BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

କୁମ୍ଭର ବୈଶ୍ୱିକ ଲୋକପ୍ରିୟତା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ- ମୋଦି

FMNEWS.IN 19-01-2025
Global popularity of Kumbh is a matter of pride for every Indian: Modi

ନୂଆଦିଲ୍ଲୀ, 19 ଜାନୁଆରି- ମନ କୀ ବାତରେ ମହାକୁମ୍ଭ କଥା ଉଠାଇଲେ ପିଏମ ମୋଦି । ସେ କହିଛନ୍ତି ଯେ,ପ୍ରୟାଗରାଜରେ ମହାକୁମ୍ଭର ଶୁଭାରମ୍ଭ ହୋଇସାରିଛି । ଚିରସ୍ମରଣୀୟ ଜନସ୍ରୋତ, ଅକଳ୍ପନୀୟ ଦୃଶ୍ୟ ଏବଂ ସମାନତାର ଅସାଧାରଣ ସଙ୍ଗମ! ଏଥର କୁମ୍ଭରେ ଅନେକ ଦିବ୍ୟ ଯୋଗ ମଧ୍ୟ ସୃଷ୍ଟି ହେଉଛି । ଏହି କୁମ୍ଭ ଉତ୍ସବ ବିବିଧତାରେ ଏକତାର ଉତ୍ସବ ପାଳନ କରିଥାଏ । ସଙ୍ଗମର ବାଲୁକା ରାଶିରେ ସାରା ଭାରତର, ସମଗ୍ର ବିଶ୍ୱର ଲୋକେ ଏକତ୍ରିତ ହୋଇଥାଆନ୍ତି । ହଜାର ହଜାର ବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରାରେ ନ ଥାଏ କୌଣସି ଭେଦଭାବ, ନଥାଏ ଜାତିବାଦ । ଏଥିରେ ଭାରତର ଦକ୍ଷିଣାଂଚଳରୁ ଲୋକେ ଆସନ୍ତି, ଭାରତର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳରୁ ଲୋକେ ମଧ୍ୟ ଆସିଥାଆନ୍ତି । କୁମ୍ଭରେ ଧନୀ-ଗରିବ ସମସ୍ତେ ଏକ ହୋଇଯାଆନ୍ତି । ସମସ୍ତେ ସଙ୍ଗମରେ ବୁଡ଼ ପକାନ୍ତି, ଅନ୍ନଛତ୍ରରେ ଏକାଠି ଭୋଜନ କରନ୍ତି, ପ୍ରସାଦ ସେବନ କରନ୍ତି । ସେଇଥିପାଇଁ ତ କୁମ୍ଭ ହେଉଛି ଏକତାର ମହାକୁମ୍ଭ । କୁମ୍ଭର ଆୟୋଜନ ଆମକୁ ଏକଥା ମଧ୍ୟ ସୂଚାଇ ଥାଏ ଯେ, ଆମ ପରମ୍ପରା ଗୁଡ଼ିକ କିଭଳି ସମଗ୍ର ଭାରତକୁ ଏକତାର ସୂତ୍ରରେ ବାନ୍ଧି ରଖୁଛି । ଉତ୍ତରରୁ ଦକ୍ଷିଣ ଯାଏଁ ସମସ୍ତଙ୍କ ବିଶ୍ୱାସ ଏବଂ ଏହାର ପାଳନ ଏକାଭଳି ରହିଛି । ଗୋଟିଏ ପଟେ ପ୍ରୟାଗରାଜ୍, ଉଜ୍ଜୟିନୀ, ନାସିକ ଏବଂ ହରିଦ୍ୱାରରେ କୁମ୍ଭର ଆୟୋଜନ ହୋଇଥାଏ, ସେହିପରି, ଦକ୍ଷିଣାଞ୍ଚଳରେ ଗୋଦାବରୀ, କୃଷ୍ଣା, ନର୍ମଦା ଏବଂ କାବେରୀ ନଦୀତଟରେ ମଧ୍ୟ ପୁଷ୍କରମ୍ ଅନୁଷ୍ଠିତ ହୋଇଥାଏ । ଏହି ଉଭୟ ପର୍ବ ଆମ ପବିତ୍ର ନଦୀଗୁଡ଼ିକ ସହ, ଏହାପ୍ରତି ରହିଥିବା ଆସ୍ଥା ସହ ଜଡ଼ିତ । ସେହିଭଳି, କୁମ୍ଭକୋଣମ୍ ଠାରୁ ତିରୁକ୍କଡ଼-ୟୂର୍, କୁଡ଼୍-ୱାସଲ୍ ଠାରୁ ତିରୁଚେରାଇ ପର୍ଯ୍ୟନ୍ତ ଏଭଳି ଅନେକ ମନ୍ଦିର ରହିଛି ଯାହାର ପରମ୍ପରା କୁମ୍ଭ ସହ ଜଡ଼ିତ ।

