ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ

FMNEWS.IN 11-01-2026
No more bulls or bulls to be seen

ଜୟପୁର, ୧୧ ଜାନୁଆରି - ଆଉ କୋରାପୁଟ ଜିଲାରେ ଦେଖିବାକୁ ମିଳୁ ନାହିଁ ହଳ ବଳଦ । ପାଚିଲା ଧାନ କିଆରିରେ ଚାଷୀ ହାତରେ ଦା ଧରି ଚରଚର କରି ଧାନ କାଟୁଥିଲା । ପାଖ କିଆରିରେ ଧାନ କଳେଇ ଲଦା ହୋଇଥିବା ଶଗଡ଼କୁ ହଡ଼ା ବଳଦ ଟାଣିପାରୁ ନଥିବାରୁ ଚାଷୀ ଟାକରା ମାରି ବଳଦକୁ ପେଲି ପକାଉଥିଲା । ଦା ଛାଡ଼ି ଧାଇଁ ଯାଉଥିଲେ ପାଖ ବିଲରେ ଧାନ କାଟୁଥିବା ଲୋକେ ଏବଂ କାଦୁଅ ବିଲରୁ ଶଗଡ଼କୁ ଉଠାଇବାକୁ କିଏ ଚକରେ କାନ୍ଧ ଲଗାଉଥିଲା ତ କିଏ ଶଗଡ଼ ଦଣ୍ଡାକୁ ଟେକି ଧରୁଥିଲା । ପୁଣି କାହା ଖଳାବାଡ଼ିରେ କଳେଇ ଗଦା ମରା ହେଉଥିଲା ଏବଂ ଚୂଳରେ କଂଟେଇକୋଳି କଂଟା ଡାଳରେ ଗେଣ୍ଡୁଫୁଲ ଖଞ୍ଜି ମୁଣ୍ଡି ମାରୁଥିଲା । ଦି ପହରେ ଗାଁ କମାରଶାଳରୁ ଶୁଭୁଥିଲା ଲୁହାପିଟା କର୍କଶ ଶବ୍ଦ । ଦା ପଜେଇ କମାର ଧାର କୁଟୁଥିଲା । ପୁଣି କେଉଁ ଚାଷୀର ଶଗଡ଼ରେ ନାଲ ପଜେଇ ବସାଉଥିଲା ଗାଁ କମାର। ଚାଷୀ, କମାର, ବଢ଼େଇ କାହା ହାତକୁ ଫୁରସତ ନଥିଲା । ହାଡ଼ଭଙ୍ଗା ଶୀତକୁ ଖାତିର ନକରି ଚାଷୀ ଗହୀରରୁ ଘର ପର୍ଯ୍ୟନ୍ତ ଖାଲି ଧାଉଁଥିଲା । ତା ସହିତ ଧାଉଁଥିଲେ ବଳଦ । କିନ୍ତୁ ଆଜି ହଠାତ୍ ସବୁ ହଜି ଯାଇଛି । ନା ଅଛି ଦାରେ ଧାନକଟା, ନା ଅଛି ଶଗଡ଼ରେ କଳେଇ ବୁହା । ସେହିଭଳି ନା ଅଛି ଖଳାବାଡ଼ିରେ ଗେଣ୍ଡୁଫୁଲିଆ କଳେଇ ଗଦା ନା ବାଡ଼ିରେ ବୁଲୁଛି ବେଙ୍ଗଳା । ଆଜି ଗହୀରରେ ବୁଲୁଛି ହାର୍ଭେଷ୍ଟର । ବିଶାଳକାୟ ଯନ୍ତ୍ରଟି ଗହୀରସାରା ବୁଲିବୁଲି ଧାନ ବିଲସବୁ ପଦା କରିଦେଉଛି ।

ସେଇଠି ଧାନ କାଟୁଛି, ଅମଳ କରି ବସ୍ତାରେ ଭରିଦେଉଛି । ତା ପଛେପଛେ ଅପେକ୍ଷା କରିରହିଥିବା ଟ୍ରାକ୍ଟର ଧାନ ପ୍ୟାକେଟ୍ ଲଦି ଚାଷୀ ଘରେ ଦେଇଯାଉଛି । କୁଟା, ନଡ଼ାକୁ କେହି ପଚାରୁନାହାନ୍ତି । କିଏ ବିଲରେ ଫୋପାଡ଼ି ଦେଇ ଆସୁଛି ତ କେହି କେହି ବିଲରେ ପୋଡ଼ି ଦେଉଛନ୍ତି । କେବଳ ସେତିକି ନୁହେଁ, ଆଗ ଭଳି ଆଉ ଧାନ ଉସୁଁଆ ପଖଳା ନାହିଁ । ଘରେ ଢିଙ୍କି ନାହିଁ । ଉସୁଁଆ ଧାନ ପେଡ଼ିବାକୁ ଧାନକଳକୁ ଯିବାର ନାହିଁ । ସିଧା ମଣ୍ଡିରେ ଧାନ ବିକି ଦିଆଯାଉଛି ।

ସେହିଭଳି ଆଉ କାଠ ଲଙ୍ଗଳ ନାହିଁ । ବିଲରେ ବୁଲୁଛି ପାୱାର ଟିଲର ଓ ଟ୍ରାକ୍ଟର । ତେଣୁ ଲଙ୍ଗଳ ଲୁହା ପଜେଇବାକୁ ଆଉ ଗାଁ କମାରକୁ ଖୋଜା ପଡ଼ୁନାହିଁ କି କାଠ ଲଙ୍ଗଳ ତିଆରି କରିବାକୁ ବଢ଼େଇ ବାପୁଡ଼ା ନାହାନ୍ତି ।

ସେତେବେଳେ ଧାନ ଅମଳ ସମୟରେ ଗହୀରରେ ଲାଗୁଥିଲା ମେଳା । ଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ବିଲକୁ ଭାତ ଡାଲ୍ମା ବୁହା ହେଉଥିଲେ । ଧାନକଟା ଛୁଟି ଥିବାରୁ ପିଲାମାନଙ୍କୁ ବି ଗହୀରରେ ଦେଖିବାକୁ ମିଳୁଥିଲା । ଛୋଟ ପିଲାମାନେ ଝଡ଼ି ପଡ଼ିଥିବା ଧାନକେଣ୍ଡା ଗୋଟାଉଥିଲେ । ଅନ୍ୟ ପଟେ ବାହାଘର ଦେଖିବାକୁ ଆସୁଥିବା ଲୋକେ ପୁଅ ବା ଝିଅ ଘର ଖଳାବାଡ଼ିକୁ ଯାଇ କଳେଇ ଓ କୁଟା ଗଦାକୁ ପରଖୁଥିଲେ। ସେହିଭଳି କେହିକେହି ଧାନ କୋଠି ବା ସାଇତା ହୋଇଥିବା ଧାନ ବସ୍ତା ଦେଖୁଥିଲେ । ଆଜି ସେସବୁ ହଜି ଯାଇଛି । ମାତ୍ର କେଇଟି ବର୍ଷ ଭିତରେ ବଳଦ, ଶଗଡ଼, ଲଙ୍ଗଳ, ଦା ଭଳି ପୁରୁଣା କୃଷି ଉପକରଣ ଆଜି ଇତିହାସ ପାଲଟିବାକୁ ବସିବା ଅନୁମାନ କରାଯାଉଛି ।