ଐତିହାସିକ ତୃତୀୟ ପାଳି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ପୁନର୍ବାର ବିଜୟ

ଅସ୍ଥିର ବିଶ୍ୱରେ ସ୍ଥିର ନେତୃତ୍ୱର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଐତିହାସିକ ୨୦୨୪ ନିର୍ବାଚନରେ ଦେଖିବାକୁ ମିଳିଛି ଏକାଧିକ ବ୍ୟତିକ୍ରମ
ଓଡ଼ିଶା ସମେତ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଓ ଏନଡିଏକୁ ଅଭୂତପୂର୍ବ ସଫଳତା
ନୁଆଦିଲ୍ଲୀ:- ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ତୃତୀୟ ବିଜୟ କେବଳ ତାଙ୍କ ବ୍ୟକ୍ତିଗତ ପରମ୍ପରାକୁ ସୁଦୃଢ଼ କରି ନାହିଁ ବରଂ ଭାରତୀୟ ରାଜନୀତିରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଆଧିପତ୍ୟକୁ ମଧ୍ୟ ପ୍ରତିଫଳିତ କରିଛି। ଏହା ଦର୍ଶାଉଛି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭାରତ ପାଇଁ ସ୍ଥିରତାର ପ୍ରତୀକ ପାଲଟିଥିବା ବେଳେ ବିଜେପି ସୁଶାସନର ପର୍ଯ୍ୟାୟବାଚୀ ଦଳ ଭାବରେ ଉଭା ହୋଇଛି ।
୨୦୨୪ରେ ବିଶ୍ୱର ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ସରକାର ବିରୋଧୀ ହାୱା ପ୍ରବାହିତ ହୋଇଥିଲା, ଯେଉଁଥିରେ କ୍ଷମତାସୀନମାନେ ଗୁରୁତ୍ୱପୂର୍ଣ୍ଣ ପରାଜୟର ସମ୍ମୁଖୀନ ହୋଇଥିଲେ। ଯୁକ୍ତରାଷ୍ଟ୍ର ଆମେରିକାରେ ଡେମୋକ୍ରାଟମାନେ କଂଗ୍ରେସର ଉଭୟ ଗୃହରେ ଅଧ୍ୟକ୍ଷତା ଓ ନିୟନ୍ତ୍ରଣ ହରାଇଥିଲେ। ବ୍ରିଟେନରେ କନଜର୍ଭେଟିଭ୍ ପାର୍ଟି (ଟୋରି) ନିର୍ଣ୍ଣାୟକ ଭାବେ କ୍ଷମତାରୁ ବହିଷ୍କୃତ ହୋଇଥିଲା । ସେହିପରି ଫ୍ରାନ୍ସ, ଦକ୍ଷିଣ କୋରିଆ ଓ ପୋଲାଣ୍ଡରେ ଶାସକ ଦଳ ଗୁଡ଼ିକ ପ୍ରତି ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏହି ବୈଶ୍ୱିକ ଧାରାର ବିପରୀତ ଭାରତରେ ନରେନ୍ଦ୍ର ମୋଦୀ କେବଳ କ୍ଷମତା ବଜାୟ ରଖିନାହାନ୍ତି ବରଂ ଐତିହାସିକ ତୃତୀୟ ପାଳିରେ ମଧ୍ୟ ଶାସନଭାର ବଜାୟ ରଖିଛନ୍ତି । ୨୦୧୪ ଓ ୨୦୧୯ରେ ସ୍ପଷ୍ଟ ବିଜୟ ପରେ ଭାରତୀୟ ଭୋଟରମାନେ ପୁଣିଥରେ ମୋଦୀଙ୍କୁ ଦୃଢ଼ ଜନାଦେଶ ଦେଇ ଅନ୍ତର୍ଜାତୀୟ ସରକାର ବିରୋଧୀ ହାୱାର ସମ୍ପୂର୍ଣ୍ଣ ଓଲଟା ଛବି ପ୍ରଦର୍ଶିତ କରିଥିଲେ ।
