ଅଟଳଜୀ ଆମ ପାଇଁ ସର୍ବଦା ଆଦର୍ଶ ପୁରୁଷ ଓ ପ୍ରେରଣାର ଉତ୍ସ ହୋଇ ରହିବେ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
୯ମ ଅଟଳ ସମ୍ମାନ-୨୦୨୪ ଅଟଳଜୀ ଆମ ପାଇଁ ସର୍ବଦା ଆଦର୍ଶ ପୁରୁଷ ଓ ପ୍ରେରଣାର ଉତ୍ସ ହୋଇ ରହିବେ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର, 25 ଡିସେମ୍ବର : - ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ସୁରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ ।
ପ୍ରଧାନମନ୍ତ୍ରୀତ୍ୱ କାଳରେ ଅଟଳଜୀ ଦେଶରେ ସୁଶାସନ ବ୍ୟବସ୍ଥା କରିଥିଲେ । ସେଥିଲାଗି ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ତାରିଖକୁୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତଃ ବାଜପେୟୀଜୀଙ୍କ ୧୦୦ ତମ ଜନ୍ମ ଦିବସ ତଥା ଜନ୍ମ ଶତବାର୍ଷିକ ପାଳନ ଅବସରରେ ଅଟଳ ସମ୍ମାନ -୨୦୨୪ କାର୍ଯ୍ୟକ୍ରମ ଆୟୋଜନ ହେବା ସହ ସୁଶାସନ ଦିବସ ପାଳିତ ହୋଇଥିଲା ।
ପ୍ରତିକୁଳ ପରିସ୍ଥିତିରେ ଅସାଧାରଣ ବ୍ୟକ୍ତିତ୍ୱ ପ୍ରଦର୍ଶନ, ମହାନୁଭବତା, ମହନୀୟତା ତଥା ବିକାଶର ଅଭିଳାଷକୁ ବୁଣି ସାରା ଭାରତବର୍ଷକୁ ସଡ଼କ ପଥରେ ଏକାକାର କରିବାର ଯୁଗପୁରୁଷ, ସ୍ୱାଧୀନ ଭାରତବର୍ଷର ସୁଶାସନର ପ୍ରବର୍ତକ, ସାରସ୍ୱତ ସାଧକ, ପାଂଚ ଦଶନ୍ଧିର ସାଂସଦ, ଯୁଗାନ୍ତକାରୀ, ମହାମାନବ, ଭାରତରତ୍ନ ଭୁତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆମ ଭାରତୀୟଙ୍କ ପାଇଁ ସର୍ବଦା ଆଦର୍ଶ ପୁରୁଷ ଓ ପ୍ରେରଣାର ଉତ୍ସ ହୋଇ କାଳେ କାଳେ ରହିବେ । ନିଜର ବ୍ୟକ୍ତିତ୍ୱ ବଳରେ ବିରୋଧୀଙ୍କୁ ଆକର୍ଷିତ କରିପାରୁଥିଲେ ଅଟଳଜୀ ।
ଏନ୍ଡିଏ ମେଂଟ ଗଠନ କରି ସୁଶାସନ ଦେଇ ଉଦାହରଣ ସୃଷ୍ଟି କରିଥିଲେ । ସେଥିପାଇଁ ଅଟଳଜୀଙ୍କୁ ଅଜାତଶତୃ ବୋଲି କୁହାଯାଉଥିଲା । ତାଙ୍କ ନୀତି ଓ ଆଦର୍ଶକୁ ଆଧାର କରି ଆଜି ବିଜେପି ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ ଭାବେ ଛିଡା ହୋଇଛି । ସୁଶାସକ ରୂପେ ଅଟଳଜୀ ନିଜକୁ ପ୍ରତିଷ୍ଠିତ କରାଇବାରେ ସଫଳ ହୋଇଥିବାବେଳେ ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସେହି ଧାରାକୁ ଆଗକୁ ବଢ଼ାଇ ଚାଲିଛନ୍ତି । ଦେଶର ୨୦ଟି ରାଜ୍ୟରେ ବିଜେପି ନେତୃତ୍ୱାଧିନ ସରକାର । ଦିନ ଥିଲା ଓଡିଶାକୁ ସାଇନ ବୋର୍ଡ ପାର୍ଟି କୁହାଯାଉଥିଲା । କିନ୍ତୁ ଆଜି ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର । ନିର୍ବାଚନୀ ସଂକଳ୍ପପତ୍ର ଘୋଷଣାକୁ ପୁରଣ କରାଯିବ । ୨୦୩୬ ସୁଦ୍ଧା ବିକଶିତ ଓଡିଶା କରିବା ପାଇଁ ଭିଜନ-୨୦୩୬ ଲୋକଙ୍କ ପାଖରେ ସରକାର ରଖିଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
