- ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ
- ପାକିସ୍ତାନକୁ ଚେତାବନୀ- ସାମରିକ ଆକ୍ରମଣ କଲେ ମିଳିବ କଠୋର ଜବାବ
- ସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ, ମନ୍ତ୍ରାଳୟ ଓ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ ଉପରେ ଦେଲେ ଗୁରୁତ୍ୱ
- ଇସ୍ରାଏଲୀ ଡ୍ରୋନରେ ଲାହୋରରେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ୱଂସ କଲା ଭାରତ
- ଅପରେସନ ସିନ୍ଦୂର- ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଶହେରୁ ଅଧିକ ଆତଙ୍କବାଦୀ ନିହତ
ଭକ୍ତମାନଙ୍କ କୃପାରୁ ମାଲାମାଲ!

ଜଗଦାନନ୍ଦ ପ୍ରଧାନ
ସଂପାଦକ,ଫାଷ୍ଟମେଲ
ଭକ୍ତମାନଙ୍କର ମହାନ କୃପା । ଏହି ଭକ୍ତମାନଙ୍କ ମଧ୍ୟରେ ଜଣେ ବଡ ଭକ୍ତ ହେଊଛନ୍ତି ମାନନୀୟା କଙ୍ଗନା ରଣାୱତ । ତାଙ୍କର ସୁବଚନ ବାବାମାନଙ୍କର ସୁବଚନଠାରୁ ବି ଅଧିକ ଲୋକପ୍ରିୟ । ମହୋଦୟା ନିକଟରେ କହିଛନ୍ତି ,ଚନ୍ଦ୍ରରେ ଗୋଟିଏ ଦାଗ ଅଛି କିନ୍ତୁ ମୋଦୀ ଜୀଙ୍କ ଠାରେ ଗୋଟିଏ ମଧ୍ୟ ଦାଗ ନାହିଁ !ଆହାଃ ଆହାଃ କେତେ ଅନୁପମ ଆବିଷ୍କାର, କେତେ କାବ୍ୟାତ୍ମକ ଚିନ୍ତା ଏହି ମହାନ ମହିୟସୀ ଭକ୍ତଙ୍କର ! ଭକ୍ତଙ୍କର ଏହି ବାଣୀ ଶୁଣି ଖୋଦ୍ ମୋଦୀ ଜୀ ନିଶ୍ଚୟ ଖୁସିରେ ଡେଉଁଥିବେ। ସେପଟେ ଚନ୍ଦ୍ର ବିଚାରା ଏହା ଶୁଣିବା ପରେ ହୁଏତ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିବେ କିମ୍ବା ମୋଦୀ ଜୀ ହେବା ପାଇଁ ଆଗେଇବାକୁ ଚିନ୍ତା କରୁଥିବେ ! ଆମ ସୌରମଣ୍ଡଳରେ ଚନ୍ଦ୍ରଙ୍କ ଭଳି ତ ଶହ ଶହ ସଂଙ୍ଖ୍ୟାରେ ଅଛନ୍ତି, କିନ୍ତୁ ସମଗ୍ର ବ୍ରହ୍ମାଣ୍ଡରେ ମୋଦୀଜୀ କେବଳ ଜଣେ ! ଏକୋହମ ଦ୍ୱିତୀୟୋ ନାସ୍ତି ଏବଂ ତାଠାରୁ ଉପରେ - ମାନେ ତାଙ୍କ ନିକଟରେଗୋଟିଏ ଦାଗ ବିନାହିଁ! ସେ ତ ଚନ୍ଦ୍ରଙ୍କ ମଧ୍ୟରେ ଚନ୍ଦ୍ର !