୨୦୨୪ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପିର ସବୁଠାରୁ ବଡ ବିଜୟ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଐତିହାସିକ ତୃତୀୟ ପାଳିରେ ଶାସନଭାର ହାସଲ କରିଛନ୍ତି। ଭାରତର ରାଜନୈତିକ ଇତିହାସରେ ଏହି ସଫଳତା ଗୁରୁତ୍ୱପୂର୍ଣ୍ଣ, କାରଣ ୧୯୬୨ ପରଠାରୁ ଅନ୍ୟ କୌଣସି ନେତା କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇନାହାନ୍ତି।
ଏକ ଅସ୍ଥିର ବିଶ୍ୱରେ ସ୍ଥିର ନେତୃତ୍ୱ-ଏକ ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ୨୦୧୪ ରୁ ରାଜନୈତିକ ସ୍ଥିରତାର ଆଲୋକବର୍ତ୍ତିକା ପାଲଟିଛି । ବିଶେଷକରି ସେହି ସମୟ ମଧ୍ୟରେ ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ ସମ୍ମୁଖୀନ ହୋଇଥିବା ରାଜନୈତିକ ଅସ୍ଥିରତା ତୁଳନାରେ ଏହି ନିରନ୍ତରତା ଉଲ୍ଲେଖନୀୟ ।
ମୋଦୀଙ୍କ କାର୍ଯ୍ୟକାଳ ଏକ ସମନ୍ୱିତ ସରକାରର ପ୍ରମାଣ ଦେଇଛି ଯାହା ସୁଦୂରପ୍ରସାରୀ ଆର୍ଥକ, ସାମାଜିକ ଏବଂ ବୈଦେଶିକ ନୀତିଗତ ପଦକ୍ଷେପକୁ କାର୍ଯ୍ୟକାରୀ କରିଛି। ଏହା ଏକ ବିଶ୍ୱ ଶକ୍ତି ଭାବରେ ଭାରତର ଉନ୍ନତିରେ ଯୋଗଦାନ କରିଛି ।
ଅପରପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନେକ ନାଟକୀୟ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୧୭ ପର୍ଯ୍ୟନ୍ତ ବାରାକ ଓବାମାଙ୍କ ରାଷ୍ଟ୍ରପତିତ୍ୱ କାଳରୁ ଆରମ୍ଭ ହୋଇଥିବା ଏହି ଦାୟିତ୍ୱ ଡୋନାଲ୍ଡ ଟ୍ରମ୍ପଙ୍କ ହାତକୁ ଗଲା, ଯିଏ କି ସମ୍ପୂର୍ଣ୍ଣ ଭିନ୍ନ ନୀତି ଏବଂ ଅଧିକ ଅଲଗା ଆଭିମୁଖ୍ୟ ପ୍ରଣୟନ କରିଥିଲେ । ୨୦୨୧ରେ ଜୋ ବାଇଡେନ୍ ଟ୍ରମ୍ପଙ୍କ ଅନେକ ପ୍ରମୁଖ ନୀତିକୁ ବଦଳାଇ ବହୁପକ୍ଷବାଦ ଏବଂ ଘରୋଇ ପୁଞ୍ଜିନିବେଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଫେରିବା ପରେ ପ୍ରଶାସନରେ ଆଉ ଏକ ପରିବର୍ତ୍ତନ ଆସିଛି, ଯାହା ଗଭୀର ଦଳୀୟ ବିଭାଜନ ଏବଂ ନୀତିଗତ ଅସ୍ଥିରତାକୁ ପ୍ରତିଫଳିତ କରୁଛି।
