ଦୋଳିତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ମା, ବାପା, ପୁଅ ମୃତ

ଚମ୍ପୁଆ, ୧୫ ମାର୍ଚ୍ଚ - ଚମ୍ପୁଆ ଥାନା ଅନ୍ତର୍ଗତ ଦୋଳିତା ଛକ ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଏକ ଟ୍ରକ ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଦୋଳିତା ଛକ ସ୍ଥିତ ଜ୍ୱାଇଁ ସୁବ୍ରତ କୁମାର ଯାଦବଙ୍କ ଘରକୁ ଆସୁଥିବା ବେଳେ ଜ୍ୱାଇଁ ଘର ସମ୍ମୁଖରେ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ଶ୍ଵଶୁରଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଶାଶୁ ଓ ଶଳାକୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଅଣାଯାଇଥିଲା। ମାତ୍ର ଡାକ୍ତର ଶାଶୁଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଶଳାକୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶଳାର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଚମ୍ପୁଆ ଥାନା ଅନ୍ତର୍ଗତ ସାନନଈ ଗ୍ରାମର ଐବନ ପ୍ରଧାନ, ସ୍ତ୍ରୀ ମଥାମଣି ପ୍ରଧାନ ଓ ପୁଅ ସଚ୍ଚିଦାନନ୍ଦ ପ୍ରଧାନ ଦୋଳିତା ଗ୍ରାମର ତାଙ୍କ ଜ୍ୱାଇଁ ସୁବ୍ରତ କୁମାର ଯାଦବଙ୍କ ଘର ଲୋକଙ୍କ ସାଥିରେ ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାକୁ ଯିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ସାନନଈ ଗ୍ରାମରୁ ଐବନ ପ୍ରଧାନ ସ୍ତ୍ରୀ ଙ୍କୁ ନେଇ ବାଇକ ଯୋଗେ ଜ୍ୱାଇଁ ଘରକୁ ଆସୁଥିବା ବେଳେ ପୁଅ ସଚ୍ଚିଦାନନ୍ଦ ପ୍ରଧାନ ଜ୍ୱାଇଁ ଘର ସାମ୍ନାରେ ମା, ବାପାଙ୍କ ଅପେକ୍ଷାରେ ଛିଡା ହୋଇଥିଲେ। ତେବେ ୨୦ ନମ୍ବର ଜାତୀୟ ରାଜପଥ ଦୋଳିତା ଛକ ନିକଟରେ ଜ୍ୱାଇଁ ଘରକୁ ପହଞ୍ଚି ପୁଅ ନିକଟରେ ବାଇକ ଛିଡା କରିବା ସମୟରେ ରିମୁଳି ପଟୁ ବେପରୁଆ ଭାବେ ଦୃତ ଗତିରେ ଆସୁଥିବା ଏକ ଟ୍ରକ ନଂ ଓଡି ୦୯ କେ ୭୭୪୯ ହଠାତ ଧକ୍କା ଦେଇ ବାଇକ ସହିତ ତିନି ଜଣ ମା, ବାପା, ପୁଅଙ୍କୁ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ଐବନଙ୍କ ମୃତ୍ଯୁ ଘଟିଥିଲା। ମା, ପୁଅ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ଡାକ୍ତର ମଥାମଣିଙ୍କୁ ମୃତ ଘୋଷଣା କରିଥିବା ବେଳେ ସଚ୍ଚିଦାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଦୋଳିତା ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛକ ନିକଟ ରାସ୍ତା କଡରେ ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ଆଦି ରହିଛି। ଫଳରେ ଛକରେ ସବୁବେଳେ ଲୋକଙ୍କ ଭିଡ଼ ଲାଗି ରହୁଥିବା ବେଳେ ରାସ୍ତାରେ ଦ୍ରୁତ ଗତିରେ ଭାରୀଯାନ ଚଳାଚଳ କରୁଥିବାରୁ ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଏଠାରେ ହମ୍ପସ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ବିଭାଗ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରି ଲୋକମାନେ ଦୋଳିତା ଛକରେ ହମ୍ପସ ନିର୍ମାଣ ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବୀରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ସମାଧାନ ନ ହେବାରୁ ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁ, ଚମ୍ପୁଆ ତହସିଲଦାର ସଜତ ମାର୍କି ଓ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଲୋକଙ୍କୁ ବୁଝା ସୁଝା କରିବା ପରେ ପ୍ରାୟ ସକାଳ ୧୦ଟା ସମୟରେ ଲୋକେ ରାସ୍ତା ରୋକରୁ ଓହରି ଥିଲେ। ଅନ୍ୟପଟେ ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ପୋଲିସ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।