- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କେନ୍ଦ୍ର ବଜେଟ ଜନବିରୋଧୀ ଓ ଅଭିବୃଦ୍ଧି ବିରୋଧୀ
ଦୁଇ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଓ ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଆଗତ କରାଯାଇଥିବା ୨୦୨୫-୨୬ର କେନ୍ଦ୍ର ବଜେଟ ଦେଶ ତଥା ଦେଶବାସୀଙ୍କ ମୌଳିକ ସମସ୍ୟା ପ୍ରତି ଆଖି ବୁଜି ଦେଇଛି। ବହୁ ଆଡମ୍ବର, ଲଘୁ କ୍ରିୟା ହେଉଛି ଏହି ବଜେଟର ସ୍ୱରୂପ।
ଦେଶର ଯୁବ ସମାଜ ମଧ୍ୟରେ ବେକାର ରହିଥିବା ଶତକଡା ୮୩ ଭାଗ ଯୁବକ-ଯୁବତୀଙ୍କୁ ଏହି ବଜେଟ ଦେଇଛି ନିଷ୍ଠୁର ପ୍ରତାରଣାର ଭେଟି। କେନ୍ଦ୍ର ସରକାରୀ କିମ୍ବା ରାଷ୍ଟ୍ରାୟତ ଉଦ୍ୟୋଗରେ ଖାଲିଥିବା ପଦବୀ ପୂରଣ ସମେତ କର୍ମନିଯୁକ୍ତିର ସୁଯୋଗ ସମ୍ପ୍ରସାରଣ ପାଇଁ ବଜେଟରେ କୌଣସି ପ୍ରସ୍ତାବ ନାହିଁ।
କୃଷିର ବିକାଶ ପାଇଁ ବହୁ ବଡ ବଡ କଥା କୁହା ଯାଇଥିଲେ ମଧ୍ୟ ଚାଷୀ କିମ୍ବା ଭାଗଚାଷୀଙ୍କ ମୌଳିକ ସମସ୍ୟା ପ୍ରତି ଆଖି ବୁଜି ଦିଆଯାଇଛି। ନା ଏଥିରେ ଅଛି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଇଁ ଆଇନ ପ୍ରଣୟନର ପ୍ରତିଶ୍ରୁତି, ନା ଅଛି ଏହାକୁ (ଏମଏସପି) ନିର୍ଦ୍ଧାରଣ ପାଇଁ ଅନୁସୃତ ସୂତ୍ରର ସଂଶୋଧନ ପାଇଁ ସଂକଳ୍ପ। ଚାଷୀ ଆତ୍ମହତ୍ୟାର ପୁଣି ଏକ ଜୁଆର ଯେତେବେଳେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି, ସେତେବେଳେ କୃଷି ଋଣ ଛାଡ କରିବା ପ୍ରସଙ୍ଗଟିକୁ ବଜେଟରେ ସମ୍ପୂର୍ଣ୍ଣ ଭାବେ ଏଡାଇ ଦିଆଯାଇଛି।
ଶ୍ରମଜୀବୀ ମାନଙ୍କ କଲ୍ୟାଣ ପାଇଁ ସର୍ବନିମ୍ନ ପେନସନର ପରିମାଣ ବୃଦ୍ଧି ଦାବିକୁ ଏହି ବଜେଟରେ ପୁଣିଥରେ ଫାଙ୍କି ଦିଆଯାଇଛି। ଅଧିକ ସମୟ କାମ, କମ ମଜୁରୀ, ବଞ୍ଚିପାରିଲା ଭଳି ପେନସନର ଅଭାବ ଏକବିଂଶ ଶତାବ୍ଦୀର ଶ୍ରମିକକୁ ଅସହାୟତା ମଧ୍ୟକୁ ଠେଲି ଦେଇଛି। ଆୟ କରରେ ଦିଆଯାଇଥିବା ରିହାତିକୁ ନେଇ ମଧ୍ୟବିତ୍ତଙ୍କ ମଧ୍ୟରେ କିଛି ଉଲ୍ଲାସ ସୃଷ୍ଟି ହୋଇପାରେ, ମାତ୍ର ଆଗାମୀ ସପ୍ତାହରେ ( ମଧ୍ୟବିତ୍ତ ବହୁଳ ଦିଲ୍ଲୀ ନିର୍ବାଚନ ଶେଷ ହେବାପରେ) ଆଗତ ହେବାକୁ ଥିବା ଆୟକର ଆଇନ ସରକାରଙ୍କ ଚରିତ୍ରକୁ ସ୍ପଷ୍ଟ କରିଦେବ।
ଗତକାଲି ସଂସଦରେ ଆଗତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ଅଭିବୃଦ୍ଧିର ମନ୍ଥରତାକୁ ସ୍ପଷ୍ଟ କରିଥିଲା ବେଳେ ୨୦୨୫-୨୬ ର ବଜେଟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାରେ ବ୍ୟର୍ଥ ହେବା ଯେ ସୁନିଶ୍ଚିତ ତାହା ଆଦୌ ବିତର୍କର ବିଷୟ ହୋଇପାରେନା। ଏହା ସହିତ ଏହି ବଜେଟ କର୍ମନିଯୁକ୍ତିର ସମ୍ପ୍ରସାରଣ, ଲୋକଙ୍କ ଆୟ ବୃଦ୍ଧି ତଥା ଖାଉଟିମାନଙ୍କ ସାମଗ୍ରିକ ଉପଭୋଗ ବୃଦ୍ଧି କରିବାରେ ମଧ୍ୟ ବ୍ୟର୍ଥ ହେବ। ତେଣୁ ଏହି ବଜେଟ ହେଉଛି ଜନ ବିରୋଧୀ ଏବଂ ଅଭିବୃଦ୍ଧି ବିରୋଧୀ ବୋଲି ସିପିଆଇ(ଏମ୍) ଜିଲ୍ଲା କମିଟି ସମ୍ପାଦକ ଗୟାଧର ଧଳ ଅବିହିତ କରିଛନ୍ତି।