୨୦୧୪ରୁ ବ୍ରିଟେନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । କଞ୍ଜରଭେଟିଭ୍ ପାର୍ଟି ଅଧୀନରେ ନେତୃତ୍ୱ ବାରମ୍ବାର ବଦଳିଥିଲା, ବ୍ରେକଜିଟ ଜନମତ ପରେ ଡେଭିଡ୍ କ୍ୟାମେରନ୍ ଇସ୍ତଫା ଦେଇଥିଲେ ଏବଂ ଏହା ପରେ ବ୍ରେକଜିଟ୍ ଆଲୋଚନା ସହ ସଂଘର୍ଷ କରୁଥିବା ଥେରେସା ମେ ମଧ୍ୟ ଇସ୍ତଫା ଦେଇଥିଲେ। ଏହାପରେ ବୋରିସ୍ ଜନସନ୍ କୋଭିଡ୍-୧୯ ମହାମାରୀ ସମୟରେ ନେତୃତ୍ୱ ନେଇ କ୍ଷମତାକୁ ଆସିଥିଲେ, କିନ୍ତୁ ଶେଷରେ ଦୁର୍ନୀତି ଭିତରେ ଇସ୍ତଫା ଦେଇଥିଲେ। ଲିଜ୍ ଟ୍ରୁସଙ୍କ ସଂକ୍ଷିପ୍ତ ଏବଂ ଅସ୍ଥିର କାର୍ଯ୍ୟକାଳ ପରେ ଋଷି ସୁନକ ଅର୍ଥବ୍ୟବସ୍ଥା ଏବଂ ଦଳକୁ ସ୍ଥିର କରିବାକୁ ଚେଷ୍ଟା କରିଥିଲେ। ନିକଟରେ ଲେବର ପାର୍ଟିର କିର୍ ଷ୍ଟାର୍ମର୍ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ଯାହା ଶାସନରେ ପରିବର୍ତ୍ତନ ଆଣିଛି ।
ଅଷ୍ଟ୍ରେଲିଆରେ ମଧ୍ୟ ନେତୃତ୍ୱର ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ଏହାର ଐତିହାସିକ ଅସ୍ଥିର ରାଜନୈତିକ ସଂସ୍କୃତିକୁ ପ୍ରତିଫଳିତ କରୁଛି । ୨୦୧୪ରେ ଟୋନି ଆବଟଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ପ୍ରଥମେ ମାଲକମ ଟର୍ନବୁଲ, ତାପରେ ସ୍କଟ ମରିସନ ଏବଂ ବର୍ତ୍ତମାନ ଆନ୍େଥାନି ଆଲବାନିସଙ୍କୁ ଦିଆଯାଇଛି । ପ୍ରତ୍ୟେକ ପରିବର୍ତ୍ତନ ପ୍ରାଥମିକତାରେ ପରିବର୍ତ୍ତନ ଆଣିଛି, ଆଲବାନିସ୍ ତାଙ୍କ ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କ ଅଧୀନରେ ଅଧିକ ରକ୍ଷଣଶୀଳ ଆଭିମୁଖ୍ୟ ପରେ ଜଳବାୟୁ କାର୍ଯ୍ୟ ଏବଂ ସାମାଜିକ ନୀତି ଉପରେ ଧ୍ୟାନ ଦେଇଛନ୍ତି।
