କନିକା ପ୍ରଜା ଆନ୍ଦୋଳନରେ ସଂଗ୍ରାମୀ ମାୟାଧରଙ୍କ ଭୂମିକା ଅବିସ୍ମରଣୀୟ
ଭଦ୍ରକ - ଭାରତବର୍ଷ ସ୍ୱାଧୀନତା ପାଇଁ ଓଡ଼ିଶାର କନିକା ଠାରେ ସୃଷ୍ଟି ହୋଇଥିବା ପ୍ରଜା ଆନ୍ଦୋଳନ ବହୁ ଗୁରୁତ୍ୱ ବହନ କରିଥାଏ । ଏହି ଆନ୍ଦୋଳନରେ ଘେଂଟଶ୍ୱର ଅଂଚଳର ଗଙ୍ଗାଧରପୁର ପାଟଣା ଗ୍ରାମର ସଂଗ୍ରାମୀ ମାୟାଧର ଦାସଙ୍କ ଭୂମିକା ଯୁବପିଢ଼ୀଙ୍କ ପାଇଁ ନିଶ୍ଚିତ ଉଦାହରଣ । ତେଣୁ ଆମର ଯୁବପିଢ଼ି ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ସଂଗ୍ରାମୀ ମନଭାବ ପୋଷଣ କରିବାକୁ ସ୍ୱାଧୀନତା ସଂଗ୍ରାମୀ ମାୟାଧର ଦାସଙ୍କ ୩୩ତମ ସ୍ମୃତି ସମାରୋହ ସଭାରେ ଅତିଥିମାନେ ମତବ୍ୟକ୍ତି କରିଛନ୍ତି । ଭଦ୍ରକ ସଂସ୍କୃତି ଭବନଠାରେ ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚକ୍ରଧର ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପ୍ରାଥମିକ ଗଣଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ଗୀତାପାଠ, ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାଟିକୁ ଉଦ୍ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କନିକା ପ୍ରଜା ଆନ୍ଦୋଳନ ଓ କୃଷକ ଆନ୍ଦୋଳନ ଦୁଇଟି ଯାକ କିପରି କନିକା ମାଟିରେ ସୃଷ୍ଟି ହୋଇଥିଲା ଏବଂ ବିଳ୍ପବୀ ଚକ୍ରଧର ଓ ସଂଗ୍ରାମୀ ମାୟାଧରଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା ତାହା ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତାଭାବେ ଡ଼. ସୁନାମଣି ରାଉତ, ଭୁବନେଶ୍ୱର ତାଙ୍କ ବକ୍ତବ୍ୟରେ ସଂଗ୍ରାମୀ ମାୟାଧର ଜୀବନୀ ସଂକ୍ରାନ୍ତରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ବରେଣ୍ୟ ଅତିଥିଭାବେ ଡ଼. ଶରତ କୁମାର ବିଶ୍ୱାଳ, ଶିଶୁ ସାହିତ୍ୟ ଲେଖ ଓ ଗଣଶିକ୍ଷା ନିର୍ଦ୍ଦେଶକ ଯୋଗଦାନ କରି କନିକା ବିପ୍ଳବ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀ ବ୍ରଜ ରାଉତ ଯୋଗଦାନ କରି ମାୟାଧରଙ୍କ ସହିତ ମିଶି ସେ କିପରି ସାଙ୍ଗ ହୋଇ କନିକା ରାଜାଙ୍କ ବିରୁଦ୍ଧରେ ରାଜତନ୍ତ୍ର ଲୋପକରି ଗଣତନ୍ତ୍ର ପ୍ରତିଷ୍ଠା ପାଇଁ କିପରି ସଂଗ୍ରାମ କରୁଥିଲେ ତାହା ଦର୍ଶକମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ସଭାରେ ବହୁମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସ୍ମୃତି କମିଟି ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଦ୍ରକ ଚକ୍ରଧର ମଲ୍ଲିକ, ପ୍ରଧାନଶିକ୍ଷକ ପ୍ରଶାନ୍ତ ସାହୁ, ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ, ଶ୍ରୀଧର ତ୍ରିପାଠୀ, ପ୍ରଧାନଶିକ୍ଷକ ପଂଚାୟତ ହାଇସ୍କୁଲ, ଓଲଙ୍ଗ, ପ୍ରଫେସର ଅଟଳ ବିହାରୀ ନାୟକ, ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ମାଝୀ, ଚଣ୍ଡିଗାଁ ହାଇସ୍କୁଲ, ଲମ୍ବୋଧର ସାହୁ, ସିଆରସିସି, ତୋଟାପଡ଼ା କ୍ଲଷ୍ଟର, ନରେନ୍ଦ୍ର ପ୍ରଧାନ ସାହୁ, ପ୍ରଧାନଶିକ୍ଷକ ବନ୍ଦଗାଁ ହାଇସ୍କୁଲ, ରାଜେନ୍ଦ୍ର ପ୍ରସାଦ ନାୟକ, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ, ଭଦ୍ରକ, ବରିଷ୍ଠ ସାମ୍ବାଦିକ ପ୍ରମେୟ ପ୍ରଭାତ ଦାସଙ୍କୁ ମାନପତ୍ର ଓ ଉତରୀୟ ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆନନ୍ଦବଜାର ହାଇସ୍କୁଲର ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ମୃତି କମିଟିର ସଭାପତି ବଂଶୀଧର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସ୍ମୃତି କମିଟିର ସଭାପତି ବଂଶୀଧର ଦାସଙ୍କ ଝିଅ ତଥା ସଂଗ୍ରାମୀ ମାୟାଧର ଦାସଙ୍କ ନାତୁଣୀ ସୁଶ୍ରୀ ଲୋପାମୁଦ୍ରା ଦାସ ଜଗନ୍ନାଥ ଜଣାଣ ପରିବେଷଣ କରିଥିଲେ । ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବଙ୍କ ତତ୍ୱବଧାନରେ ବନ୍ଦେ ଉତ୍କଳ ଜନନୀ ଓ ଛୋଟ ଛୋଟ ଶିଶୁମାନଙ୍କୁ ନେଇ ନୃତ୍ୟ ପରିବେଷଣ କରିଥିଲେ । ଗୋପବନ୍ଧୁ ନୋଟାଲ ୟୁ.ପି.ସ୍କୁଲ, ଚରମ୍ପା ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ଜେନା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।