- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ତାମିଲନାଡୁର ତ୍ରିଚିରେ ଅମିତ ଶାହ; ଆସନ ବଂଟନକୁ ନେଇ ରାଜନୈତିକ କାର୍ଯ୍ୟକଳାପ ହୋଇଛି ତୀବ୍ର
- ୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
- କୃତୀ ଛାତ୍ରଛାତ୍ରୀଙ୍କୁ ଡ଼. ସତ୍ୟାନନ୍ଦ ପଣ୍ଡାଙ୍କ 8ମ ଶ୍ରାଦ୍ଧବାର୍ଷିକୀରେ ମେଧାବୃତ୍ତି ପ୍ରଦାନ
- ଗଡସେଙ୍କ ଅନୁଗାମୀ, ମହାତ୍ମାଗାନ୍ଧୀଙ୍କ ଦର୍ଶନକୁ ଧ୍ୱଂସ କରିବାକୁ ଚାହୁଁଛି: ସୂର୍ଯେୱାଲା
୨୮ତମ ସମ୍ବଲପୁର ଲୋକ ମହୋତ୍ସବର ୨ୟ ରଜନୀ: ସମ୍ବଲପୁର ମାଟିର ମହକ ଓ ମହିମା ରହିଛି : ବିଧାୟକ ସୁଦର୍ଶନ ହରିପାଲ
ସମ୍ବଲପୁର : ସମ୍ବଲପୁର ମାଟିର ମହକ ଅଲଗା । ଏହି ମାଟିର ମହିମା ମଧ୍ୟ ରହିଛି । ଏଠାରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଲୋକମାନେ ବସବାସ କରନ୍ତି । ସେମାନେ ବିଭିନ୍ନ ପର୍ବ ପାଳନ କରିଥାନ୍ତି। ସମସ୍ତଙ୍କ ସହଯୋଗିତା ଓ ସହଭାଗିତାରେ ଏସବୁ ପାଳନ କରାଯାଏ । ସମ୍ବଲପୁର ଲୋକ ମହୋତ୍ସବ ଦ୍ଵାରା ତୃଣମୂଳ ସ୍ତରରୁ କଳାକାର ମାନଙ୍କୁ ମଞ୍ଚ ଦିଆ ଯାଇଛି । ଏହାଦ୍ବାରା ଲୋକ କଳା ବଞ୍ଚି ରହିଛି । ୨୮ତମ ସମ୍ବଲପୁର ଲୋକ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ୨ୟ ରଜନୀରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଥିଲେ । ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁମୁଦିନୀ ନାଏକ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ମାନେଶ୍ୱର ବ୍ଲକ ଅଧ୍ୟକ୍ଷ ରୁକ୍ମଣୀ ମହାନନ୍ଦ, ମହାନଗର ନିଗମ କମିଶନର ଶ୍ରୀ ରେହାନ ଖତ୍ରୀ (ଭା.ପ୍ର.ସେ)ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ମାଁ ସମଲେଶ୍ଵରୀଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ଲୋକଗୀତ ପାଇଁ ତେଜରାଜ୍ ନାୟକ, ଚିତ୍ରକଳା ପାଇଁ ବରଦା ମାଧବ ଗୁରୁ ଓ ଲୋକ ବାଦ୍ୟ ପାଇଁ ଡାକ୍ତର ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ପ୍ରଫୁଲ୍ଲ ମିତ୍ର ଓ ସତ୍ୟ ରଞ୍ଜନ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା।
ମହୋତ୍ସବ ସମିତି ସଂଯୋଜକ ଦୀପକ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହାପରେ ନଟରାଜ ସମ୍ବଲପୁର ବଜନିଆ, ହରିଆନାର ଘୁମର , ଗୁଜୁରାଟର ରାଥୁଆ, ସୁବର୍ଣ୍ଣପୁରର ପର୍ବ , ରାଜସ୍ଥାନର କାଳବେଲିଆ, ମହାରାଷ୍ଟ୍ରର କୋଲି, କଳାହାଣ୍ଡିର ଘୁମୁରା, ଆସାମର ବିହୁ , ସମ୍ବଲପୁର ସ୍ଵୟଂ ଏକାଡେମୀର ଚୁଟକୁଚୁଟା, ପଞ୍ଜାବର ଭାଙ୍ଗଡ଼ା, ଉତ୍ତରପ୍ରଦେଶ ମୟୂର ଓ ହିମାଚଳ ପ୍ରଦେଶର ସିରମୋର ନାଟି ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟାରେ ଘୁଡ଼କା, ଧୁନକେଲ, କରମା ନୃତ୍ୟ ପରିବେଷଣ ହୋଇଥିଲା । ସେହିପରି ଶତୃଘ୍ନ ଲୁହା, ଅଙ୍କିତ ସଡ଼ଙ୍ଗି, ନୃର ବେଗମ ଓ ଅର୍ପିତା ମିଶ୍ର ପ୍ରମୁଖ ସଙ୍ଗୀତ ଗାନ କରିଥିଲେ ।