କଙ୍ଗନା ଜୀ ଚାହୁଁଛନ୍ତି ଯେ ତାଙ୍କର ଦାଗ-ରହିତ ଭଗବାନଙ୍କ ମନ୍ଦିର (ମାନେ ମୋଦି ଜୀଙ୍କର ମନ୍ଦିର) ସାରା ଦେଶରେ ନିର୍ମାଣ ହେଉ, ଯାହା ଦ୍ୱାରା ଲୋକେ କେବଳ ତାଙ୍କୁ ପୂଜା କରିପାରିବେ। ତେବେ ସେ ବିଚାରୀ ଜାଣି ନାହାନ୍ତି ଯେ ତାଙ୍କର ଏହି ଭଗବାନଙ୍କର ଦର୍ଶନ ପୂର୍ବରୁବିନା ମନ୍ଦିରରେ ମଧ୍ୟ ପ୍ରତିଦିନ ସକାଳ-ମଧ୍ୟାହ୍ନ-ସନ୍ଧ୍ୟା ଭକ୍ତମାନଙ୍କ ଦ୍ବାରା ହୋଇ ଆସୁଛି।ସାର୍ବଜନୀନ ଶୌଚାଳୟ ପର୍ଯ୍ୟନ୍ତ ଏହି ଦର୍ଶନ ଚାଲିଛି ! କଙ୍ଗନା ଜୀ........ମୂର୍ଖତା ପ୍ରତି ଆପଣଙ୍କର ଏହି ସମ୍ପୂର୍ଣ୍ଣ ଏବଂ ନିରପେକ୍ଷ ସମର୍ପଣ ବନ୍ଦନୀୟ। ସମଗ୍ର ବିଶ୍ୱ ଆପଣଙ୍କର ମୂର୍ଖତାକୁ ଏକ ଦୃଷ୍ଟିରେ ଦେଖୁଛି ଏବଂ ଆପଣଙ୍କର ବୋଧେ ଭ୍ରମ ରହିଛି ଯେ ଆପଣଙ୍କର ଛୋଟ,ଛୋଟ ଭକ୍ତମାନେ ଆପଣଙ୍କର ସୌନ୍ଦର୍ଯ୍ୟର ରସ-ସ୍ୱାଦନ କରୁଛନ୍ତି!
ଆସନ୍ତୁ,ଏବେ ଆଊ ଜଣେ ଜିହାଦୀ ରାମଦେବ ଜୀଙ୍କ କଥା ଶୁଣନ୍ତୁ ।ଏହି ମହାଶୟତ ଦେଶରେ ଅନେକ କିଛି ଜନକଲ୍ୟାଣ କାର୍ଯ୍ୟ କରାଇ ସାରିଛନ୍ତି। ସେ ମୋଦୀଜୀଙ୍କୁ କହିପେଟ୍ରୋଲ ୩୦ ଟଙ୍କା ପ୍ରତି ଲିଟର ପିଛା କରାଇ ପାରିଛନ୍ତି। ଏବେ ନିଜର ଶରବତ ବିକ୍ରି କରିବା ପାଇଁ ଦଶନ୍ଧି ଧରି ବିକ୍ରି ହେଉଥିବା ରୁହଅଫଜା ବିରୁଦ୍ଧରେ ଜିହାଦ ଆରମ୍ଭ କରିଦେଇଛନ୍ତି। ସେ କହୁଛନ୍ତି ଯେ ତାଙ୍କର ସର୍ବତକିଣିଲେ ମସଜିଦ ଏବଂ ମଦରସା ସ୍ଥାପନ ହେବ । ସେ ଏହା କହି ନାହାନ୍ତି ଯେ ତାଙ୍କର କମ୍ପାନୀର ସର୍ବତ କିଣିଲେ ମନ୍ଦିର ଏବଂ ଗୁରୁକୁଳ ଖୋଲିବ।ବାବା ଜଣେ ଚତୁର ବ୍ୟବସାୟୀ ଅଟନ୍ତି। ଏହା ମଧ୍ୟ ଏକ ଆକର୍ଷଣୀୟ ବିଷୟ।
