Satkosia Tiger Project: ସାତକୋଶିଆରେ ଏକମାତ୍ର ମହାବଳ ବାଘୁଣୀର ଖୋଜ୍ ଖବର ନାହିଁ

FMNEWS.IN 24-12-2024
Satkosia Tiger Project: Satkosia's lone tigress missing for years

କୋଟି କୋଟି ଟଂକା ବ୍ୟୟ ସତ୍ତ୍ବେ ବାଘ ସୁରକ୍ଷାରେ ବନ ବିଭାଗ ବିଫଳ

ଶିକାରୀ ଗୁଳିରେ ବାଘୁଣୀ ଶିକାର ହୋଇଥିବା ସନ୍ଦେହ ବନ ବିଭାଗ ବାଘୁଣୀ ସଂପର୍କରେ ସୂଚନା ଦେବାକୁ ଦାବୀ

ANGUL(FMNews):ସମଗ୍ର ଦେଶରେ ୫୪ ଟି ବ୍ଯାଘ୍ର ସଂରକ୍ଷଣ ଅଂଚଳ ମଧ୍ୟରୁସାତକୋଶିଆ ଅନ୍ଯତମ । ସବୁ ବ୍ଯାଘ୍ର ସଂରକ୍ଷଣ ଅଂଚଳରେ ବାଘ ସଂଖ୍ଯା ବୃଦ୍ଧି ପାଉଥିବା ବେଳେ ସାତକୋଶିଆରେ ବାଘ ଶୂନ୍ଯ ହେବା ସମସ୍ତ ଜଂଗଲ ଏବଂ ବନ୍ଯଜନ୍ତୁ ପ୍ରେମୀଂକୁ ମର୍ମାହତ କରିଅଛି । ଏପରିକି ଏକମାତ୍ର ବାଘୁଣୀର ଖୋଜ ଖବର ବନ ବିଭାଗ ପାଖରେ ନ ଥିବା ସଂରକ୍ଷଣ ଓ ପରିଚାଳନାରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ବାଘ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର କୋଟି କୋଟି ଟଂକା ଖର୍ଚ୍ଚ କରୁଥିବା ବେଳେ ବନ ବିଭାଗ କାର୍ଯ୍ଯଧାରାରେ ଉତ୍ତର ଦାୟିତ୍ବ ନ ଥିବା ମନେ ହେଉଛି । ବାଘ ସୁରକ୍ଷା ନେଇ ସାତକୋଶିଆ ବନଖଣ୍ଡରେ ୪ ଶହରୁ ଅଧିକ ଅସ୍ଥାୟୀ କର୍ମଚାରୀ, ପାରା ମିଲିଟାରୀ ନିୟୋଜନ ହୋଇଛନ୍ତି । ମାଳମାଳ ଗାଡି ମଟର ଯୋଗାଇ ଦିଆଯାଇଅଛି । ଶହଶହ ସଂଖ୍ଯାରେ କ୍ଯାମେରା ଓ ଅନ୍ଯାନ୍ଯ ଯନ୍ତ୍ରପାତି ସରକାରୀ ଭାବେ ବ୍ଯବହାର କରାଯାଉଅଛି ମାତ୍ର ଏକ ମାତ୍ର ଜଂଗଲୀ ବାଘୁଣୀର ଖୋଜ୍ ଖବର ବନ ବିଭାଗ ପାଖରେ ନାହିଁ । ପ୍ରତିବର୍ଷ ବାଘ ସର୍ବେକ୍ଷଣ କାର୍ଯ୍ଯ , ପକ୍ଷୀ ଗଣନା, କୁମ୍ଭୀର ଗଣନା କାର୍ଯ୍ଯ ବନଖଣ୍ଡରେ ଚାଲୁ ରହିଅଛି । ଦିନରାତି କ୍ଷେତ୍ର କର୍ମଚାରୀ ଜଂଗଲରେ ପହରା ଦେଉଛନ୍ତି । ବନ୍ଯଜନ୍ତୁଂକର ଗତିବିଧି ଅନୁଧ୍ଯାନ ମୂଳକ ପ୍ରତିଦିନ ରିପୋର୍ଟ ପ୍ରଦାନ କରୁଅଛନ୍ତି । ଜଂଗଲରେ ଶହଶହ କ୍ଯାମେରା ଖଂଜା ଯାଇଅଛି , ମାଳମା଼ଳ ଗାଡି ବ୍ଯବହାର ହେଉଛି , ଜଂଗଲ ଭିତରେ ଘାସଚାଷ ଓ ବନ୍ଯଜନ୍ତୁଂକ ଆବାସସ୍ଥଳୀ ବିକାଶ କାର୍ଯ୍ଯ ଚାଲିଛି, ପ୍ରତି ଗାଁ ଓ ସାହିରେ ବନ ସୁରକ୍ଷା ସମିତି ଓ ଇକୋ ଡେଭଲୋପମେଂଟ୍ କମିଟି ରହିଛି ମାତ୍ର ଏକ ମାତ୍ର ବାଘୁଣୀର ଖବର ବନ ବିଭାଗ ପାଖରେ ନାହିଁ । ଅନ୍ଯ ପକ୍ଷରେ ବାଘୁଣୀଟି ଶିକାରୀ ଗୁଳିରେ ମୃତ୍ୟୁ ବରଣ କରିଥିବା ସନ୍ଦେହ ସୃଷ୍ଟି ହୋଇଛି ।