ଇଟାଲୀର ରାଜନୈତିକ ଦୃଶ୍ୟ ମଧ୍ୟ ସେତିକି ଅସ୍ଥିର ରହିଛି, ଯେଉଁଥିରେ କ୍ରମାଗତ ସରକାରମାନେ ସେମାନଙ୍କ କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଅନେକ ସମୟରେ ଭୁଶୁଡ଼ି ପଡ଼ୁଛନ୍ତି। ମାଟିଓ ରେଞ୍ଜିଙ୍କ ସଂସ୍କାର ଭିତିକ କାର୍ଯ୍ୟକାଳ ପାଓଲୋ ଜେଣ୍ଟିଲୋନିଙ୍କ ପାଇଁ ମାର୍ଗ ପ୍ରଶସ୍ତ କରିଥିଲା। ଏହା ପରେ ଜିଉସେପ୍ କୋଣ୍ଟେଙ୍କ ମେଣ୍ଟ ସରକାର, ମାରିଓ ଡ୍ରାଗିଙ୍କ ଟେକ୍ନୋକ୍ରାଟିକ୍ ନେତୃତ୍ୱ ଏବଂ ବର୍ତ୍ତମାନ ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦେଶର ଦାୟିତ୍ୱ ନେଇଥିଲେ । ମେଲୋନିଙ୍କ ଐତିହାସିକ ବିଜୟ ସତ୍ତ୍ୱେ ଇଟାଲୀ ରାଜନୈତିକ ବିଭାଜନ ଏବଂ ଆର୍ଥକ ଆହ୍ୱାନର ସମ୍ମୁଖୀନ ହେଉଛି।
ବିଶେଷକରି ପାକିସ୍ତାନରେ ଅଧିକ ରାଜନୈତିକ ଅସ୍ଥିରତା ଦେଖିବାକୁ ମିଳିଛି । ସେଠାରେ ବାରମ୍ବାର ନେତୃତ୍ୱ ପରିବର୍ତ୍ତନର ଧାରାରେ ଦୁର୍ନୀତି ଓ ନିର୍ବାଚନୀ ଜାଲିଆତି ଅଭିଯୋଗ ଆସୁଛି। ୨୦୧୪ ପରଠାରୁ ଦେଶରେ ନୱାଜ ସରିଫଙ୍କଠାରୁ ସାହିଦ ଖାକାନ ଅବ୍ୱାସି, ଏହା ପରେ ଇମ୍ରାନ ଖାନ ଏବଂ ବର୍ତ୍ତମାନ ଶେହବାଜ ସରିଫଙ୍କ ପଦବୀରେ ପରିବର୍ତ୍ତନ ହୋଇଛି। ପ୍ରତ୍ୟେକ ନେତାଙ୍କ କାର୍ଯ୍ୟକାଳ ସେମାନଙ୍କ ପୂର୍ବବର୍ତ୍ତୀ ନେତାମାନଙ୍କ ସହିତ ଏକ ବିବାଦୀୟ ସମ୍ପର୍କ ଦ୍ୱାରା ଚିହ୍ନିତ ହୋଇଛି, ଯାହା ପ୍ରାୟତଃ ଆଇନଗତ ଲଢ଼େଇ ଓ କାରାଦଣ୍ଡର ରୂପ ନେଇଛି । ଏହି ଅସ୍ଥିର ରାଜନୈତିକ ବାତାବରଣ ପାକିସ୍ତାନର ନିରନ୍ତର ଶାସନ ଏବଂ ଆର୍ଥକ ପ୍ରଗତି ହାସଲ କରିବାର କ୍ଷମତାକୁ ବାଧା ଦେଇଛି।
ବିଶେଷକରି ଏହାର ଖଣ୍ଡବିଖଣ୍ଡିତ ମେଣ୍ଟ ବ୍ୟବସ୍ଥା ଯୋଗୁଁ ଇସ୍ରାଏଲରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ୨୦୧୪ ପରଠାରୁ ନାଫତାଲି ବେନେଟଙ୍କ ନିକଟରେ ବେଞ୍ଜାମିନ ନେତାନ୍ୟାହୁ କ୍ଷମତା ହରାଇବା ପରେ ୟାର ଲାପିଡଙ୍କ ସଂକ୍ଷିପ୍ତ କାର୍ଯ୍ୟକାଳ ଆସିଥିଲା। ଏହାପରେ ନେତାନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ ପଦକୁ ଫେରିଥିଲେ ।