ତାଙ୍କ ବିଷୟରେ ତ ଆହୁରି ଅନେକ କଥା କହିବାର ଅଛି। ତେବେ ଏବେ ଆସନ୍ତୁ ଆମେ ଯୋଗୀ ଜୀଙ୍କ ପାଖକୁ ଏବେ ଯିବା ଯାହାଙ୍କ କୃପାରୁ ରାଜ୍ୟରେ ସବୁଠି ଜିହାଦ ହିଁ ଜିହାଦ ଚାଲିଛି ଏବଂ ଆଗକୁ ମଧ୍ୟ ଏହି ଜିହାଦ ଜାରି ରହିବ । ଲାଟେଷ୍ଟ ଜିହାଦ୍ ହେଲା ସର୍ବତ ଜିହାଦ । ଏହା ମଧ୍ୟ ତାଙ୍କ ରାଜ୍ୟରେ ପହଞ୍ଚିଯିବ।ଏହାପରେମାନନୀୟ ଯୋଗୀ ଜୀ ଏବେ ଗରିବୀ ବିରୁଦ୍ଧରେ ଜିହାଦ ବା ଯୁଦ୍ଧ ଡାକରା ଦେଇଛନ୍ତି। ମାନେ ପୁରା ଊତ୍ତରପ୍ରଦେଶରୁ ଗରିବି ହଟାଇବା ମୁଡରେ ଅଛନ୍ତି। ଆଗାମୀ ତିନି ବର୍ଷ ମଧ୍ୟରେ କାଳେ ଉତ୍ତର ପ୍ରଦେଶରୁ ଗରିବୀକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବାକୁ ପ୍ରତିଜ୍ଞା କରିଛନ୍ତି।
ପ୍ରକୃତରେ ଗରିବୀଭଳି ପ୍ରସଙ୍ଗକୁ - ଯୋଗୀ-ମୋଦୀ ଜୀଙ୍କଭଳି ଆଧ୍ୟାତ୍ମିକ ପୁରୁଷମାନଙ୍କର ଚିନ୍ତାର ବିଷୟ ହେବା ଉଚିତ ନୁହେଁ। କାରଣ ଶୁଣିବାକୁ ମିଳୁଛିମୋଦୀ ଜୀ ସାରା ଦେଶରୁ ଗରିବୀକୁ କେବେଠାରୁ ଦୂର କରି ସାରିଛନ୍ତି ଏବଂ ଯେଉଁଟା ଚନ୍ଦ୍ରରେ ଦାଗ ଭଳି ଏଠେ ସେଠେ ରହିଛି, ତାକୁ ମଧ୍ୟ ୨୦୪୭ ସୁଦ୍ଧା ଦୂର କରିବାକୁ ସେ କୃତ ସଙ୍କଳ୍ପ। ପ୍ରତିଶ୍ରୁତି ଅନୁଯାୟୀ ସେ ଆଊ ମଧ୍ୟ ଗତ ୧୧ ବର୍ଷ ମଧ୍ୟରେ ପ୍ରତି ବର୍ଷ ଦୁଇ କୋଟି ହିସାବରେ ୨୨ କୋଟି ରୋଜଗାର ଦେଇ ସାରିଛନ୍ତି ଏବଂ ୨୦୨୯ ସୁଦ୍ଧା ଆହୁରି ଆଠ କୋଟି ରୋଜଗାରଦେବେ।ଆପଣମାନେ ଜାଣିଥିବେ ପୂର୍ବରୁ ଏହା ବ୍ୟତୀତ ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ୧୫-୧୫ ଲକ୍ଷ ଟଙ୍କା ମଧ୍ୟ ପକାଇ ସାରିଛନ୍ତି। ଅଚ୍ଛେ ଦିନ ତ ସେ ଆଣି ସାରିଛନ୍ତି, ଅମୃତକାଳ ମଧ୍ୟ ଆଣି ସାରିଛନ୍ତି। ଆଉ ବା କଣ କରିବେ - ବିଚାରେ ଦେଶରୁ ଗରିବୀ ଦୂର କରିବା ପାଇଁ? ଯୋଗୀ ଜୀଙ୍କୁ ନିଜର ନେତାଙ୍କ ଉପରେ ମଧ୍ୟ ବିଶ୍ୱାସ ନାହିଁ, ଯଦିଓ ଉତ୍ତର ପ୍ରଦେଶ ସରକାରଙ୍କ ପ୍ରତ୍ୟେକ ବିଜ୍ଞାପନରେ ସେ ପ୍ରଥମେ ମୋଦୀ ଜୀଙ୍କ ଫଟୋ ଚିପକାଇ ତାପରେ ନିଜର ଲଗାଇଥାନ୍ତି!
