ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ଉଦ୍ଦେଶ୍ୟ ଥିଲା ଦେଶରେ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା: ରାହୁଲ ଗାନ୍ଧୀ

FMNEWS.IN 26-04-2025
Pahalgam Terror Attack Aimed to Divide People of the Country: Rahul Gandhi

ଶ୍ରୀନଗର । ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶର ଲୋକଙ୍କୁ ବିଭାଜନ କରିବା ଏବଂ ବର୍ତ୍ତମାନ ଏହା ଅତ୍ୟନ୍ତ ଜରୁରୀ ଯେ ଭାରତରୁ ଆତଙ୍କବାଦକୁ ସବୁଦିନ ପାଇଁ ମୂଳପୋଛ କରିବାକୁ ଏକଜୁଟ ହେବାର ଆବଶ୍ୟକତା ରହିଛି। ଶ୍ରୀନଗରରେ ସାମ୍ବାଦିକମାନଙ୍କୁ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ଏକ ଭୟଙ୍କର ଘଟଣା ।

ଜମ୍ମୁ-କଶ୍ମୀରର ସମସ୍ତ ଲୋକେ ଏହି ଭୟଙ୍କର ଆତଙ୍କବାଦୀ କାର୍ଯ୍ୟକଳାପର ନିନ୍ଦା କରିଛନ୍ତି। ସେମାନେ ରାଷ୍ଟ୍ର ପ୍ରତି ପୂର୍ଣ୍ଣ ସମର୍ଥନ କରିଛନ୍ତି। କଂଗ୍ରେସ ନେତା ଶୁକ୍ରବାର ସକାଳେ ଶ୍ରୀନଗର ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ବାଦାମୀବାଗ ଛାଉଣୀସ୍ଥିତ ସେନାର ୯୨ ବେସ୍ ହସ୍ପିଟାଲକୁ ଯାଇଥିଲେ। ସେ କହିଛନ୍ତି, ମୁଁ ଆହତମାନଙ୍କ ମଧ୍ୟରୁ ଜଣଙ୍କୁ ଭେଟିଛି, ଅନ୍ୟମାନଙ୍କୁ ଭେଟି ପାରିନାହିଁ କାରଣ ସେମାନେ ଫେରି ଯାଇଥିଲେ। ଯେଉଁମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି, ତାଙ୍କ ପ୍ରତି ମୋର ପ୍ରେମ ଓ ସ୍ନେହ। ମୁଁ ଚାହୁଁଛି ସମସ୍ତେ ଜାଣନ୍ତୁ ଯେ ସମଗ୍ର ଦେଶ ସେମାନଙ୍କ ସାଙ୍ଗରେ ଅଛି।

ଗୁରୁବାର ଦିଲ୍ଲୀରେ ହୋଇଥିବା ସର୍ବଦଳୀୟ ବୈଠକର ଉଲ୍ଲେଖ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ସମସ୍ତ ବିରୋଧୀ ଦଳ ବର୍ତ୍ତମାନ ଏକଜୁଚ ଓ ସମସ୍ତେ ଆତଙ୍କବାଦୀ ଆକ୍ରମଣର ନିନ୍ଦା କରିଛନ୍ତି। ସେମାନେ ସରକାରଙ୍କ ସାଙ୍ଗରେ ଅଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଯାହା ଘଟିଛି ତାର ପଛରେ ସମାଜକୁ ବିଭାଜନ କରିବା, ଭାଇକୁ ଭାଇ ସହ ଲଢାଇ କରାଇବାର ଚିନ୍ତାଧାରା ରହିଛି ଏବଂ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ପ୍ରତ୍ୟେକ ଭାରତୀୟ ଏକଜୁଟ ହୁଅନ୍ତୁ, ଏକାଠି ଠିଆ ହୁଅନ୍ତୁ, ଯାହା ଫଳରେ ଆମେ ଆତଙ୍କବାଦୀମାନଙ୍କ ପ୍ରୟାସକୁ ପରାସ୍ତ କରିପାରିବା।

ତାଙ୍କ ଗସ୍ତ ସମୟରେ କଂଗ୍ରେସ ନେତା ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିନ୍ହା ଏବଂ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ମଧ୍ୟ ଭେଟିଥିଲେ ଏବଂ ଉଭୟେ ତାଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଛନ୍ତି, ମୁଁ ଉଭୟଙ୍କୁ ଆଶ୍ୱାସନା ଦେଇଛି ଯେ ମୁଁ ଏବଂ ଆମ ଦଳ ସେମାନଙ୍କୁ ସମର୍ଥନ କରିବୁ। ଦେଶର ଅନ୍ୟ ଅଞ୍ଚଳରେ କଶ୍ମୀରୀମାନଙ୍କ କଥିତ ଉତ୍ପୀଡ଼ନ ଉପରେ ରାହୁଲ ଗାନ୍ଧୀ କହିଛନ୍ତି, ଏହା ଦେଖି ଦୁଃଖ ଲାଗୁଛି ଯେ କିଛି ଲୋକ ମୋ କଶ୍ମୀରୀ ଭାଇ ଓ ଭଉଣୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି। ସେ କହିଛନ୍ତି, ମୋର ମନେ ହେଊଛି ଯେ ଆମେ ସମସ୍ତେ ଏକାଠି ଠିଆ ହେବା, ଏକଜୁଟ ହେବା ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଘୃଣ୍ୟ କାର୍ଯ୍ୟର ମୁକାବିଲା କରି ଆତଙ୍କବାଦକୁ ସବୁଦିନ ପାଇଁ ପରାସ୍ତ କରିବା।

ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ୟବସାୟୀ, ଛାତ୍ର ନେତା ଏବଂ ପର୍ଯ୍ୟଟନ ସହ ଜଡ଼ିତ ଲୋକଙ୍କ ପ୍ରତିନିଧିମଣ୍ଡଳୀଙ୍କୁ ମଧ୍ୟ ଭେଟିଥିଲେ।