ମୋଦୀ ସରକାର ଦେଶର ଅର୍ଥନୀତିକୁ ବରବାଦ କରି ଦେଇଛନ୍ତି, ଜଣେ ବ୍ୟକ୍ତିଙ୍କ ଉପରେ ଋଣଭାର ୪.୮ ଲକ୍ଷ ଟଙ୍କାକୁ ବଢିଛି : କଂଗ୍ରେସ

By Jagadananda Pradhan
Editor,Fast Mail
କଂଗ୍ରେସ ପକ୍ଷରୁ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ସହ ଜଡ଼ିତ ବିଭିନ୍ନ ଖବରକୁ ଉଲ୍ଲେଖ କରିଦାବି କରାଯାଇଛି ଯେକେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଅର୍ଥନୀତିକୁ ବରବାଦ କରିଦେଇଛନ୍ତି । ଗତ ଦୁଇ ବର୍ଷରେ ଦେଶରେ ଜଣେ ବ୍ୟକ୍ତିଙ୍କ ଉପରେ ଋଣଭାର ୯୦,୦୦୦ ଟଙ୍କାରୁ ବୃଦ୍ଧି ପାଇ ୪.୮ ଲକ୍ଷ ଟଙ୍କାକୁ ବଢିଯାଇଛି। ଦଳର ମହାସଚିବ ଜୟରାମ ରମେଶ ଦାବି କରିଛନ୍ତି ଯେ ଜନତା ଋଣରେ ବୁଡ଼ି ରହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନିଷ୍ଠ ମିତ୍ରମାନେ କେବଳ ଏଥିରୁ ଲାଭ ଊଠାଉଛନ୍ତି ଏବଂ ସେମାନଙ୍କ ସମ୍ପତ୍ତି ବଢ଼ି ଚାଲିଛି।
ରମେଶ ଏକ୍ସରେ ପୋଷ୍ଟ କରିଛନ୍ତି, ଅଚ୍ଛେ ଦିନର ଋଣ ! ମୋଦୀ ସରକାର ଗତ ଏଗାର ବର୍ଷରେ ଦେଶର ଅର୍ଥନୀତିକୁ ବରବାଦ କରି ଦେଇଛନ୍ତି। ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ କୌଣସି ପ୍ରୟାସ କରାଯାଇ ନାହିଁ, କେବଳ ପୁଞ୍ଜିପତି ମିତ୍ରମାନଙ୍କ ପାଇଁ ସମସ୍ତ ନୀତି ଓ ଯୋଜନାକୁ ପ୍ରଣୟନ୍ନ କରାଯାଇଛି, ଯାହାର ପରିଣାମ ଆଜି ଦେଶର ଜନତାଙ୍କୁ ଭୋଗିବାକୁ ପଡୁଛି।ସେ କହିଛନ୍ତି ଯେ ଏହି ସତ୍ୟତା ପ୍ରତିଦିନ କୌଣସି ନା କୌଣସି ଭାବେ ଆମ ସାମନାକୁ ଆସୁଛି।ରମେଶ କେତେକ ଖବରକୁ ଉଲ୍ଲେଖ କରି ଦାବି କରିଛନ୍ତି, ରିଜର୍ଭ ବ୍ୟାଙ୍କର ସାମ୍ପ୍ରତିକ ରିପୋର୍ଟରୁ ଭାରତର ଅର୍ଥନୀତିର ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି।
ସରକାରଙ୍କ ତରଫରୁ ତଥ୍ୟ ଜାଲିଆତି ଏବଂ ବିଶେଷଜ୍ଞମାନଙ୍କ ସହାୟତାରେ ପ୍ରକୃତ ଅର୍ଥନାତିକଜନିତ ଦୂର୍ଦ୍ଦଶାକୁ ଲୁଚାଇବାକୁ ଚେଷ୍ଟା ଜାରି ରହିଛି, କିନ୍ତୁ ଏହି ସତ୍ୟତାକୁ କେହି ଅସ୍ୱୀକାର କରିପାରିବେ ନାହିଁ ଯେ ମୋଦୀ ଶାସନରେ ଦେଶ ଉପରେ ଋଣର ବୋଝ ଚରମରେ ପହଞ୍ଚିଛି।