କଂଗ୍ରେସ ସରକାର ସମୟରେ ଯେଉଁ ଭାରତୀୟ ଜନତାପାର୍ଟିକୁ ତାତ୍ସଲ୍ୟ କରାଯାଇଥିଲା, ଆଜି ସେହି ଦଳ ବିଶ୍ୱର ସର୍ବବୃହତ ଦଳର ମର୍ଯାଦା ଲାଭ କରିଛି । ଶ୍ରୀ ବାଜପେୟୀଙ୍କ ନେତୃତ୍ୱରେ ସୁଶାସନ କାହାକୁ କୁହାଯାଏ, ତାହା ପୁରା ବିଶ୍ୱ ଦେଖିଲା । ପୋଖରାନ ପରମାଣୁ ପରୀକ୍ଷଣ ପରେ ସମଗ୍ର ବିଶ୍ୱରୁ ଯେଉଁ କଟକଣା ଓ ଭୟ ଆଶଂକା ପ୍ରକାଶ ପାଇଥିଲା, ସେ ସମସ୍ତ ଆହ୍ୱାନକୁ ଦୃଢତାର ସହ ସାମନା କରିଥିଲେ ଅଟଳଜୀ । ଭିତିଭୂମି ପ୍ରତିଷ୍ଠା କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିଲେ । ରେଳ, ରାସ୍ତା ଓ ଟେଲିଫୋନ ସଂଯୋଗୀକରଣକୁ ଚରମ ଶିଖରରେ ପହଂଚାଇଲେ । ଓଡ଼ିଶାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱର୍ଗତ ବାଜପେୟୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକିତ୍ୱ ଥିଲେ । ବିଶିଷ୍ଟ ରାଜନୈତିଜ୍ଞ, ପ୍ରବାଦ ପୁରୁଷ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏକ ମହାନ ବ୍ୟକ୍ତିତ୍ୱ ଏବଂ କୋଟି କୋଟି
କାର୍ଯ୍ୟକର୍ତାଙ୍କ ପ୍ରେରଣାର ସ୍ରୋତ ଥିଲେ । ୧୯୯୯ ମସିହା ମହାବାତ୍ୟା ପରେ ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଲୱେ ଜୋନ୍, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା । ଅଟଳଜୀଙ୍କ ଜନ୍ମ ଶତବାର୍ଷିକକୁ ବର୍ଷସାରା ପାଳନ କରାଯିବ । ବୁଥ୍ସ୍ତରରୁ ଆରମ୍ଭ କରି ବ୍ଲକ, ଜିଲା ଓ ରାଜ୍ୟସ୍ତରର ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଆଲୋଚନାଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଅଟଳଜୀଙ୍କ ପ୍ରେରଣାକୁ ପାଥେୟ କରି ଓଡ଼ିଶାକୁ ଭାରତବର୍ଷର ଶ୍ରେଷ୍ଠ ଓ ସମୃଦ୍ଧଶୀଳ ରାଜ୍ୟ ଭାବେ ଗଢି ତୋଳିବା ଆମର ଲକ୍ଷ୍ୟ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଅନ୍ଧାକାର ଦୂର ହେବ, ସୂର୍ଯ୍ୟ ଉଦୟ ହେବ, ପଦ୍ମ ଫୁଟିବ ଏବଂ ଭାରତୀୟ ଜନତା ପାର୍ଟି ସ୍ପଷ୍ଟ ବହୁମତରେ ସରକାର ଗଠନ କରିବ । ସ୍ୱର୍ଗତଃ ଅଟଳଜୀଙ୍କ ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହୋଇଛି । କ୍ଷମତାରେ ରହିବା ପାଇଁ କେବେ ନୈତିକତା ଓ ଆଦର୍ଶ ସହ ସାଲିସ କରି ନଥିବା ଅଟଳଜୀ କୃଷକମାନଙ୍କୁ ଦୁଃଖକୁ ଭଲଭାବେ ହୃଦୟଙ୍ଗମ କରିପାରିଥିଲେ । ସେ କୃଷକମାନଙ୍କ ପାଇଁ କିଶାନ କ୍ରେଡିଟ୍ କାଡ୍ ଓ ଫସଲବୀମା ଯୋଜନା ଆରମ୍ଭ କରିଥିଲେ । ସେ କେବେ କାହାର ଚାପରେ ଆସୁ ନଥିଲେ । ପରମାଣୁ ପରୀକ୍ଷଣ ଆରମ୍ଭ କରି କାର୍ଗିଲ୍ ଯୁଦ୍ଧ ପର୍ଯ୍ୟନ୍ତ ସବୁଥିରେ ସଫଳ ହୋଇଥିଲେ । ବିକଶିତ ଭାରତ ଗଢ଼ିବା ପାଇଁ ସେ ଯେଉଁ ପ୍ରୟାସ କରିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀ ତାହାକୁ ପୂରଣ କରି ଚାଲିଛନ୍ତି । ସ୍ୱର୍ଗତ ବାଜପେୟୀଙ୍କ ମାର୍ଗରେ ଆମେ ସମସ୍ତେ ଆଗକୁ ବଢ଼ିବା ଆବଶ୍ୟକ ବୋଲି ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି ।
ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ସ୍ୱର୍ଗତ ବାଜପେୟୀ ଓଡ଼ିଶାବାସୀଙ୍କୁ ଅନ୍ତରର ସହ ଭଲପାଉଥିଲେ । ସେ ଓଡ଼ିଶାର କଳା, ସଂସ୍କୃତି ଉପରେ ଗଭୀର ଅନୁଧ୍ୟାନ କରିଥିଲେ । ଓଡ଼ିଶା ପ୍ରତି ତାଙ୍କ ଅବଦାନକୁ କେବେ ଭୁଲି ହେବ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସବୁ ଜାଗାରେ ପ୍ରଶଂସିତ ହେଉଛି ଏବଂ ଏହାର ପ୍ରରିକଳ୍ପନା ସ୍ୱର୍ଗତ ବାଜପେୟୀ କରିଥିଲେ । ତାଙ୍କଠାରୁ ପ୍ରେରଣାପାଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବ୍କା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବ୍କା ପ୍ରୟାସ ଆହ୍ୱାନ ଦେଇଛନ୍ତି । ସ୍ୱର୍ଗତ ବାଜପେୟୀ ଦେଖାଇଥିବା ବାଟରେ ଆଗକୁ ବଢ଼ିଲେ ଜୀବନରେ ସଫଳତା ନିଶ୍ଚୟ ମିଳିବ ।
ବାଜପେୟୀ ଜଣେ ଯୋଗଜନ୍ମା ଥିଲେ, ସେ ଜଣେ ହୃଦୟବାନ ରାଜନୈତଜ୍ଞ, କବି, ଜ୍ଞାନୀ ଓ ବାଗ୍ମୀଭାବେ ବିବେଚିତ ହେଉଥିଲେ । ସଂସ୍କାର ଓ ସଂସ୍କୃତି ତାଙ୍କ ମୂଳ ଆଧାର ଥିଲା । ସମଗ୍ର ଭାରତବର୍ଷକୁ ସଂସ୍କୃତି ସମ୍ପନ୍ନ କରିବା ପାଇଁ ସେ ଆପ୍ରାଣ ଉଦ୍ୟମ କରିଥିଲେ । ସ୍ୱର୍ଗତ ବାଜପେୟୀଙ୍କ କେହି ଶତ୍ରୁ ନ ଥିଲେ । ବିରୋଧୀମାନେ ମଧ୍ୟ ତାଙ୍କୁ ଭଲ ପାଉଥିଲେ । ସମଗ୍ର ବିଶ୍ୱରେ ଭାରତର ଗରିମା ବୃଦ୍ଧି କରିଥିଲେ ସ୍ୱର୍ଗତ ବାଜପେୟୀ । ସ୍ୱାମ୍ବୀ ବିବେକାନନ୍ଦ ଦିନେ କହିଥିଲେ ଭାରତ ବିଶ୍ୱଗୁରୁ ହେବ । ଶ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ପ୍ରମାଣ କରି ଦେଖାଇଛନ୍ତି । ଏଥିପାଇଁ ପ୍ରେରଣା ତାଙ୍କୁ ସ୍ୱର୍ଗତ ବାଜପେୟୀଙ୍କଠାରୁ ମିଳିଛି ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରଫେସର ଡ.ନିରଞ୍ଜନ ପାଢ଼ୀ କହିଛନ୍ତି ।
କାର୍ଯ୍ୟକ୍ରମ ଅବସରରେ ଅଟଳଜୀଙ୍କ ଜୀବନୀ ଉପରେ ଆଧାରିତ ପ୍ରଦର୍ଶନୀ ଏବଂ ବାଜପେୟୀଜିଙ୍କ ବାଲୁକା କୃତିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରମୁଖ ଉଦ୍ଘାଟନ କରିଥିଲେ ।
ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିମ୍ବାଧର କୁଅଁରଙ୍କୁ ୯ମ ଅଟଳ ସମ୍ମାନ -୨୦୨୪ରେ ସମ୍ମାନିତ କରାଯାଇଥିଲା ।
ବିଶିଷ୍ଟ କବୟତ୍ରୀ କାନନବାଲା ପଟ୍ଟନାୟକଙ୍କୁ ଅଟଳ କବିତା ସମ୍ମାନ -୨୦୨୪; ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀଙ୍କୁ ଅଟଳ ସାମ୍ବାଦିକ ସମ୍ମାନ-୨୦୨୪ ଏବଂ ବିଶିଷ୍ଟ ସମାଜସେବୀ ରୁଦ୍ର ନାରାୟଣ ମହାପାତ୍ରଙ୍କୁ ଅଟଳ ସେବା ସମ୍ମାନ -୨୦୨୪ରେ ସମ୍ମାନିତ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ, ପୂର୍ବତନ ରାଜ୍ୟ ସଭାପତି ପ୍ରମୁଖ ଉପଢୈାକନ, ମାନପତ୍ର, ଫଳକ, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଟଳ ସମ୍ମାନ-୨୦୨୪ କାର୍ଯ୍ୟକ୍ରମକୁ ବିଜେପି ସାଂସ୍କୃତିକ ପ୍ରକୋଷ୍ଟ ରାଜ୍ୟ ସଂଯୋଜକ ପିଙ୍କି ପ୍ରଧାନ, ପଂଚାନନ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।