୭ଟି ବିଭାଗର ୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର

FMNEWS.IN 07-06-2025
Appointment letters issued to 1,294 people in 7 departments

ଭୁବନେଶ୍ୱର :- ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପ୍ରମୁଖ ଆଭିମୁଖ୍ୟ । ସେହି କ୍ରମରେ ଏକକାଳୀନ ୧୨ ଶହ ୯୪ ଜଣ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।

ଏହା ଆଧୁନିକ ଓଡିଶା ଇତିହାସର ଏକ ସ୍ମରଣୀୟ ଦିନ ହୋଇ ରହିବ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ୭ ଟି ପ୍ରମୁଖ ବିଭାଗକୁ ନେଇ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି, ଯାହା ଆମ ରାଜ୍ୟର ପ୍ରଗତିରେ ଏକ ମାଇଲଖୁଣ୍ଟ ।ଭୁବନେଶ୍ୱରସ୍ଥିତ ରେଳ ଅଡ଼ିଟୋରିୟମଠାରେ ଆଜି ଆୟୋଜିତ ହେବାକୁ ଯାଉଛି ନିଯୁକ୍ତି ମେଳା ।

ଓଡ଼ିଶା ସରକାରଙ୍କ ପ୍ରମୁଖ ୭ ଟି ବିଭାଗ ଯଥା- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ପଞ୍ଜାୟତିରାଜ ଓ ପାନୀୟ ଜଳ ବିଭାଗ, ଅବଜାରୀ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ସର୍ବମୋଟ୍ ୧୨ ଶହ ୯୪ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ବେସରକାରୀ ଅନୁଦାନପ୍ରାପ୍ତ ରଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଆଜି ମୋଟ୍ ୮୨୬ ଜଣ ସ୍ନାତକୋତ୍ତର ଶିକ୍ଷକ ବା ପିଜିଟିଙ୍କୁ ନିଯୁକ୍ତି ପତ୍ର ଗ୍ରହଣ କରିବେ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ମୋଟ୍ ୨୨୪ ଜଣଙ୍କୁ ନିଯୁକ୍ତି ଦିଆଯିବ, ଯେଉଁଥିରେ ୧୨ ଜଣ ସହକାରୀ ପ୍ରାଧ୍ୟାପକ, ୪୬ ଡ୍ରଗ ଇନ୍ସପେକ୍ଟର ୫ ଜଣ ଆୟୁର୍ବେଦିକ ସ୍ବାସ୍ଥ୍ୟ ଅଧିକାରୀ, ୧୧୧ ଜଣ ନସିଂ ଅଫିସର୍, ୩୨ ଜଣ ବରିଷ୍ଠ ପ୍ରୟୋଗଶାଳା ସହାୟକ, ୬ ଜଣ କ୍ଲିନିକାଲ୍ ମନୋବିଜ୍ଞାନୀ, ୧୨ ଜଣ ମନସ୍ତତ୍ଵ ସାମାଜିକ କର୍ମୀ ରହିଛନ୍ତି ।

ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ୮୧ ଜଣ ଅଧ୍ୟାପକ ଷ୍ଟେଜ-୧ ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ । ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ମୋଟ୍ ୬୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ, ଯେଉଁଥିରେ ୪୦ ଜଣ ମୋଟରଯାନ କନିଷ୍କ ଇନ୍ସପେକ୍ଟର ଓ ୨୩ ଜଣ ଟ୍ରାଫିକ୍ କନଷ୍ଟେବଳ ଅଛନ୍ତି ।

ଏଥିସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ୪୯ ଜଣ ଗ୍ରାମପଞ୍ଚାୟତ ରନ୍ନୟନ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଅବକାରୀ ବିଭାଗ ଅଧିନରେ ୩୨ ଜଣ ଅବକାରୀ ସବ୍ ଇନ୍ସପେକ୍ଟର, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୁନରେ ୧୦ ଜଣ କନିଷ୍ଠ ଷ୍ଟେନୋଗ୍ରାଫର, ଜଣେ ଫିଜିଓଥେରାପିଷ୍ଟ, ଜଣେ ମେଡିକାଲ୍ ସାମାଜିକ କର୍ମୀ, ୪ ଜଣ ଅପରେଟର ଟେକ୍ନିସିଆନ୍, ଜଣେ ସିଏସଏସଡ଼ି ଟେକ୍ନିସିଆନ, ଜଣେ ସିଏସଏସଡ଼ି ସହକାରୀ, ଜଣେ ଡାର୍କ ରୁମ୍ ସହକାରୀ ଭାବରେ ନିଯୁକ୍ତି ପାଇବେ ।

ନିଯୁକ୍ତି ମେଳା ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଷୟିକ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ କୁମାର ଆହୁଜା ଓ ବିଭାଗୀୟ ସଚିବ ପ୍ରମୁଖ ମଧ୍ୟ ଉପସ୍ଥିତ ଅଛନ୍ତି ।