ସେ କହିଛନ୍ତି ଯେ ଦୁଇ ବର୍ଷରେ ଜଣେ ବ୍ୟକ୍ତିଙ୍କ ଉପରେ ଋଣଭାର ୯୦,୦୦୦ ଟଙ୍କାରୁ ବୃଦ୍ଧି ପାଇ ୪.୮ ଲକ୍ଷ ଟଙ୍କା ହୋଇଛି, ଅର୍ଥାତ୍ ଲୋକଙ୍କ ଆୟର ୨୫.୭ ପ୍ରତିଶତ କେବଳ ଋଣ ପରିଶୋଧ କରିବାରେ ଖର୍ଚ୍ଚ ହେଉଛି। କଂଗ୍ରେସ ନେତା ଦାବି କରିଛନ୍ତି, ସବୁଠାରୁ ଅଧିକ ୫୫ ପ୍ରତିଶତ ଋଣ ତଥାକଥିତ କ୍ରେଡିଟ କାର୍ଡ, ମୋବାଇଲ ଇଏମଆଇ ଆଦି ପାଇଁ ଯାଉଛି, ଯାହାର ଅର୍ଥ ଏହି ମହଙ୍ଗାକାଳରେ ପରିବାରଗୁଡ଼ିକ ଯାହା କିଛି ଆୟ କରୁଛନ୍ତି,ସେଥିରେ ସେମାନଙ୍କର ଗୁଜୁରାଣ ମେଣ୍ଟଊ ନାହିଁ। ସେମାନେ ଋଣ ନେବାକୁ ବାଧ୍ୟ ହେଉଛନ୍ତି। ଅସୁରକ୍ଷିତ ଋଣ ୨୫ ପ୍ରତିଶତକୁ ଅତିକ୍ରମ କରିଛି।
ରମେଶଙ୍କ ଅନୁସାରେ, ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ମାର୍ଚ୍ଚ ୨୦୨୫ ସୁଦ୍ଧା ଭାରତ ଉପରେ ଅନ୍ୟ ଦେଶମାନଙ୍କର/ବାହ୍ୟ ଋଣ ୭୩୬.୩ ବିଲିୟନ ଡଲାର ଥିଲା, ଯାହା ଗତ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ ହେବ।ସେ ଦାବି କରିଛନ୍ତି ଯେ ଯୁବକମାନଙ୍କ ପାଖରେ ନିଯୁକ୍ତି ନାହିଁ, କୃଷକମାନେ ଆତ୍ମହତ୍ୟା କରୁଛନ୍ତି, ମହଙ୍ଗାମାଗୀରୁ ଜନତା ତ୍ରସ୍ତ ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଚୂର୍ଣ୍ଣ କରାଯାଉଛି।
କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଜନତା ଋଣରେ ବୁଡ଼ି ରହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘନିଷ୍ଠ ମିତ୍ରମାନେ ଲାଭ କମାଉଛନ୍ତି, ସେମାନଙ୍କ ସମ୍ପତ୍ତି ବଢ଼ି ଚାଲିଛି।ରମେଶ କହିଛନ୍ତି, ସିଧାସଳଖ ପ୍ରଶ୍ନ ହେଉଛି ଯେ ଯେତେବେଳେ ସମସ୍ତ ସରକାରୀ ପ୍ରକଳ୍ପ ସାର୍ବଜନିକ-ଘରୋଇ ଭାଗୀଦାରୀ କିମ୍ବା ଘରୋଇ ଭାଗୀଦାରୀ ମାଧ୍ୟମରେ ହେଉଛି, ତେବେ ଦେଶ ଉପରେ ଋଣ କାହିଁକି ବଢ଼ୁଛି ଏବଂ ପ୍ରତ୍ୟେକ ଭାରତୀୟଙ୍କ ଉପରେ ୪,୮୦,୦୦୦ ଟଙ୍କାର ଋଣଭାର କାହିଁକି ହେଲା?