ଏଥର କୁମ୍ଭରେ ବିଶେଷ ଭାବେ ଯୁବବର୍ଗ ଅଂଶଗ୍ରହଣ କରିଥିବା ଆପଣମାନେ ସମସ୍ତେ ଲକ୍ଷ୍ୟ କରିଥିବେ । ଏଥିରେ ସେମାନଙ୍କ ଭାଗନେବା ବ୍ୟାପକ ଭାବେ ଦୃଷ୍ଟିଗୋଚର ହେଉଛି ଏବଂ ଏକଥା ମଧ୍ୟ ସତ୍ୟ ଯେ, ଯେତେବେଳେ ଯୁବ ପିଢ଼ି, ନିଜ ସଭ୍ୟତା ସହ ଗର୍ବର ସହ ଯୋଡ଼ି ହୋଇଥାଏ, ସେତେବେଳେ ଏହାର ମୂଳଦୂଆ ଆହୁରି ସୁଦୃଢ଼ ହୋଇଥାଏ ।

ଆଉ ସେତେବେଳେ ତାର ସ୍ୱର୍ଣ୍ଣିମ ଭବିଷ୍ୟତ ମଧ୍ୟ ସୁନିଶ୍ଚିତ ହୋଇଯାଇଥାଏ । ଏଥର ଆମେ କୁମ୍ଭର ଡିଜିଟାଲ୍ ଫୁଟପ୍ରିଣ୍ଟସ୍ ମଧ୍ୟ ବ୍ୟାପକ ଭାବରେ ଦେଖିପାରୁଛୁ । କୁମ୍ଭର ଏହି ବୈଶ୍ୱିକ ଲୋକପ୍ରିୟତା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ ।

କିଛିଦିନ ତଳେ ହିଁ ପଶ୍ଚିମବଙ୍ଗରେ ଗଙ୍ଗା ସାଗର ମେଳାର ମଧ୍ୟ ସୁନ୍ଦର ଆୟୋଜନ ହୋଇଛି । ପବିତ୍ର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ଏହି ମେଳାରେ ସମଗ୍ର ପୃଥିବୀର ଲକ୍ଷ ଲକ୍ଷ ଭକ୍ତ ବୁଡ଼ ପକାଇଛନ୍ତି । କୁମ୍ଭ, ପୁଷ୍କରମ୍ ଓ ଗଙ୍ଗା ସାଗର ମେଳା- ଆମର ଏଇ ପର୍ବ, ଆମର ସାମାଜିକ ଘନିଷ୍ଠତାକୁ, ସଦ୍ଭାବକୁ, ଏକତାକୁ ବଢ଼ାଇବାର ପର୍ବ । ଏହି ପର୍ବ ଭାରତୀୟଙ୍କୁ ଭାରତର ପରମ୍ପରା ସହିତ ଯୋଡ଼ିଥାଏ ଏବଂ ଆମ ଶାସ୍ତ୍ର ଯେମିତି ସଂସାରରେ ଧର୍ମ, ଅର୍ଥ, କାମ, ମୋକ୍ଷ, ଚାରିଟି ଉପରେ ଗୁରୁତ୍ୱ ଦେଇଛି ଠିକ୍ ସେମିତି ଆମର ପର୍ବ ଓ ପରମ୍ପରା ମଧ୍ୟ ଆଧ୍ୟାତ୍ମିକ, ସାମାଜିକ, ସାଂସ୍କୃତିକ ଏବଂ ଆର୍ଥିକ ପ୍ରତ୍ୟେକ ପକ୍ଷକୁ ସଶକ୍ତ କରିଥାନ୍ତି ।