- ରାଇସିନା ଡାଇଲଗ ପାଇଁ ପହଂଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ଆଜି ଉଦଘାଟନ କରିବେ ପିଏମ ମୋଦି
- ମୁମ୍ବାଇ ଏୟାରପୋର୍ଟରୁ 3.67 କୋଟି ଟଙ୍କାର ସୁନା ତସ୍କରୀର ପର୍ଦ୍ଦାଫାଶ, 4 ଗିରଫ
- ଭାରତ ବିଶ୍ୱର ପଞ୍ଚମ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ: କଂଗ୍ରେସ ବାୟୁ ଗୁଣବତ୍ତା ରିପୋର୍ଟକୁ ନେଇ ମୋଦୀ ସରକାରଙ୍କୁ ...
- ପାଣ୍ଡରା ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ମାଛ ମାର୍କେଟ, ପ୍ରସ୍ତାବିତ ମାର୍କେଟ ସ୍ଥାନ ପରିଦର୍ଶନ କଲେ ପ୍ରିୟଦର୍ଶୀ ...
- ଭୁବନେଶ୍ବରରେ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର
ବଡ଼ସାଇମରା ଧାନମଣ୍ଡି ପାଚେରୀ ଭାଙ୍ଗି ହାତୀପଲଙ୍କ ୧୪ଚାଷୀଙ୍କ ୭୮ବସ୍ତା ଧାନ ନଷ୍ଟ

ବଲାଙ୍ଗିର, 4 ଜାନୁଆରି :ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲରେ କିଛି ଦିନ ହେଲା ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ ଜାରି ରହିଥିବା ବେଳେ ଏବେ ଏହି ହାତୀପଲ ଜନବସତି ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ଏହି ହାତୀପଲ ବଡ଼ସାଇମରା ପଞ୍ଚାୟତ ପଛପଟେ ଥିବା ଧାନମଣ୍ଡିର ପୁରୁଣା ପାଚେରୀ ଭାଙ୍ଗି ଭିତରକୁ ପଶି ୧୪ଜଣ ଚାଷୀଙ୍କ ୭୮ବସ୍ତା ଧାନ ନଷ୍ଟ କରିଛନ୍ତି । ମଣ୍ଡିରେ ମୋଟ ୫୨ଜଣ ଚାଷୀଙ୍କ ଧାନ ଗଚ୍ଛିତ ଥିବା ବେଳେ ସେଥି ମଧ୍ୟରୁ ୧୪ଚାଷୀଙ୍କ ୭୮ବସ୍ତା ଧାନ ନଷ୍ଟ ହୋଇଛି । ମଣ୍ଡିରେ ଲାଗିଥିବା ସିସିଟିଭି ଅନୁଯାୟୀ ହାତୀପଲ ରାତି ୧୧ଟାରେ ପାଚେରୀ ଭାଙ୍ଗି ଭିତରକୁ ପଶି ଧାନ ନଷ୍ଟ ସହ ଧାନରେ ମଳତ୍ୟାଗ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ପାଚେରୀ ଭାଙ୍ଗିବା ଶବ୍ଦ ଶୁଣି ମଣ୍ଡିରେ ଶୋଇଥିବା ଜଣେ ବ୍ୟକ୍ତି ଉଠିପଡ଼ି ହାତୀ ଆସି ଉତ୍ପାତ କରୁଥିବା ଜାଣିପାରିଥିଲେ । କ୍ଷତିଗ୍ରସ୍ତ ଧାନ ଚାଷୀମାନେ କ୍ଷତିପୂରଣ ଦେବାକୁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି । ପୁର୍ବରୁ ସୋମବାର ଦିନ ରାତିରେ ଏହି ହାତୀପଲ ଗୁଡ଼ିଘାଟ ବିଟ୍ ବାରବନ୍ଧ ଗ୍ରାମର ସୁମନ ନାଏକ (୪୦) ନାମକ ଜଣେ ଚାଷୀଙ୍କ ଘର ଭାଙ୍ଗିଦେବା ସହ ୨୨ବସ୍ତା ଅମଳ ଧାନ ଖାଇଦେଇଥିଲେ । ଚାଷୀଙ୍କ ଜମିରେ ଥିବା ଏକ ସୋଲାର ବୋରୱେଲ ଓ ସୋଲାର ପ୍ଲେଟକୁ ଭାଙ୍ଗି ଦେଇଥିବା ବେଳେ ସେଠାରେ ରଖାଯାଇଥିବା ୟୁରିଆ ସାରକୁ ମଧ୍ୟ ହାତୀ ଖାଇ ଦେଇଥିବା ଚାଷୀ ଅଭିଯୋଗ କରିଥିଲେ । ମଙ୍ଗଳବାର ରାତିରେ ଏହି ହାତୀପଲ ଖରବାହାଲି ଗ୍ରାମର ୨ ଜଣ ଚାଷୀଙ୍କ ଖଳାରେ ଥିବା ବହୁ ଧାନ ଖାଇ ନଷ୍ଟ କରିଦେଇଥିଲେ । ହାତୀପଲ ପାଚେରୀ ଭାଙ୍ଗି ଧାନମଣ୍ଡିକୁ ପଶି ଧାନ ନଷ୍ଟ କରିବା ସମ୍ପର୍କରେ ବଡ଼ସାଇମରା ପେକ୍ସ ସିଇଓ ବନମାଳୀ ଖମାରୀଙ୍କୁ ପଚାରିବାରୁ ଶେଷ ଆକଳନ ସୁଦ୍ଧା ୧୪ ଚାଷୀଙ୍କ ୭୮ବସ୍ତା ନଷ୍ଟ ହୋଇଥିବା ସେ ପ୍ରକାଶ କରିଥିଲେ । ଘଟଣାସ୍ଥଳକୁ ପହଞ୍ଚିଥିବା ତହସିଲଦାର ଜଗଦୀଶ କର୍ତ୍ତାମିଙ୍କୁ ପଚାରିବାରୁ ଚାଷୀଙ୍କ କ୍ଷୟକ୍ଷତି ରିପୋର୍ଟ ଅନୁସାରେ ସେମାନଙ୍କୁ କ୍ଷତିପୂରଣ ଦେବାକୁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ମୁରିବାହାଲ ବନାଞ୍ଚଳ ଅଧିକାରୀ ଶିବ ପ୍ରସାଦ ନାଏକଙ୍କୁ ପଚାରିବାରୁ ୧୩ ଟିକିଆ ହାତୀପଲ ବହୁ ଦୂରରେ ଥିବା ବେଳେ ଗତରାତିରେ ମଣ୍ଡିରେ ପଶି ବ୍ୟାପକ ଧାନ ନଷ୍ଟ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ହାତୀ ବଡସାଇମରା ଆଖପାଖରେ ଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ହାତୀପଲଙ୍କ ଆତଙ୍କ ଯୋଗୁଁ ବହୁ ଅଞ୍ଚଳରୁ ଦିନ ଦିନ ଧରି ବିଦ୍ୟୁତ୍ ସରବରାହ ବନ୍ଦ କରାଯାଉଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତୁରନ୍ତ ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବାକୁ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବୀ ହୋଇଛି ।