- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଉପହାର ସାମଗ୍ରୀ ଯୋଗାଇବା ପାଇଁ ଉତ୍କଳିକାର ବୁଝାମଣାପତ୍ର ସ୍ୱାକ୍ଷରିତ
- ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ଭେଟିଲେ ଟିଏଫଏଲର ଏମଡି
- ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ନାଲକୋ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ
- ଖୁବଶୀଘ୍ର ରାଜ୍ୟରେ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ - ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ମିଳିଲା ବୋମା ମାଡ ଧମକ, ସମ୍ବଲପୁର କୋର୍ଟ ପରିସରରେ ଜୋରଦାର ଯାଞ୍ଚ
ସମ୍ବଲପୁର, ୮ ଜାନୁଆରୀ- ଗୁରୁବାର ସକାଳୁ ସକାଳୁ ଶୁଣିବାକୁ ମିଳିଲା ବୋମା ଧମକ। ସିଏ ପୁଣି ସମ୍ବଲପୁର କୋର୍ଟକୁ ବୋମା ମାଡରେ ଉଡ଼ାଇ ଦିଆଯିବାର ଧମକ । ସମ୍ବଲପୁର ଜିଲ୍ଲା ଜଜ୍ କୋର୍ଟରେ ବୋମା ଆତଙ୍କକୁ ନେଇ ସମଗ୍ର ସହରରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ଏଭଳି ଖବର ପାଇ ଫୁଲ୍ ଆକ୍ସନ ମୋଡ୍ କୁ ପୋଲିସ ଓହ୍ଲାଇ ମାଜିଷ୍ଟ୍ରେଟଙ୍କ ଠାରୁ ଆରମ୍ଭ କରି ଓକିଲ, କର୍ମଚାରୀ ଓ ହାଜିରା ପାଇଁ ଆସିଥିବା ସମସ୍ତ ମୁଦାଲାଙ୍କୁ ବାହାରକୁ ଯିବାକୁ କହି ସମଗ୍ର କୋର୍ଟ ପରିସରରୁ ଖାଲି କରି ଦେଇଥିଲେ। ଏତଦ୍ ବ୍ୟତୀତ ବୋମା ଡିସପୋଜାଲ ସ୍କ୍ୱାର୍ଡ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ସମଗ୍ର କୋର୍ଟ ପରିସରକୁ ତନତନ କରି ଯାଞ୍ଚ କରିବା ଆରମ୍ଭ କରିଛନ୍ତି ।
ସୂଚନାଯୋଗ୍ଯ, ଆଜି ପୂର୍ବାହ୍ନରେ ଜିଲ୍ଲା କୋର୍ଟରେ କାର୍ଯ୍ଯ ଆରମ୍ଭ ହେଉଥିବା ବେଳେ ଜିଲାଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କ ଇ-ମେଲକୁ ସମ୍ବଲପୁର ଜିଲ୍ଲା କୋର୍ଟ ପରିସରରେ ବୋମା ଖଞ୍ଜା ଯାଇଥିବା ନେଇ ସୂଚନା ଆସିଥିଲା। ଫଳରେ ଜିଲ୍ଲା ଜଜ୍ ତୁରନ୍ତ ସମସ୍ତ ଓକିଲ, କର୍ମଚାରୀ ଓ ମୁଦାଲାମାନଙ୍କୁ କୋର୍ଟ ପରିସର ଖାଲି କରିବାକୁ କହି ନିଜେ ମଧ୍ୟ ନିଜ ପ୍ରକୋଷ୍ଠରୁ ବାହାରି ଯାଇଥିଲେ। ଏହାସହ ସେ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଏ ସମ୍ପର୍କରେ ଖବର ଦେଇଥିଲେ। ଖବର ପାଇ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ପୋଲିସ ଆକ୍ସନ ମୋଡକୁ ଆସି କୋର୍ଟ ପରିସରକୁ ସିଲ୍ କରି ଯାଞ୍ଚ ଆରମ୍ଭ କରିଛି। ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ପୋଲିସ ଓ ଡଗସ୍କ୍ବାର୍ଡ ତନ୍ନତନ୍ନ କରି ଯାଞ୍ଚ କରିଥିଲେ ମଧ୍ୟ କୌଣସି ସୁରାକ୍ ମିଳିନଥିଲା। ତଥାପି ସୁରକ୍ଷା ଦୃଷ୍ଟିରୁ କୋର୍ଟ ଚତୁଃପାର୍ଶ୍ଵରେ ବମ୍ ଡିସ୍ଫୋଜାଲ ସ୍ବାର୍ଥ ଓ ଅଗ୍ନିଶମ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି ।
ମିଳିଥିବା ଖବର ମୁତାବକ, କେବଳ ସମ୍ବଲପୁର ନୁହେଁ, ତିନୋଟି କୋର୍ଟକୁ ଏହିପରି ଧମକ ମିଳିଥିବା କୁହାଯାଉଛି । କଟକ ଜିଲ୍ଲା ଜଜ୍ କୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି । ସମ୍ବଲପୁର ଭଳି କଟକକୁ ମଧ୍ୟ ଇ-ମେଲ୍ରେ ଆସିଛି ବୋମା ଧମକ । ଜିଲ୍ଲା ଜଜ୍ କୋର୍ଟ ଏବଂ ହାଇକୋର୍ଟକୁ ଖାଲି କରି ଖାନତଲାସୀ ଆରମ୍ଭ କରାଯାଇଛି । ଅନ୍ୟପଟେ ଦେବଗଡ଼ ଜିଲ୍ଲା ନ୍ୟାୟଳୟରେ ୩ଟି ଆର୍ଡିଏକ୍ସ ଥିବା ମେଲ୍ ଆସିଥିବା କୁହାଯାଉଛି । କିଏ ଏଭଳି ରହସ୍ଯାବୃତ୍ତ ମେଲ୍ କରିଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇପାରି ନଥିବା ବେଳେ ଏହାକୁ ନେଇ ଜିଲ୍ଲା ଓ ରାଜ୍ୟ ପୋଲିସ୍ ପ୍ରଶାସନ ବେଶ୍ ତତ୍ପରତାର ସହ ତଦନ୍ତ କରୁଥିବା ଜଣାପଡିଛି ।