ଜାପାନ ତୁଳନାତ୍ମକ ଭାବେ ରାଜନୈତିକ ସ୍ଥିରତା ପାଇଁ ଜଣାଶୁଣା ଥିଲା । କିନ୍ତୁ ୨୦୨୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବା ସିଞ୍ଜୋ ଆବେ ସ୍ୱାସ୍ଥ୍ୟଗତ କାରଣରୁ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଇଥିଲେ। ତାଙ୍କ ପରେ ୟୋଶିହିଡେ ସୁଗା ମାତ୍ର ଏକ ବର୍ଷ କ୍ଷମତାରେ ରହିବା ପରେ ଇସ୍ତଫା ଦେଇଥିଲେ । ପ୍ରବଳ ଅନିଶ୍ଚିତତା ମଧ୍ୟରେ ମାତ୍ର ୩ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରହିଥିବା ଫୁମିଓ କିସିଦା ବର୍ତ୍ତମାନ ତାଙ୍କ ସ୍ଥାନରେ ଶିଗେରୁ ଇଶିବାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।
୨୦୧୪ ପରଠାରୁ ବ୍ରାଜିଲ ଆର୍ଥକ ସଙ୍କଟ, ଦୁର୍ନୀତି ଏବଂ ଧ୍ରୁବୀକରଣ ନିର୍ବାଚନ ଯୋଗୁଁ ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହୋଇଛି। ୨୦୧୬ରେ ଦିଲମା ରୁସେଫଙ୍କ ବିରୋଧରେ ମହାଭିଯୋଗ ହୋଇଥିଲା, ଯାହା ମିସେଲ ଟେମେରଙ୍କ ପାଇଁ ବାଟ ଖୋଲିଥିଲା । ଏହାପରେ ଜୈର ବୋଲସୋନାରୋ କଠୋର ଦକ୍ଷିଣପନ୍ଥୀ ପପୁଲିଷ୍ଟ ଆଭିମୁଖ୍ୟ ଗ୍ରହଣ କରି କ୍ଷମତାକୁ ଆସିଥିଲେ। ନିକଟରେ ନିର୍ବାଚନ ପରେ ଲୁଇଜ୍ ଇନାସିଓ ଲୁଲା ଡି ସିଲଭା କ୍ଷମତାକୁ ଫେରିଛନ୍ତି ।
ଦକ୍ଷିଣ କୋରିଆରେ ବ୍ୟାପକ ଦୁର୍ନୀତି ଅଭିଯୋଗ ମଧ୍ୟରେରେ ୨୦୧୭ରେ ପାର୍କ ଗିଉନ-ହେଙ୍କ ବିରୋଧରେ ମହାଭିଯୋଗ ହୋଇଥିଲା। ତାଙ୍କ ଉତ୍ତରାଧିକାରୀ ମୁନ୍ ଜେ-ଇନ୍ ଆର୍ଥକ ଆହ୍ୱାନ ଏବଂ କୂଟନୈତିକ ଉଜେନାକୁ ନେଇ ସଂଘର୍ଷ କରିଥିଲେ। ୟୁନ ସୁକ-ୟେଓଲ ହେଉଛନ୍ତି ବର୍ତମାନର ରାଷ୍ଟ୍ରପତି, ଯିଏକି ନିକଟରେ ମାର୍ଶାଲ ଲକୁ ଅସଫଳ ଘୋଷଣା କରିଛନ୍ତି ଏବଂ ଦକ୍ଷିଣ କୋରିଆର ସଂସଦ ଦ୍ୱାରା ମହାଭିଯୋଗ ପ୍ରକ୍ରିୟାର ସାମ୍ନା କରୁଛନ୍ତି।
୨୦୧୪ ପରଠାରୁ ଆର୍ଜେଣ୍ଟିନାରେ ଉଲ୍ଲେଖନୀୟ ପରିବର୍ତନ ଦେଖିବାକୁ ମିଳିଛି, ନେତୃତ୍ୱ କ୍ରିଷ୍ଟିନା ଫର୍ନାଣ୍ଡେଜ୍ ଡି କିର୍ଚନରଙ୍କଠାରୁ ମୌରିସିଓ ମାକ୍ରି, ଏହା ପରେ ଆଲବର୍ଟୋ ଫର୍ନାଣ୍ଡେଜ୍ ଏବଂ ବର୍ତମାନ ଜାଭିୟର ମିଲିଙ୍କୁ ନେତୃତ୍ୱ ଦାୟିତ୍ୱ ମିଳିଛି । ପ୍ରତ୍ୟେକ ନେତା ଭିନ୍ନ ଭିନ୍ନ ଆର୍ଥକ ଏବଂ ସାମାଜିକ ନୀତି ଗ୍ରହଣ କରିଛନ୍ତି, ଯାହା ଅନିଶ୍ଚିତତା ଏବଂ ବାରମ୍ବାର ରାଜନୈତିକ ପୁନର୍ଗଠନରେ ଯୋଗଦାନ କରୁଛି ।