ବନ ବିଭାଗ ଜାଣିଶୁଣି ବଦନାମ ହେବା ଭୟରେ ଘଟଣାଟିକୁ ଲୁଚାଇବାକୁ ଚେଷ୍ଟା କରିଥିବା ଦୃଢ ଅଭିଯୋଗ ହେଉଛି । ଏକମାତ୍ର ବାଘୁଣୀର ଗତିବିଧିକୁ ଅନୁଧ୍ଯାନ କରି ସୁରକ୍ଷା ଦେଇ ପାରିନଥିବା ବନ ବିଭାଗ ୧୬ ବାଘ ଆଣି ସାତକୋଶିଆରେ ଛାଡି ବାର ଯୋଜନା ସୁରକ୍ଷା ଓ ପରିଚାଳନା ପ୍ରତି ଆଂଗୁଳି ନିର୍ଦ୍ଦେଶ କରୁଛି । ଅନ୍ଯପକ୍ଷରେ ଗତ ୫ ବର୍ଷ ମଧ୍ଯରେ ସାତକୋଶିଆ ବନଖଣ୍ଡରେ ୨୫ ଟି ହାତୀ ମୃତ୍ଯୁବରଣ କରିଥିବା ସହିତ ୧୦ ରୁ ଅଧିକ କଲରାପତିଆ ବାଘ ଶିକାର ହୋଇଥିବା ଜଣାଯାଇଅଛି ।

ଅନ୍ୟ ବନ୍ୟଜନ୍ତୁମାନଙ୍କ ମଧ୍ୟରେଗୟଳ, ହରିଣ, କୁଟୁରା, ବାରହା, ଗୁରୁଣ୍ଡି ପ୍ରଭୁତି ଜୀବ ଶିକାର ହେଉଥିବା ଏକ ନିତିଦିନିଆ ଘଟଣା ଅଟେ । ବନ୍ୟଜନ୍ତୁଶିକାର ଘଟଣାକୁ ବନ ବିଭାଗ ପକ୍ଷରୁ ସଠିକ୍ ତଦନ୍ତ କରାଯାଉ ନାହିଁ । ଏପରିକି ଶିକାର ଓ ଅନ୍ୟାନ୍ୟ ଜଙ୍ଗଲ ଅପରାଧିକ ଘଟଣାକୁ ସୂଚନା ଦିଆଯାଉଥିଲେ ମଧ୍ୟ ବନ ବିଭାଗ ଘଟଣାକୁ ତଦନ୍ତ କରି ଶିକାରୀ ଧରିବା ପରିବର୍ତ୍ତେ ଅପରାଧ ଘଟଣାକୁ ଲୁଚାଯାଉଅଛି । ଯାହା ଫଳରେ କୋର୍ଟରେ ଆସାମୀ ଖଲାସ ହେବାର ଅଧିକ ସମ୍ଭାବନା ରହୁଅଛି । ଗତ ୨୦୧୮ ବର୍ଷ ସାତକୋଶିଆକୁ ଅଣ୍ଡିରା ମହାବଳ ବାଘ ମହାବୀରକୁ କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିଲା । ଏହି ମହାବୀର ବାଘଟି ଶିକାରୀ ଫାଶରେ ପଡ଼ି ମୃତ୍ୟୁ ବରଣ କରିଥିଲା । ରେଡ଼ିଓ କୋଲାର ଥିଲେ ମଧ୍ୟ ମୃତ୍ୟୁର ୨ ଦିନ ପରେ ବନ ବିଭାଗ ସୁରାକ ପାଇଥିଲା । ଏପରିକି ବାଘର ମୃତ୍ୟୁ ତଦନ୍ତ କାର୍ଯ୍ୟଟି ବନ ବିଭାଗ ପକ୍ଷରୁ କରାଯାଇ ପାରିଲା ନାହିଁ । ଶିକାରୀ ଫାଶରେ ମହାବୀର ଶିକାର ହୋଇ ଯାଇଥିଲେ ସୁଦ୍ଧା ଆଜି ଯାଏ ମହାବୀରର ଶିକାରୀ କିଏ ବନ ବିଭାଗ ଧରି ପାରିଲା ନାହିଁ । ଦୀର୍ଘ ୬ ବର୍ଷ ପରେ ମଧ୍ୟ ବନ ବିଭାଗ ମହାବୀରର ତଦନ୍ତ ପୂର୍ଣ୍ଣାଙ୍ଗ କରି ପାରିଲା ନାହିଁ ।

