ଭଦ୍ରକ ପଂଚାୟତ ସମିତିର ୮ମ ସାଧାରଣ ବୈଠକ, ଜନକଲ୍ୟାଣକାରୀ ଯୋଜନା ଗୁଡିକର ତୃଣମୂଳ ସ୍ତରରେ ପହଂଚିବା ନେଇ ବିଧାୟକଙ୍କ ଗୁରୁତ୍ୱାରୋପ

FMNEWS.IN 22-11-2025
8th general meeting of Bhadrak Panchayat Samiti held

ଭଦ୍ରକ :- ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକର ତୃଣମୂଳ ସ୍ତରରେ ପହଂଚିବା ନେଇ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଆଜି ଭଦ୍ରକ ପଂଚାୟତର ସମିତିର ୮ମ ସାଧାରଣ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି। ବିଧାୟକ ଶ୍ରୀ ମହାପାତ୍ର ଏହି ବୈଠକରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଗୁଡିକର କାର୍ଯ୍ୟକାରିତାକୁ ସମୀକ୍ଷା କରିଥିଲେ।

ଏହି ଯୋଜନା ଗୁଡିକରେ ଗ୍ରାମାଚଂଳର ପ୍ରକୃତ ହିତାଧିକାରୀମାନେ କିଭଳି ଉପକୃତ ହେବେ, ଏଥିପ୍ରତି ସତର୍କ ଦୃଷ୍ଟିଦେବାକୁ ବିଧାୟକ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତୋର୍ଦୟ ଯୋଜନା, କୃଷି, ଉଦ୍ୟାନ, ମତ୍ସ୍ୟ , ପ୍ରାଣୀ ସମ୍ପଦ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟଗୁଡିକୁ ସମୀକ୍ଷା କରିଥିଲେ।

ବୈଠକ ଆରମ୍ଭରେ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତି ଉପରେ ଦୃଷ୍ଟି ଦେଇଥିଲେ। ଜଳସେଚନ ବିଭାଗର ଅଧିକାରୀ ବୈଠକରେ ଯୋଗ ଦେଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସଂପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ସେ କହିଥିଲେ।

କୃଷି ବିଭାଗର ବିଭିନ୍ନ ଯୋଜନା ଗୁଡିକ ସଂପର୍କରେ ପଂଚାୟତର ଜନ ପ୍ରତିନିଧିମାନେ ଜାଣିପାରୁନଥିବାରୁ ତୃଣମୂଳ ସ୍ତରରେ ଏହା ସଠିକ୍ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ସେ ଦର୍ଶାଇଥିଲେ। ଏଣୁ ହ୍ୱାଟସ୍ଆପ୍ ଜରିଆରେ ଏକ ଗ୍ରୁପ୍ କରି ଯୋଜନା ଗୁଡିକ ସଂପର୍କରେ ସଚେତନ କରିବାକୁ ଜିଲା କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାବ୍ୟତୀତ ବିଭିନ୍ନ ସମୟରେ ସଭା କରି ସେମାନଙ୍କ ସହ ଯୋଗାଯୋଗ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ।

ପ୍ରାଣୀ ଓ ଉଦ୍ୟାନ ବିଭାଗର ଅଧିକାରୀମାନେ ନୂତନ ଭାବେ ଏବେ କାର୍ଯ୍ୟରେ ଯୋଗ ଦେଇଥିବାରୁ ବୈଠକରେ ସନ୍ତୋଷ ଜନକ ଉତର ମିଳିପାରିନଥିଲା। ଆସନ୍ତା ବୈଠକରେ ପ୍ରସ୍ତୁତ ହୋଇ ଆସିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସେ ତାଗିଦ କରିଥିଲେ। ଜିଲାରେ ବହୁ ସଂଖ୍ୟାରେ ବୁଲା ଷଣ୍ଢଙ୍କ ପ୍ରାର୍ଦୁଭାବ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେଉଥିବା ନେଇ ବିଧାୟକ ଶ୍ରୀ ମହାପାତ୍ର ଉଦବେଗ ପ୍ରକାଶ କରିଥିଲେ। ଏମାନଙ୍କୁ କିଭଳି ନିୟନ୍ତ୍ରଣ କରାଯାଇପାରିବ, ସେ ନେଇ ପ୍ରାଣୀ ସମ୍ପଦ ଅଧିକାରୀଙ୍କୁ କହିଥିଲେ। ପ୍ରଧାନମନ୍ତ୍ରୀ ଓ ଅନ୍ତୋର୍ଦୟ ଯୋଜନାରେ ଗ୍ରାମାଂଚଳରୁ ଆସୁଥିବା ଅଭିଯୋଗ ଗୁଡିକ ପିଇଓ (ପଂଚାୟତ ନିର୍ବାହୀ ଅଧିକାରୀ)ଙ୍କ ଦ୍ୱାରା ତଦନ୍ତ କାର୍ଯ୍ୟ ଚାଲିଛି। ତଦନ୍ତ ସରିଲା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ସେହିପରି ଗ୍ରାମାଂଚଳ ରାସ୍ତା ଗୁଡିକର ମରାମତି ଓ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂତନ ଅଙ୍ଗନୱାଡି କେନ୍ଦ୍ର ଗୁଡିକର ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ କହିଥିଲେ। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ବ୍ଲକ୍ରେ ୩୬୦ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୨୦୬ ଟିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।

୩୭ଟି କେନ୍ଦ୍ରର ଜମି ଚିହ୍ନଟ ହୋଇପାରିନାହିଁ। ଅବଶିଷ୍ଟ କେନ୍ଦ୍ର ଗୁଡିକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମଲ୍ଲିକ, ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ମଳୟ କୁମାର ଜେନାଙ୍କ ସମେତ ସରପଂଚ ଓ ସମିତି ସଭ୍ୟ ଓ ଆସିଷ୍ଟାଂଟ ଏକ୍ଜିକୁଟିଭ୍ ଇଂଜିନିୟର ଜୟଦେବ ପାତ୍ର, ବିଭିନ୍ନ ଲାଇନ୍ ଡିପାର୍ଟମେଂଟର ଅଧିକାରୀମାନେ ଯୋଗ ଦେଇଥିଲେ।