- ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏର ସଂଖ୍ୟା, ଅସନ୍ତୋଷ ଓ ବିବେକର ପରୀକ୍ଷା
- ସରକାର ଆଉ କେତେଦିନ ନେତୃତ୍ବର ଭ୍ରୂଣହତ୍ୟା କରୁଥିବେ: ଭକ୍ତ
- ଉପରାଷ୍ଟ୍ରପତି ନିର୍ବାଚନ: ରାଜ୍ୟବାସୀଙ୍କୁ ବିଜେଡି ଲଜ୍ଜିତ କରିଛି, ବହୁମୂଲ୍ୟ ଦେବାକୁ ପଡ଼ିବ : ଭକ୍ତ
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
୭୭ ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟିତ : ମଥୁରାରେ କଂସଙ୍କ ରାଜତ୍ଵ

ବରଗଡ଼, ୩ ଜାନୁଆରୀ- ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚ ଭାବରେ ପରିଚିତ ବରଗଡ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷ ତଥା ବରଗଡ ଜିଲ୍ଳାପାଳ ଆଦିତ୍ୟ ଗୋୟଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ଅପରାହ୍ନ ୨ ଟାରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା । ପରେ ପରେ ଗାନ୍ଧୀ ଛକରେ ଜାତିର ପିତା ମହାତ୍ମା ଗାନ୍ଧୀ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା ପୂର୍ବକ ମାଁ ସମଲେଶ୍ୱରୀ ମନ୍ଦିରକୁ ପହଂଚିଥିଲା । ସେଠାରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ହାଟପଦାସ୍ଥିତ ରାଜଦରବାରକୁ ପହଂଚିଥିଲା । ପରେ ପରେ ରାଜ ଦରବାର ଠାରେ ଅନୁଷ୍ଠିତ ଉଦଘାଟନୀ ସମାରୋହକୁ ଧନୁଯାତ୍ରା ମହୋତ୍ସବ ସମିତିର ସଂପାଦକ ସୁରେଶ୍ୱର ଶତପଥୀ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ସଭାପତି ତଥା ବରଗଡ ଏସପି ପ୍ରହ୍ଲାଦ ସହାୟ ମୀନା ଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ ।
ଧନୁଯାତ୍ରା ଉଦଘାଟନ ପରେ ମଥୁରା ନଗରୀର ରାଜନୀତିରେ ଅଚଳାବସ୍ଥା ଦେଖାଦେଇଥିଲା । ମଥୁରାଧିପତି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସ ନାଟକୀୟ ଘଟଣାକ୍ରମେ ରାଜସିଂହାସନ ଅକ୍ତିଆର କରିଛନ୍ତି । ତା ସହିତ ଶୁକ୍ରବାର ଠାରୁ ମଥୁରାନଗରୀରେ ମହାରାଜା କଂସଙ୍କ ରାଜୁତି ଆରମ୍ଭ ହୋଇଛି । ତାଙ୍କ ନିର୍ଦ୍ଦେଶନାରେ ଉଗ୍ରସେନଙ୍କ ସମସ୍ତ ରାଜ କ୍ଷମତା ବ୍ୟାଜାପ୍ତ ହେବା ସହ ତାଙ୍କ ମନ୍ତ୍ରୀ, ପାତ୍ର, ଅମାତ୍ୟ ଙ୍କୁ ରାଜସେବାକରୁ ନିବୃତ କରାଯାଇଛି । ଏହା ସହ କଂସ ନିଜର ବିଶ୍ୱସ୍ତମାନଙ୍କୁ ମଥୁରାର ଗୁରୁତ୍ୱପୁର୍ଣ୍ଣ ପଦପଦବୀରେ ନିଯୁକ୍ତ କରିଛନ୍ତି । ମଥୁରାର ଶାସନଭାର ଉଗ୍ରସେନ ହାତରୁ ଛଡାଇ କଂସ ନିଜେ ସମ୍ଭାଳିଥିବା ବେଳେ ସାରା ରାଜ୍ୟରେ ଅଶାନ୍ତର ବାତାବରଣ ଦେଖାଦେଇଛି । ଯାହାକୁ କି ଦମନ କରିବା ପାଇଁ ମହାରାଜା କଂସ କୌଶଳ ଆରମ୍ଭ କରିଦେଇଛନ୍ତି । ବରଗଡ ଧନୁଯାତ୍ରା ଆଜିଠାରୁ ୧୧ ଦିନ ଧରି ପାଳିତ ହେବାକୁ ଥିବା ବେଳେ ଏହା ଜାନୁୟାରୀ ୧୩ ତାରିଖରେ ଉଦଯାପିତ ହେବ । ଅନ୍ୟ ପକ୍ଷରେ ଯାତ୍ରାରେ ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
କାରାଗାରରେ ଦେବକୀ-ବସୁଦେବ....
ବରଗଡ଼: ମଥୁରାର ଶାସନ ଭାର ମହାରାଜା ଉଗ୍ରସେନ ଠାରୁ ଯୁବରାଜ କଂସଙ୍କ ହାତକୁ ଚାଳିଯିବା ପରେ କଂସ ଅତ୍ୟାଚାରୀ ହୋଇପଡିଛି । ପ୍ରଥମ ଦିନରେ ମହାରାଜା ଉଗ୍ରସେନଙ୍କ ନିର୍ଦ୍ଦେଶରେ ରାମଜୀ ମନ୍ଦିରସ୍ଥିତ ବିବାହ ମଣ୍ଡପଠାରେ ଦେବକୀ ଏବଂ ବସୁଦେବଙ୍କ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ମୃଗୟାରୁ ଫେରି ଯୁବରାଜ କଂସ ତାଙ୍କ ଅଜାଣତରେ ବିବାହ ସମ୍ପନ୍ନ ହେବା ଜାଣି ପ୍ରଥମେ ରାଗି ଯାଇ ପରେ ନବବିବାହିତାଙ୍କୁ ଆର୍ଶିବାଦ କରିଛନ୍ତି । ପରେ ପରେ ଶୂନ୍ୟବାଣୀ ହୋଇ କଂସର ମୃତ୍ୟୁ କାରଣ ଦେବକୀର ଅଷ୍ଟମ ଗର୍ଭର ସନ୍ତ୍ାନ ଶୁଣି ବିଚଳିତ ହୋଇ ଦେବକୀ-ବସୁଦେବଙ୍କୁ କାରାଗାର ବନ୍ଦୀ କରି ରଖିଛନ୍ତି ଏବଂ ପିତା ଉଗ୍ରସେନଙ୍କୁ ହଟାଇ ନିଜେ ମହାରାଜା କଂସ ମଥୁରା ସିଂହାସନ ରେ ଅଭିଷିକ୍ତ ହୋଇଛନ୍ତି ।