ସାତ ବର୍ଷ ରାଜ କରିବା ପରେ ଏବେ ଯୋଗି ଜୀଙ୍କୁ ଉତ୍ତର ପ୍ରଦେଶରେ ଗରିବୀ ଦେଖାଯାଉଛି ଏବଂ ସେ ଏହାକୁ ମଧ୍ୟ ଦୂର କରିବାକୁ ଚାହୁଁଛନ୍ତି ! ଘୋର ଆଶ୍ଚର୍ଯ୍ୟର ବିଷୟ ! ଓହୋ, ମନେ ପଡ଼ିଲା ଯେ ତିନି ବର୍ଷ ପରେ ଯୁପିରେ ନିର୍ବାଚନ ଆସୁଛି, ତେଣୁ ମୁଁ ଭାବୁଛି ଗରିବୀ ଭଳି ଗରିବ ଓ ଅଣ-ମୁସଲିମ ବିଷୟ ତାଙ୍କ ମନକୁ ଆସି ଯାଇଛି !
ଯାହା ହେଉ, ଯୋଗୀ ଜୀ, ଆପଣ ଆପଣଙ୍କର ସୁକର୍ମରୁ ଗରିବୀକୁ ବହୁତ ଦୂରକୁ ହଟାଇ ଦେଇ ସାରିଛନ୍ତି! ଆପଣ ସଂବିଧାନର ଶପଥ ନେଇଛନ୍ତି ଠିକ୍ କଥା । କିନ୍ତୁ ଆପଣ ଆପଣଙ୍କର ଦାୟିତ୍ୱକୁ ହିନ୍ଦୁ ଯୁବକମାନଙ୍କ ପର୍ଯ୍ୟନ୍ତ ସୀମିତ ରଖିଛନ୍ତି, ଯାହାକୁ ଆପଣ ଖୁବ ଭଲ ଭାବେ ନିର୍ବାହ ମଧ୍ୟ କରୁଛନ୍ତି। ଆପଣଙ୍କର ସୈନ୍ୟ ସାମନ୍ତ ବା ଯୁବ ସମର୍କଥକମାନେପ୍ରତିଦିନ କେଉଁଠି ନା କେଉଁଠି ଠେଙ୍ଗା, ତଲୱାର, ଫାରସା ହଲାଇ, ଡିଜେ ବଜାଇ, ଶୋଭାଯାତ୍ରା ପରେ ଶୋଭାଯାତ୍ରାର ମଜା ନେଊଛନ୍ତି । କେବେ ମସଜିଦ ଉପରେ, କେବେ ମଜାର ଉପରେ ଭଗୱାଝଣ୍ଡା ଉଡ଼ାଉଛନ୍ତି। କାହାକୁ ମାରୁଛନ୍ତି, କାହାର ଇଜ୍ଜତ ଲୁଟୁଛନ୍ତି ।
ସେମାନଙ୍କର ଗରିବୀ-ବେରୋଜଗାରୀକୁ ଆପଣ ପ୍ରାୟତଃ ଦୂର କରି ସାରିଛନ୍ତି। କାହାକୁ ଆପଣ ଗୋ-ରକ୍ଷା ଉପରେ ମଧ୍ୟ ନିୟୋଜିତ କରିରଖିଛନ୍ତି। ସେହି ମୋର୍ଚ୍ଚାରେ ଯାହା ସମ୍ଭବ ବାଯାହା ଅସମ୍ଭବ, ସବୁ କରିବା ପାଇଁ ଆପଣଙ୍କ ସଂରକ୍ଷଣରେ ସେମାନେ ପୁରା ସ୍ୱାଧୀନ। ସେମାନଙ୍କର ବିଶ୍ୱାସ ରହିଛି ଯେ ସେମାନେ କାହାକୁ ଆକ୍ରମଣ କଲେ ବା ହତ୍ୟା ମଧ୍ୟ କଲେ ସେମାନଙ୍କର ଗୋଟିଏ ବାଳ ମଧ୍ୟ ବଙ୍କା ହେବ ନାହିଁ। କାହାକୁ ଆପଣ ଲଭ ଜିହାଦ ମୋର୍ଚ୍ଚାରେ ଲଗାଇ ରଖିଛନ୍ତି। କାହାକୁ ମସଜିଦ ଆଗରେ ଡିଜେ ବଜାଇବା, ମସଜିଦ ଓ ଦରଗାହରେ ପଶିବା ଉପରେ ମଧ୍ୟ ଲଗାଇ ରଖିଛନ୍ତି। କାହାକୁ ମସଜିଦ ଖୋଳି ମନ୍ଦିର ପ୍ରକଟ କରାଇବା ଉପରେ ଲଗାଇ ରଖିଛନ୍ତି। କାହାକୁ ମୁସଲିମ ବସ୍ତିରେ ବୁଲଡୋଜର ଆମନ୍ତ୍ରଣ କରିବାର ଦାୟିତ୍ୱ ଦେଇ ମଧ୍ୟ ରଖିଛନ୍ତି। ଅର୍ଥାତ୍ ପ୍ରତ୍ୟେକ ବେରୋଜଗାର ହିନ୍ଦୁ ଯୁବକଙ୍କୁ ଆପଣ ଆତ୍ମସମ୍ମାନ ଏବଂ ରୋଜଗାର ଦୁଇଟିର ବ୍ୟବସ୍ଥା କରି ଦେଇଛନ୍ତି। ସମସ୍ତଙ୍କୁ କହି ରଖିଛନ୍ତି ଯେ ହେ ମୋର ବୀର ଯୁବକମାନେ ଆପଣମାନେ ମହାରାଣା ପ୍ରତାପ ଓ ଶିବାଜୀଙ୍କ ସନ୍ତାନ। କର୍ମ କରୁଥାଅ, ଫଳର ଚିନ୍ତା କର ନାହିଁ। ଫଳ ଦେବାବାଲା ମୁଁ ଅଛି ନା......... ଏବଂ ସାଙ୍ଗରେ ମୋଦୀ ଜୀ-ଶାହ ଜୀ ମଧ୍ୟ ଅଛନ୍ତି!
ତେଣୁ ଯୋଗୀ ଜୀ, ଆପଣଙ୍କ ରାଜ୍ୟରେ ଗରିବୀ-ବେରୋଜଗାରୀ ସମସ୍ୟା ସମାଧାନ ହୋଇ ସାରିଛି। ଆପଣ ଅଯଥା ଚିନ୍ତା କରନ୍ତୁ ନାହିଁ। ପ୍ରକୃତରେ ଉତ୍ତର ପ୍ରଦେଶର ତ ନୁହେଁ, ଆପଣଙ୍କର ଭବିଷ୍ୟତ ଉଜ୍ଜ୍ୱଳ ଅଛି। ଆପଣଙ୍ଭକର ଭକ୍ତମାନେ ଆପଣଙ୍କୁ ଭାବୀପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆରମ୍ଭ କରିଛନ୍ତି। ଯଦି ଏହା ହୁଏ, ତେବେ ଦେଶବ୍ୟାପୀ ଗରିବୀ ସମସ୍ୟା ମଧ୍ୟ ସମ୍ପୂର୍ଣ୍ଣ ରୂପେ ସମାଧାନ ହୋଇଯିବ। ୨୦୪୭ରବହୁତ ଆଗରୁ ଭାରତ ବିକଶିତ ହୋଇଯାଇଥିବ ଏବଂ ମୋଦୀ ଜୀ ଇତିହାସର କୌଣସି ଗର୍ତ୍ତରେ ପଡ଼ି ଆଖିରୁ ଲୁହ ଝରାଉଥିବେ। (ବିଷ୍ଣୁନାଗରଙ୍କ ବ୍ୟଙ୍ଗରୁ ଊଦ୍ଧୃତ)।