ଭଦ୍ରକର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ମନୋଜ ରାଉତଙ୍କ ଦାୟିତ୍ୱ ଗ୍ରହଣ, ଡ୍ରଗ୍ସ, କୋଇଲା କାରବାର ଓ ଟ୍ରାଫିକ୍ ସମସ୍ୟା ଉପରେ ଫୋକସ୍

FMNEWS.IN 07-06-2025
Manoj Rout takes charge as new Superintendent of Police of Bhadrak, focus on drugs, coal trafficking and traffic problems

ଭଦ୍ରକ:ବିଗତ କିଛିବର୍ଷ ଧରି ଆଇନ୍ ଶୃଙ୍ଖଳାରେ ଅରାଜକତା ବୃଦ୍ଧି ପାଇଆସୁଛି। ଜିଲାରେ ଚୋରି ଡକାୟତି, ଡ୍ରଗ୍ସ କାରବାର, ମାଦକ ଦ୍ରବ୍ୟର ବିପୁଳ ପ୍ରସାର, ରାହାଜାନୀ ଓ ହତ୍ୟାକାଣ୍ଡ ବ୍ୟତୀତ ଟ୍ରାଫିକ୍ ସମସ୍ୟା ଓ କୋଇଲା ମାଫିଆଙ୍କ ଉତ୍ପାତ ଭଳି ଗୁରୁତର ସମସ୍ୟା ଭଦ୍ରକ ଜିଲାକୁ ଆଛନ୍ନ କରି ରଖିଛି। ଏହି ଜଟିଳ ପରିସ୍ଥିତିରେ ଜିଲାର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳାକୁ ସୁଧାରିବା ପାଇଁ ଆଜି ଜିଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ମନୋଜ ରାଉତ ବିଦାୟୀ ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବହୁ ଚର୍ଚ୍ଚିତ ଚେହେରା ଶ୍ରୀ ରାଉତ ଜିଲାରେ ନୂଆ ନୁହଁନ୍ତି। ତାଙ୍କର ଚାକିରୀ କାଳର ଅର୍ଦ୍ଧାଧିକ ସମୟ ସେ ବିଭିନ୍ନ ପଦପଦବୀରେ ଏହି ଜିଲାରେ ବିତାଇଛନ୍ତି। ଦକ୍ଷ ପୁଲିସ୍ ଅଧିକାରୀ ଓ ସବୁ ମଣିଷଙ୍କର ସେ ଥିଲେ ପ୍ରିୟ ମନୋଜ ବାବୁ। ଆଜି ତାଙ୍କର ନୂଆ ନିଯୁକ୍ତିକୁ ଭଦ୍ରକ ଜନସାଧାରଣ ବିଭିନ୍ନ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ସ୍ୱାଗତ କରିଛନ୍ତି। ପ୍ରକାଶ ଥାଉକି ଶ୍ରୀ ରାଉତ ଭଦ୍ରକରେ ବିଭିନ୍ନ ପଦପଦବୀରେ ଥିବା ସମୟରେ ସଂପୃକ୍ତ ଥାନା ଅଂଚଳରେ ଶାନ୍ତିଶୃଙ୍ଖଳା ସଜାଡିବାରେ ବେଶ୍ ଧୁରନ୍ଧର ଥିଲେ। ତାଙ୍କର ଦକ୍ଷତାର ମାପକାଠି ଥିଲା ସଚ୍ଚୋଟତା, ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ, ମଦ ଓ ଡ୍ରଗସ କାରବାର ରୋକିବା, ଦ୍ରୁତ ଗାଡି ଚାଳକଙ୍କୁ ସାବାଡ କରିବା, ପକେଟ୍ ମାର ଓ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ର ବିଶୃଙ୍ଖଳାକୁ ରୋକିବା ଓ ରୋଡ୍ ରୋମିଓଙ୍କୁ ଦଣ୍ଡଦେବା ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଜନସାଧାରଣଙ୍କ ନିକଟରେ ପ୍ରିୟଭାଜନ କରାଇଥିଲା। ତାଙ୍କର ଦକ୍ଷତା, କର୍ମନିଷ୍ଠା ଓ କାର୍ଯ୍ୟ କୁଶଳତାକୁ ଆଧାର କରି ଭଦ୍ରକ ଭଳି ଏକ ସମ୍ବେଦନଶୀଳ ଜିଲାକୁ ରାଜ୍ୟ ସରକାର ତାଙ୍କୁ ଆରକ୍ଷୀ ଅଧୀକ୍ଷକ ଭାବେ ନିଯୁକ୍ତି ଦେବା ପରେ ଜିଲାବାସୀ ଆଶ୍ୱସ୍ତ ହୋଇଛନ୍ତି। ଭଦ୍ରକର ଅପରାଧ ଇତିହାସ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ସଂପର୍କରେ ଭଲଭାବରେ ତାଙ୍କୁ ଜଣା। ଶ୍ରୀ ରାଉତ ଆଜି କାର୍ଯ୍ୟରେ ଯୋଗଦେବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଦେଇଥିବା ସାକ୍ଷାତକାରରେ ଭଦ୍ରକ ସମଗ୍ର ରାଜ୍ୟରେ ଏକ ସମ୍ବେଦନଶୀଳ ଜିଲା ଭାବେ ପରିଚିତ ବୋଲି କହିବା ସହ ଭଦ୍ରକରେ ସାମ୍ପ୍ରଦାୟିକ ସଦ୍ଭାବନା ଓ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ସେ ଜନସାଧାରଣଙ୍କର ସହଯୋଗ କାମନା କରିଥିଲେ। ବିଶେଷକରି ଜିଲାରେ ଡ୍ରଗ୍ସ ଓ କୋଇଲା ଚୋରି କାରବାରକୁ ରୋକିବାରେ ଅଧିକ ଗୁରୁତ୍ୱ ଦେବେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଦିଗରେ ସେ ବିଶେଷ ଦୃଷ୍ଟି ଦେବେ ବୋଲି କହିଛନ୍ତି। ତେବେ ପୂର୍ବର ଆଇଆଇସି ମନୋଜ ବାବୁ ବର୍ତମାନ ଜିଲା ଆରକ୍ଷୀ ଅଧୀକ୍ଷକ ହେବା ପରେ ପୂର୍ବଭଳି କାର୍ଯ୍ୟ କରିବାର ଅଭ୍ୟାସ ବଜାୟ ରହିବ କି ନାହିଁ, ତାହା ସମୟ କହିବ।