ସାତକୋଶିଆ ବନଖଣ୍ଡରେ ପ୍ରତିଦିନ ଶିକାରୀ ମାନଙ୍କ ଦ୍ଵାରା ବନ୍ୟଜନ୍ତୁ ଶିକାର ଘଟୁଥିଲେ ମଧ୍ୟ ବନ ବିଭାଗ ଘଟଣା ଗୁଡ଼ିକୁ ଚପାଇ ଦେଉଅଛି । ଶିକାରୀ ମାନଙ୍କ ସହିତ ଅସାଧୁ ସମ୍ପର୍କ ଥିବାରୁ ଶିକାର ଘଟଣାରେ ବୃଥା ଦୋଷ ଗ୍ରାମବାସୀଙ୍କୁ ଦିଆଯାଉଅଛି । ମହାବୀର ବାଘର ମୃତ୍ୟୁ ରହସ୍ୟ ଖୋଦ୍ ବନ ବିଭାଗ ଦ୍ବାରା ଲୁଚାଯାଉଥିବା ଦୃଢ଼ ଅଭିଯୋଗ ହେଉଛି ।ମହାବୀର ବାଘକୁ ଶିକାରୀ ମାନେ ଫାଶରେ ଶିକାର କରିଥିବା ଏବଂ ବନ ବିଭାଗ ଶିକାରୀଙ୍କୁ ଧରି ପାରି ନ ଥିବା କାରଣରୁ ଶିକାରୀ ମାନଙ୍କ ମନୋବଳ ବୃଦ୍ଧି ପାଇଅଛି । ଏପରିକି ଶିକାରୀମାନେ ମହାବଳ ଜଙ୍ଗଲି ବାଘୁଣିକୁ ଶିକାର କରିଥିବା ସନ୍ଦେହ ଦୃଢ଼ୀଭୂତ ହେଉଛି । ଅନ୍ୟ ପକ୍ଷରେ ବନ ବିଭାଗ ବଦନାମ ହେବାରୁ ଏଡ଼ାଇବା ପାଇଁ ଘଟଣାକୁ ତଦନ୍ତ ପରିବର୍ତ୍ତେ ଲୁଚାଇଥିବା ଅଭିଯୋଗ ହେଉଛି । ବାଘ, ହାତୀ, କୁମ୍ଭୀର ସମେତ ବିରଳ ବନ୍ୟଜନ୍ତୁଙ୍କ ଶିକାର ଘଟଣାକୁ ବନ ବିଭାଗ ଲୁଚାଇବା ଏକ ସାଧାରଣ ଘଟଣା ବୋଲି ସାତକୋଶିଆ ଅଭୟାରଣ୍ୟ ପ୍ରଜା ସୁରକ୍ଷା ସମିତିର ସଭାପତି ନବ କିଶୋର ବିଶୋଇ ପ୍ରକାଶ କରିଅଛନ୍ତି ।

ଜିଲିଣ୍ଡା ରେଞ୍ଜର ଏକ ଦନ୍ତା ହାତୀର ଶବକୁ ବନ ବିଭାଗର ରେଞ୍ଜର, ଫରେଷ୍ଟର ମିଳିମିଶି ଏକ ଗର୍ତ୍ତରେ ପୋତି ଦେଇ ଲୁଚାଇଥିଲେ । ସେତେବେଳେ ସାତକୋଶିଆ ବନଖଣ୍ଡରେ ଏସି.ଏଫ ବର୍ତ୍ତମାନର ଡିଏଫଓ ଜିଲିଣ୍ଡା ରେଞ୍ଜର ପରିଚାଳନାରେ ଥିଲେ । ଏସିଏଫ ନିଜର ସୁରକ୍ଷା ନେଇ ରେଞ୍ଜର ଓ ଫରେଷ୍ଟର ଙ୍କୁ ନିଲମ୍ବନ କରି କେସ ରୁଜୁ କରିଥିଲେ । ହାତୀ ଲୁଚାଇବା ଘଟଣାରେ ଏସି.ଏଫ ସଂପୃକ୍ତି ଥିବା ଶ୍ରୀ ବିଶୋଇ ଦୃଢ଼ ଅଭିଯୋଗ କରିଛନ୍ତି । ଏପରିକି ସାତକୋଶିଆର ବାଘୁଣୀକୁ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଶିକାର ଘଟଣାକୁ ଲୁଚାଯାଇଥିବାକୁ ଅସ୍ବୀକାର କରାଯାଇ ପାରିବ ନାହିଁ ବୋଲି ଶ୍ରୀ ବିଶୋଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।