୨୦୨୪ ନିର୍ବାଚନରେ ଭାରତକୁ ଏକ ସୁଦୃଢ଼ ଗଣତନ୍ତ୍ର ଭାବରେ ପ୍ରଦର୍ଶିତ କରିଛି । ଯେଉଁଥିରେ ଦୃଢ଼ ମତଦାତା ସଂପୃକ୍ତି ଏବଂ ନାଗରିକ ଆଚରଣ ପରିଲକ୍ଷିତ ହୋଇଛି । ଇଭିଏମ୍ ଉପରେ ଆକ୍ରମଣ ଓ ପ୍ରବଳ ଗରମ ସତ୍ତ୍ୱେ ଲୋକମାନେ ବହୁ ସଂଖ୍ୟାରେ ଭୋଟ୍ ଦେଇ ବେଶ୍ ଉତ୍ସାହ ଦେଖାଇଛନ୍ତି । ପ୍ରଥମ ଥର ମତଦାତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ସବୁ ବୟସର ଲୋକ ଓ ସବୁ ବର୍ଗର ଲୋକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବେଶ୍ ଉତ୍ସାହର ସହ ଭାଗ ନେଇଛନ୍ତି। ୧୯୯୬ ପରଠାରୁ ଗତ ୩ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ କଶ୍ମୀରରେ ସର୍ବାଧିକ ୩୮% ମତଦାନ ହୋଇଛି। ଭାରତୀୟ ରାଜନୀତିରେ ଲିଙ୍ଗଗତ ପ୍ରତିନିଧିତ୍ୱକୁ ସୁଦୃଢ଼ ହୋଇଛି । ଅଧିକ ସଂଖ୍ୟାରେ ମହିଳା ନିର୍ବାଚନ ଲଢ଼ି ବିଜୟୀ ହେବା ଦ୍ୱାରା ଅଧିକ ଅନ୍ତର୍ଭୁକ୍ତୀକରଣ ଦେଖିବାକୁ ମିଳିଛି । ୨୦୨୪ ନିର୍ବାଚନ ଭାରତର ଗଣତାନ୍ତ୍ରିକ ପରିପକ୍ୱତାକୁ ପ୍ରଦର୍ଶିତ କରିଛି, ଯେଉଁଥିରେ ନାଗରିକମାନେ କିପରି ସେମାନଙ୍କର ପ୍ରାଥମିକତା ଏବଂ ସେମାନଙ୍କ ନେତାଙ୍କ ଠାରୁ ଆଶା ବିଷୟରେ ଅଧିକ ସଚେତନ ହେଉଥିବା ଦେଖିବାକୁ ମିଳିଛି ।୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ପଛରେ ଲୋକମାନେ ଦୃଢ଼ତାର ସହ ଠିଆ ହୋଇଛନ୍ତି । ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କର ସର୍ବବୃହତ ଗୋଷ୍ଠୀ ଚଳିତ ବର୍ଷ ଭାରତର ସାଧାରଣ ନିର୍ବାଚନର ପ୍ରତ୍ୟକ୍ଷ ଅନୁଭବ କରିଛନ୍ତି । ସେମାନେ ଯାହା ଦେଖିଛନ୍ତି ସେଥିରେ ପ୍ରଭାବିତ ହୋଇଛନ୍ତି। କେହି କେହି ଏହି ପ୍ରକ୍ରିୟାର ସ୍ୱଚ୍ଛତାକୁ ପ୍ରଶଂସା କରିଥିବା ବେଳେ ଆଉ କେତେକ ଗ୍ରୀନ୍ ପୋଲିଂ ଷ୍ଟେସନ ଭଳି ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ପ୍ରକୃତରେ ପ୍ରେରଣାଦାୟକ ମନେ କରିଛନ୍ତି। ଇଭିଏମ୍-ଭିଭିପ୍ୟାଟ୍ ର ରେଣ୍ଡମାଇଜେସନ୍ ଭଳି ଟେକ୍ନୋଲୋଜିର ବ୍ୟବହାରକୁ ମଧ୍ୟ ବହୁତ ପ୍ରଶଂସା ମିଳିଛି। ବିକାଶ, ବିବିଧତା ଏବଂ ନିର୍ଣ୍ଣାୟକତା ପାଇଁ ଏହି ଜନାଦେଶ ଦିଆଯାଇଛି । ପ୍ରତାରଣା ଓ ବିଭାଜନ ରାଜନୀତିକୁ ଲୋକେ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତ ପ୍ରମାଣିତ କରିଛି ଯେ ଏହା ଏକ ପରିପକ୍ୱ ଗଣତନ୍ତ୍ର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ରମାଗତ ତିନି ଥର ସଫଳତାର ସହ କ୍ଷମତାକୁ ଆଣିଥିବା ବିଶ୍ୱନେତାଙ୍କ ଏକ ବଛାବଛା ଗୋଷ୍ଠୀ ମଧ୍ୟରେ ସ୍ଥାନିତ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ନିଜର ପ୍ରଭାବ ବିସ୍ତାର କରି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଭଳି ଅଂଚଳରେ ଡବଲ ଇଞ୍ଜିନ ଶାସନ ଆଣିପାରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି)କୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି। ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ବିଜେଡି ନିଜର ଆଧିପତ୍ୟ ହରାଇଛି । ୨୦୧୯ ତୁଳନାରେ ବିଜେପି ଏହି ନିର୍ବାଚନରେ ରାଜ୍ୟରେ ସରକାରକୁ ଆସିବା ସହିତ ୨୦ଟି ଲୋକସଭା ଆସନ ଜିତିଛି । ଆନ୍ଧ୍ରପ୍ରଦେଶରେ ଏନଡିଏ କ୍ଷମତାକୁ ଆସିଥିବା ବେଳେ ହରିୟାଣା ଏବଂ ପଞ୍ଜାବରେ ମଧ୍ୟ ବିଜେପିର ବିଜୟ ଦେଖିବାକୁ ମିଳିଛି । ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଭାରତୀୟ ଜନତା ପାର୍ଟି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିଛି ଏବଂ ସେମାନେ କ୍ରମାଗତ ତୃତୀୟ ଥର ପାଇଁ ଐତିହାସିକ କ୍ଷମତା ହାସଲ କରିଛନ୍ତି। ହରିୟାଣାରେ ବିଜେପି ପ୍ରଥମ ରାଜନୈତିକ ଦଳ ଭାବେ ଏହି ହ୍ୟାଟ୍ରିକ୍ ହାସଲ କରିଛି, ଯାହା ରାଜ୍ୟରେ ଏହାର ବଢୁଥିବା ପ୍ରଭାବର ପ୍ରମାଣ। ମହାରାଷ୍ଟ୍ରରେ ୨୮୮ ଆସନ ମଧ୍ୟରୁ ବିଜେପି ଏକାକୀ ୧୩୦ ଆସନରେ ଜିତିଥିବା ବେଳେ ଏନସିପି ଓ ଶିବସେନା ଭଳି ସହଯୋଗୀ ଦଳ ସହ ମିଶି ମହାଯୁତି ମେଣ୍ଟ ୨୩୦ରୁ ଅଧିକ ଆସନରେ ବିଜୟୀ ହୋଇ ସରକାର ଗଢ଼ିଛି ।