ ଆର୍ଥିକ ବର୍ଷରେ ୧୬୩୨ ଟଙ୍କା ରହିଥିବା ବେଳେ ସହରାଞ୍ଚଳରେ ୧୯୪୪ ଟଙ୍କା ରହିଥିବା ଏନଏସଏସଓ ରିପୋର୍ଟକୁ ଉଲ୍ଲେଖ କରି ଏସବିଆଇ ପକ୍ଷରୁ କୁହାଯାଇଛି । ୨୦୧୧-୧୨ରେ ଏହା ଯଥାକ୍ରମେ ୮୧୬ ଏବଂ ୧୦୦୦ ଟଙ୍କା ଥିଲା । ଉପଭୋକ୍ତା ଖର୍ଚ୍ଚ ବୃଦ୍ଧି କାରଣରୁ ଗ୍ରାମୀଣ ଦାରିଦ୍ର୍ୟ ଅନୁପାତ ୨୦୨୩-୨୪ରେ ପୂର୍ବବର୍ଷ ତୁଳନାରେ ୦-୫% ହ୍ରାସ ପାଇଛି ।
ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ମାସିକ ମୁଣ୍ଡପିଛା ଉପଭୋକ୍ତା ବ୍ୟୟ (ଏମପିସିଇ) ହାରରେ ରହିଥିବା ତାରତମ୍ୟ ହ୍ରାସ ପାଇଛି । ୨୦୦୯-୧୦ରେ ଏହା ୮୮.୨ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ୬୯.୭ ପ୍ରତିଶତକୁ ହ୍ରାସ ପାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର(ଡିବିଟି) ଭଳି ସରକାରୀ ଯୋଜନା, ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଜୀବିକାରେ ସାମଗ୍ରିକ ସୁଧାର କାରଣରୁ ଏହି ତାରତମ୍ୟ କମିଛି ।
ଭୌତିକ ଭିତ୍ତିଭୂମିରେ ଉନ୍ନତି କାରଣରୁ ଗ୍ରାମୀଣ ପରିବହନ ସୁଧାର ଆସିଛି ଫଳରେ ଏହା ଗ୍ରାମାଞ୍ଚଳର ସମୃଦ୍ଧି ପାଇଁ ମାର୍ଗପ୍ରଶସ୍ତ କରିଛି । ୨୦୧୪-୧୫ ଠାରୁ ୨୦୨୨-୨୩ ମଧ୍ୟରେ ଦେଶରେ ଦେଢ଼ ଲକ୍ଷ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୭ ଲକ୍ଷ କିଲୋମିଟରରୁ ଅଧିକ ଲମ୍ବା ସଡ଼କ ନିର୍ମାଣ କରାଯାଇଛି। ମାସିକ ମୁଣ୍ଡ ପିଛା ଉପଭୋକ୍ତା ବ୍ୟୟକୁ ଅନୁଧ୍ୟାନ କଲେ ୨୦୦୪-୦୫ ତୁଳନାରେ ୨୦୨୩-୨୪ରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ବ୍ୟବଧାନ ୮୮.୨%ରୁ ୬୯.୭%କୁ ହ୍ରାସ ପାଇଛି । ଏ କ୍ଷେତ୍ରରେ ବିହାର, ରାଜସ୍ଥାନ ଭଳି ରାଜ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି।
ପାରିବାରିକ ବଜେଟ୍ରେ ଅଣ-ଖାଦ୍ୟ ସାମଗ୍ରୀ ବାବଦ ବ୍ୟୟ ବୃଦ୍ଧି ପାଇଥିବା ଏସବିଆଇ ରିପୋର୍ଟରେ କୁହାଯାଇଛି । ଏହା ୨୦୧୧-୧୨ରେ ୪୭.୪ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ଏହା ୫୨.୯୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ସହରାଞ୍ଚଳରେ ଏହା ୫୭.୩୮ ପ୍ରତିଶତରୁ ୬୦.୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଉପଭୋକ୍ତାଙ୍କ ମଧ୍ୟରେ ଆର୍ଥିକ ଦୃଢ଼ତାକୁ ଦର୍ଶାଉଛି କାରଣ ସେମାନେ ମୌଳିକ ଆବଶ୍ୟକତା ବାଦ୍ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସମ୍ବଳ ପାଇପାରୁଛନ୍ତି ।